ଭୁବନେଶ୍ୱର, ୨ା୭ (ଅମନ ଆୟୁଷ୍ମାନ୍ ଦାସ) : ଚିତ୍ର କେଉଁଠି ବି ଅଙ୍କାଯାଇପାରେ । ଶିଳ୍ପୀ ତା’ର ସୃଜନକୁ କେଉଁଠି ବି ପ୍ରସ୍ଫୁଟିତ କରିପାରେ । ମନର ଭବନାକୁ ରୂପ ଦେବାକୁ କେବଳ ତାକୁ ଲୋଡ଼ାଥାଏ ଏକ ମାଧ୍ୟମ । ସେ କାନ୍ଥ ହେଇପାରେ କି କାନ୍ଭାସ୍ । ପେପର୍ ହେଇପାରେ କି ପଥର । ଯେଉଁଠି ଚିତ୍ରଶିଳ୍ପୀର ଚିତ୍ର ଚାତୁରୀରେ ଚମକି ଉଟେ ବିଭିନ୍ନ ଚିତ୍ରମାଳା । ତେବେ କଳାକୁ ପ୍ରଦର୍ଶନ କରିବା ଲାଗି ଶିଳ୍ପୀ ପାଇଁ ସବୁ ମାଧ୍ୟମ ସହଜ ଆଉ ସରଳ । ସେ ମାଟିରେ ବି ରୂପ ଦେଇପାରେ ଆଉ ପଥରରେ ବି ଖୋଦେଇ କରିପାରେ । ହେଲେ ପଥର ଉପରେ ମନର ରେଖାକୁ ଆଙ୍କିବାର ଏ କଳା ଆଜି ନୁହେଁ, କାହିଁ କେଉଁ କାଳରୁ । ସେଥିପାଇଁ ତ ଆଜି ଆମେ ବିଭିନ୍ନ ପାହାଡ଼ର ଗୁମ୍ଫା, ପ୍ରାଚୀନ ସ୍ମାରକୀରେ ଦେଖିବାକୁ ପାଉଛୁ ଆକର୍ଷଣୀୟ ଚିତ୍ରରାଜି । ଆମକୁ ଆମ ଅତୀତ ସହିତ ପରିଚୟ କରାଉଛି । ଯାହାକୁ ନେଇ ଗବେଷଣା ଅହରହ ଚାଲିଛି । ଅନେକ ନୂଆ ନୂଆ ତଥ୍ୟ ବି ମିଳୁଛି ।
ଆଦିମ ଜନଜାତି ବି ଏହିଭଳି ମାଧ୍ୟମରେ ନିଜ ଭାବକୁ ଭାଷାରେ ବ୍ୟକ୍ତ କରିଥାନ୍ତି । ଆଜି ସେହି ପଥରକୁ ଚିତ୍ରରେ ସଜେଇ ତାକୁ ଜୀବନ୍ତ କରିବାର ଦିନଟିଏ । ଶିଳ୍ପୀ ପାଇଁ ଅଭୁଲା ଦିବସଟିଏ । ଏହାକୁ ସ୍ମରଣୀୟ କରିବାକୁ ଯାଇ ସବୁ ବର୍ଷ ସମଗ୍ର ବିଶ୍ୱ ଶିଳ୍ପୀ ଓ ଶିଳ୍ପକଳାର ସମ୍ମାନାର୍ଥେ ପାଳି ଆସୁଛି ‘ଡ୍ରପ ଏ ରକ୍ ଡେ’ । ଶିଳ୍ପୀମାନଙ୍କ ମତରେ³ ସାଧାରଣ ଲୋକଙ୍କ ପାଇଁ ଯାହା ପଥର, ତହା ଆମ ପାଇଁ ସୃଜନ । ସାଧାରଣ ଚିତ୍ରଶିଳ୍ପୀଟିଏ ନାନା ରଙ୍ଗଦେଇ ତୁଳୀରେ ତାକୁ ଭିନ୍ନ ଭିନ୍ନ ରୂପ ଦିଏ ଆଉ ଭାସ୍କର୍ଯ୍ୟ ଶିଳ୍ପୀଟିଏ ତା’ ନିହାଣ ମୁନରେ ଆକର୍ଷଣୀୟ ପ୍ରତିମା ତଥା ପ୍ରତିକୃତିଟିଏ ତୋଳି ଧରେ । ଯାହା ପରବର୍ତ୍ତୀ ସମୟରେ ମନ୍ଦିରରେ ଠାକୁର ହୋଇ ପୂଜା ପାଆନ୍ତି । ପୁଣି ଘରର ଡାଇନିଂ ହଲ୍, ଡ୍ରଇଂ ରୁମ୍ ଓ ଅନ୍ୟ ସ୍ଥାନରେ ବିଭିନ୍ନ ପ୍ରତିକୃତି ଶୋଭା ପାଇଥାଏ । ଅଫିସ୍ ଟେବୁଲ୍ରେ ବି ପେପର୍ୱେଟ୍ ଆକାରରେ ବ୍ୟବହାର ହୋଇଥାଏ ।
ଆଜି ଉପହାର ଓ ସାଜସଜ୍ଜାର ଅନନ୍ୟ ତଥା ଆକର୍ଷଣୀୟ ବସ୍ତୁ ପାଲଟିଛି ପଥରର ଏହି କଳାକୃତି । ସେ ପୁଣି ବିଭିନ୍ନ ପଥରରେ ଭିନ୍ନ ଭିନ୍ନ କଳାକୃତି ହୋଇଥାଏ । କେଉଁ ପଥରରେ କେଉଁ କାର୍ଯ୍ୟ ହେବ ତା’ର ବି ଗୁରୁତ୍ୱ ରହିଛି । ସେଥିପାଇଁ ବିଭିନ୍ନ ପଥର ଖଣି ଚିହ୍ନଟ ସାଙ୍ଗକୁ ସ୍ୱତନ୍ତ୍ର ସ୍ଥାନରୁ ପଥର ଆସିଥାଏ । ଯାହାର ଅଭାବ ପାଇଁ ରାଜ୍ୟରେ ପଥର ଶିଳ୍ପୀ ବାରମ୍ବାର ଅଭିଯୋଗ ସହ ଏହାର ସୁବିଧା ପାଇଁ ସରକାରଙ୍କ ନିକଟରେ ଦାବି କରିଆସୁଛନ୍ତି । ଏହି କଳାକୁ ନେଇ ଯୁବପିଢ଼ିଙ୍କ ଭିତରେ ଉତ୍ସାହ ବଢ଼ୁଥିବାବେଳେ କିଣିବା ଲାଗି କଳାପ୍ରେମୀଙ୍କ ଆଗ୍ରହ ବି କିଛି କମ୍ ନୁହେଁ । ଉପଯୁକ୍ତ ବଜାର ଅଭାବରୁ ରାଜ୍ୟରେ ଏହି ଶିଳ୍ପକଳା ବିଶେଷ ଆଗେଇ ପାରିନି । ମାତ୍ର ବାହାର ରାଜ୍ୟ ଓ ଅନ୍ୟ ଦେଶରେ ବିଭିନ୍ନ ରଙ୍ଗୀନ ପଥର ଓ ଏହି ପଥର କଳାକୃତିର ବେଶି ଚାହିଦା ରହିଛି । ସେଥିଲାଗି ବର୍ଷ ତମାମ ଓଡ଼ିଶାର ବିଭିନ୍ନ ଶିଳ୍ପୀଙ୍କ ପଥର କଳାକୃତି ବିଦେଶକୁ ରପ୍ତାନୀ ହୋଇଥାଏ ।
ପଥର ସହ ସମ୍ପର୍କକୁ ଶିଳ୍ପୀ ବୁଝିପାରେ
