ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ନିର୍ବାଚନ ଓ ପ୍ରଭାବିତ ଭୋଟ ହାର

ଭୁବନେଶ୍ୱର: ସଦ୍ୟ ସମାପିତ ୧୮ତମ ସାଧାରଣ ନିର୍ବାଚନ ବିଭିନ୍ନ  ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ମଧ୍ୟରେ ତୁ ତୁ,  ମେଁ ମେଁ, ଆରୋପ ପ୍ରତ୍ୟାରୋପ, ସମର୍ଥନ-ବିରୋଧ  ଓ ଆଶାତୀତ ଖର୍ଚ୍ଚ ଇତ୍ୟାଦିକୁ ନେଇ ଏକ ଭିନ୍ନ ବୋଲି  ବିବେଚନା ହେଉଛି । ଦେଶରେ ଲୋକସଭା ନିର୍ବାଚନ ସହ  ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶର  ବିଧାନସଭା ପାଇଁ ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ଦେଶର ପ୍ରଥମ ଭାଷାଭିତ୍ତିକ  ରାଜ୍ୟ ହୋଇଥିଲେ ବି ଏଥର ଓଡ଼ିଆ ଅସ୍ମିତାକୁ ନେଇ  ନିର୍ବାଚନ ଲଢ଼ିବାର ଅନୁଭୂତି ରାଜ୍ୟବାସୀ ପାଇଲେ ।  ପ୍ରବଳ ଖରା, ଗୁଳୁଗୁଳି ସତ୍ତେ୍ୱ ଭୋଟରମାନେ ନିଜର  ମତବ୍ୟକ୍ତ କରିବା ପାଇଁ ସ୍ୱତଃ ବାହାରିଥିଲେ । ନିର୍ବାଚନ  କିପରି ସୁରୁଖୁରୁରେ ହେବ ଯତ୍ପରୋନାସ୍ତି ଚେଷ୍ଟା  ହୋଇଥିଲେ ମଧ୍ୟ ମତଦାନ ହାର ସନ୍ତୋଷଜନକ ନଥିଲା ।  ଗତ ୨୦୧୯ ନିର୍ବାଚନ ତୁଳନାରେ ୨୦୨୪ ନିର୍ବାଚନର  ମତଦାନ ହାର କମିଯିବା ଏକ ଆଲୋଚ୍ୟ ବିଷୟ ଅଟେ ।  

ବିଜ୍ଞାନ ଓ କାରିଗରୀ ବିଦ୍ୟାର ଉପଯୋଗ, ଗଣତନ୍ତ୍ରର  ପକ୍ୱତା ଓ କାର୍ଯ୍ୟଶୈଳୀର ଉନ୍ନତ ବ୍ୟବହାର ସତ୍ତେ୍ୱ  ମତଦାନ ହାର କାହିଁକି କମିବ? ଭାରତର ନିର୍ବାଚନ  ଆୟୋଗଙ୍କର ତଥ୍ୟ ଅନୁସାରେ ୫୪୩ଜଣ ଲୋକସଭା  ପ୍ରାର୍ଥୀ ପାଇଁ ମୋଟ ୧.୪ବିଲିୟନ ଜନସଂଖ୍ୟାର ୯୬୮  ମିଲିୟନ ଯୋଗ୍ୟ ଭୋଟର, ଯାହା ପ୍ରାୟ ୭୦% ହେବ  ବୋଲି ଆକଳନ ହୋଇଛି । ଦେଶରେ ମୋଟ୍‌ ୬୫.୭୯%  ଭୋଟ ହାର ହୋଇଛି । ପୁରୁଷଙ୍କ କ୍ଷେତ୍ରରେ ୬୮.୮୦%  ଥିଲାବେଳେ ମହିଳାଙ୍କର ୬୫.