ଧର୍ମକୁ ନେଇ ଭାରତର ଅନ୍ତରୀଣ ସ୍ଥିତି ସମ୍ପର୍କରେ ଆମେରିକା ଏକ ରିପୋର୍ଟ ପ୍ରକାଶ କରିଛି । ଗତ କିଛି ଦିନ ତଳେ ପ୍ରକାଶିତ ଏହି ରିପୋର୍ଟ ଆମେରିକାର ଉଦ୍ଦେଶ୍ୟମୂଳକ ମନୋଭାବକୁ ପଦାରେ ପକାଇଛି ।
ୟୁନାଇଟେଡ ଷ୍ଟେଟ୍ସ କମିଶନ ଅନ ଇଣ୍ଟରନ୍ୟାସନାଲ ରିଲିଜିଅସ୍ ଫ୍ରିଡମ୍ (ୟୁଏସସିଆଇଆରଏଫ) ପକ୍ଷରୁ ୨୦୨୪ ପାଇଁ ଏହାର ବାର୍ଷିକ ରିପୋର୍ଟରେ ଭାରତର ଆଭ୍ୟନ୍ତୀରଣ ଧାର୍ମିକ ବ୍ୟାପାରକୁ ନେଇ ଅନେକ ଟୀକାଟିପ୍ପଣୀ କରାଯାଇଛି । ଏଥିରେ ଉଲ୍ଲେଖ ରହିଛି ଯେ, ୨୦୨୩ରେ ବି ଭାରତରେ ଧାର୍ମିକ ସ୍ୱତନ୍ତ୍ରତାକୁ ନେଇ ପରିସ୍ଥିତି ‘ପୂର୍ବପରି ତଳକୁ ତଳ’ ଯାଇଥିଲା । ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ହେଉଛନ୍ତି ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ କେନ୍ଦ୍ର ସରକାର । ବିଜେପି ଭେଦଭାବପୂର୍ଣ୍ଣ ରାଷ୍ଟ୍ରବାଦୀ ନୀତିଗୁଡ଼ିକୁ ବଳ ଦେଇଥିବାରୁ ଦେଶରେ ଧର୍ମକୁ ନେଇ ସ୍ଥିତି ଖରାପ ହେଉଛି । ‘ଦ୍ୱେଷପୂର୍ଣ୍ଣ ମନ୍ତବ୍ୟ’ ଜାରି ରଖିବା ସହିତ ସାମ୍ପ୍ରଦାୟିକ ହିଂସାକୁ ଉପଯୁକ୍ତ ଢଙ୍ଗରେ ନିୟନ୍ତ୍ରଣ ନକରିବା କାରଣରୁ ଧାର୍ମିକ ସ୍ଥିତି ବିଗୁଡୁଛି । ଏହାଦ୍ୱାରା ଦେଶର ସଂଖ୍ୟାଲଘୁ ଗୋଷ୍ଠୀ ଯଥା- ମୁସଲମାନ, ଖ୍ରୀଷ୍ଟିଆନ୍, ଶିଖ୍, ଇହୁଦୀ, ଦଳିତ ଏବଂ ଆଦିବାସୀମାନେ ପ୍ରଭାବିତ ହୋଇଛନ୍ତି । ପୁନଶ୍ଚ ଆମେରିକୀୟ କମିଶନ ଦାବି କରିଛନ୍ତି ଯେ, ଭାରତ ସରକାର ଅନ୍ଲଫୁଲ୍ ଆକ୍ଟିଭିଟିଜ ପ୍ରିଭେଣ୍ଟେସନ୍ ଆକ୍ଟ (ୟୁଏପିଏ), ଫରେନ୍ କଣ୍ଟ୍ରିବ୍ୟୁସନ୍ ରେଗୁଲେସନ ଆକ୍ଟ (ଏଫସିଆରଏ), ସିଟିଜେନସିପ୍ ଆମେଣ୍ଡମେଣ୍ଟ ଆକ୍ଟ (ସିଏଏ) ସମେତ ଧର୍ମାନ୍ତରୀକରଣ ଏବଂ ଗୋ-ହତ୍ୟାକୁ ବିରୋଧ କରୁଥିବା ଆଇନ ଆଳରେ ମନଇଚ୍ଛା ଅଟକ, ସଂଖ୍ୟାଲଘୁଙ୍କୁ ଟାର୍ଗେଟ ସହିତ ସେମାନଙ୍କ ସପକ୍ଷବାଦୀଙ୍କୁ ହଇରାଣ ହରକତ କରାଯିବା ଘଟଣାମାନ ୨୩ରେ ଜାରି ରହିଥିଲା ।
