ନୂଆଦିଲ୍ଲୀ: ଭାରତ ଓ ମାଳଦ୍ବୀପ ମଧ୍ୟରେ ବିବାଦ ଲାଗି ରହିଛି । ୯ ମାସ ପୂର୍ବରୁ ମାଳଦ୍ବୀପର ରାଷ୍ଟ୍ରପତି ଭାବରେ ମହମ୍ମଦ ମୁଇଜ୍ଜୁ ଶପଥ ନେବା ପରେ ଦୁଇ ବନ୍ଧୁ ରାଷ୍ଟ୍ରର ସଂପର୍କରେ ତିକ୍ତତା ବୃଦ୍ଧି ପାଇଛି । ଏସବୁ ଭିତରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ୩ ଦିନିଆ ମାଳଦ୍ବୀପ ଗସ୍ତ କରିବାର କାର୍ଯ୍ୟକମ ସ୍ଥିର ହୋଇଛି । ଆଜି (ଶୁକ୍ରବାର) ଠାରୁ ୩ ଦିନ ଯାଏ ମାଳଦ୍ବୀପରେ ରହିବେ ଜୟଶଙ୍କର । ଅଗଷ୍ଟ ୯ରୁ ୧୧ ପର୍ଯ୍ୟନ୍ତ ମାଳଦ୍ବୀପରେ ରହିବା ସହ ଦ୍ବିପାକ୍ଷିକ ସମ୍ବନ୍ଧରେ ସୁଧାର ଆଣିବା ଦିଗରେ ସେ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ମହମ୍ମଦ ମୁଇଜ୍ଜୁ । ଏହା ପରେ ଏସ. ଜୟଶଙ୍କରଙ୍କ ମାଳଦ୍ବୀପ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ମହମ୍ମଦ ମୁଇଜ୍ଜୁଙ୍କ ଶାସନ ଆରମ୍ଭ ହେବା ପାଖରୁ କୌଣସି ଭାରତୀୟ ନେତା ମାଳଦ୍ବୀପ ଗସ୍ତ କରିନଥିଲେ । ସେପଟେ ଏହା ପୂର୍ବରୁ ଏସ ଜୟଶଙ୍କର ଜାନୁଆରୀ ୨୦୨୩ରେ ମାଳଦ୍ବୀପ ଗସ୍ତ କରିଥିଲେ । ମାଳଦ୍ବୀପ ଭାରତର ବନ୍ଧୁ ରାଷ୍ଟ୍ର ହୋଇଥିବା ବେଳେ ପ୍ରମୁଖ ମେରିଟାଇମ୍ ପାର୍ଟନର । ପଡ଼ୋଶୀ ପ୍ରଥମ ପଲିସି ଏବଂ ଭିଜନ ‘SAGAR’ ଅନ୍ତର୍ଗତ ମାଳଦ୍ବୀପ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଜୟଶଙ୍କରଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସୁସଂପର୍କ ସ୍ଥାପନ କରିବା ଦିଗରେ ପ୍ରମୁଖ ଭୂମିକା ନେବ ବୋଲି ଏମଇଏ ସୂତ୍ରରୁ ଜଣାପଡ଼ିଛି । ଅନ୍ୟପଟେ ଚୀନ୍ ଅନୁଗତ ଭାବରେ ପରିଚିତ ମହମ୍ମଦ ମୁଇଜ୍ଜୁ ମାଳଦ୍ବୀପର ରାଷ୍ଟ୍ରପତି ହେବା ପାଖରୁ ଭାରତ ସହ ଏହାର ସଂପର୍କ ଖରାପ ହେବାରେ ଲାଗିଛି । ଶପଥ ନେବାର କେଇ ଘଣ୍ଟା ଭିତରେ ମାଳଦ୍ବୀପରୁ ଭାରତୀୟ ସୈନ୍ୟ ଅପସାରଣ ପାଇଁ ମୁଇଜ୍ଜୁ ଦାବି କରିଥିଲେ । ତେବେ ମାଳଦ୍ବୀପ ସମୁଦ୍ରିକ ଦୃଷ୍ଟିକୋଣରୁ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ମାଳଦ୍ବୀପର ପୂର୍ବତନ ସରକାର ଭାରତ ସହ ସୁସଂପର୍କ ସ୍ଥାପନ କରିବା ଦିଗରେ ଅନେକ କାର୍ଯ୍ୟ କରିଥିଲେ । ହେଲେ ମୁଇଜ୍ଜୁ ଭାରତ ବିରୋଧୀ କାର୍ଯ୍ୟ କରି ସମାଲୋଚନାର ଶିକାର ହୋଇଥିଲେ । ଏବେ ଏସ. ଜୟଶଙ୍କର ଏହି ଗସ୍ତ ବୋଧହୁଏ ଦୁଇ ଦେଶର ସଂପର୍କକୁ ପୁନଃ ସ୍ଥାପନ ଦିଗରେ ସହାୟକ ହୋଇପାରେ ।