ବାଙ୍ଗିରିପୋଷି, ୩/୧୨: ଦ୍ୱାରଶୁଣି ଘାଟି ରାସ୍ତାରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ । ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପିଡ଼ିଥିବା ସୂଚନା । ଘଟଣାସ୍ଥଳରେ ଚାଳକଙ୍କର ମୃତ୍ୟୁ ହୋଇଛିବା ଜଣାପଡ଼ିଛି ।
ସୂଚନା ଅନୁସାରେ, କୋଲକାତା ଅଭିମୁଖେ ଯାଉଥିବା ଏକ ସ୍ପଞ୍ଜ ଆଇରନ୍ ବୋଝେଇ ଟ୍ରକ୍(ଡବ୍ଲୁବି ୫୮ଡି୪୮୧୯) ଘାଟି ତଳକୁ ଓହ୍ଲାଉ ଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଚାଳକ ଜଣକ ଟ୍ରକ୍ ତଳେ ଚାପି ହୋଇ ରହିଥିଲା । ହେଲପର୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଙ୍ଗିରିପୋଷି ପୁଲିସ ଭ୍ୟାନରେ ପ୍ରଥମେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା ।
ଖବର ପାଇ ବାଙ୍ଗିରିପୋଷି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଓ କ୍ରେନ୍ ସାହାଯ୍ୟରେ ଟ୍ରକ୍ଟିକୁ ସାଇଡ୍ କରି ଚାଳକର ମୃତଦେହ ଉଦ୍ଧାର କରାଯାଇ ଏନଏଚଆଇ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନା ପଠାଯାଇଛି । ଏଯାଏ ଚାଳକର ନାଁ ଜଣାପଡ଼ିନାହିଁ । ଏହି ଘଟଣା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଥିଲା । ବାଙ୍ଗିରିପୋଷି ପୁଲିସ ତରଫରୁ ସ୍ୱାଭାବିକ ଗାଡ଼ି ଚଳାଚଳ ପାଇଁ ପ୍ରଚେଷ୍ଟା ଚାଲୁ ରହିଛି ।