ପ୍ରମୂଖ ଖବର
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେକ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ବିଲୁପ୍ତି ପଥେ ଜୈବ ବିବିଧତା

Image Courtesy: theschoolrun

ଭୁବନେଶ୍ୱର: ସୌର ମଣ୍ଡଳରେ ଆମ ଗ୍ରହ ପୃଥିବୀର ସୃଷ୍ଟି ପ୍ରାୟ ୪୫୦କୋଟି ବର୍ଷ ପୂର୍ବରୁ ହୋଇଥିବାର ଆକଳନ କରାଯାଏ । ପୃଥିବୀ ପୃଷ୍ଠରେ ପ୍ରଥମେ ଜୀବନର ସଂକେତ ମିଳିଥିଲା । ଜଳରେ ଏକକୋଷୀ ଜୀବ ଭାବରେ ପ୍ରାୟ ୩୫୦କୋଟି ବର୍ଷ ପୂର୍ବରୁ । ଅବଶ୍ୟ ଏହା ପୂର୍ବରୁ ୩୭୦କୋଟି ବର୍ଷ ପୂର୍ବରୁ ପ୍ରସ୍ତର ଗାତ୍ରର ଫସିଲରୁ ଅଣୁଜୀବର ସନ୍ଧାନ ମିଳିଥିଲା । ତେଣୁ ଦେଖିବାକୁ ଗଲେ ବିଗତ ୩୦କୋଟି ବର୍ଷର ବିବର୍ତ୍ତନ ଧାରାରେ ପୃଥିବୀର ଜୈବ ବିବିଧତା ପରିପୁଷ୍ଟ । ଯଦିଚ ପୃଥିବୀରେ ଥିବା ବୃକ୍ଷଲତା, ଜୀବଜନ୍ତୁ, କୀଟପତଙ୍ଗ ଓ ଅଣୁଜୀବମାନଙ୍କର ସଂଖ୍ୟା ଠିକ୍‌ଭାବେ ଏପର୍ଯ୍ୟନ୍ତ ଆକଳିତ ହୋଇପାରିନାହିଁ । ୧୯୮୮ ମସିହାରେ ୱିଲସନ ଏକ ପ୍ରକ୍ଷେପଣ କରି ଦର୍ଶାଇଥିଲେ ପୃଥିବୀରେ ୧କୋଟିରୁ ୮କୋଟି ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ପ୍ରଜାତିର ଜୈବ ବିବିଧତା ରହିଛି । 

ଅନେକ ବୈଜ୍ଞାନିକ, ଗବେଷକ ଏହି ଆକଳନକୁ ୧କୋଟି ମଧ୍ୟରେ ଅର୍ଥାତ୍‌ ୮୭ଲକ୍ଷରେ ସୀମିତ ରଖିଛନ୍ତି ସେଥିମଧ୍ୟରୁ ମାତ୍ର ୧୨ରୁ ୧୪ଲକ୍ଷ ପ୍ରଜାତିଙ୍କୁ ଚିହ୍ନଟ କରାଯାଇପାରିଛି, ଯାହା ପୃଥିବୀର ମୋଟ୍‌ ଜୈବ ବିବିଧତାର ୨% ମାତ୍ର । ଜୈବ ବିବିଧତା ଶୃଙ୍ଖଳରେ ଶୀର୍ଷରେ ଥିବା ମନୁଷ୍ୟ ମଧ୍ୟ ସେମାନଙ୍କ ଭିତରୁ ଗୋଟିଏ ପ୍ରଜାତି । କିନ୍ତୁ ନିଜର କ୍ରିୟା, ପ୍ରକ୍ରିୟାରେ ସେ ପରିବେଶ ଓ ପରିସଂସ୍ଥା ଉପରେ ତାର ଏକଚାଟିଆ ଅଧିକାର ଜାହିର କରିଚାଲିଛି । ସେ ବୁଝିପାରୁନି ବା ବୁଝି ନବୁଝିଲା ପରି ହେଉଛି । ପରିବେଶ ନଷ୍ଟ ହେଇଗଲେ ଜୈବ ବିବିଧତା ଲୋପ ପାଇଯିବା ସଂଗେ ସଂଗେ ତା’ ନିଜ ପ୍ରଜାତି ହିଁ ଲୋପ ପାଇଯିବ ।

ବିବର୍ତ୍ତନ ଧାରାରେ ପୃଥିବୀ ପୃଷ୍ଠରେ ଜୈବ ବିବିଧତାର ସୃଷ୍ଟି, କ୍ରମବିକାଶ ଏବଂ ବିଲୁପ୍ତି ଏକ ନିରନ୍ତର ପ୍ରାକୃତିକ ପ୍ରକ୍ରିୟା । ପୃଥିବୀ ଗ୍ରହ ସୃଷ୍ଟିହେବା ପରଠାରୁ ଉତ୍ତପ୍ତ ଯୁଗ, ବରଫ ଯୁଗ, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯଥା- ଆଗ୍ନେୟଗିରି ଉଦ୍‌ଗୀରଣ, ଗ୍ରହାଣୁପୁଞ୍ଜ ସହ ଧକ୍କା, ଉଲକାପାତ, ସୁନାମି, ସାମୁଦ୍ରିକ ଜଳପତ୍ତନ ବୃଦ୍ଧି ବା ହ୍ରାସ ଆଦି କାରଣରୁ ଏଯାବତ୍‌ ୫ଟି ମହାବିଲୁପ୍ତି ସଂଘଟିତ ହୋଇଯାଇଛି । ସବୁଠାରୁ ଭୟଙ୍କର ମହାବିଲୁପ୍ତି ଥିଲା ପ୍ରିମିୟାମ ବିଲୁପ୍ତି, ଯାହା ୨୫୦ ନିୟୁତ ବା ୨୫କୋଟି ବର୍ଷ ପୂର୍ବେ ଘଟିଥିଲା । ସାଇବେରିଆ ଅଞ୍ଚଳରେ କ୍ରମାଗତ ଆଗ୍ନେୟଗିରି ଉଦ୍‌ଗୀରଣ ଏହି ବିଲୁପ୍ତିର ଅନ୍ୟତମ କାରଣ ଥିଲା ଏବଂ ପ୍ରାୟତଃ ୯୦ରୁ ୯୬% ଜୈବ ବିବିଧତା ବିଲୁପ୍ତ ହୋଇଯାଇଥିଲା । କେବଳ ବିରାଟକାୟ ସ୍ଥଳଚର ପ୍ରାଣୀ ଡାଇନୋସରକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ମେରୁଦଣ୍ଡୀ ପ୍ରାଣୀ ଏହି ସମୟରେ ଲୋପ ପାଇଗଲେ । ଉଦ୍ଭିଦ ଜଗତ ସଂପୂର୍ଣ୍ଣ ଧ୍ୱଂସ ହେଇଗଲା । ଏହାପରେ ୬୫ ନିୟୁତ ବା ୬.୫କୋଟି ବର୍ଷ ପୂର୍ବେ ଅନ୍ୟତମ ଭୟଙ୍କର ୫ମ ମହାବିଲୁପ୍ତି କ୍ରୋଟାସିୟସ ପିରିୟଡରେ ଘଟିଥିଲା । ୧୦ରୁ ୧୫ କିଲୋମିଟର ଓସାରର ଏକ ଗ୍ରାହଣୁପୁଞ୍ଜ ପୃଥିବୀ ସହିତ ଧକ୍କା ହେବାଫଳରେ ଏହି ବିତ୍ପାତ ଘଟିଥିଲା । ଏଥିରେ ୭୫% ଜୈବ ବିବିଧତା ନଷ୍ଟ ହେଇଯିବା ସହିତ ଡାଇନୋସର ବଂଶ ମଧ୍ୟ ଲୋପ ପାଇଗଲା । ତେଣୁ ଭୂପୃଷ୍ଠରୁ ଜୈବ ବିବିଧତାର ମହାବିଲୁପ୍ତି ଏବଂ ନୂତନ ଉନ୍ମେଷ ଏକ ନିରନ୍ତର ପ୍ରାକୃତିକ ପ୍ରକ୍ରିୟା । ପୂର୍ବରୁ ମହାବିଲୁପ୍ତି ଘଟିବା ପାଇଁ କୋଟି କୋଟି ବର୍ଷ ଲାଗିଯାଉଥିଲା । କିନ୍ତୁ ଜୀବ ବିଜ୍ଞାନୀମାନେ ଅନୁମାନ କରନ୍ତି, ଏବେ ଯେଉଁ ହାରରେ ଜୈବ ବିବିଧତାର ବିଲୁପ୍ତି ଘଟିଚାଲିଛି, ଆସନ୍ତା ୨୦୦ ବର୍ଷ ଭିତରେ ପୃଥିବୀକୁ ଷଷ୍ଠ ମହାବିଲୁପ୍ତିର ସାମ୍‌ନା କରିବାକୁ ପଡ଼ିପାରେ । ଏହାକୁ ହଲୋସିନ୍‌ ମହାବିଲୁପ୍ତି କୁହାଯାଉଛି, ଯେଉଁଥିରେ ଭୂପୃଷ୍ଠର ଉଦ୍ଭିଦଜଗତ ଓ ପ୍ରାଣୀଜଗତ ସଂପୂର୍ଣ୍ଣ ଧ୍ୱଂସ ପାଇଯିବ । ମନୁଷ୍ୟ ସମାଜର କାର୍ଯ୍ୟକଳାପ ଯଥା- ମାଟି, ପାଣି, ବାୟୁମଣ୍ଡଳ ଓ ଶକ୍ତିର (ଜୀବାଶ୍ମ ଇନ୍ଧନ) ଅପବ୍ୟବହାର ଏବଂ ତତ୍‌ଜନିତ ବଢ଼ୁଥିବା ପୃଥିବୀର ତାପମାତ୍ରା ଓ ଜଳବାୟୁ ପରିବର୍ତ୍ତନ ଏହା ପଛର ମୌଳିକ କାରଣ ।

ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ପରସ୍ପର ସହିତ ଓତପ୍ରୋତ ଭାବେ ସଂପୃକ୍ତ । ବାସ୍ତବିକ ଜଳବାୟୁର ପରିବର୍ତ୍ତନ ହିଁ ଜୀବନର ସୃଷ୍ଟି, କ୍ରମବିକାଶ ଓ ବିଲୁପ୍ତି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗହଣ କରିଥାଏ । ପରିବେଶ, ପରିସଂସ୍ଥାର ଅବକ୍ଷୟ ସହିତ, ବାୟୁମଣ୍ଡଳରେ ସବୁଜ ଗୃହ ବାଷ୍ପର ମାତ୍ରାଧିକ ବୃଦ୍ଧି ହେତୁ ପୃଥିବୀର ତାପମାତ୍ରା ଯେପରି କ୍ରମାଗତ ବଢ଼ିଚାଲିଛି, ଜୈବ ବିବିଧତାର ସ୍ଥିତି ଓ ସ୍ଥାୟିତ୍ୱ ଉପରେ ତାର ସୁଦୂର ପ୍ରସାରୀ ପ୍ରଭାବ ରହିଛି । ପ୍ରାକୃତିକ ପ୍ରକ୍ରିୟାରେ ଯେଉଁ ହାରରେ ପୂର୍ବେ ଜୈବ ବିବିଧତାର ବିଲୁପ୍ତି ଘଟୁଥିଲା, ଏହି ସେହି ହାର ସହସ୍ର ଗୁଣା ବୃଦ୍ଧିପାଇଛି । ଫସିଲରୁ ମିଳିଥିବା ତଥ୍ୟ ଅନୁସାରେ, ପ୍ରାକୃତିକ ବିଲୁପ୍ତି ହାର ବର୍ଷକୁ ପ୍ରତି ଦଶଲକ୍ଷ ପ୍ରଜାତି ମଧ୍ୟରୁ ମାତ୍ର ଗୋଟିଏ ପ୍ରଜାତି ଥିଲା । କିନ୍ତୁ ସଂପ୍ରତି ଜାଗତିକ ଉତ୍ତାପ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରତି ଘଣ୍ଟାରେ ୨ରୁ ୩ଟି ପ୍ରଜାତି ବିଲୁପ୍ତ ହୋଇଯାଉଛନ୍ତି । ଅର୍ଥାତ୍‌ ଦିନକୁ ୭୦ରୁ ୭୫ଟି ଏବଂ ବର୍ଷକୁ ପ୍ରାୟ ୨୫ହଜାର ଜୈବ ପ୍ରଜାତି ବିଲୁପ୍ତ ହେଉଛନ୍ତି । ପ୍ରାକୃତିକ ବିଲୁପ୍ତି ହାରଠାରୁ ଏହି ହାର ୧୦୦୦ରୁ ୧୦,୦୦୦ ଗୁଣ ଅଧିକ ଅଟେ । କ୍ରାନ୍ତୀୟ ଅଞ୍ଚଳରେ ଜୈବ ବିବିଧତା ଅପେକ୍ଷାକୃତ ଅଧିକ ଥିବାରୁ ସେଠାରେ ଏହି ହାର ଯଥେଷ୍ଟ ଅଧିକ । ଆନ୍ତଃ ସରକାରୀ ଜଳବାୟୁ ପରିବର୍ତ୍ତନ ସଂଗୋଷ୍ଠୀ (ଆଇପିସିସି), ୨୦୦୭ ମସିହାରେ ୪ର୍ଥ ଆକଳନ ରିପୋର୍ଟରେ ଦର୍ଶାଇଛନ୍ତି- ବର୍ତ୍ତମାନ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଜୀବ ପ୍ରଜାତି ମଧ୍ୟରୁ ପ୍ରାୟ ୧୦% ବିଲୁପ୍ତିର ବଳୟ ଭିତରେ ଅଛନ୍ତି । ପ୍ରକୃତି ସଂରକ୍ଷଣ ନିମନ୍ତେ ଗଠିତ ଆନ୍ତର୍ଜାତିକ ସଂସ୍ଥା ଆଇୟୁସିଏନ ଦର୍ଶାଇଛି ବିଶ୍ୱର ୧୦% ଉଦ୍ଭିଦ ଅର୍ଥାତ୍‌ ୨୦,୦୦୦ରୁ ୨୫,୦୦୦ ପ୍ରଜାତି ଏହି ଜାଗତିକ ଉଷ୍ମତା ବୃଦ୍ଧି କାରଣରୁ ସଂକଟାପନ୍ନ ଅବସ୍ଥାରେ ପହଞ୍ଚିଛନ୍ତି । ବର୍ତ୍ତମାନ ଏହି ହାରରେ ଜୈବ ବିବିଧତା ଧ୍ୱଂସ ପାଇଲେ ୨୦% ଜୈବ ବିବିଧତା ୩୦ବର୍ଷ ଭିତରେ ଏବଂ ବିଶ୍ୱ ଜୈବ ବିବିଧତାର ୫୦% ଏକବିଂଶ ଶତାବ୍ଦୀ ଶେଷ ଆଡ଼କୁ ଲୋପ ପାଇଯିବାର ଆଶଙ୍କା ରହିଛି ।

ଦେଖିବାକୁ ଗଲେ, ପ୍ରାକୃତିକ ପ୍ରକ୍ରିୟାରେ ଜଳବାୟୁରେ ଯେଉଁ ପରିବର୍ତ୍ତନ ଘଟିଥାଏ, ତାହା ଏକ ଦୀର୍ଘ ସମୟ ଅବଧି ମଧ୍ୟରେ ଘଟିଥାଏ । ଫଳରେ ଜୀବଜଗତ ନିଜ ଆଚାର ବ୍ୟବହାରରେ ସମୁଚିତ ପରିବର୍ତ୍ତନ ଆପଣେଇ, ପରିସଂସ୍ଥା ସହିତ ଖାପ ଖୁଆଇ ବଞ୍ଚି ରହିବାରେ ସଫଳ ହୋଇଥାନ୍ତି । କିନ୍ତୁ ବର୍ତ୍ତମାନ ମନୁଷ୍ୟର ଜୀବନ ଶୈଳୀରେ ଅବାଞ୍ଛିତ ପରିବର୍ତ୍ତନ ଜନିତ କାର୍ଯ୍ୟକଳାପ ହେତୁ ଘଟୁଥିବା ଜାତିକ ଉଷ୍ମତା ବୃଦ୍ଧି, ପାଣିପାଗରେ ପରିବର୍ତ୍ତନ, ଋତୁଚକ୍ରରେ ପରିବର୍ତ୍ତନ, ବାସସ୍ଥଳୀ ସଂକୋଚନ, ପରିସଂସ୍ଥା ଅବକ୍ଷୟ ଆଦି ସମସ୍ୟାକୁ ମୁକାବିଲା କରିନପାରି ଜୈବ ବିବିଧତା ବିଲୁପ୍ତି ଦିଗରେ ଅଗ୍ରସର ହେଉଛି ।

ଜୈବ ବିବିଧତାର ପ୍ରାଚୁର୍ଯ୍ୟକୁ ଆଖିରେ ରଖି ୧୯୭୫ ମସିହାରେ ୟୁନେସ୍କୋ ତରଫରୁ ସମଗ୍ର ପୃଥିବୀରେ ୧୨ଟି ବୃହତ୍‌ ଜୈବ ବିବିଧତା ଅଞ୍ଚଳ ଚିହ୍ନଟ କରାଯାଇଥିଲା । ଏହି ସଂଖ୍ୟା ପରେ ୧୭କୁ ବୃଦ୍ଧିପାଇଛି । ଅଷ୍ଟ୍ରେଲିଆ ଉପମହାଦେଶ ଓ ବ୍ରାଜିଲର ଜୈବ ବିବିଧତା କ୍ରମାଙ୍କରେ ଏହାର ସ୍ଥାନ ୮ । ଏଠାରେ ପୃଥିବୀର ୭ରୁ ୮% ଜୈବ ବବିଧତା ରହିଛି । ବିଶ୍ୱର ୨୫ଟି ଜୈବ ବିବିଧତା ଉତ୍ତପ୍ତ ସ୍ଥଳ ମଧ୍ୟରୁ ଭାରତରେ ୩ଟି ରହିଛି, ଯଥା- ପୂର୍ବ ହିମାଳୟ, ପଶ୍ଚିମଘାଟ ପର୍ବତମାଳା ଏବଂ ଉତ୍ତର-ପୂର୍ବରେ ଥିବା ଭାରତ-ବର୍ମା ସୀମାନ୍ତ ଅଞ୍ଚଳ । ଏଥିମଧ୍ୟରୁ ପଶ୍ଚିମଘାଟ ପାର୍ବତ୍ୟାଞ୍ଚଳର ଜୈବ ବିବିଧତା ବେଶ୍‌ ବ୍ୟାପକ । ସେଠାରେ ପ୍ରାୟ ୫୦୦୦ ପ୍ରଜାତିର ସପୁଷ୍କକ ଉଦ୍ଭିଦ, ୧୩୯ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୫୦୮ ପ୍ରଜାତିର ପକ୍ଷୀ ଏବଂ ୧୭୯ ପ୍ରଜାତିର ଉଭୟଚର ପ୍ରାଣୀ ଅଛନ୍ତି । ଉଦବେଗର ବିଷୟ, କ୍ରାନ୍ତୀୟ ଅଞ୍ଚଳରେ ଏବେ ପ୍ରତି ଘଣ୍ଟାରେ ୨ରୁ ୫ ପ୍ରଜାତି ବିଲୁପ୍ତ ହେବାରେ ଲାଗିଛି ।

ଏହି ପୃଷ୍ଠଭୂମିରେ ମିଳିତ ଜାତିସଂଘର ସାଧାରଣ ପରିଷଦ ୨୦୦୦ ମସିହା ଡିସେମ୍ବର ମାସରେ ପ୍ରତିବର୍ଷ ମେ’ ୨୨ ତାରିଖରେ ବିଶ୍ୱବ୍ୟାପୀ ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରିବାକୁ ସ୍ୱୀକୃତି ଦେଲେ । ଘଟଣାର