ଭୁବନେଶ୍ୱର,୧୪/୦୯: ସେପ୍ଟେମ୍ବର ମାସ ଆରମ୍ଭ ୯ ଦିନରେ ୧୦୦୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ଦୈନିକ ହାରାହାତି ୧୨୦ ରୋଗୀ ଚିହ୍ନଟ ହେଉଛନି । ଭୁବନେଶ୍ୱର ସାରା ଡେଙ୍ଗୁ ମାଡ଼ିଗଲାଣି । ବୁଧବାର ସୁଦ୍ଧା ସରକାରୀ ହିସାବରେ ୩,୫୪୮ ଆକ୍ରାନ୍ତ ହେଲେଣି। ଖୁବ୍ଶୀଘ୍ର ସଂଖ୍ୟା ୪ହଜାର ଡେଇଁବ । ୪୦ ଅଞ୍ଚଳ ରେଡ୍ ଜୋନ୍ ପାଲଟିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ କରିଛନ୍ତି ସେପ୍ଟେମ୍ବର ମାସରେ ସଂଖ୍ୟା ଶିଖର ଛୁଇଁବ । ହେଲେ ସ୍ୱାସ୍ଥ୍ୟ ବିଭାଗ, ବିଏମ୍ସିର କିନ୍ତୁ ଚିନ୍ତା ପଶୁନି । ସମସ୍ତେ ଚୁପ୍ ।
ସେପ୍ଟେମ୍ବର ମାସ ୫ ତାରିଖରେ ୧୩୨, ୬ ତାରିଖରେ ୧୫୭ ରୋଗୀ ଚିହ୍ନଟ ହୋଇଥିଲେ । ୭ ତାରିଖରେ ରେର୍କଡ ଭାଙ୍ଗିଲା । ସର୍ବାଧିକ ୨୩୭ ରୋଗୀ ଚିହ୍ନଟ ହେଲେ । ୮ ତାରିଖରେ କ୍ୟାପିଟାଲ ହସ୍ପିଟାଲ, ପଟିଆ ଓ ନୂଆପଲ୍ଲୀ ୟୁପିଏଚ୍ସିରୁ ୬୭୬ ଜଣଙ୍କ ରକ୍ତ ନମୂନା ଦେଇଥିଲେ । ସେଥିମଧ୍ୟରୁ ୧୪୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ହିସାବରେ ଟେଷ୍ଟ ପଜିଟିଭ ହାର ୨୧ ପ୍ରତିଶତ ରହିଛି । ଅଗଷ୍ଟ ମାସ ତୁଳନାରେ ଏହା ଯଥେଷ୍ଟ ଅଧିକ ।
ଜଣେ ପୂର୍ବତନ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ମଶା ବଂଶ ବୃଦ୍ଧି ପାଉଛି । ସାନ୍ଦ୍ରତା, ବର୍ଷା ଓ ଗରମ ଅସ୍ଥିର ରହୁଛି । ସେପଟେ ବର୍ତ୍ତମାନ ମଶା ବ୍ରିଡିଙ୍ଗ୍ ସମୟରେ ଜଳବାୟୁ ଅନୁକୂଳ ରହିଛି । ଲୋକେ ବି ସଚେତନ ରହୁନାହାନ୍ତି । ଏଣେତେଣେ ଭଙ୍ଗା ପାତ୍ର ପକାଉଛନ୍ତି । ତେଣୁ ମଶା ବଂଶ ବୃଦ୍ଧି ବା ଅଣ୍ଡା ଦେବାକୁ ଠିକ୍ ଜାଗା ମିଳୁଛି । ସେପ୍ଟେମ୍ବର ମାସରେ ସଂଖ୍ୟା ହୁ ହୁ ହୋଇ ବଢିବ । ଏହାପରେ କମିବ ।
ରାଜଧାନୀର ଚାରି ଆଡ଼େ ଡେଙ୍ଗୁ ମାଡିଗଲାଣି । ୧୮୩ ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ ୪୦ ସ୍ଥାନ ରେଡ୍ ଜୋନ । ଏହି ଅଞ୍ଚଳରେ ଘରେ ଘରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ ସର୍ବାଧିକ ସହିଦନଗରରେ । ନୂ୍ଆପଲ୍ଲୀରେ ୧୪୧, ୧୩୨, ଆଚାର୍ଯ୍ୟବିହାରରେ ୧୨୧, ପଟିଆରୁ ୧୦୯, ୟୁନିଟ୍ ୯ରୁ ୯୯, ୟୁନିଟ-୬ରୁ ୭୨, ଜୟଦେବ ବିହାରରୁ ୯୦, ସତ୍ୟନଗରରୁ ୮୭ ରୋଗୀ ଚିହ୍ନଟ ହୋଇଛନ୍ତି ।
ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୂଶୁଡ଼ି ପଡ଼ିଛି । ସଫେଇ ଠିକ୍ ଭାବେ ହେଉନି । ଅଳିଆ ପଡ଼ିରହୁଛି । ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି । ମେୟର, କର୍ପୋରେଟର ରାଜ୍ୟ ବାହାରେ ବୁଲୁଛନ୍ତି । ଡେଙ୍ଗୁ ରୋଗରେ ଲୋକେ ଛଟପଟ । ସେପଟେ ବାହାର ରାଜ୍ୟର ମଡେଲ ଅନୁସନ୍ଧାନ କରୁଛନ୍ତି କର୍ପୋରେଟର । ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଏପରି ରାଜ୍ୟ ବୁଲାକୁ ନାପସନ୍ଦ କରିଛନ୍ତି ସାଧାରଣ ଲୋକେ ।