ଭାରତ ବିରୋଧୀ ଆମେରିକୀୟ କମିଶନଙ୍କ ଏହି ରିପୋର୍ଟ ପଛରେ ଅସଲ କାରଣ ଭିନ୍ନ । ମନେହୁଏ ଭାରତୀୟ ସମ୍ବିଧାନରୁ ଅନୁଚ୍ଛେଦ ୩୭୦ ହଟାଯିବା ପଦକ୍ଷେପ କମିଶନଙ୍କୁ ବ୍ୟସ୍ତବିବ୍ରତ କରିଛି । ୨୦୧୯ରେ ଭାରତ ସରକାର ଜମ୍ମୁ ଓ କାଶ୍ମୀରକୁ ସ୍ୱତନ୍ତ୍ର ସୁବିଧାପ୍ରାପ୍ତ ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ଅନୁଚ୍ଛେଦ ୩୭୦କୁ ହଟାଇଦେବାକୁ ପଦକ୍ଷେପ ନେଇଥିଲେ । ଏହି ପଦକ୍ଷେପ ଉପରେ ଭାରତୀୟ ସଂସଦ ତଥା ସର୍ବୋଚ୍ଚ ଅଦାଲତ ମୋହର ମାରିଥିଲେ । କମିଶନ ତାଙ୍କ ରିପୋର୍ଟରେ ଏହା ଉଲ୍ଲେଖ କରିବାକୁ ଯାଇ ଜମ୍ମୁ ଓ କାଶ୍ମୀର ଲାଗି ‘ମୁସଲିମ୍ ମେଜରିଟି’ ବା ମୁସଲମାନ ସଂଖ୍ୟାଗରିଷ୍ଠ ରାଜ୍ୟ ଶବ୍ଦ ବ୍ୟବହାର କରିଛନ୍ତି । ଏହି ରାଜ୍ୟରେ ମୁସଲମାନ ସାମ୍ବାଦିକଙ୍କ ଗିରଫଦାରୀ ପ୍ରସଙ୍ଗକୁ ଉଠାଇଛନ୍ତି । କିନ୍ତୁ ‘ମୁସଲମାନ ସଂଖ୍ୟାଗରିଷ୍ଠ’ ରାଜ୍ୟରୁ ଯେ ଅଧନିୟୁତ ସଂଖ୍ୟାଲଘୁ ହିନ୍ଦୁ ତଡ଼ା ଖାଇଛନ୍ତି ଏବଂ ନିଜ ଦେଶ ଭିତରେ ଅନ୍ୟ ରାଜ୍ୟରେ ଶରଣାର୍ଥୀ ଜୀବନ ବଞ୍ଚୁଛନ୍ତି, ସେଥିପ୍ରତି ଆମେରିକୀୟ କମିଶନ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି । କାରଣ ଅନ୍ୟ ସମସ୍ତଙ୍କ ପାଇଁ ହୃଦୟ କାନ୍ଦୁଥିବା ୟୁଏସସିଆଇଆରଏଫ’ର ହିନ୍ଦୁଙ୍କ ପାଇଁ ଯାଏ ଆସେ କେତେ! ଏହାହିଁ ବୁଝିହୁଏ ୟୁଏସସିଆଇଆରଏଫର ରିପୋର୍ଟରୁ ।
