ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ବେଳେ କେମିତି ହେବ ଧରପଗଡ଼ ? ଅବକାରୀ ଥାନାରେ ଗାଡ଼ି ଅଭାବ, କର୍ମଚାରୀ ବି କମ୍

କଟକ,୦୮/୦୨: ଚୋରା ନିଶା ବେପାରୀକୁ ପିଛା କରି ଗୋଡ଼େଇ ଧରିବାକୁ ଅବକାରୀ ଥାନା ଅଧିକାରୀଙ୍କ ପାଖରେ ଗାଡ଼ି ନାହିଁ । ଥାନା ଅଫିସର, କର୍ମଚାରୀମାନେ ନିଜ ବାଇକ୍‌, ସ୍କୁଟର୍‌ରେ ଅଭିଯୁକ୍ତଙ୍କୁ ପିଛା କରୁଛନ୍ତି । କେବେ କେବେ ଧରି  ନିଶା ସାମଗ୍ରୀ ଜବତ କରୁଛନ୍ତି । ଅନେକ ସମୟରେ  କିନ୍ତୁ ଅପରାଧୀ ଖସିଯାଉଛନ୍ତି । ରାଜ୍ୟର ଅଧିକାଂଶ  ଅବକାରୀ ଥାନାରେ ଏମିତିକା ଦୟନୀୟ ଅବସ୍ଥା ।  

ରାଜ୍ୟରେ ୩୩ଟି ଅବକାରୀ ଜିଲ୍ଲାରେ ୨୦୧ ଅବକାରୀ ଥାନା ରହିଛି । ଏସବୁ ଥାନାରେ ଗୋଟିଏ ହେଲେ ଚାରିଚକିଆ ଗାଡ଼ି ନାହିଁ । କେବଳ ୩୩ ଅବକାରୀ ଜିଲ୍ଲାରେ ଥିବା ୩୩ଟି ମଡେଲ୍‌ ଅବକାରୀ ଥାନା ଭଡ଼ା ଗାଡ଼ି ବ୍ୟବହାର କରିପାରିବେ ବୋଲି ବିଭାଗର ଅନୁମତି ରହିଛି । ବାକି ଅନ୍ୟ ଅବକାରୀ ଥାନା ପାଇଁ ସରକାରୀ ଗାଡ଼ି ତ ଦୂରର  କଥା, ଭଡ଼ା ଗାଡ଼ି ବ୍ୟବସ୍ଥା ବା ଅନୁମତି ନାହିଁ ।  

ରାଜ୍ୟବ୍ୟାପୀ ସହରାଞ୍ଚଳଠୁ ଗ୍ରାମାଞ୍ଚଳ ଯାଏ ସବୁଠି  ବେଆଇନ ନିଶା କାରବାର ଜନିତ ଅପରାଧ ବୃଦ୍ଧି  ପାଉଛି । ନିଶା ମାଫିଆମାନେ ସମସ୍ତଙ୍କୁ ଚକ୍‌ମା  ଦେଇ ବ୍ରାଉନ୍‌ସୁଗର୍‌, ଗଞ୍ଜେଇ ଏବଂ ମଦ ଚୋରାଚାଲାଣ କରୁଛନ୍ତି । ହେଲେ ଅବକାରୀ ଥାନା  ସ୍ତରରେ ଗାଡ଼ି ନଥିବାରୁ ବିଭାଗୀୟ ଅଧିକାରୀମାନେ  ରେଞ୍ଜ୍‌ ସ୍ତରରେ ଥିବା ଅଫିସର୍‌ମାନଙ୍କ ଗାଡ଼ି ଧରି ଧରପଗଡ଼ କରୁଛନ୍ତି । ରାଜ୍ୟର ୭୧ଟି ରେଞ୍ଜରେ  ସବୁଠି ମଧ୍ୟ ଗାଡ଼ି ନାହିଁ । ରେଞ୍ଜ ସ୍ତରରେ ଥିବା ଇନ୍ସପେକ୍ଟରମାନେ ଭଡ଼ା ଗାଡ଼ି ଆଣି କେବେ  କେମିତି ଅବକାରୀ ଥାନାକୁ ଚଢଉ, ଧରପଗଡ଼ରେ  ସହାୟତା କରୁଛନ୍ତି । ଏମିତି ଚାଲିଛି ।  ପୁଲିସ ପରି ଅବକାରୀ ବିଭାଗ  ଏନଫୋର୍ସମେଣ୍ଟ୍‌ କାର୍ଯ୍ୟ କରୁଥିଲେ ମଧ୍ୟ ଉକ୍ତ  ବିଭାଗରେ ସରକାରୀ ଗାଡ଼ି ନ ରହିବା ନେଇ  ବିଭାଗର ଅନେକ ଅଧିକାରୀ ଆଶ୍ଚର୍ଯ୍ୟ ପ୍ରକଟ  କରୁଛନ୍ତି । ଏମିତିକି ଘରୋଇ ବ୍ୟକ୍ତିବିଶେଷଙ୍କ ଗାଡ଼ି ଏବଂ ବାହାର ଡ୍ରାଇଭରମାନଙ୍କୁ ନେଇ ଅବକାରୀ  ଧରପଗଡ଼ ବର୍ଷ ବର୍ଷ ହେଲା ଚାଲିଛି । ଏହାଦ୍ୱାରା  ଅବକାରୀ ବିଭାଗର ଅନେକ ଗୁପ୍ତ ଯୋଜନା  ଅଧିକାଂଶ ସମୟରେ ପ୍ରଘଟ ହୋଇଯାଉଛି । 

