ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିକାଶ ଊଦ୍ଧ୍ୱର୍ମୁଖୀ, ନିଯୁକ୍ତି ଅଧଃମୁଖୀ

ଭୁବନେଶ୍ୱର: ଭାରତରେ ଯୁବଗୋଷ୍ଠୀଙ୍କ ବେକାରୀ ହାର ବୈଶ୍ୱିକ ହାରଠାରୁ ଅଧିକ । ଅବସ୍ଥା ଏପରି ହୋଇଛି ଯେ, ଶତ ପ୍ରତିଶତ ନିଯୁକ୍ତି ଦେଉଥିବା ଆଇ.ଆଇ.ଟି. ଓ ଆଇ.ଆଇ.ଏମ୍‌. ପରି ଉତ୍କୃଷ୍ଟ ବୈଷୟିକ ସଂସ୍ଥା ମଧ୍ୟ ବେକାରୀ ସମସ୍ୟାର ଶିକାର । ନିୟୁତ ସଂଖ୍ୟାରେ ଯୁବକ ଯୁବତୀ ପ୍ରତିବର୍ଷ ଶ୍ରମଶକ୍ତିର ଅଂଶ ହେଉଛନ୍ତି । ଶ୍ରମଶକ୍ତି ହେଉଛି ଦେଶର ମୋଟ୍‌ କାର୍ଯ୍ୟକ୍ଷମ ଲୋକଙ୍କର ସଂଖ୍ୟା । ପ୍ରବେଶ ତୁଳନାରେ ପ୍ରସ୍ଥାନ ନଗଣ୍ୟ । ତେଣୁ ବର୍ଷକୁ ବର୍ଷ ବେକାରଙ୍କ ସଂଖ୍ୟା ବର୍ଦ୍ଧିତ ହାରରେ ବୃଦ୍ଧିପାଉଛି । ପରିସ୍ଥିତି ଏପରି ହେଲାଣି, ଚାକିରି ପାଇଁ ଦୌଡ଼ି ଦୌଡ଼ି ହତାଶ ହୋଇ ଯୁବକ ଯୁବତୀମାନେ ଚାକିରି ଖୋଜିବା ଛାଡ଼ିଦେଲେଣି । ସେମାନେ ଘରେ ବସିଛନ୍ତି ଓ ବାପାମାଆଙ୍କ ଉପରେ ନିର୍ଭର କରି ଚଳୁଛନ୍ତି । ଯୁବତୀଙ୍କ କ୍ଷେତ୍ରରେ ଏହା ଖୁବ୍‌ ଅଧିକ ।

ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଏବଂ ମାନବିକ ବିକାଶ ଅନୁଷ୍ଠାନ ନିକଟରେ ତାଙ୍କ ରିପୋର୍ଟରେ ପ୍ରକାଶ କରିଛନ୍ତି, ଭାରତରେ ସମୁଦାୟ ବେରୋଜଗାର ଲୋକଙ୍କ ଭିତରୁ ୮୩% ହେଉଛି ଯୁବଗୋଷ୍ଠୀ । ଏହି ରିପୋର୍ଟର ସବୁଠାରୁ ଚିନ୍ତାଜନକ ଅଂଶ ହେଉଛି ଶିକ୍ଷିତଙ୍କ ଭିତରେ ବେକାରୀ ବଢ଼ିଛି । ୨୦୨୨ ମସିହାରେ ଦଶମ ବା ତା'ଠାରୁ ଅଧିକ ପାଠ ପଢିଥିବା ବେକାରଙ୍କ ଅଂଶ ସମୁଦାୟ ବେକାର ସଂଖ୍ୟାର ୬୫.୭ ଭାଗ । ୨୦୨୦ ମସିହାରେ ଏହା ୩୬.୨ ଭାଗ ଥିଲା । ରିପୋର୍ଟ ଆହୁରି କହିଛି, ନିଯୁକ୍ତି ପାଇଥିବା ଯୁବକ ଯୁବତୀଙ୍କ ଭିତରୁ ୯୦% ଅଣସଂଗଠିତ କ୍ଷେତ୍ରରେ କାମ କରନ୍ତି । ୨୦୧୮ ତୁଳନାରେ ନିୟମିତ ନିଯୁକ୍ତିରେ କ୍ରମାଗତ ହ୍ରାସ ଘଟିଛି । କେବଳ ସେତିକି ନୁହେଁ, ଅଣସଂଗଠିତ କ୍ଷେତ୍ରରେ ହାରାହାରି ମଜୁରି ମଧ୍ୟ କମିଛି । ଅନ୍ୟ ଏକ ଚିନ୍ତାଜନକ ବିଷୟ ହେଉଛି, କମ୍‌ ଦରମାର ଚାକିରି ପାଇଁ ଅଧିକ ସଂଖ୍ୟକ ଉଚ୍ଚଶିକ୍ଷିତ ଏବଂ ବୈଷୟିକ ଶିକ୍ଷାଲାଭ କରିଥିବା ପିଲାଙ୍କର ଆବେଦନ ।