ୟୁଏସସିଆଇଆରଏଫ’ର ରିପୋର୍ଟ ମୂଳତଃ ବ୍ୟଙ୍ଗୋକ୍ତି ଏବଂ ଅର୍ଦ୍ଧସତ୍ୟରେ ଭରପୂର । ଭାରତ ଗୋଟିଏ ସଂଘୀୟ ରାଷ୍ଟ୍ର ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଉଭୟ ପ୍ରାଶାସନିକ ତଥା ବିଧି ପ୍ରଣୟନ କ୍ଷମତା ଉପଭୋଗ କରନ୍ତି । ବୈଧାନିକ କ୍ଷମତା ମଧ୍ୟରେ ରାଜ୍ୟ ସରକାର ନିଜ ରାଜ୍ୟର ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ କ୍ଷମତାପ୍ରାପ୍ତ ଅଟନ୍ତିି । ଅର୍ଥାତ୍ ରାଜ୍ୟକୁ ଜଗିବା କାମ ସେଠିକାର ସରକାରଙ୍କର । ଏହା କେନ୍ଦ୍ର ସରକାରଙ୍କ କ୍ଷମତା ବର୍ହିଭୂତ । କୌଣସି ରାଜ୍ୟରେ ସାମ୍ପ୍ରଦାୟିକ ଅବା ଅନ୍ୟ କୌଣସି କାରଣରୁ ହିଂସାକାଣ୍ଡ ଘଟିଲେ ତାହାକୁ ଆୟତ୍ତ କରିବାକୁ ରାଜ୍ୟ ପୂର୍ଣ୍ଣ କ୍ଷମତା ପାଇଛନ୍ତି । ମାତ୍ର ଏ ସମ୍ପର୍କରେ ଆମେରିକୀୟ କମିଶନ ବିନ୍ଦୁବିସର୍ଗ ଉଲ୍ଲେଖ କରିନାହାନ୍ତି ।
ଦ୍ୱିତୀୟତଃ, ଯାହା ଆହୁରି ଗୁରୁତ୍ୱପୂର୍ଣ୍ଣ ତାହା ହେଲା- ଭାରତରେ ପ୍ରାୟ ୪୦ଟି ରାଜନୈତିକ ଦଳ ଅଛନ୍ତି ଏବଂ ରାଜ୍ୟଗୁଡ଼ିକରେ ଗୋଟିଏ ଦଳ ଅବା ବହୁଦଳ ମେଣ୍ଟ କରି ସରକାର ଚଳାଉଛନ୍ତି । ଦେଶର କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ପଞ୍ଜାବ କିମ୍ବା ଦିଲ୍ଲୀ ଇତ୍ୟାଦି ଅନେକ ପ୍ରମୁଖ ରାଜ୍ୟରେ ବିଜେପି ନୁହେଁ, ବିରୋଧୀ ଦଳ କ୍ଷମତାସୀନ ଅଛନ୍ତି । ଏହି ଦଳଗୁଡ଼ିକ ସରକାରୀ ମେଣ୍ଟ ଏନଡିଏର ବି ଅନ୍ତର୍ଭୁକ୍ତ ନୁହଁନ୍ତି । ବିଜେପି ବିରୋଧୀ ଦଳଙ୍କ ଶାସିତ ରାଜ୍ୟରେ ସଂଖ୍ୟାଲଘୁ (ଯିଏ ଯେଉଁ ଧର୍ମର ହୁଅନ୍ତୁ)ଙ୍କ ଉପରେ ହୋଇଥିବା କୌଣସି ପ୍ରକାର ଅତ୍ୟାଚାର ଘଟଣା ସମ୍ପର୍କରେ ୟୁଏସସିଆଇଆରଏଫ ରିପୋର୍ଟ ସମ୍ପୂର୍ଣ୍ଣ ନିରବ । ରିପୋର୍ଟକୁ ଅନୁଧ୍ୟାନ କଲେ ଯେକେହି ବୁଝିପାରିବ ଯେ, ଆମେରିକୀୟ କମିଶନଙ୍କର ହିନ୍ଦୁଙ୍କୁ ନେଇ କିଛି ଯାଏ ଆସେନା, ପରନ୍ତୁ ଅନ୍ୟମାନଙ୍କ ପାଇଁ ମୁଣ୍ଡ ବିନ୍ଧୁଛି ।