୭୮% ହୋଇଛି । ଗୋଟିଏ  ମାତ୍ର କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପର ଲୋକସଭା  ଆସନରେ ସର୍ବାଧିକ ଭୋଟ ହାର ୮୪.୧୬% ଅଛି ।  ସର୍ବାଧିକ ୪୦ଗୋଟି ଆସନ ଥିବା ବିହାର ରାଜ୍ୟରେ  ସର୍ବନିମ୍ନ ୫୬.୧୯% ଥିଲାବେଳେ, ୮୦ଟି ଆସନବିଶିଷ୍ଟ  ଉତ୍ତରପ୍ରଦେଶ ରାଜ୍ୟରେ ମାତ୍ର ୫୬.୯୨% ମତଦାନ  ହୋଇଥିବା ଜଣାଯାଏ । ଏମିତି ଦେଖିଲେ ୨୦୨୪  ନିର୍ବାଚନର ମତଦାନ ହାର ବିଶ୍ୱରେକର୍ଡ ହୋଇଛି । ମୋଟ୍‌  ଉପରେ ୬୪.୨କୋଟି ଭୋଟର ମତଦାନ କରିଛନ୍ତି,  ଯାହାକି ଜି-୭ ଦେଶସମୂହ ମତଦାତାଙ୍କର ୧.୫ ଗୁଣ  ଓ ୨୭ ୟୁରୋପୀୟ ଦେଶର ମତଦାତାଙ୍କର ୨.୫ ଗୁଣ  ହେବ । ଓଡ଼ିଶା ରାଜ୍ୟ କଥା ଦେଖିଲେ ଭୋଟହାର  ୭୪.୫୧% ଥିବାବେଳେ, ନବରଙ୍ଗପୁର ନିର୍ବାଚନ  ମଣ୍ଡଳୀରେ ୮୨.୧୬% ସର୍ବାଧିକ ଓ ଭୁବନେଶ୍ୱରରେ  ସର୍ବନିମ୍ନ ୬୪.୪୯% ମତଦାନ ହୋଇଛି । 

ଭାରତରେ ସାଧାରଣ ନିର୍ବାଚନକୁ ଗଣପର୍ବ ବା  ଜାତୀୟ ଉତ୍ସବ କୁହାଯାଉଥିଲେ ମଧ୍ୟ ଏହାର ଉଦ୍ଦେଶ୍ୟ  ଓ ବୈଶିଷ୍ଟ୍ୟକୁ ଭୁଲିଯିବା ଉଚିତ୍‌ ନୁହେଁ । ଏହାର ମୁଖ୍ୟ  ଉଦ୍ଦେଶ୍ୟ ହେଲା ଭୟହୀନ, ବିନା-ଚପଗ୍ରସ୍ତ, ମୁକ୍ତଚିନ୍ତନ  ଓ ନିଜ ବିଦ୍ୟା, ବୁଦ୍ଧି, ବିବେକ ଅନୁଯାୟୀ ଭୋଟ ମାଧ୍ୟମରେ  ମତବ୍ୟକ୍ତ କରି ପ୍ରାର୍ଥୀ ଚୟନ କରିବା । କାରଣ ଏହା  ଉପରେ ନିର୍ଭର କରେ ଦେଶର ଭବିଷ୍ୟତ, ସୁଶାସନ,  ଏବଂ ଲୋକପ୍ରିୟ ସରକାର । ଦେଶ ସ୍ୱାଧୀନ ହେବାପରେ  ସମ୍ବିଧାନ ପ୍ରଣେତାମାନେ ଅନ୍ୟ ଦେଶର ନିୟମ ଓ ସ୍ଥିତି  ସହିତ ନିଜ ଦେଶର ବ୍ୟବସ୍ଥାକୁ ପରୀକ୍ଷା ଓ ଅନୁଧ୍ୟାନ  କରି ସମ୍ବିଧାନ ପ୍ରଣୟନ କରିଥିଲେ । ଅବଶ୍ୟ ୭୬ବର୍ଷ  ପୂର୍ବେ ଦେଶର ଅବସ୍ଥା ଏବଂ ଆଜିର ଶିକ୍ଷା, ସ୍ୱାସ୍ଥ୍ୟ,  ଗମନାଗମନ ଓ ଅନ୍ୟାନ୍ୟ ସର୍ବନିମ୍ନ ଆବଶ୍ୟକତା ଢେର୍‌  ଭିନ୍ନ । ସେହି ପୁରୁଣା ନିୟମକୁ ଏବେ କାର୍ଯ୍ୟକାରୀ ନକରି,  ବରଂ ଲୋକମାନଙ୍କର ଚାହିଦା ଓ ଦେଶର ଭବିଷ୍ୟତକୁ  ନେଇ ନୂତନ ନିୟମମାନ ପ୍ରଣୟନ କରି ଶାସନ ପ୍ରଣାଳୀ  ପରିଚାଳିତ ହେବା କଥା³ ମାତ୍ର ବାସ୍ତବରେ ଭିନ୍ନ  ଦେଖାଯାଉଛି । ନିର୍ବାଚନ ଏମିତି ହବା କଥା ଯେଉଁଭଳି  ସାଧାରଣ ନାଗରିକଟିଏ ନିଜର ମୁକ୍ତ ମତଦାନ ସାବ୍ୟସ୍ତ  କରିବା ପାଇଁ ତା’ ଆଗରେ ଭିନ୍ନ ପସନ୍ଦ ଥିବା ଆବଶ୍ୟକ ।  ପରିବାରବାଦ, ନିର୍ଦ୍ଦିଷ୍ଟ ପ୍ରାର୍ଥୀ ଚୟନ, ଟଙ୍କା ବା ଲାଞ୍ଚ  ଦ୍ୱାରା ପ୍ରଭାବିତ ସମସ୍ୟାକୁ ଏଡ଼ାଇ ଏଭଳି ପରିବେଶ  ଓ ଉପଯୁକ୍ତ ପ୍ରାର୍ଥୀ ମଇଦାନରେ ରହିବା କଥା, ଯେପରି  ଭୋଟଦାନର ମହତ୍ତ୍ୱ ରହିବ । ତେଣୁ ନିର୍ବାଚନରେ ଭୋଟ  ହାର ସନ୍ତୋଷଜନକ ନହେବାର କାରଣଗୁଡ଼ିକ ତର୍ଜମା  କରି ପଦକ୍ଷେପମାନ ଗ୍ରହଣ କରିବା ଆବଶ୍ୟକ ।

 ନିର୍ବାଚନରେ ମତଦାନ ହାର ସନ୍ତୋଷଜନକ  ନହେବାର ଅନେକ କାରଣ ଅଛି । ଭୋଟରମାନଙ୍କର  ଆଳସ୍ୟ ପରାୟଣତା ଓ ଉଦାସୀନତା ଏକ କାରଣ  ହୋଇପାରେ । ମାତ୍ର ନିର୍ବାଚନ ଆୟୋଗ ନାନାବିଧ  ପଦକ୍ଷେପ, ମାନ୍ୟଗଣ୍ୟ ଓ ତାରକାମାନଙ୍କ ଦ୍ୱାରା  ପ୍ରଚାର-ପ୍ରସାର ଦ୍ୱାରା ଭୋଟରମାନଙ୍କୁ ଉତ୍ସାହିତ  କରିଛନ୍ତି । ଭୋଟଦାନ ବ୍ୟବସ୍ଥାରେ ଅନେକ ବିଭ୍ରାଟ ତଥା  ଦିଆଯାଇଥିବା ବିଜ୍ଞାପନ ଓ ବାସ୍ତବ ସ୍ଥିତି ମଧ୍ୟରେ ଅନେକ  ପାର୍ଥକ୍ୟ ପରିଲକ୍ଷିତ ହୋଇଛି । ଅନେକ ସହରରେ  ଆଦର୍ଶ ବୁଥ୍‌ ଗଠନ କରାଯାଇଥିବା ବେଳେ କେତେକ  ଭୋଟକେନ୍ଦ୍ରରେ ଅସ୍ୱାସ୍ଥ୍ୟକର ପରିବେଶ ସହିତ ସର୍ବନିମ୍ନ  ସୁବିଧା- ପିଇବାପାଣି, ବିଶ୍ରାମକକ୍ଷ ଓ ଶୌଚାଳୟ  ଇତ୍ୟାଦିର ଅଭାବ ଥିଲା । ଭିନ୍ନକ୍ଷମ, ରୋଗୀମାନେ ଓ  ବରିଷ୍ଠ ମତଦାତାଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସହ ଘରକୁ  ଯାଇ ଭୋଟଗ୍ରହଣର ବ୍ୟବସ୍ଥାକୁ ଭୋଟରମାନେ  ଜାଣିନପାରିବାରୁ ଭୋଟଦାନ ହାର ପ୍ରଭାବିତ ହୋଇଛି ।  ପୁଣି ଭୋଟରମାନେ ଖରା ଗୁଳୁଗୁଳିରେ ଘଣ୍ଟା ଘଣ୍ଟା  ଲମ୍ବାଧାଡ଼ିରେ ଠିଆ ହୋଇ ଧୈର୍ଯ୍ୟଚ୍ୟୁତ ହୋଇ ଘରକୁ  ଫେରିଆସିବାର ନଜିର ଅଛି । ଭୋଟର ତାଲିକାରେ ତ୍ରୁଟି,  ମତଦାନ ହାର ହ୍ରାସର ଅନ୍ୟତମ କାରଣ । 