ଚିତ୍ରଶିଳ୍ପୀଟିଏ ପାଇଁ ତା’ର ଅନ୍ତଃର୍ନିହିତ ଭାବନାକୁ ପରିପ୍ରକାଶ କରିବାର ମାଧ୍ୟମ ହେଉଛି ଚିତ୍ର, ଯାହା ପ୍ରକୃତିରେ ବିଭିନ୍ନ ଉପକରଣରେ ଫୁଟିପାରେ । ଯେହେତୁ ଆମେ ‘ଡ୍ରପ ଏ ରକ୍ ଡେ’ ସମ୍ପର୍କରେ କହୁଛେ, ତେଣୁ ଏଠି ଅତୀତକୁ ଫେରି ଗୁମ୍ଫା ଚିତ୍ରର ଉଦାହରଣ ନେଇପାରିବା । କାଗଜ ବା କାନ୍ଭାସ୍ ଉପରକୁ ଚିତ୍ର ଆସିବାର ବହୁ ପୂର୍ବରୁ ପଥରରେ ସେହି ଚିତ୍ର ଥିଲା, ଆଜି ବି ଅଛି । ମାନବସଭ୍ୟତାର ଆରମ୍ଭରୁ ପଥର ସହ ମଣିଷର ସମ୍ପର୍କ, ତେଣୁ ଚିତ୍ର ତ ପଥରରୁ ହିଁ ହେବନା । ଆଜି ଶିଳ୍ପୀଟିଏ ତା’ର ପରିପ୍ରକାଶକୁ ସେଇ ପାରମ୍ପରିକ ଧାରାରେ ଯାଇ ପଥରରେ ଆଙ୍କି ପକାଏ । ତାକୁ ଉପହାର ଦେଇ ଓ ବିକ୍ରି କରି ଲାଭବାନ ହେବା ଅପେକ୍ଷା ପ୍ରଶଂସାରେ ବେଶି ଖୁସି ପାଏ । ଆଉ ତା’ର ଅଜାଣତରେ ଆପେ ଆପେ ତା’ର ସୃଜନଶୀଳତା ବାହାରି ଆସେ । ସେଥିପାଇଁ କୁହନ୍ତି, ଜଣେ ଶିଳ୍ପୀ ବା ସୃଜନଶୀଳ ବ୍ୟକ୍ତି ହିଁ ବୁଝିପାରେ ପଥର ସହ ତା’ର ସମ୍ପର୍କକୁ ।
ଚିନ୍ତାମଣି ବିଶ୍ୱାଳ, ଚିତ୍ରଶିଳ୍ପୀ ଓ ଅଭିନେତା
ପଥରରେ ଆଙ୍କିବାର ମଜା ନିଆରା
ଅବସର ସମୟରେ ବସି ଛୋଟ ଛୋଟ ପଥରରେ ଚିତ୍ର ଆଙ୍କେ । ଯୁକ୍ତ ଦୁଇରୁ ଏମିତି ଚିତ୍ର ଆଙ୍କି ଆସୁଛି । ଅନ୍ୟ ମାଧ୍ୟମ ଅପେକ୍ଷା ପଥରରେ ଚିତ୍ର ଆଙ୍କିବାରେ ମଜା ବେଶ୍ ନିଆରା । ତୁମେ ଯେମିତି ଚାହିଁବ ଏଥିରେ ରଙ୍ଗ ଓ ଚିତ୍ର କରିପାରିବ । ଆଜି ପର୍ଯ୍ୟନ୍ତ ଯେତେବି ଚିତ୍ରିତ ପଥର ରଖିଥିଲି ସେସବୁକୁ କାହାର ଜନ୍ମଦିନ ନଚେତ ଶିକ୍ଷାନୁଷ୍ଠାନରେ ଉପହାର ଦେଇଛି । ଏଭଳି କାମ ମତେ ଶାନ୍ତି ଦିଏ । ସେଥିପାଇଁ ଯେବେ ବି ସମୟ ପାଏ ପଥରରେ ବସି ଚିତ୍ର ଆଙ୍କିଥାଏ ।
ସ୍ୱପ୍ନା ରାୟ, ଚିତ୍ରଶିଳ୍ପୀ