ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଦୟା ୱେଷ୍ଟ୍‌,ମନି ୱେଷ୍ଟ୍‌: ଅସହ୍ୟ ହେଲାଣି ପ୍ରଦୂଷଣର ଦାଉ, ଜନବସତିରେ ବୁଣୁଛି ରୋଗର ମଞ୍ଜି

ଭୁବନେଶ୍ୱର,୨୩/୦୬(ବିଜୟ ମିଶ୍ର): ୪୧ କିମି ଦୈର୍ଘ୍ୟ ବିଶିଷ୍ଟ ଦୟାୱେଷ୍ଟ  କେନାଲ ଖୋଳିବାକୁ ଯେତିକି ଖର୍ଚ୍ଚ ହୋଇଥିଲା, ତା’ ଠାରୁ ଢେର୍‌ ଅଧିକ ଟଙ୍କା ଖର୍ଚ୍ଚ ହେଲାଣି କେନାଲ ଗର୍ଭରୁ ଗଛ ଉପାଡ଼ିବାରେ । ଫି’ ବର୍ଷ ନର୍ଦ୍ଦମା ପାଣି ଉପରେ ଦୂର୍‌ ଦୂର୍‌ ବଢ଼ୁଥିବା ଦଳ ସଫା କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ତୁଚ୍ଛାଟାରେ ପ୍ରାୟ ୨ କୋଟି ଖର୍ଚ୍ଚ କରୁଛନ୍ତି । ହେଲେ ନର୍ଦ୍ଦମା ବଦଳରେ ନଦୀ ଜଳ ପ୍ରବାହ କରିବା ଦିଗରେ ସାମାନ୍ୟତମ ଉଦ୍ୟମ ନାହିଁ କି ଖର୍ଚ୍ଚ ନାହିଁ ।  ଫଳରେ ପ୍ରଦୂଷଣର ଜ୍ୱାଳାରେ ଅଧ୍ୟୁଷିତ ଜନସାଧାରଣ ତ୍ରାହି ତ୍ରାହି ଡାକିଲେଣି ।  

୧୯୬୭ ମସିହାରେ ଦୟାୱେଷ୍ଟ କେନାଲ ଖୋଳା ଆରମ୍ଭ ହୋଇଥିଲା । ବାରଙ୍ଗ କେନ୍ଦୁପାଟଣା ପୁରୀ ହାଇଲେବୁଲ କେନାଲରୁ ଏହା ବାହାରି ପ୍ରାୟ ୪୧  କିମି ପ୍ରବାହିତ ହେବା ପରେ ରେତଙ୍ଗ ନିକଟସ୍ଥ ଏକ ପ୍ରାକୃତିକ ନାଳରେ ଏହା  ସଂଯୋଗ ହୋଇଥିଲା । ଏଥିପାଇଁ ବିପୁଳ ପରିମାଣର ଜମି ସ୍ଥାନୀୟ ଲୋକେ  ସରକାରଙ୍କୁ ଦେଇଥିଲେ । ୩ ବର୍ଷ  ଭିତରେ କେନାଲ ଖୋଳାଯାଇ ଏଥିରେ  ଶୁଦ୍ଧ ନଦୀଜଳ ପ୍ରବାହିତ ହୋଇଥିଲା ।  ଉଦ୍ଦେଶ୍ୟ ଥିଲା ରାଜଧାନୀରେ ଜଳ  ଅଭାବ ରହିବ ନାହିଁ । ଉପକଣ୍ଠରେ ଥିବା  ପ୍ରାୟ ୧୩ହଜାର ହେକ୍ଟର ଚାଷଜମିକୁ ଶସ୍ୟଶ୍ୟାମଳା ହେବ । ଉଦ୍ଦେଶ୍ୟ  ସାଧନ ହୋଇଥିଲା ମଧ୍ୟ । କେନାଲ  ଅବବାହିକାରେ ଥିବା ଶସ୍ୟକ୍ଷେତ୍ରରେ  ବର୍ଷତମାମ ଫସଲ ହେଉଥିଲା ।  ଅସଂଖ୍ୟ କୂଅ, ପୋଖରୀ, ଜଳାଶୟ  ସଜଳା ରହିଥିଲା । ହେଲେ ୨୦ ବର୍ଷ ଭିତରେ ସରକାର ଏତେ ସୁନ୍ଦର ଜଳଉତ୍ସଟିକୁ ପାଲଟାଇ ଦେଲେ ନର୍ଦ୍ଦମା, ମଳ ପ୍ରବାହର ଧାର । ଫଳରେ ଜହର ଭରିଗଲା ପ୍ରାୟ ୫ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜନବସତିରେ । ଚାଷବାସ ଗଲା । କୂଅ, ପୋଖରୀରେ ପୋକ ସାଲୁବାଲୁ ହେଲେ । ରୋଗ, ବଇରାଗରେ ଲୋକେ ମଲେ । ତଥାପି ସୁଧୁରିଲା ନାହିଁ । କେନାଲଟି ଏବେ ଲୋକଙ୍କର ବୋଝ ପାଲଟି ଯାଇଛି । କେନାଲରେ ବିଏମ୍‌ସି  ପକାଇଛି ୪ଟି ବଡ଼ ଡ୍ରେନ୍‌ ଓ ୫୦ରୁ ଅଧିକ ମଧ୍ୟମ ଧରଣର ଡ୍ରେନ୍‌ । ଏହାର ଉଭୟ ପାଶ୍ୱର୍ରେ ଥିବା କୋଠାବାଡ଼ିରୁ ୩୦୦୦ରୁ  ଅଧିକ ସ୍ୱେରେଜ ଲାଇନ୍‌ ସଂଯୋଗ ହୋଇଛି । ଯାବତୀୟ ବର୍ଜ୍ୟପଦାର୍ଥ  ଏଥିରେ ଫିଙ୍ଗାଯାଉଛି । ଏପରିକି ସେସ୍‌ପୁଲ ଗାଡ଼ି ଏଥିରେ ମଳ ଢାଳୁଛି । ଏହାର ଅସହ୍ୟ କୁପ୍ରଭାବର ଅନ୍ତ ଯେମିତି ନାହିଁ ।  

ଦୟାୱେଷ୍ଟ କେନାଲର ପ୍ରଦୂଷଣର କୁପ୍ରଭାବ ଲୋକେ ଭୋଗି  ଭୋଗି ମରିଯାଉଛନ୍ତି । ୨୦୦୭ରେ ୬୭ ନମ୍ବର ୱାର୍ଡ କେନାଲ  କୂଳରେ ଥିବା ଯୋଗେଶ୍ୱର ପାଟଣା, ସୁନ୍ଦରପଦାରେ ହଇଜା  ବ୍ୟାପୀଥିଲା । ଏଥିରେ ୬ଜଣଙ୍କ ପ୍ରାଣହାନି ଘଟିଥିଲା । ଏହାପରେ  ଶ୍ରୀରାମନଗର, କପିଳେଶ୍ୱର, ଆଜାଦ ନଗର, ସୁନ୍ଦରପଦା ଆଦି  ଜନବସତିରେ ଦେଖାଦେଇଥିଲା ହଳଦିଆ କାମଳ ରୋଗ । ୮ରୁ  ଅଧିକ ଲୋକଙ୍କ ଜୀବନ ଯାଇଥିଲା । ୨୦୧୬ ଅଗଷ୍ଟ ମାସରେ ଗ୍ୟାରେଜ  ଛକ ଠାରେ କେନାଲ ବନ୍ଧ ଭାଙ୍ଗିଯିବାରେ ଅଭାବନୀୟ ପରିସ୍ଥିତି  ଉପୁଜିଥିଲା । କଳା କିଟି କିଟି ନର୍ଦ୍ଦମା ପାଣି ନିକଟସ୍ଥ କେଦାରଗୌରୀ  ଆପାର୍ଟମେଣ୍ଟ ପରିସରରେ ୪ଫୁଟ ଉଚ୍ଚରେ ପଶିଯାଇଥିଲା । ଅନେକ  ଆପାର୍ଟମେଣ୍ଟ ବାସିନ୍ଦା ଘର ଛାଡ଼ି ପଳାଇଥିଲେ । 

