ଭୁବନେଶ୍ୱର,୧୯/୦୮: ରାଜ୍ୟକୁ ଡେଙ୍ଗୁ ଭୟ ଘାରିଛି । ଚଳିତ ବର୍ଷ ଡେଙ୍ଗୁରେ ଅନେକ ରୋଗୀଙ୍କ ଜୀବନ ଯାଉଥିବା ଅଭିଯୋଗ ହେଉଥିଲେ ହେଁ ସରକାରୀ ଭାବେ ଡେଙ୍ଗୁରେ କାହାର ମୃତ୍ୟୁ ହୋଇ ନଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ହେଲେ ଗତକାଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଧମପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ଜୀବନ ଯାଇଥିବା ଏକ ଘରୋଇ ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି ।
ସ୍ୱର୍ଗତ ଝିଙ୍ଗିଆଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ଖୋର୍ଦ୍ଧା ସିଡିଏମ୍ଓଙ୍କ ତତ୍ତ୍ୱାବଧାନରେ ଏକ କମିଟି ଗଠନ ହୋଇଛି । ଏହି ଟିମ୍ ରୋଇ ହସ୍ପିଟାଲ୍ ଯାଇ ସମସ୍ତ ରିପୋର୍ଟ ଯାଞ୍ଚ କରିବା ଆରମ୍ବ କରିଛି । ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରହୁଥିବା ଲୁମ୍ବିନୀ ବିହାରକୁ ଟିମ୍ ଯାଇ ଡେଙ୍ଗୁ ସମ୍ପର୍କିତ ମଶା ସ୍ଥିତି ଯାଞ୍ଚ ମଧ୍ୟ କରିଛି ।
ରାଜ୍ୟରେ ଡେଙ୍ଗୁ ପୀଡ଼ିତଙ୍କ ସଂଖ୍ୟା ୨୦୭୨ରେ ପହଞ୍ଚିଲାଣି । ଡେଙ୍ଗୁ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ବିଶେଷ କରି ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ସ୍ଥିତି ସଙ୍ଗିନ ରହିଛି । ଖୋର୍ଦ୍ଧାରେ ୫୩୭ ଜଣ ଡେଙ୍ଗୁ ରୋଗୀ ଥିବା ବେଳେ ରାଜଧାନୀରେ ୪୦୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରେ ରୋଗୀଙ୍କ ସଂଖ୍ୟା ୫୭୦ ଏବଂ ରାଉରକେଲାରେ ୪୦୦ ପାର ରହିଛି । ଏହି ଦୁଇଟି ସ୍ଥାନରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସୂତ୍ରରୁ ଜଣାପଡ଼ିଛି ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି, ଗତ ବର୍ଷ ତୁଳନାରେ ଏବର୍ଷ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିନି । ତଥାପି ରାଜ୍ୟବାସୀ ଡେଙ୍ଗୁ ନେଇ ସତର୍କ ରହିବା ଆବଶ୍ୟକ । ଗତ ଜୁଲାଇରେ ୩୧୪ ଓ ଅଗଷ୍ଟରେ ବର୍ତ୍ତମାନ ସୁଦ୍ଧା ୧୫୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ କାଲି ଓରାମଙ୍କ ଧମପତ୍ନୀଙ୍କ ଡେଙ୍ଗୁ ମୃତ୍ୟୁ ନେଇ ତଦନ୍ତ ଚାଲିଛି । ଏନେଇ ଏକ କମିଟି ଗଠିତ ହୋଇଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ଡେଙ୍ଗୁ ମୁକାବିଲା ନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ଡେଙ୍ଗୁ ହଟସ୍ପଟ୍ରେ ପରିଣତ ହୋଇଛି । ଡେଙ୍ଗୁ ଉପରେ ସଚେତନତା ସୃଷ୍ଟି କରିବା ଲାଗି ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି ।
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ଡେଙ୍ଗୁରେ ପତ୍ନୀଙ୍କ ଦେହାନ୍ତ ହୋଇଛି । ଗତ ୧୦ ତାରିଖରେ ଭୁବନେଶ୍ୱରରେ ପତ୍ନୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ପ୍ଲେଟଲେଟ୍ କମିଥିଲା । ପ୍ଲେଟ୍ଲେଟ୍ ଦେଲା ପରେ ମଧ୍ୟ ଆରୋଗ୍ୟ ହୋଇପାରି ନଥିଲେ । ଗତ ୧୧ ତାରିଖରେ ମଧ୍ୟ ସେ ଡେଙ୍ଗୁରେ ପୀଡ଼ିତ ହୋଇଥିଲେ ବୋଲି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଲୋକମାନେ ଏତେ ଅ୍ରାତଙ୍କିତ ହୋଇ ପଡ଼ିଛନ୍ତି ଯେ ସାମାନ୍ୟ ଜ୍ୱର ହେଲେ ଟେଷ୍ଟିଂ ପାଇଁ ଆସୁଛନ୍ତି ।
ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୨୦୦ ରୋଗୀ ପରୀକ୍ଷା ପାଇଁ ଆସୁଛନ୍ତି । ବର୍ତ୍ତମାନ ହସ୍ପିଟାଲ୍ରେ ୧୭ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ଅଛନ୍ତି । ୯୩ ରୋଗୀଙ୍କ ଡେଙ୍ଗୁ ପରୀକ୍ଷା ହୋଇଥିଲା । ସେଥିରୁ ୧୦ଜଣ ଚିହ୍ନଟ ହୋଇଥିଲେ ବୋଲି ହସ୍ପିଟାଲ୍ ପକ୍ଷରୁ ସୂଚନା ମିଳିଛି ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଡେଙ୍ଗୁ ନିୟନ୍ତ୍ରଣ ଓ ପ୍ରତିକାର ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି । ୫ ବର୍ଷ ଭିତରେ ଯେଉଁ ସ୍ଥାନ ଡେଙ୍ଗୁ ପ୍ରବଣ ବା ହଟ୍ସ୍ପଟ୍ ରହିଛି, ସେସବୁ ଅଞ୍ଚଳରେ ସର୍ବେକ୍ଷଣ ଆରମ୍ଭ କରିବାକୁ କୁହାଯାଇଛି । ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ଡେଙ୍ଗୁ ୱାର୍ଡ ଖୋଲିବା ବ୍ୟବସ୍ଥା କରାଯିବ ।