ନୂଆଦିଲ୍ଲୀ,୭।୮: ଓଡିଶା ସମେତ ଦେଶର ୯ ରାଜ୍ୟର ୧୨ଟି ରାଜ୍ୟସଭା ଆସନରେ ହେବାକୁ ଯାଉଛି ଉପନିର୍ବାଚନ। ବୁଧବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି। ରାଜସ୍ଥାନ, ହରିୟାଣା, ବିହାର, ଆସାମ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ତ୍ରିପୁରା, ତେଲେଙ୍ଗାନା ଏବଂ ଓଡିଶାର ୧୨ଟି ଆସନରେ ନିର୍ବାଚନ ହେବ। ନିର୍ବାଚନ କମିଶନଙ୍କ ନିର୍ଦେଶ ଅନୁସାରେ, ୧୪ ଅଗଷ୍ଟରେ ବିଜ୍ଞପ୍ତି ଜାରି କରାଯିବ। ସେଭଳି ୨୧ ଅଗଷ୍ଟରେ ନାମାଙ୍କନ ଦାଖଲ କରିବାର ଶେଷ ଦିନ ହେବ। ୨୨ରେ ହେବ ସ୍କ୍ରୁଟିନି।
ଆସାମ, ମଧ୍ୟ ପ୍ରଦେଶ ମହାରାଷ୍ଟ୍ର ଓ ତ୍ରିପୁରାରେ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟହାର କରିବାର ଶେଷ ତାରିଖ ରହିବ ୨୬ ଅଗଷ୍ଟ। ସେଭଳି ବିହାର, ହରିୟାଣା, ରାଜସ୍ଥାନ, ତେଲେଙ୍ଗାନା ଓ ଓଡିଶାରେ ନାମାଙ୍କନର ପ୍ରତ୍ୟାହାର କରିବାର ଶେଷ ତାରିଖ ୨୭ ଅଗଷ୍ଟ ଧାର୍ଯ୍ୟ କରାଯାଇଛି। ୩ ସେପ୍ଟେମ୍ବରରେ ମତଦାନ ହେବ ଏବଂ ଫଳାଫଳ ସେହିଦିନ ଅର୍ଥାତ୍ ୩ ସେପ୍ଟେମ୍ବର ଅପରାହ୍ନ ୫ଟା ପରେ ଘୋଷଣା କରାଯିବ ।
ରାଜ୍ୟସଭାକୁ ଯାଇଥିବା ୧୨ ଜଣ ସଦସ୍ୟଙ୍କ ମଧ୍ୟରୁ ୧୦ ଜଣ ନିକଟରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି। ସେମାନେ ଲୋକସଭାକୁ ଯାଇଥିବାରୁ ଏବେ ଉକ୍ତ ରାଜ୍ୟସଭା ଆସନ ଗୁଡ଼ିକ ପାଇଁ ଉପ ନିର୍ବାଚନ ହେବାକୁ ଯାଉଛି। ରାଜ୍ୟସଭା ସଚିବାଳୟ ଏହି ଖାଲିଥିବା ପଦବୀ ପାଇଁ ନୋଟିଫିକେସନ୍ ଦେଇଛି। ଏଥିରେ ରହିଛି ଆସାମ, ବିହାର ଓ ମହାରାଷ୍ଟ୍ରରୁ ୨ଟି ଲେଖାଏଁ। ସେଭଳି ମଧ୍ୟ ପ୍ରଦେଶ, ରାଜସ୍ଥାନ, ଓଡିଶା ଓ ତ୍ରିପୁରାରେ ଗୋଟିଏ ଲେଖାଏଁ ଆସନ ଖାଲି ରହିଛି।
ଖାଲିଥିବା ଏହି ଆସନରେ କାମାକ୍ଷା ପ୍ରସାଦ ତାସା(ଆସାମ), ସର୍ବାନନ୍ଦ ସୋନଓ୍ବାଲ (ଆସାମ), ମୀସା ଭାରତୀ(ବିହାର), ବିବେକ ଠାକୁର(ବିହାର), ଦୀପେନ୍ଦ୍ର ସିଂହ ହୁଡା(ହରିୟାଣା),ଜ୍ୟୋତିରାଦିତ୍ୟ ସିନ୍ଧିଆ(ମଧ୍ୟ ପ୍ରଦେଶ), ଉଦୟନରାଜେ ଭୋସଲେ(ମହାରାଷ୍ଟ୍ର),ପୀୟୁଷ ଗୋୟଲ(ମହାରାଷ୍ଟ୍ର), କେସି ବେଣୁଗୋପାଳ(ରାଜସ୍ଥାନ) ଓ ବିପ୍ଲବ କୁମାର ଦେବ(ତ୍ରିପୁରା) ସହ ଜଡିତ। ଏହି ସମସ୍ତେ ନିକଟରେ ସରିଥିବା ଲୋକସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ଏହି ୧୨ଟି ଆସନ ମଧ୍ୟରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ରହିଛି। ବିଜେଡି ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ମମତା ମହାନ୍ତ ସାଂସଦ ପଦରୁ ଇସ୍ତଫା ଦେବା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଥିଲା। ଏବେ ଉକ୍ତ ଆସନ ପାଇଁ ନିର୍ବାଚନ ହେବ।