ୟୁଏସସିଆଇଆରଏଫ ରିପୋର୍ଟ ଯେଉଁ ସମୟରେ ପ୍ରକାଶ ପାଇଛି, ତାହା ଏକ ବଡ଼ ବିଡ଼ମ୍ବନା । କାରଣ ଏହି ଏକା ସମୟରେ ପ୍ରକାଶିତ ପିଇଡବ୍ଲ୍ୟୁ ରିସର୍ଚ୍ଚ ସେଣ୍ଟରର ରିପୋର୍ଟରେ ଆମେରିକାର ଗଣତନ୍ତ୍ରକୁ ହିଁ କାଠଗଡ଼ାରେ ଠିଆ କରାଯାଇଛି । ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଗଣତନ୍ତ୍ର କେତେଦୂର ଦୃଢ଼ ତାହାକୁ ନେଇ ପିଇଡବ୍ଲ୍ୟୁ ରିସର୍ଚ୍ଚ ସେଣ୍ଟର ରିପୋର୍ଟ ପ୍ରସ୍ତୁତ କରିଥାଏ । ଏହାର ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ମାତ୍ର ୧୯ପ୍ରତିଶତ ଆମେରିକୀୟ ନିଜ ଦେଶର ଗଣତନ୍ତ୍ର ନେଇ ସନ୍ତୁଷ୍ଟ ଅଛନ୍ତି । ଅର୍ଥାତ୍ ଆମେରିକାର ଗଣତନ୍ତ୍ର ‘ଅନ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ଏକ ଅନୁସରଣୀୟ ଉଦାହରଣ’ ବୋଲି କତିପୟ ଆମେରିକୀୟ ଅନୁଭବ କରନ୍ତି । ପୁଣି ଅଧିକାଂଶ ଆମେରିକୀୟ ତରୁଣଙ୍କର ମତ ଯେ ଆମେରିକାର ଗଣତନ୍ତ୍ର ‘କେବେହେଁ ଅନ୍ୟମାନେ ଅନୁସରଣ କଲା ଭଳି ଉଚ୍ଚମାନର ଦୃଷ୍ଟାନ୍ତ ରଖିପାରିନାହିଁ ।’ ଏହି ତୁଳନାରେ ଭାରତର ଗଣତାନ୍ତ୍ରିକ ପଦ୍ଧତି ତଥା ଏହାର କାର୍ଯ୍ୟକାରିତା ନେଇ ଭାରତୀୟ ନାଗରିକମାନେ ବେଶ୍ ସନ୍ତୁଷ୍ଟ ଅଛନ୍ତି । ପିଇଡବ୍ଲ୍ୟୁ ରିପୋର୍ଟ ବିଶ୍ୱର ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ସିଙ୍ଗାପୁରର ନାଗରିକ ସର୍ବାଧିକ ସନ୍ତୁଷ୍ଟ ନାଗରିକ (୮୦ ପ୍ରତିଶତ)ଦର୍ଶାଇଥିବା ବେଳେ ଏହା ପଛକୁ ରହିଛି ଭାରତ । ଭାରତର ୭୭ ପ୍ରତିଶତ ନାଗରିକ ଗଣତନ୍ତ୍ର ନେଇ ସନ୍ତୁଷ୍ଟ । ଯଦି ଗଣତନ୍ତ୍ର ପ୍ରତି ଅଧିକାଂଶ ଭାରତୀୟ ନାଗରିକଙ୍କର ଆସ୍ଥା ରହିଛି, ତେବେ ଭାରତରେ ନାଗରିକମାନେ ଖୋଲାରେ ନିଶ୍ୱାସ ନେଇ ପାରୁନାହାଁନ୍ତି ବୋଲି କିପରି କିଏ କହିପାରିବ?