ଅବକାରୀ ଟିମ୍‌ ଘଟଣାସ୍ଥଳରେ ଚଢ଼ଉ କରିବା  ପୂର୍ବରୁ ଅଭିଯୁକ୍ତ ଚମ୍ପଟ ମାରୁଛନ୍ତି । ଏମିତିକି  ଅଭିଯୁକ୍ତ ଆଗୁଆ  ସୂଚନା ପାଇ, ପୂରା ପ୍ରସ୍ତୁତ ହୋଇ ଅବକାରୀ  କର୍ମଚାରୀଙ୍କ ଉପରେ  ଆକ୍ରମଣ କରୁଥିବା ଭଳି  ଘଟଣା ମଧ୍ୟ ଘଟୁଛି ।  ନିକଟ ଅତୀତରେ  ଆଠଗଡ଼, ଚୌଦ୍ୱାର,  ବାଙ୍କୀ ସମେତ  ରାଜ୍ୟର କେତେକ  ଅଞ୍ଚଳରେ ଅବକାରୀ  କର୍ମଚାରୀମାନେ ନିଶା ମାଫିଆଙ୍କ ଆକ୍ରମଣର  ଶିକାର ହୋଇଛନ୍ତି ।  ଧରପଗଡ଼ ବେଳେ  ଯେତିକି ଅଭିଯୁକ୍ତ ଧରାପଡ଼ୁଛନ୍ତି, ତାଠାରୁ ଅଧିକ  ଅଭିଯୁକ୍ତ ଖସି ଯାଉଛନ୍ତି ବୋଲି ଅବକାରୀ  ବିଭାଗ ପକ୍ଷରୁ ନିକଟରେ ହୋଇଥିବା ଏକ  ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା ।  ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଅସନ୍ତୋଷ  ବ୍ୟକ୍ତ କରିଥିଲେ । ଗାଡ଼ି ସମସ୍ୟା ଯୋଗୁଁ ନିଶା  ଚାଲାଣକାରୀଙ୍କୁ ପିଛା କରି ହେଉନଥିବା କଥା କେତେକ ଅଧିକାରୀ କହିଥିଲେ । 

ସେହିପରି  ଅବକାରୀ ଥାନାଗୁଡ଼ିକରେ କର୍ମଚାରୀ ଅଭାବ  ମଧ୍ୟ ସମସ୍ୟା ହୋଇ ଛିଡ଼ା ହୋଇଛି । ଅଧିକାଂଶ ଥାନାର ଅଫିସର ଇନଚାର୍ଜ ଭାବେ ଏଏସ୍‌ଆଇମାନେ ଦାୟିତ୍ୱ ସମ୍ଭାଳିଛନ୍ତି । ଆଗକୁ ନିର୍ବାଚନ ଆସୁଛି । ନିର୍ବାଚନ ସମୟରେ ବେଆଇନ ନିଶା କାରବାର ଓ ଚୋରାଚାଲାଣ  ଉପରେ ରୋକ ଲଗାଇବା ପାଇଁ ଅବକାରୀ ବିଭାଗ  ସକ୍ରିୟ ରହିବା କଥା । ତେବେ ବିଭାଗର ଦୁର୍ବଳ  ଭିତ୍ତିଭୂମି ଥାନା ସ୍ତରରେ ଥିବା ଅଫିସରମାନଙ୍କୁ  ଚିନ୍ତାରେ ପକାଉଛି । ବିନା ଗାଡ଼ିରେ, ଅଳ୍ପ  ସଂଖ୍ୟକ କର୍ମଚାରୀରେ ସେମାନେ କିପରି  ଅବକାରୀ ଧରପଗଡ଼ କରିବେ ତାହାକୁ ନେଇ  ଆମେ ଏବେ ଚାପ ଓ ଚିନ୍ତା ଭିତରେ ଅଛୁ  ବୋଲି କେତେଜଣ ଥାନା ଅଧିକାରୀ କହିଛନ୍ତି ।  ଏ ସମ୍ପର୍କରେ ବିଭାଗୀୟ ଯୁଗ୍ମ କମିସନର ଡ.  ଦିବ୍ୟଲୋଚନ ମହାନ୍ତିଙ୍କ ପ୍ରତିକ୍ରିୟା ନେବାରେ ସେ  କହିଛନ୍ତି, ଜିଲ୍ଲାର ମଡେଲ୍‌ ଅବକାରୀ ଥାନାରେ  ଘରୋଇ ଗାଡ଼ି ନେଇ ଧରପଗଡ଼ ଚାଲିଛି । ଯେଉଁ  ଥାନାରେ ଗାଡ଼ି ନାହିଁ ସେଠାରେ ଗାଡି଼ ସୁବିଧା  ଉପଲବ୍‌ଧ କରାଇବା ଲାଗି ସରକାରୀ ସ୍ତରରେ  ଖୁବ ଶୀଘ୍ର ପଦକ୍ଷେପ ନିଆଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.