ସରକାରଙ୍କ ପିରିଅଡିକ୍‌ ଲେବୋର ଫାସ୍‌ର୍ ସର୍ଭେ ହିସାବରେ ଦେଶରେ ବେକାରୀ ହାର ୨୦୨୩ରେ ୩.୧% କମିଛି । ୨୦୨୧ ଏପ୍ରିଲରେ ଏହା ୪.୨% ଥିଲା, ୨୦୨୨ରେ ଥିଲା ୩.୬% । ଏହି ହାର କମିବା ସତ୍ତେ୍ୱ ସମସ୍ୟା ଚିନ୍ତାଜନକ । ସମୁଦାୟ ଶ୍ରମଶକ୍ତିର (କାମ କରୁଥିବା ଲୋକଙ୍କ ଭିତରେ) ଆତ୍ମନିଯୁକ୍ତି ଲୋକଙ୍କ ସଂଖ୍ୟା ପାଞ୍ଚବର୍ଷରେ ବୃଦ୍ଧି ପାଇଛି । ୨୦୧୮-୧୯ରେ ଏହା ୫୭.୩% ଥିବାବେଳେ ୨୦୨୨-୨୩ରେ ତାହା ୫୭.୩ । କିନ୍ତୁ ଆତ୍ମନିଯୁକ୍ତିରେ ସ୍ଥାୟିତ୍ୱ ନଥାଏ କି ଏଥିରୁ ଆୟ ଅଧିକ ହୋଇନଥାଏ । ନକାରାତ୍ମକ ବିଷୟରେ ସରକାରୀ ହିସାବ ସବୁବେଳେ କମ୍‌ ଦର୍ଶାଯାଏ । ସି.ଏମ୍‌.ଆଇ.ଇ. ଅନୁସାରେ ବେରୋଜଗାର ୨୦୨୨ ଡିସେମ୍ବରରେ ୮.୧୯ ଥିବାବେଳେ ୨୦୨୩ରେ ଏହା ୯.୦୫ ହୋଇଛି । ସେହି ରିପୋର୍ଟରେ ମଧ୍ୟ ସ୍ନାତକଙ୍କ କ୍ଷେତ୍ରରେ ବେକାରୀ ହାର ୧୭.୩୧ ଥିବାବେଳେ ଅଶିକ୍ଷିତଙ୍କ ଭିତରେ ତାହା ୩.୯୬ ବୋଲି କୁହାଯାଇଛି । ୨୦୨୧ ଓ ୨୦୨୨ରେ ବେକାରୀ ହାର ୭% ଥିବାବେଳେ ୨୦୨୩ରେ ଏହା ୭.୯% ।

