ପୁରୀ,୩୦/୦୮: ସ୍ୱପ୍ନ ସମୁଦ୍ରଠୁ ବି ଗଭୀର । ଆଶା ଆକାଶଠୁ ବି ବଡ଼ । ଡାକ୍ତର ହେବି । ରୋଗୀଙ୍କ ମୁହଁରେ ହସ ଫୁଟେଇବି । ଅର୍ଥ ଅଭାବରୁ କେହି ଚିକିତ୍ସାରୁ ବଞ୍ଚିତ ହେବେନି । ଯେଉଁ କଷ୍ଟ ମୁଁ ପାଇଛି, ସେ କଷ୍ଟ ଆଉ କେହି ପାଇବେନି । ବାପା ଆଉ ଦିନରାତି ପରିଶ୍ରମ କରିବେନି । ଘର ଚଳାଇବାକୁ ଧାର କରଜ କରିବେନି । ଏହି ସ୍ୱପ୍ନ ସବୁକୁ ସତ କରିବାକୁ ଅକ୍ଳାନ୍ତ ପରିଶ୍ରମ କରିଥିଲେ ପୁରୀ ସଦର ବ୍ଲକର ଅରେଇପଡ଼ା ଗାଁର ମୁନୁ ସ୍ୱାଇଁ । ପ୍ରଥମ ପ୍ରୟାସରେ ନିଟ୍ କୃତକାର୍ଯ୍ୟ ମଧ୍ୟ କରିଲେ । ହେଲେ ଏବେ ମୁନୁଙ୍କ ଡାକ୍ତରୀ ରାସ୍ତାରେ କଣ୍ଟା ସାଜିଛି ଗରିବୀ ।
ମୁନୁ ଏମ୍କେସିଜି ମେଡିକାଲ କଲେଜରେ ଏମ୍ବିବିଏସ୍ ପାଠ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ନାଁ ଲେଖାଇବାକୁ ପ୍ରଥମ ଦଫାରେ ତାଙ୍କୁ ୪୧ ହଜାର ଟଙ୍କା ଆବଶ୍ୟକ । ହେଲେ ପରିବାରର ଅଭାବ ଯୋଗୁ ଏହି ଟଙ୍କା ସେ ଯୋଗାଡ଼ କରିପାରିନାହାନ୍ତି । ତାଙ୍କ ବାପା ଜଗବନ୍ଧୁ ସ୍ୱାଇଁ ବନ୍ଧୁ ବାନ୍ଧବ ସାଙ୍ଗସାଥୀଙ୍କଠାରୁ ଧାର କରଜ କରି ସମୁଦାୟ ୧୬ ହଜାର ଟଙ୍କା ଯୋଗାଡ଼ କରିପାରିଥିବା ବେଳେ ବଳକା ଟଙ୍କା କେଉଁଠୁ ଆଣିବେ ତାହା ଚିନ୍ତାର କାରଣ ପାଲଟିଛି ।
ଗାଁରେ ଥିବା ବୀରବଳଭଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶିକ୍ଷା ସରିବା ପରେ ସେ ଭୁବନେଶ୍ୱରର ବିଜେବି କଲେଜରେ ପାଠ ପଢିଥିଲେ । ଦ୍ୱାଦଶ ପଢ଼ିବା ସହ ସେ ମେଡିକାଲ କୋଚିଂ ନେବା ଆରମ୍ଭ କରିଥିଲେ । ପୁଅକୁ କୋଚିଂରେ ନାଁ ଲେଖାଇବା ପାଇଁ ତାଙ୍କ ବାପା ପାଖରେ ଥିବା ଶେଷ ସମ୍ବଳ ଦୁଇଟି ଟ୍ରାକ୍ଟରକୁ ବିକି ଦେଇଥିଲେ । କୋଚିଂ ନେଇ ଏବେ ପୁଅ ମେଡିକାଲରେ କୃତକାର୍ଯ୍ୟ ତ ହେଲା। କିନ୍ତୁ ଏବେ କଲେଜରେ ନାଁ ଲେଖାଇବା ସମ୍ଭବ ହେଉନି । ମୁନୁଙ୍କ ବାପା ଜଗବନ୍ଧୁ ସ୍ୱାଇଁ ଗାଁ ମୁଣ୍ଡରେ ଛୋଟ ସଉଦା ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି । ପୁଅ ଭୁବନେଶ୍ୱରରେ ରହି ପାଠ ପଢୁଥିବାରୁ ମଧ୍ୟ ସେ ଅନେକ ଧାରକରଜ କରିଥିଲେ । ଏପର୍ଯ୍ୟନ୍ତ ସେ ଋଣ ସୁଝା ସରିନଥିବା ବେଳେ ଅନ୍ୟ ଜାଗାରୁ ଋଣ ଯୋଗାଡ଼ କରିବା ତାଙ୍କ ପକ୍ଷେ କଷ୍ଟକର ହେଉଛି ।
ବାପାଙ୍କ ସହ ମିଶି ଟଙ୍କା ଯୋଗାଡ଼ କରିବାକୁ ମୁନୁ ଏବେ କିଛିଦିନ ହେବ ଗାଁକୁ ଯାଇଛନ୍ତି । ସେଠି ସେ ସଉଦା ଦୋକାନ ଖୋଲି ଦୋକାନ ସମ୍ଭାଳୁଥିବା ବେଳେ ବାପା ତାଙ୍କର ବିଭିନ୍ନ ସ୍ଥାନକୁ ଯାଇ ପୁଅର ନାମ ଲେଖାଇବାକୁ ଟଙ୍କା ଯୋଗାଡ଼ କରୁଛନ୍ତି । ମୁନୁ ପ୍ରଥମ ପ୍ରୟାସରେ ନିଟ୍ ସହ ଜେଇ, ସିୟୁଟି, ନାଇଜର ପରୀକ୍ଷାରେ ମଧ୍ୟ କୃତ କାର୍ଯ୍ୟ ହୋଇଛନ୍ତି ।
ମୁନୁ କହିଛନ୍ତି, ଆମ ଗାଁ ଚାଷ ପ୍ରଧାନ ଅଞ୍ଚଳ। ଏଠି ଡାକ୍ତର ହେବା ଦୂରର କଥା କେହି ସରକାରୀ ଚାକିରିଆ ବି ନାହାନ୍ତି। ତଥାପି ବାପା ସବୁବେଳେ ତାଙ୍କୁ ଡାକ୍ତର ହେବାକୁ ପ୍ରେରଣା ଦେଇ ଆସୁଥିବାରୁ ସେ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି । ଭବିଷ୍ୟତରେ ସେ ଜଣେ ସ୍ନାୟୁରୋଗ ବିଶେଷଜ୍ଞ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଡାକ୍ତର ହୋଇ ଅସହାୟଙ୍କୁ ସାହାଯ୍ୟ କରିବା ସହ ସେ ଯେଉଁ ସମସ୍ୟା ଭୋଗିଛନ୍ତି ସେ ସମସ୍ୟା ଯେମିତି ଆଉ କେହି ନ ଭୋଗନ୍ତୁ ସେ ଦିଗରେ କାମ କରିବାକୁ ସେ ଇଚ୍ଛା ରଖିଛନ୍ତି । ସରକାରୀ ସହଯୋଗ ମିଳିଲେ ସେ ମେଡିକାଲ କଲେଜରେ ନାଁ ଲେଖାଇ ପାରିବେ ବୋଲି ପ୍ରକାଶ କରିଛନ୍ତି ।