ନୂଆଦିଲ୍ଲୀ: ବଢିଲା ୟୁଟ୍ୟୁବର ତଥା ବିଗ୍ ବସ୍ ବିଜେତା ଏଲଭିଶ୍ ଯାଦବଙ୍କ ଅଡୁଆ । ସାପ ବିଷ ମାମଲାରେ ହାଜର ହେବା ପାଇଁ ନୋଏଡା ପୋଲିସ ତାଙ୍କୁ ନୋଟିସ ପଠାଇଛି । ଖୁବ ଶୀଘ୍ର ଏଲସିଭଙ୍କୁ ନୋଏଡା ପୋଲିସର ପ୍ରଶ୍ନର ସାମ୍ନା କରିବାକୁ ପଡିବ। ଏହି ମାମଲାରେ ନୋଏଡା ପୋଲିସ ଆଜି (ମଙ୍ଗଳବାର) ସନ୍ଧ୍ୟା ସୁଦ୍ଧା ଗିରଫ ହୋଇଥିବା ୫ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇପାରେ । ନୋଇଡା ପୋଲିସ ଗିରଫ ଅଭିଯୁକ୍ତ ରାହୁଲଙ୍କ ସହ ଏଲଭିଶ ଯାଦବଙ୍କୁ ମୁହାଁମୁହିଁ କରିପାରେ ।
ସୂଚନାଥାଉକି, ନଭେମ୍ବର ୩ରେ ନୋଇଡା ପୋଲିସ ସୋସିଆଲ ମିଡିଆ ଏନଫ୍ଲୁଏନସର ତଥା ଓଟିଟି ରିଅଲିଟି ସୋ ବିଗ୍ ବସ୍ର ବିଜେତା ଏଲଭିଶ୍ ଯାଦବଙ୍କ ସମେତ ଛଅ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ବନ୍ୟପ୍ରାଣୀ (ସୁରକ୍ଷା) ଅଧିନିୟମ ଏବଂ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଏହି ମାମଲା ରୁଜୁ କରିଥିଲା ପୋଲିସ । ତେବେ ନଭେମ୍ବର ୩ ରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନଙ୍କ ପାଖରୁ ପାଞ୍ଚଟି କୋବ୍ରା ସମେତ ନଅଟି ସାପ ଉଦ୍ଧାର କରାଯାଇଥିଲା ଏବଂ ୨୦ ମିଲି ସନ୍ଦିଗ୍ଧ ବିଷ ମଧ୍ୟ ଉଦ୍ଧାର କରାଯାଇଥିଲା ।
ଏହି ପୁରା ଘଟଣାରେ ଏଲଭିଶ ଯାଦବଙ୍କ ଭୂମିକା ଉପରେ ଅନୁସନ୍ଧାନ କରୁଛି ପୋଲିସ । ନଭେମ୍ବର ୩ରେ ଘଟଣାସ୍ଥଳରେ ଏଲଭିଶଙ୍କୁ ମିଳି ନଥିଲା । ୟୁଟ୍ୟୁବର୍ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରି ପୋଲିସର ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି ।
ସାପ ବିଷକୁ ବେଆଇନ ଭାବେ ବିକ୍ରି କରିବାରେ ଏଲଭିଶ ଯାଦବଙ୍କ ସମ୍ପୃକ୍ତି ଥିବା ପିଏଫଏ ସଭାପତି ତଥା ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନେକା ଗାନ୍ଧୀ ଅଭିଯୋଗ କରିଛନ୍ତି ଏବଂ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।