ପ୍ରମୂଖ ଖବର

ପ୍ରଚାର ପାଇଁ ପ୍ରାର୍ଥୀମାନେ ସମର୍ଥକଙ୍କୁ ଧରି ଝାଳନାଳ, ଡିନରରେ ପରଷା ଯାଉଛି ଭାତ, ଚିକେନ୍‌ ଝୋଳ

ଭୁବନେଶ୍ୱର,୨୧/୦୫: ନିର୍ବାଚନ ପାଇଁ  ଫୁରସତ ନାହିଁ । ସକାଳୁ ଦୋକାନ ଖୋଲିଲେ, କର୍ମୀମାନେ ଆସି ଆଗୁଆ ବଇନା ଦେଉଛନ୍ତି । ରାତିକି  ଏତିକି କେଜି ମାଂସ ଦରକାର । କେଉଁଦିନ ୧୦  କେଜି, ତ କେଉଁଦିନ ୨୦ । ମାଂସ କାଟିକାଟି ହାତ ଥକିଯାଉଛି । ମାସକ ତଳେ ଦୈନିକ ପ୍ରାୟ ୫୦ କେଜି  ଚିକେନ୍‌ ବିକ୍ରି କରୁଥିବା ବେଳେ ଏବେ ଦିନକୁ ୭୦ କେଜି ପର୍ଯ୍ୟନ୍ତ ବିକ୍ରି ହେଉଛି । ସ୍ଥାନୀୟ ୪ ନମ୍ବର  ହାଟର ଜଣେ ଚିକେନ ବ୍ୟବସାୟୀ ଏଭଳି କହିଛନ୍ତି ।   

ସକାଳୁ ନେଇ ରାତି ପର୍ଯ୍ୟନ୍ତ ଜୋରଦାର ପ୍ରଚାର ।  ଛକ, ବଜାର, ଗଳକନ୍ଦିରେ ବୁଲୁଛି ଦଳୀୟ ପ୍ରଚାର ଗାଡ଼ି । ଖରା ଓ ଗୁଳୁଗୁଳିରେ ପ୍ରାର୍ଥୀମାନେ ସମର୍ଥକଙ୍କୁ ଧରି ଝାଳନାଳ ହୋଇ ବିଭିନ୍ନ ୱାର୍ଡ ଓ ବଜାର ବୁଲୁଛନ୍ତି  । ତେଣୁ ସେମାନଙ୍କ ପେଟପୂଜା ପାଇଁ ଆଗୁଆ ପ୍ରସ୍ତୁତ ହେଉଛନ୍ତି ପ୍ରାର୍ଥୀ । ରାତିରେ ଡିନରରେ ପରଷା ଯାଉଛି ଭାତ ଆଉ ଚିକେନ୍‌ ଝୋଳ । କେହି କେହି ନାନ୍‌ ଓ ପରଟା  ବି ଦେଉଛନ୍ତି । ନିର୍ବାଚନ ସମୟରେ  ଏବେ ରାଜଧାନୀର ଚାରିଆଡେ ଭୋଜିଭାତ(ଫିଷ୍ଟ)ର ଆସର ଜମୁଛି ।  ଏଥିରେ ସବୁଠୁ ଅଧିକ ପସନ୍ଦର ଖାଦ୍ୟ  ହେଉଛି ଚିକେନ୍‌ । ଯିଏ ଯେତେ  ଖାଇ ପାରିଲା । କର୍ମୀଙ୍କୁ ସନ୍ତୁଷ୍ଟ  କରିବାକୁ ପ୍ରାର୍ଥୀଙ୍କ ଇଏ ହେଉଛି ପସନ୍ଦର ଫଣ୍ଡା ।  ରାଜଧାନୀର ବଡ଼ ଆମିଷ ବଜାର ହେଉଛି  ୟୁନିଟ-୪ ହାଟ । ଏତଦବାଦ୍‌ ୟୁନିଟ-୮, ପଟିଆ,  ଡୁମୁଡୁମା, ଓଲ୍ଡ ଟାଉନରେ ମଧ୍ୟ ଛୋଟବଡ଼ ଆମିଷ  ବଜାର ଅଛି । ପୂର୍ବରୁ ଆନ୍ଧ୍ର ଓ ଭୁବନେଶ୍ୱର ବାହାରୁ  ଚିକେନ ଆସୁଥିବା ବେଳେ କିଛିବର୍ଷ ହେବ ଭୁବନେଶ୍ୱର  ଉପକଣ୍ଠରେ ଚିକେନ୍‌(ବ୍ରଏଲର)ଉତ୍ପାଦନ ବଢ଼ିଛି ।  ତେଣୁ ଆଉ ବାହାରୁ ଏହା ଆସୁନି । 