ଭୋଟଦବାର ହାର ହ୍ରାସ ପାଇବାର ଅନ୍ୟତମ  ମୁଖ୍ୟ କାରଣ ହେଲା ପ୍ରତିକୂଳ ପାଣିପାଗ । ଏପ୍ରିଲରୁ  ଜନ୍‌ ମାସ ମଧ୍ୟରେ ପ୍ରଚଣ୍ଡ ଖରାବେଳେ ନିର୍ବାଚନ  ନକରାଇ ଫେବ୍ରୁଆରୀ ବା ମାର୍ଚ୍ଚ ମାସ ମଧ୍ୟରେ ଅନୁଷ୍ଠିତ  ହୋଇଥିଲେ ଭୋଟରମାନେ ଅଧିକ ସଂଖ୍ୟାରେ ମତଦାନ କରିପାରିଥାନ୍ତେ । ଉଲ୍ଲେଖଥାଉ ଯେ ବିଭିନ୍ନ ରାଜ୍ୟ  ବିଧାନସଭାର ସମୟ ବିଭିନ୍ନ ସମୟରେ ସରୁଥିବାରୁ ଏହି  ସମସ୍ୟା ଦେଖାଦେଉଛି । ତେବେ ‘ଏକ ଦେଶ, ଏକ  ନିର୍ବାଚନ' ଆଇନ ଦ୍ୱାରା ଏହାର ସମାଧାନ ହୋଇପାରିବ ।  ଏହା ବ୍ୟତୀତ ସରକାରୀ ବା ବେସରକାରୀ ଚାକିରି କରୁଥିବା ବ୍ୟକ୍ତି, ବାହାର ରାଜ୍ୟରେ ପାଠ ପଢ଼ୁଥିବା ଛାତ୍ର  ବା ବିଦେଶରେ ବ୍ୟବସାୟ ବା ଚାକିରି କରୁଥିବା ବ୍ୟକ୍ତି  ନିଜ ଗାଁ ବା ସହରକୁ ଫେରିବା ଖର୍ଚ୍ଚସାପେକ୍ଷ ବା ସମ୍ଭବ  ହେଉନଥିବାରୁ ସେମାନେ ଭୋଟଦାନରୁ ବଞ୍ଚିତ ହେଉଛନ୍ତି ।  ଡାକ ଯୋଗେ ଭୋଟଦାନର ବ୍ୟବସ୍ଥା ଥିଲେ ମଧ୍ୟ ଜଟିଳତା  ଦୃଷ୍ଟିରୁ ଏହାର ସୁବିଧା ଉପଲବ୍ଧ ହୋଇପାରୁନାହିଁ । 

ଦେଶରେ ଅନୁଷ୍ଠିତ ହୋଇଥିବା ପ୍ରଥମ ସାଧାରଣ  ନିର୍ବାଚନ ୧୯୫୨ ଠାରୁ ଆଜି ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ  ଯତ୍ପରୋନାସ୍ତି ସ୍ୱଚ୍ଛ, ଅବାଧ ଓ ମୁକ୍ତ ଭୋଟଦାନ ପାଇଁ  ଚେଷ୍ଟା ହେଉଥିଲେ ମଧ୍ୟ ଅନେକ ପ୍ରତିବନ୍ଧକ- ଧନ,  ବାହୁବଳର ପ୍ରୟୋଗ, ଜାତି, ଧର୍ମ ଓ ଆଞ୍ଚଳିକତା ଭିତ୍ତିରେ  ଭୋଟ ପ୍ରଚାର ଯେ କେତେ ଉପଯୋଗୀ, ସମସ୍ତେ ଉପଲବ୍ଧ  କରୁଥିଲେ ମଧ୍ୟ ବିଡ଼ମ୍ବନାର ବିଷୟ ଯେ ଉଚ୍ଚଶିକ୍ଷିତ,  ବୁଦ୍ଧିଜୀବୀ, ସମ୍ଭ୍ରାନ୍ତ ତଥା ସହରୀ ଭୋଟଦାତାମାନେ  ଏହାକୁ ପ୍ରହସନ ଭାବି ନିଜର ମତଦାନ ପାଇଁ ଆଗଭର  ହେଉନାହାଁନ୍ତି । ତେବେ ଇଣ୍ଟରନେଟ୍‌କୁ ଉପଯୋଗ  କରି ଭୋଟପ୍ରଣାଳୀକୁ କାର୍ଯ୍ୟକାରୀ କରିପାରିଲେ ଭୋଟ  ହାରରେ କିଛି ପରିମାଣ ନିଶ୍ଚିତ ବୃଦ୍ଧି ଘଟିବ । 