ଯୁକ୍ତରାଷ୍ଟ୍ର ଆମେରିକାର ଗଣତନ୍ତ୍ର ନେଇ ଅସନ୍ତୋଷ ପଛରେ ରହିଛି ଦୀର୍ଘ କଳା ଅତୀତ । ଅଷ୍ଟାଦଶ ଶତାବ୍ଦୀରୁ ବିଭିନ୍ନ ସମୟରେ ଏଠାରେ ବର୍ଣ୍ଣବୈଷମ୍ୟକୁ ନେଇ ହିଂସାକାଣ୍ଡ ଘଟୁଛି । କାଲିଫର୍ଣ୍ଣିଆ ଗଣହତ୍ୟା, ଦେଶାନ୍ତରଣ ବିରୋଧୀ ହିଂସାକାଣ୍ଡ ୧୯୧୯ର ଚିକାଗୋ ବର୍ଣ୍ଣବୈଷମ୍ୟବାଦୀ ଗଣହିଂସା ଅବା ୧୯୨୧ର ଟୁଲ୍ସା ବୈଷମ୍ୟବାଦୀ ଗଣହତ୍ୟା ଇତ୍ୟାଦି ଭୟାନକ କାଣ୍ଡ ଏହାର ଦୃଷ୍ଟାନ୍ତ । ଗତ ୨୦୨୦ରେ ହିଁ ଜଣେ ଶ୍ୱେତାଙ୍ଗ ପୁଲିସ କର୍ମଚାରୀ ବ୍ରେଓନ୍ନା ଟେଲର ଏବଂ ଜର୍ଜ ଫ୍ଲଏଡ୍ ନାମକ ଦୁଇଜଣ କୃଷ୍ଣକାୟଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲା । ଘଟଣାଟି ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିଲା । ଆମେରିକାରେ ବର୍ଣ୍ଣବୈଷମ୍ୟବାଦୀ ଘୃଣାକୁ ନେଇ ହିଂସା ଘଟଣା କ୍ରମେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ଏଥିଲାଗି ଆମେରିକାର ଭାବମୂର୍ତ୍ତି ବିଶ୍ୱ ଦରବାରରେ ନଷ୍ଟ ହେଲାଣି । ବେଳ ଆସିଛି³ ଆମେରିକୀୟ କମିଶନ ନିଜ ଆଭ୍ୟନ୍ତରୀଣ ବ୍ୟାପାର ଆଡ଼କୁ ଦୃଷ୍ଟି ଫେରାନ୍ତୁ ।
ଏହି ପରିପ୍ରେକ୍ଷୀରେ ଦୁଃଖର ସହିତ କହିବାକୁ ହେଉଛି ଯେ, ଯେଉଁମାନେ ୟୁଏସସିଆଇଆରଏଫ’ର ରିପୋର୍ଟ ଲେଖିଛନ୍ତି ସେମାନଙ୍କର କେବଳ ଯେ ଭାରତର ସାମ୍ବିଧାନିକ ବିଧିବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ନାହିଁ, ଭାରତର ବିଭିନ୍ନ ରାଜ୍ୟର ସାମାଜିକ ତଥା ଧାର୍ମିକ ଜନସଂଖ୍ୟା ସଂରଚନା ସମ୍ପର୍କରେ ମଧ୍ୟ ଜାଣିନାହାଁନ୍ତି । ୨୦୧୧ ଜନଗଣନା ଅନୁସାରେ ଭାରତର ୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ହିନ୍ଦୁ ସଂଖ୍ୟାଲଘୁ ଅଟନ୍ତି । ଉଦାହରଣତଃ ଲାକ୍ଷାଦ୍ୱୀପରେ ମୋଟ ଜନସଂଖ୍ୟାର ମାତ୍ର ୨.