ବର୍ତ୍ତମାନ ଭାରତୀୟ ଅର୍ଥନୀତି ପୃଥିବୀରେ ଦ୍ରୁତହାରରେ ବୃଦ୍ଧି ପାଉଥିବା ଅର୍ଥନୀତି ମଧ୍ୟରୁ ଅନ୍ୟତମ । ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥନୀତି ଭାରତ ୨୦୩୦ ବେଳକୁ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବ । ଗତ ଆର୍ଥିକ ବର୍ଷର (୨୦୨୨-୨୩) ଶେଷ ଚତୁର୍ଥାଂଶ, ଅର୍ଥାତ୍‌ ଜାନୁଆରୀରୁ ମାର୍ଚ୍ଚ ୨୦୨୩ରେ ଭାରତୀୟ ଅର୍ଥନୀତି ୮.୪% ହାରରେ ବଢ଼ିଛି । ଅର୍ଥନୀତି ବୃଦ୍ଧି ସାଧାରଣତଃ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିକରି ବେକାରୀ ସମସ୍ୟାର ସମାଧାନ କରିଥାଏ । କିନ୍ତୁ ବର୍ତ୍ତମାନ ଅର୍ଥନୈତିକ ଅଭିବୃଦ୍ଧି ସହିତ ବେକାରୀ ସମସ୍ୟା ଅଧିକ ଗମ୍ଭୀର ହେଉଛି । ଅର୍ଥନୈତିକ ବିକାଶକୁ ତାଳଦେଇ ଦେଶର କାର୍ମ୍ୟକ୍ଷମଙ୍କୁ (୧୫ରୁ ୬୪ ବର୍ଷର ଲୋକ) ରୋଜଗାର ଯୋଗାଇବା ପାଇଁ ବର୍ଷକୁ ଆବଶ୍ୟକ ୨୦ନିୟୁତ ନିଯୁକ୍ତି । ଦେଶରେ ବାର୍ଷିକ ସୃଷ୍ଟି ହେଉଛି ଦୁଇ ନିୟୁତରୁ କମ୍‌ ନିଯୁକ୍ତି । ସରକାରୀ ଚାକିରି ଦିନକୁଦିନ କମୁଛି । ସରକାରୀ ଚାକିରିଆଙ୍କ ଦରମା, ବିଭିନ୍ନ ଭତ୍ତା ଓ ପେନସନ ଦେଶ ଉପରେ ବଡ଼ ଆର୍ଥିକ ବୋଝ ହୋଇଥିବାରୁ ସରକାର ନୂତନ ନିଯୁକ୍ତି ଆଣୁନାହାଁନ୍ତି । ନିଯୁକ୍ତି ସୃଷ୍ଟି ବିନା ଅର୍ଥନୈତିକ ଅଭିବୃଦ୍ଧି ଏହି ସମସ୍ୟାକୁ ଅଧିକ ଭୟଙ୍କର କରିବ ଏବଂ ଦେଶରେ ଧନୀ-ଗରିବ ବୈଷମ୍ୟ ବୃଦ୍ଧିପାଇବା ସହିତ ବିଭିନ୍ନ ସାମାଜିକ ବିଭ୍ରାଟ ସୃଷ୍ଟି ହେବ ।

ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ସବୁଠାରୁ ବଡ଼ ଯୋଗଦାନ ସେବାକ୍ଷେତ୍ରର ୫୪.୮୬% । କୃଷିକୁ ହଟାଇ ସେବାକ୍ଷେତ୍ର ସବୁଠାରୁ ବଡ଼ ଯୋଗଦାନ ହେଲେ ମଧ୍ୟ ଏହା କୃଷିକ୍ଷେତ୍ରରେ ଥିବା ଅଦୃଶ୍ୟ ବେକାରୀ ହଟେଇ ପାରିନି । ଏହାର କାରଣ, ଏହି କ୍ଷେତ୍ରରେ ଅନେକ ଛୋଟମୋଟ କାମରେ ବହୁତ ଲୋକ ନିୟୋଜିତ । ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଓ ବୈଷୟିକ ଦକ୍ଷତା ନାହିଁ କହିଲେ ଚଳେ । ଅନେକ କାମ ପାଇଁ ଦକ୍ଷତାର ଆବଶ୍ୟକତା ନଥାଏ । ଭାରତର ‘ଘୋଷବନ୍ତମ୍‌ ବଳବନ୍ତମ୍‌' ଶିକ୍ଷାପଦ୍ଧତି ଦକ୍ଷତା ଓ କୌଶଳ ବିକାଶ ଉପରେ କମ୍‌ ଗୁରୁତ୍ୱ ଦିଏ । ସର୍ବେକ୍ଷଣ ଅନୁସାରେ ଭାରତରେ  ସ୍ନାତକଧାରୀଙ୍କ ଭିତରୁ ଅଧାରୁ କମ୍‌ ପିଲାଙ୍କ ପାଖରେ ସର୍ବନିମ୍ନ ଦକ୍ଷତା ଅଛି । ତେଣୁ ସେମାନେ ବେକାର ହୋଇ ବସୁଛନ୍ତି ।

ବହୁତ ଲୋକ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବାରୁ ସେମାନଙ୍କୁ ସହଜରେ କାଢ଼ି ଦିଆଯାଏ । ଡିଜିଟାଇଜେସନ୍‌ ଓ ନବଯୁଗୀୟ ବୈଷୟିକ ଜ୍ଞାନର ବ୍ୟବହାର ଯୋଗୁଁ ମଣିଷ ଜାଗାରେ ଯନ୍ତ୍ର ସ୍ଥାନ ନେଲେଣି । ସହଜ ଓ କମ୍‌ ଖର୍ଚ୍ଚରେ ପ୍ରତିଷ୍ଠାନ ଚଳେଇ ଲାଭ ସର୍ବାଧିକ କରିବା ଉପରେ ବ୍ୟବସାୟ ପାଇଁ ସହଜ ହୋଇଛି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭିନ୍ନ ପ୍ରକାର ଅସୁବିଧାରେ ପୀଡ଼ିତ । ବଡ଼ ବଡ଼ ଷ୍ଟାର୍ଟଅପ୍‌ ବର୍ତ୍ତମାନ ବନ୍ଦ । କାରଣ, ଅତ୍ୟଧିକ କ୍ଷତି । ଷ୍ଟାର୍ଟଅପ୍‌ ପାଇଁ ଯେଉଁ ପରିବେଶ ଆବଶ୍ୟକ ତାହା ଭାରତରେ ସୃଷ୍ଟି ହୋଇପାରୁନି । ଅନ୍ୟ ଏକ କାରଣ ସେମାନଙ୍କର ବିଦେଶୀ ନିବେଶ ଉପରେ ନିର୍ଭରଶୀଳତା । ଅନେକ ଷ୍ଟାର୍ଟଅପ୍‌ରୁ ବିଦେଶୀ ନିବେଶ ପ୍ରତ୍ୟାହାର ହେବା ଯୋଗୁଁ ସେସବୁ ବନ୍ଦ ହୋଇଯିବା ସ୍ୱାଭାବିକ ।

କୃଷି ଭାରତର ମେରୁଦଣ୍ଡ । ବହୁତ ଲୋକ ଏହି କ୍ଷେତ୍ରରେ କାମ କରନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ପ୍ରକୃତ କାମ ଅଳ୍ପ ଲୋକ କରନ୍ତି । ସେମାନଙ୍କ ଭିତରୁ ବହୁତ ଲୋକଙ୍କୁ ବାହାର କରିଦେଲେ ଉତ୍ପାଦନ ବାଧାପ୍ରାପ୍ତ ହେବନି । ଭାରତୀୟ ଶିକ୍ଷିତ ଯୁବକଙ୍କର ମାନସିକତା । ପାଠ ପଢ଼ିସାରି ସେମାନେ ସରକାରୀ ବା ସହରରେ ଚାକିରି ଅନ୍ୱେଷଣ କରନ୍ତି । ନିଜ ପୈତୃକ ଜମିବାଡିରେ କାମ କରିବାକୁ ସେମାନେ ଅପମାନ ବୋଲି ଭାବନ୍ତି । ବେକାର ହୋଇ ବସିବେ ସିନା, ଚାଷ କରିବେନି । ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଉତ୍ପାଦନ ବଢ଼େଇବା ସହ ନିଜର ନିଯୁକ୍ତି ସହ ଅନ୍ୟ ବେକାରଙ୍କୁ ନିଯୁକ୍ତି ଦେଇପାରନ୍ତେ ।

ଦେଶର ପ୍ରାୟ ଅର୍ଦ୍ଧେକ ମହିଳା ଓ ଯୁବତୀ । ସରକାରୀ ଚାକିରିର ସ୍ୱଳ୍ପତା ନେଇ ସେମାନେ ପୁରୁଷଙ୍କଠାରୁ ପ୍ରତିଯୋଗିତାର ସମ୍ମୁଖୀନ । ଘରୋଇ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଅଧିକାଂଶ ମହିଳା ଓ ଯୁବତୀ ଯୌନ ଉତ୍ପୀଡ଼ନର ଶିକାର । ଏହାଛଡ଼ା ଦରମା ବା ମଜୁରି ବହୁତ କମ୍‌ ଓ ଅନିୟମିତ । ନିଜ ପରିବାରର ଯତ୍ନ ନେବା ସେମାନଙ୍କର କର୍ତ୍ତବ୍ୟ ବୋଲି ମହିଳାମାନେ ଭାବନ୍ତି । ଏହା ଉପରେ ଉତ୍କଟ ବେକାରୀ ସମସ୍ୟା ଯୋଗୁଁ ଅଧିକାଂଶ ଯୁବତୀ ଚାକିରି ଖୋଜିବା ବନ୍ଦ କରିଦେଲେଣି । ତେଣୁ ମହିଳା ବେକାରୀ ସମସ୍ୟା ଭାରତରେ ଗୁରୁତର।

ନିଯୁକ୍ତି ସୁଯୋଗ ଅଧିକ ଦେଇଥାଏ ନିର୍ମାଣ କ୍ଷେତ୍ର । କିନ୍ତୁ ଗତ କିଛିବର୍ଷ ହେଲା ଏହି କ୍ଷେତ୍ରରେ ନିଯୁକ୍ତି ସୁଯୋଗ କମିଯାଇଛି । ୨୦୧୬-୧୭ ଆର୍ଥିକ ବର୍ଷରେ ନିର୍ମାଣ କ୍ଷେତ୍ରରେ ୫୧ ନିୟୁତ ଲୋକ ନିଯୁକ୍ତି ପାଇଥିବାବେଳେ ୨୦୨୦-୨୧ରେ ଏହା ୨୭.୬ ନିୟୁତକୁ କମିଛି । ଭାରତର ନିର୍ମାଣ କ୍ଷେତ୍ର ପୁଞ୍ଜିଭିତ୍ତିକ ହୋଇଥିବାରୁ ବେଶୀ ଲୋକଙ୍କୁ ଗ୍ରହଣ କରିପାରେନାହିଁ । ଏହା ବ୍ୟତୀତ ଦେଶରେ ପୁଞ୍ଜି ସୃଷ୍ଟି ଦିନକୁଦିନ କମୁଛି, ଯାହାର ପ୍ରଭାବ ରୋଜଗାର ସୃଷ୍ଟି ଉପରେ ପଡ଼ୁଛି ।