କେନାଲର  ମଳ ପାଣି ରେତଙ୍ଗ ପର୍ଯ୍ୟନ୍ତ ପରିବେଶକୁ ନଷ୍ଟ କରି ସାରିଲାଣି ।  ହଳଦିଆ କାମଳ, ଯକୃତ ଜନିତ ଜଳବାହିତ ରୋଗରେ ଶତାଧିକଙ୍କ ଜୀବନ ଗଲାଣି । ଲୋକେ ଭୟରେ କେନାଲ କଡ଼ରେ  ଥିବା କୂଅ, ପୋଖରୀରୁ ଜଳ ବ୍ୟବହାର ବନ୍ଦ କରି ଦେଲେଣି । କେନାଲରେ ସ୍ୱେରେଜ, ଡ୍ରେନ୍‌ ସଂଯୋଗକୁ ବନ୍ଦ କରିବା ଲାଗି  ଏକାଧିକ ଅଦାଲତ ବିଏମ୍‌ସିକୁ ନିର୍ଦ୍ଦେଶ ଦେଲେଣି । ୨୦୧୦ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅନେକ ଡ୍ରେନ୍‌ ମୁହାଣରେ  କଂକ୍ରିଟ ଦେଇ କେନାଲରୁ ସଂଯୋଗ ଛିନ୍ନ କରାଯାଇଥିଲା ।  ହେଲେ ପରବର୍ତ୍ତୀ କାଳରେ ବିଏମ୍‌ସି ଏହାର ବିକଳ୍ପ ବ୍ୟବସ୍ଥା  ନ କରିବାରେ ବର୍ଷା ଦିନେ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ  ସମସ୍ୟା ଦେଖାଦେଇଥିଲା । ତେଣୁ ସେ ଡ୍ରେନ ଗୁଡ଼ିକର ଦ୍ୱାର  ପୁଣି ଖୋଲି ଦିଆଯାଇଥିଲା । ତା’ ପରଠୁ ଅବିଚାରିତ ଭାବେ  ଡ୍ରେନ୍‌, ସ୍ୱେରେଜ ଲାଇନ କେନାଲ ସହିତ ଯୋଡ଼ା ଚାଲିଛି । 

ପରିସ୍ଥିତି ଏମିତି ଯେ ଦୟା ୱେଷ୍ଟ କେନାଲ ବର୍ତ୍ତମାନ ଉଭୟ  ସରକାର ଓ ଜନସାଧାରଣଙ୍କ ବୋଝ ପାଲଟି ଯାଇଛି । ମୂଳୁ ମାଇଲେ  ଯିବ ସରି ସୂତ୍ରରେ କେନାଲକୁ ନିଶ୍ଚିହ୍ନ କରିବା ଯୋଜନା କରିଛନ୍ତି ।  କେନାଲକୁ ପୋତି ରାସ୍ତା କରିବା ଯୋଜନା ଚଳାଇଥିଲେ । ୩୦  କୋଟିର ରାସ୍ତା ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡ଼ି ରହିଛି । ଅନେକ  ସ୍ଥାନରେ ୧୦ ମିଟର ଓସାର ବିଶିଷ୍ଟ ଏହି କେନାଲକୁ ପୋତି ୨ ମିଟର  ପର୍ଯ୍ୟନ୍ତ ସଂକୁଚିତ କରି ଦିଆଯାଇଛି । କେନାଲରେ ସ୍ୱଚ୍ଛ ନଦୀ ଜଳ  ପ୍ରବାହିତ ହୋଇପାରିବ କି ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ଏକାମ୍ର  ବିଧାୟକ ବାବୁ ସିଂ କହିଛନ୍ତି, ଏହି ସମସ୍ୟା ସମ୍ପର୍କରେ ବିଏମ୍‌ସି  କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି । କ’ଣ କରାଯାଇପାରିବ  ସେ ସମ୍ପର୍କରେ ମୁଁ ଆଗକୁ ସୂଚନା ଦେବି । ବିଏମ୍‌ସି ଡ୍ରେନେଜ  ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୈତାରୀ ବେହେରା କହିଛନ୍ତି,  ଭାଇ ମୁଁ ଏଠାକୁ ନୂଆ ଆସିଛି । ମୋ ଅମଳରେ କେନାଲରେ  ଗୋଟିଏ ବି ଡ୍ରେନ୍‌ ସଂଯୋଗ ହୋଇନାହିଁ । କେନାଲ ପ୍ରଦୂଷଣମୁକ୍ତ  ହୋଇପାରିବ କି ନାହିଁ, ତାହା ଉପରିସ୍ଥ ଅଧିକାରୀ କହିବେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.