ଆମ ସମ୍ବିଧାନ ଆମକୁ ଅନେକ ଅଧିକାର ପ୍ରଦାନ  କରିଛି, ତା’ ମଧ୍ୟରୁ ଭୋଟ ଦବା ଅଧିକାର ଅନ୍ୟତମ ।  ତେଣୁ ଏହାକୁ ସମ୍ମାନ ଜଣାଇ, ଆମର କର୍ତ୍ତବ୍ୟ ସ୍ୱରୂପ  ଉଚିତ୍‌ ଓ ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟଦେଇ ଜୟଯୁକ୍ତ  କରାଇବା । ମାତ୍ର ଦେଖାଯାଉଛି ବହୁ ସଂଖ୍ୟକ ଧନୀ, ଅପରାଧୀ, କର୍ପୋରେଟ ମାଲିକ ଓ କଳାଟଙ୍କାଧାରୀ  ନିର୍ବାଚନରେ ପ୍ରତିଦ୍ୱଦ୍ୱିତା କରୁଥିବା ଫଳରେ ଦକ୍ଷ,  ସଚ୍ଚୋଟ, ଭଦ୍ର ଓ ପ୍ରକୃତ ସେବା ମନୋବୃତ୍ତି ରଖୁଥିବା  ପ୍ରାର୍ଥୀ ହ୍ରାସ ପାଉଛି । ସମସ୍ତେ ରାଜନୀତି ମାଧ୍ୟମରେ  ଦେଶସେବା କଥା କହୁଛନ୍ତି । କିନ୍ତୁ ମନରେ ପ୍ରଶ୍ନ  ଉଠେ- ଏହା କ’ଣ ସେବା କରିବାର ଏକମାତ୍ର ମାଧ୍ୟମ  କି? ବାସ୍ତବରେ ଜଣେ ବ୍ୟକ୍ତି ପ୍ରଚୁର ଅର୍ଥ ରୋଜଗାର  କଲାପରେ, ଚାକିରିରୁ ଅବସର ପରେ, ଆର୍ôଥକ ସ୍ୱଚ୍ଛଳ  ହେଲାପରେ ସିନେମା କଳାକାର ବା ବଡ଼ ବ୍ୟବସାୟ  ସଂସ୍ଥାର ମାଲିକ ହେଲାପରେ, ରାଜନୀତିରେ ପ୍ରବେଶ  କରିବା ବେଶ୍‌ ସହଜ ହେଉଛି । 

ପ୍ରାର୍ଥୀ ମନୋନୟନ ପ୍ରକ୍ରିୟାରେ କ୍ଷୁବ୍ଧ ଜନତା । ନୀତି,  ଆଦର୍ଶ, ମାନବିକତା, ମୂଲ୍ୟବୋଧ ଓ ନୈତିକତାସମ୍ପନ୍ନ  ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ସମସ୍ତେ ଚାହାଁନ୍ତି, କାରଣ ସେ  ଜନତାଙ୍କ ସମସ୍ୟା ବୁଝି ସମାଧାନ କରିପାରିବେ । ମାତ୍ର  ଏସବୁକୁ ଜଳାଞ୍ଜଳି ଦେଇ ରାଜନୈତିକ ଓ ନିଜସ୍ୱ ଫାଇଦା  ପାଇଁ ଲବି କରି ଟଙ୍କା ଖର୍ଚ୍ଚ କରି ଟିକଟଟିଏ ପାଇବାରେ  ସମର୍ଥ ହେଉଛନ୍ତି । ଯଦି ଚହୁଁଥିବା ଦଳ ଟିକଟ ନଦିଏ  ତେବେ ଅନ୍ୟ ଦଳରୁ ଟିକଟ ଯୋଗାଡ଼ କରି ନିର୍ବାଚନ  ଲଢ଼ି ଜିତି ପାରୁଛନ୍ତି । ଏମିତି ବି