ରାଜଧାନୀର ବିଭିନ୍ନ  ଅଞ୍ଚଳରେ ଚିକେନ୍‌ ଦୋକାନୀଙ୍କ ସଂଖ୍ୟା ପାଖାପାଖି  ୧୫ଶହ । ମାସକ ତଳେ ଦୈନିକ ଭୁବନେଶ୍ୱରକୁ  ଆସୁଥିଲା ୨୨ଟି ଚିକେନ୍‌ ଗାଡି । ଗୋଟିଏ ଗାଡିରେ  ୨.୫ରୁ ୩ କୁଇଣ୍ଟାଲ ଲେଖାଏଁ ଚିକେନ୍‌ ରୁହେ । ଏହାର  ଅର୍ଥ ୫୫ରୁ ୬୬ କ୍ୱିଣ୍ଟାଲ ଚିକେନ୍‌ ଭୁବନେଶ୍ୱରକୁ  ଆସେ । ସେଥିମଧ୍ୟରୁ ୪୦ରୁ୫୦ କ୍ୱିଣ୍ଟାଲ ବିକ୍ରି  ହୋଇଯାଏ । ନିର୍ବାଚନ ଯୋଗୁ ଏହି  ଗାଡି ସଂଖ୍ୟା ୨୫ରୁ ୩୦ ପର୍ଯ୍ୟନ୍ତ  ବୃଦ୍ଧି ପାଇଛି । ଯେଉଁଥିରେ  ପ୍ରାୟ ୬୨ କ୍ୱିଣ୍ଟାଲରୁ ନେଇ  ୭୫ କୁଇଣ୍ଟାଲ ଚିକେନ ଆମଦାନୀ  କରାଯାଉଛି । ଦୈନିକ ୭୦ କ୍ୱିଣ୍ଟାଲରୁ  ଅଧିକ ଚିକେନ୍‌ ବେପାର ହେଉଛି ।  ମାସକ ମଧ୍ୟରେ ୨୦ କ୍ୱିଣ୍ଟାଲ ଚିକେନ୍‌  ଆମଦାନୀ ବୃଦ୍ଧି ପାଇଥିବା ଅଲ ଓଡ଼ିଶା  ଆମିଷ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ।  

ସେହିପରି ନିର୍ବାଚନ ଋତୁରେ ମାଂସ କେଜି ମଧ୍ୟ  ବଢ଼ିଛି । ଭୁବନେଶ୍ୱରର କେତେକ ସ୍ଥାନରେ କଟା  ମାଂସ(ବ୍ରଏଲର) କିଲୋ ୩ଶହଟଙ୍କାରେ ବିକ୍ରି ହେଉଥିବା  ବେଳେ ଆଉ କେତେକ ସ୍ଥାନରେ ଦର ରହିଛି ୨୬୦ରୁ  ୨୮୦ । ତେବେ ଫାର୍ମ ଦର ଦେଖିଲେ ଗୋଟା କୁକୁଡ଼ା  କେଜି ହେଉଛି ୧୩୯ଟଙ୍କା । ସେହିପରି ଦେଶୀ କୁକୁଡ଼ା  କିଲୋ ରହିଛି ୫ଶହ । କୁକୁଡ଼ା ମାଂସ ବେପାର ଆଗକୁ  ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.