କାମାକ୍ଷନଗର, ୧୧।୮: ଢେଙ୍କାନାଳ ଜିଲ୍ଲା ପୋଲିସର ବଡ଼ ସଫଳତା । ୬ ଜଣିଆ ଆନ୍ତଜିଲ୍ଲା ଚୋର ଗ୍ୟାଙ୍ଗକୁ ଗିରଫ କଲା ପୋଲିସ । ଲକ୍ଷାଧିକ ଟଙ୍କାର ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ, ସମେତ ସ୍କୁଟି, ମୋଟର ସାଇକେଲ, ଲାପଟପ୍, କମ୍ପ୍ୟୁଟର, ମୋବାଇଲ ଫୋନ ଜବତ ପ୍ରେସମିଟରେ ସୂଚନା ଦେଲେ ଢେଙ୍କାନାଳ ଏସପି ।
ଢେଙ୍କାନାଳ ଜିଲ୍ଲା ପୋଲିସକୁ ବଡ଼ ସଫଳତା । ୬ ଜଣିଆ କୁଖ୍ୟାତ ଆନ୍ତଜିଲ୍ଲା ଚୋର ଗ୍ୟାଙ୍ଗକୁ ଗିରଫ କଲା ପୋଲିସ l ଏମାନଙ୍କ ନିକଟରୁ ବହୁ ପରିମାଣର ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ, ଲାପଟପ୍, ମୋବାଇଲ ଫୋନ, କମ୍ପ୍ୟୁଟର, ପ୍ରିଣ୍ଟର, ୪ଟି ସ୍କୁଟି, ଗୋଟିଏ ମୋଟର ସାଇକେଲ, ସୁନା କାନଫୁଲ, ସୁନା ଚୁଡ଼ି, ୧୩ ଟି ଏଲଇଡି ଟିଭି, ୩ଟି ଲାପଟପ୍, ଇନଭର୍ଟର ବ୍ୟାଟେରୀ, ଇନଭର୍ଟର ମେସିନ ସମେତ ବିପୁଳ ପରିମାଣର ମାର୍ବଲ ଟାଇଲ ଜବତ କରିଛି ପୋଲିସ । ଏହା ବ୍ୟତୀତ ଏହି ଗ୍ୟାଙ୍ଗ ନିକଟରୁ ବିଭିନ୍ନ ନାମୀଦାମୀ କମ୍ପାନୀର ଟେବଲ ଫ୍ୟାନ୍, ଡିଜେ ସାଉଣ୍ଡ ବକ୍ସ, ଡିଜେ ଲାଇଟ ଓ ରେଲୱେ ଧାରଣାରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ । ଦୀର୍ଘ ତିନି ବର୍ଷ ହେବ ଏହି ୬ ଜଣିଆ ଗ୍ୟାଙ୍ଗ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ପଡୋଶୀ ଅନଗୁଳ ଜିଲ୍ଲାରେ ଆତଙ୍କ ଖେଳାଇଥିଲା l ଏହି ଗ୍ୟାଙ୍ଗ ନାଁରେ ବିଭିନ୍ନ ଥାନାରେ ୬୪ ଟି ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ଏମାନଙ୍କୁ ଗିରଫ କରିବା ପାଇଁ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା ।
କାମାକ୍ଷାନଗର ଏସଡିପିଓ ସ୍ନେହାଶିଷ ସାହୁଙ୍କ ନେତୃତ୍ୱରେ ପରଜଙ୍ଗ, କାମାକ୍ଷାନଗର, ତୁମୁସିଙ୍ଗା ଓ କଙ୍କଡାହାଡ଼ ଥାନା ଅଧିକାରୀଙ୍କ ଏକ ମିଳିତ ଟିମ୍ ଏହି ଗ୍ୟାଙ୍ଗ ଉପରେ ବିଭିନ୍ନ ସ୍ଥାନ ଉପରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ଏହି ଗ୍ୟାଙ୍ଗ ବିଶେଷ କରି ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ, ଓ ଘରଗୁଡ଼ିକ ଉପରେ ନଜର ରଖି ଡକାୟତି କରୁଥିବା ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି ସନ୍ଦୀପ ସମ୍ପଦ ମଡକର । ଗିରଫ ହୋଇଥିବା ଏହି କୁଖ୍ୟାତ ଡକାୟତ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ବିଜୟ ପରିଡ଼ା ସମେତ ଅନ୍ୟ ସହଯୋଗୀ ବିରାସ ବେହେରା, ଅଞ୍ଜନ ବେହେରା, ସତ୍ୟବାନ ପ୍ରଧାନ, କାଁହୁ ନାଏକ, ପ୍ରକାଶ ନାଏକ,ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ କେଉଁମାନେ ଏହି ଗ୍ୟାଙ୍ଗ ସହିତ ସମ୍ପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି । ଏହି ପ୍ରେସମିଟରେ କାମାକ୍ଷାନଗର ଏସଡିପିଓ ସ୍ନେହାଶିଷ ସାହୁ, କାମାକ୍ଷାନଗର, ପରଜଙ୍ଗ, କଙ୍କଡାହାଡ଼ ଓ ତୁମୁସିଙ୍ଗା ଥାନା ଅଧିକାରୀଙ୍କ ସମେତ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।