ହେଉଛି, ନିଜେ ଟିକଟ  ନପାଇଲେ ନିଜର ସ୍ତ୍ରୀ, ପୁଅ, ଝିଅ ବା ସମ୍ପର୍କୀୟଙ୍କୁ ଟିକଟ  ଦେଇ ନିଜର ଅଭିଳାଷ ପୂରଣ କରିପାରୁଛନ୍ତି । ଏହାକୁ  ଜନସାଧାରଣ କେତେକାଂଶରେ ଗ୍ରହଣ କରିପାରନ୍ତି ନାହିଁ ଏବଂ ଭୋଟ ମଧ୍ୟ ଦବାକୁ ଆଗ୍ରହ ପ୍ରକାଶ କରନ୍ତିନାହିଁ ।  ଏବେ ରାଜନୈତିକ ଦଳଗୁଡିକର ସାଧାରଣ ପଦ୍ଧତି  ହେଲାଣି କିଏ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ହେବେ  ନିର୍ବାଚନ ପୂର୍ବରୁ ଘୋଷଣା କରିବା । ମାତ୍ର ଗଣତାନ୍ତ୍ରିକ  ନିୟମରେ ନିର୍ବାଚିତ ପ୍ରତିନିଧିମାନେ ସେମାନଙ୍କର ନେତା ବାଛିଲା ପରେ କିଏ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ହେବେ  ସ୍ଥିର ହୋଇଥାଏ । ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି,  ଯାହାର ପ୍ରଭାବ ଭୋଟହାର ଉପରେ ପଡୁଛି । 

ମୋଟ୍‌ ଉପରେ କହିବାକୁ ଗଲେ ସର୍ବଦା ରାଜନୀତିରେ  ଭଲ ଓ ଉତ୍ତମ ବ୍ୟକ୍ତିତ୍ୱ ଥିବା ଲୋକମାନେ ପ୍ରବେଶ କରିବା  ଉଚିତ୍‌ । ଏଥିରେ ଅତ୍ୟଧିକ ବ୍ୟକ୍ତିକୈନ୍ଦ୍ରିକ ନହେବା ଓ  ଅର୍ଥର ଭୂମିକା ନ୍ୟୁନ ହେବା ଉଚିତ୍‌ । ଗଣତନ୍ତ୍ର ଯେତିକି  ପକ୍ୱ ହେଉଛି, ପାରିପାଶ୍ୱିର୍କ ଅବସ୍ଥା ସହ ଦେଶର ବିଭିନ୍ନ  କ୍ଷେତ୍ରର ଆବଶ୍ୟକତାକୁ ଚାହିଁ ନିର୍ବାଚନରେ ସଂସ୍କାର  ଆଣିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସସୀମା, ଶିକ୍ଷାଗତ  ଯୋଗ୍ୟତା, ଅପରାଧିକ ତଥ୍ୟ, କେତେଥର ନିର୍ବାଚନ  ଲଢ଼ିପାରିବେ ଓ ପଦପଦବିରେ ରହିପାରିବେ ଇତ୍ୟାଦି  ସ୍ଥିର ହେବା ଆବଶ୍ୟକ । ଜନସାଧାରଣଙ୍କର ମାନସିକ  ସ୍ଥିତି ଓ ଚାହିଦାକୁ ବୁଝି ଦେଶ ପ୍ରଗତିରେ ଭାଗୀଦାର  ହେବାଭଳି ପ୍ରାର୍ଥୀଙ୍କୁ ଚୟନ କଲେ ନିର୍ବାଚନରେ ଭୋଟ୍‌  ହାର ନିଶ୍ଚୟ ବୃଦ୍ଧିହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.