ନୂଆଦିଲ୍ଲୀ,୧୯/୦୪: ଦୁବାଇରେ ପ୍ରବଳ ବର୍ଷା ଯୋଗୁ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଛି । ବିମାନ ଚଳାଚଳ ଘୋର ବାଧାପ୍ରାପ୍ତ ହୋଇଛି । ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡ଼ାଣ ସଂପୂର୍ଣ୍ଣ ବନ୍ଦ ରହିଛି । ଏଭଳି ସ୍ଥିତିରେ ଦୁଇ ଭାରତୀୟ ରେସଲର ଦୀପକ ପୁନିଆ ଓ ସୁଜିତ କାଲାକାଲ ସେଠାରେ ଅଟକି ରହିଛନ୍ତି ।
ଶୁକ୍ରବାର ଠାରୁ କିର୍ଗିଜସ୍ତାନରେ ଆରମ୍ଭ ହେଉଛି ରେସଲିଂ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ । ସେମାନେ ଦୁବାଇ ଦେଇ କିର୍ଗିଜସ୍ତାନରେ ପହଞ୍ଚିବାର ଥିଲା । କିନ୍ତୁ ଦୁବାଇରେ ପହଞ୍ଚିବା ପରେ ବର୍ଷା ଯୋଗୁ ଅଟକି ରହିଛନ୍ତି । ବିମାନସେବା ଆରମ୍ଭ ହେବାକୁ କେତେ ସମୟ ଲାଗିବ ସେନେଇ କିଛି ସ୍ପଷ୍ଟ ଜଣା ପଡ଼ି ନାହିଁ । ତେଣୁ ଶୁକ୍ରବାର ସୁଦ୍ଧା ଯଦି ପୁନିଆ ଓ ସୁଜିତ ପ୍ରତିଯୋଗିତା ସ୍ଥଳରେ ନପହଞ୍ଚନ୍ତି, ତେବେ ପ୍ରତିଯୋଗିତାରୁ ହୁଏତ ସେମାନେ ବଞ୍ଚିତ ହେବେ ।