ରପ୍ତାନି ଗୋଟିଏ ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟିକରେ । ଅଧିକ ଦ୍ରବ୍ୟ ଓ ସେବା ରପ୍ତାନି ହେଲେ ଅଧିକ ଉତ୍ପାଦନ ହେବ, ଅଧିକ ଲୋକ ନିଯୁକ୍ତି ପାଇବେ । ଭାରତରେ ରପ୍ତାନି ଶ୍ରମଭିତ୍ତିକ ବା ଅଣକୁଶଳୀ ଶ୍ରମିକଙ୍କ ଦ୍ୱାରା ତିଆରି କରାଯାଉଥିବା ଦ୍ରବ୍ୟ ରପ୍ତାନି ହୁଏନି । ରପ୍ତାନି ସେବା ଓ ଦକ୍ଷତାଭିତ୍ତିକ ଦ୍ରବ୍ୟର ହେଉଥିବାରୁ ବହୁତ ଲୋକଙ୍କ ପାଇଁ ନିଯୁକ୍ତି ନଥାଏ । ସର୍ବୋପରି ରହିଛି କରୋନା ମହାମାରୀର ପ୍ରଭାବ । ବହୁତ ଅନୁଷ୍ଠାନ ବନ୍ଦ ହୋଇଯିବା ଫଳରେ ଲକ୍ଷ ଲକ୍ଷ ଲୋକ ସବୁଦିନ ପାଇଁ ଚାକିରି ହରେଇଲେ ।

ଶିକ୍ଷା ଢାଞ୍ଚାରେ ପରିବର୍ତ୍ତନ, କୌଶଳ ବିକାଶ, ଷ୍ଟାର୍ଟଅପ୍‌ ପାଇଁ ସହଜ ଋଣ ଇତ୍ୟାଦି ପରି ଅନେକ ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି । କିନ୍ତୁ ନିଯୁକ୍ତି ବୃଦ୍ଧିପାଉନି । ଏଥିପାଇଁ ଆବଶ୍ୟକ ବଳିଷ୍ଠ ନିର୍ମାଣ କ୍ଷେତ୍ର ଯାହା ଦେଶରେ ଭିତ୍ତିଭୂମିର ବିକାଶ କରିବ । ତା’ହେଲେ ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ହୋଇ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ତା' ଛଡ଼ା ଦେଶରେ ଦୁର୍ନୀତି ଓ ନାଲିଫିତା ସଂସ୍କୃତିକୁ ହଟାଇ ଲୋକଙ୍କୁ ନିଯୁକ୍ତି ଦେବା ବିଷୟରେ ସରକାରୀ ଇଚ୍ଛାଶକ୍ତି ରହିବା ଆବଶ୍ୟକ । ଏକ ସୁସ୍ଥ ନିବେଶ ପରିବେଶ ସୃଷ୍ଟିହେବା ସହିତ ଲୋକଙ୍କର କ୍ରୟଶୀଳତାକୁ ପ୍ରୋତ୍ସାହନ ଦିଆଯିବା ଉଚିତ୍‌ । ଲୋକେ ଅଧିକ କିଣିଲେ ଅଧିକ ଉତ୍ପାଦନ ହେବ, ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯୁବଗୋଷ୍ଠୀ କେବଳ ସରକାରୀ ଚାକିରି ପଛରେ ନଧାଇଁ ନିଜ ଚେଷ୍ଟାରେ ବ୍ୟବସାୟ ବା ଷ୍ଟାର୍ଟଅପ୍‌ ଆରମ୍ଭ କରିବା ଉଚିତ । କତିପୟ ଶିକ୍ଷିତ ଯୁବକ କୃଷିକ୍ଷେତ୍ରରେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଲାଭବାନ ହେଉଛନ୍ତି । ସେମାନଙ୍କୁ ଆଦର୍ଶ ଭାବରେ ନେଇ ଯୁବଗୋଷ୍ଠୀ କୃଷିରେ ନିଜର ଦକ୍ଷତା ପ୍ରତିପାଦନ କରିବା ଉଚିତ । ଏସବୁ ମିଶ୍ରିତ ପ୍ରଭାବରେ ବେକାରୀ ସମସ୍ୟାକୁ ପ୍ରତିହତ କରାଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.