ଭୁବନେଶ୍ୱର,୧୨/୦୮: କେରଳ ୱାୟନାଡ଼ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ଏଯାଏଁ କିଛି ପତ୍ତା ମିଳିନି । ସେପଟେ କେରଳ ପୁଲିସ ସ୍ୱାଧୀନଙ୍କ ପିତାମାତାଙ୍କ ରକ୍ତ ନମୁନା ମାଗିଛି । ୱାୟନାଡ଼ ଜିଲ୍ଲା ପୁଲିସ ଏସ୍ପି ସୁରେଶ କୁମାର ଏମ୍.କେ ଏନେଇ ଓଡ଼ିଶା ଡିଜିପିଙ୍କୁ ଚିଠି ଲେଖିଛନ୍ତି ।
ଚିଠିରେ ଉଲ୍ଲେଖ ରହିଛି, ଯାଜପୁର ବ୍ୟାସନଗର ଗଣେଷ ବଜାରରେ ରହୁଥିବା ସ୍ୱାଧୀନ ଭୂସ୍ଖଳନରେ ନିଖୋଜ ଅଛନ୍ତି । ଭୂସ୍ଖଳନ ସ୍ଥଳରୁ କିଛି ଅଚିହ୍ନା ମୃତ ଶରୀର ମିଳିଛି । ସେଠାରୁ କିଛି ନିଖୋଜଙ୍କ ଖଣ୍ଡ ବିଖଣ୍ଡିତ ଅଙ୍ଗ ମଧ୍ୟ ଉଦ୍ଧାର କରାଯାଇଛି । ଅନେକ ମୃତଦେହକୁ ଚିହ୍ନିବା ସମ୍ଭବ ହେଉନି । ତେଣୁ ଏସବୁ ମୃତ ଶରୀର ସହ ଡିଏନ୍ଏ ପରୀକ୍ଷା ଯୋଗେ ମେଳ କରାଗଲେ, ସ୍ୱାଧୀନଙ୍କ ପତ୍ତା ମିଳିପାରିବ । ଏହି ଉଦ୍ଦେଶ୍ୟରେ ରକ୍ତ ନମୁନା ମାଗିଛି ୱାୟନାଡ ପୁଲିସ । ସ୍ୱାଧୀନଙ୍କ ବାପା ହିମାଂଶୁ ଶେଖର ପଣ୍ଡା ଓ ମା’ ଶକୁନ୍ତଳା ଦାଶଙ୍କଠାରୁ ସଂଗୃହୀତ ରକ୍ତ ନମୁନା ଯଥାଶୀଘ୍ର ପଠାଇବାକୁ ଚିଠିରେ କୁହାଯାଇଛି ।