୭୦ ପ୍ରତିଶତ ହେଉଛନ୍ତି ହିନ୍ଦୁ । ସେହିପରି ହିନ୍ଦୁଙ୍କ ସଂଖ୍ୟା ମିଜୋରାମରେ ୨.୭୫ ପ୍ରତିଶତ, ମେଘାଳୟରେ ୧୧.୫୩, ଜାମ୍ମୁ ଓ କାଶ୍ମୀରରେ ୨୮.୪୪, ଅରୁଣାଚଳ ପ୍ରଦେଶରେ ୨୯ ପ୍ରତିଶତ, ମଣିପୁରରେ ୩୧.୩୯ ଏବଂ ପଞ୍ଜାବରେ ୩୮.୪୦ ପ୍ରତିଶତ ହେଉଛନ୍ତି ହିନ୍ଦୁ । ଏହିସବୁ ରାଜ୍ୟରେ ସଂଖ୍ୟାଲଘୁ ହିନ୍ଦୁ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଧାଡ଼ିଟିଏ ବି ଆମେରିକୀୟ କମିଶନ ଲେଖିନାହାଁନ୍ତି । ଏକ ସଂଘୀୟ ଗଣତାନ୍ତ୍ରିକ ରାଷ୍ଟ୍ରକୁ ଏକକ ଦଳର ସରକାର ଦ୍ୱାରା ଶାସିତ ରାଷ୍ଟ୍ର ବୋଲି କମିଶନ ନିର୍ବୋଧଙ୍କ ପରି ବିବେଚନା କରିଛନ୍ତି ।
ଏଇଥିପାଇଁ ଆମେ କହୁଛୁ, ୟୁଏସସିଆଇଆରଏଫ’ର ରିପୋର୍ଟ ମୂଳତଃ ଅର୍ଦ୍ଧସତ୍ୟ ଉପରେ ଆଧାରିତ । ରିପୋର୍ଟର ଉପସଂହାରରେ ଭାରତ ‘ଏକ ବିଶେଷ ଚିନ୍ତା ଉଦ୍ରେକକାରୀ’ ରାଷ୍ଟ୍ର ବୋଲି ଅଭିହିତ କରାଯାଇଛି । ନିଜ ନାଗରିକଙ୍କୁ ସମ୍ବିଧାନ ସ୍ୱୀକୃତ ମୌଳିକ ଅଧିକାର ଦେଉଥିବା ବିଶ୍ୱର ସବୁଠୁ ଜୀବନ୍ତ ଗଣତନ୍ତ୍ର ରାଷ୍ଟ୍ରକୁ ଏପରି ଚିହ୍ନଟ କରିଥିବା ୟୁଏସସିଆଇଆରଏଫ’କୁ ‘ବିଶେଷ ଚିନ୍ତା ଉଦ୍ରେକକାରୀ ଏକ ଅନୁଷ୍ଠାନ’ ବୋଲି ଚିହ୍ନଟ କରାଯିବାରେ ଅସୁବିଧା କ’ଣ ଅଛି? ପିଇଡବ୍ଲ୍ୟ ସାନି ସର୍ବେକ୍ଷଣରେ ଏହା ଉଲ୍ଲେଖ କରୁ ବୋଲି ଆମେ ଦାବି କରିବା ଉଚିତ ହେବ । ଆମେରିକାର ଏକ ଜାତୀୟ ସଂସ୍ଥା ଭାରତକୁ ଏପରି ଚିତ୍ରଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ମୁଣ୍ଡ ଉପରେ (ନଭେମ୍ବର) । ଏଣୁ ଆମେରିକୀୟ ଅନୁଷ୍ଠାନଗୁଡ଼ିକ ନିଜ ଦେଶରେ ବୃଦ୍ଧି ପାଉଥିବା ଜାତିଆଣ ତଥା ବର୍ଣ୍ଣବୈଷମ୍ୟ ବିବାଦ ଉପରେ ବିଶେଷ ନଜର ରଖନ୍ତୁ । ଆମେରିକା ଏପରି କଲେ ହିଁ ବିଶ୍ୱରେ ଗଣତନ୍ତ୍ରର ପ୍ରକୃତ ହିତସାଧନ ହୋଇପାରିବ!