ଗୁରୁତ୍ୱକୁ ଉପଲବ୍‌ଧି କରି ଆନ୍ତର୍ଜାତିକ ଜୈବ ବିବିଧତା ଦଶକ ରୂପେ ୨୦୧୧-୨୦୨୦ ବର୍ଷକୁ ପାଳନ କରାଯାଇଥିଲା । ଚଳିତ ୨୦୨୪ ବର୍ଷର ପ୍ରସଙ୍ଗ ରହିଛି- ଯୋଜନାରେ ଅଂଶୀଦାର ହୁଅ । ଏଥିସହିତ ଜଡ଼ିତ ସମସ୍ତ ତୃତୀୟ ପକ୍ଷକୁ ଆହ୍ୱାନ ଦିଆଯାଇଛି- ଜୈବ ବିବିଧତା ହ୍ରାସ ପ୍ରକ୍ରିୟାକୁ ବନ୍ଦ କରି ତାକୁ ଯଥାଶୀଘ୍ର ପୂର୍ବ ସ୍ଥାନକୁ ଫେରେଇ ଆଣିବାର ପ୍ରୟାସ କରନ୍ତୁ । ଏହା ସମ୍ଭବ ହେଇପାରିବ ଯେବେ ୨୦୨୨ରେ ଅନୁଷ୍ଠିତ କୁନମିଙ୍ଗ-ମଣ୍ଟିରିଲ ଜୈବ ବିବିଧତା ସମ୍ମିଳନୀରେ ଯେଉଁ ବୈଶ୍ୱିକ ଜୈବ ବିବିଧତା ଖସଡ଼ା ପ୍ରସ୍ତୁତ କରାଯାଇଥିଲା, ତାକୁ ଯଦି ଅନ୍ତରିକତାର ସହ କାର୍ଯ୍ୟକାରୀ କରାଯାଏ । ଖସଡ଼ାରେ ପ୍ରସ୍ତାବ ଥିଲା ଜୈବ ବିବିଧତା ପରିପୂର୍ଣ୍ଣ ଅଞ୍ଚଳକୁ ଦେଶୀୟ ଏବଂ ପାରମ୍ପରିକ ଭୂଖଣ୍ଡ ଭାବେ ଚିହ୍ନଟ କରି ସୁସଂରକ୍ଷଣ ନିମନ୍ତେ ପରିଚାଳନା କରାଯିବ ଏବଂ ସେହି କାର୍ଯ୍ୟରେ ସହଯୋଗ ନିମନ୍ତେ ସ୍ଥାନୀୟ ଅଧିବାସୀ ଓ ଗୋଷ୍ଠୀକୁ ମଧ୍ୟ ଦାୟିତ୍ୱ ଦିଆଯିବ । କାରଣ ଏହି ଦେଶୀୟ ଅଧିବାସୀମାନେ ହିଁ ଜୈବ ବିବିଧତାର ପ୍ରକୃତ ସଂରକ୍ଷକ ଓ ପୃଷ୍ଠପୋଷକ । ଆଇୟୁସିଏନ ପ୍ରଦତ୍ତ ତଥ୍ୟ ଅନୁସାରେ, ବିଶ୍ୱର ପାଖାପାଖି ୮୦% ଜୈବ ବିବିଧତା ପାରମ୍ପରିକ ଅଧିବାସୀ ଓ ସ୍ଥାନୀୟ ସଂଗୋଷ୍ଠୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଇଲାକାରେ ରହିଛି । ତେଣୁ ଖସଡ଼ାକୁ କାର୍ଯ୍ୟାନ୍ୱୟନ କରିବା ଦିଗରେ ସମସ୍ତଙ୍କର କିଛି ନା କିଛି ନିର୍ଦ୍ଦିଷ୍ଟ ଭୂମିକା ରହିଛି । ବିଶ୍ୱବାସୀ ମିଳିତ ହୋଇ ପ୍ରଚେଷ୍ଟା କଲେ ବିଲୁପ୍ତି ପଥରେ ଅଗ୍ରସର ହେଉଥିବା ଜୈବ ବିବିଧତାକୁ ସଂରକ୍ଷିତ କରାଯାଇପାରିବ ଏଥିରେ ଦ୍ୱିମତ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.