ପୁରୀ,୦୯/୦୮: ଗୁରୁବାର ରାତିରେ ପୁରୀ ଟାଉନ୍ ଥାନା ଅଞ୍ଚଳରେ ଜଣେ ଯୁବ ଖଜା ବ୍ୟବସାୟୀଙ୍କୁ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଛି । ମୃତକ ହେଲେ ମାର୍କଣ୍ଡେଶ୍ୱର ସାହି ରାଧାଗୋବିନ୍ଦ ଲେନ୍ର ଦିନେଶ ଖୁଣ୍ଟିଆ ଓରଫ୍ ଠାକୁର(୧୮) । ତାଙ୍କୁ ରାଧାଗୋବିନ୍ଦ ଲେନ୍ ନିକଟରେ ୩ଜଣ ଯୁବକ ଘେରି ଯାଇ ଛୁରିରେ ଗଳାକାଟି ହତ୍ୟା କରିଛନ୍ତି। ଦିନେଶଙ୍କ ବଡ଼ ଭାଇ ରାକେଶ ଖୁଣ୍ଟିଆ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। ରାକେଶ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଦିନେଶଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ରାକେଶ ପୁଲିସକୁ ଦେଇଥିବା ସୂଚନା ଅନୁଯାୟୀ, ତାଙ୍କୁ କାହ୍ନା, ଗୋପାଳ ଓ ଦିଲୁ ରାତି ପ୍ରାୟ ସାଢ଼େ ୯ଟା ପାଖାପାଖି ଟେଲିଫୋନ୍ କରି ଡାକିଥିଲେ । ରାକେଶ ଘରେ ଥିବାରୁ ତାଙ୍କୁ ବାପା ଯିବାକୁ ମନା କରିଥିଲେ । ସେମାନେ ତାଙ୍କ ସାନ ଭାଇ ଦିନେଶକୁ ଖୋଜିଥିଲେ । ଦିନେଶ ଘରେ ନଥିବା ରାକେଶ କହିଥିଲେ । ତେଣୁ କାହ୍ନା ଓ ଅନ୍ୟମାନେ ତାଙ୍କ ସାହିର ଗଳି ନିକଟରେ ଛକି ରହିଥିଲେ । ଦିନେଶ ବାଇକ୍ରେ ଘରକୁ ଫେରୁଥିବା ବେଳେ ୩ଜଣ ଯାକ ତାଙ୍କୁ ଅଟକାଇ ଛୁରି ଓ କଟୁରିରେ ଆକ୍ରମଣ କରିଥିଲେ । ଦିନେଶଙ୍କ ଗଳାକୁ କାଟି ଦେଇଥିଲେ । ହତ୍ୟା ସମୟରେ ସେମାନେ ରାକେଶଙ୍କୁ ଫୋନ୍ କରି ହତ୍ୟାକାଣ୍ଡର ଲାଇଭ୍ ସୂଚନା ଦେଉଥିଲେ । ରାକେଶ ଘରୁ ଦୌଡ଼ି ଯାଇ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେମାନେ ଫେରାର୍ ହୋଇ ଯାଇଥିଲେ।