ନୂଆଦିଲ୍ଲୀ,୨୫/୦୩: ଯଦି ନିଜ କାର୍ରେ ଥିବା ଫାଷ୍ଟାଗ୍କୁ ବ୍ୟାଙ୍କରେ କେୱାଇସି କରାଇନାହାନ୍ତି, ତେବେ ଶୀଘ୍ର କରାଇ ନିଅନ୍ତୁ । ୩୧ ମାର୍ଚ୍ଚ ପରେ କେୱାଇସି ନ ଥିଲେ ଫାଷ୍ଟାଗ୍ କାମ କରିବନି । ଏହାକୁ ବ୍ୟାଙ୍କ ଅଚଳ କିମ୍ବା ବ୍ଲାକଲିଷ୍ଟ କରିଦେବେ । ଏହା ପରେ ଫାଷ୍ଟାଗ୍ରେ ବାଲାନ୍ସ ଥିବା ସତ୍ତେ୍ୱ ମଧ୍ୟ ଏହା କାର୍ଯ୍ୟକ୍ଷମ ହେବନି ।
ଆର୍ବିଆଇ ନିୟମ ମୁତାବକ, ଫାଷ୍ଟାଗ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ଗ୍ରାହକଙ୍କୁ ନିବେଦନ କରିଛି । ଫଳରେ ଗ୍ରାହକ ବିନା କୌଣସି ପ୍ରତିବନ୍ଧକରେ କେୱାଇସି ବ୍ୟବହାର କରିପାରିବେ । ଫାଷ୍ଟଟ୍ୟାଗ୍ କେୱାଇସି କରାଇବାକୁ ହେଲେ ଯାନର ପଞ୍ଜୀକରଣ ପ୍ରମାଣପତ୍ର, ଆଇଡି ପ୍ରୁଫ, ଆଡ୍ରେସ ପ୍ରୁଫ, ପାସପୋର୍ଟ ଆବଶ୍ୟକ ହୋଇଥାଏ । ଆଇଡି ଏବଂ ଆଡ୍ରେସ ପ୍ରୁଫ ଲାଗି ପାସପୋର୍ଟ, ଭୋଟ ପରିଚୟପତ୍ର, ଆଧାରକାର୍ଡ, ଡ୍ରାଇଭିଂ ଲାଇସେନ୍ସ ଏବଂ ପ୍ୟାନ କାର୍ଡ ବ୍ୟବହାର କରାଯାଇପାରେ । ଅନ୍ଲାଇନରେ ଏହି ପ୍ରକ୍ରିୟା ସମ୍ପର୍ଣ୍ଣ କରାଇବାକୁ ଚାହୁଁଥିଲେ ଫାଷ୍ଟାଗ ୱେବ୍ସାଇଟକୁ ଯିବାକୁ ପଡିବ ।
ପଞ୍ଜୀକୃତ ମୋବାଇଲ ନମ୍ବର ଦେଇ ଲଗ୍ଇନ କରିବା ପରେ ଏକ ନୂଆ ୱିଣ୍ଡୋ ଖୋଲିବ । ମାଇଁ ପ୍ରୋଫାଇଲ ବିକଳ୍ପକୁ ଚୟନ କରିବାକୁ ହେବ । ଏହାପରେ କେୱାଇସି ଷ୍ଟାଟସ ସମ୍ପର୍କରେ ଜଣାପଡିବ । ଯଦି ଫାଷ୍ଟଟ୍ୟାଗ୍ କେୱାଇସି ନାହିଁ ଆବଶ୍ୟକୀୟ ଦସ୍ତାବିଜ ପ୍ରଦାନ କରି କେୱାଇସି କରାଇ ନିଅନ୍ତୁ । ବ୍ୟାଙ୍କ ଜାରି କରିଥିବା ଫାଷ୍ଟାଗ କ୍ଷେତ୍ରରେ ଗ୍ରାହକ ସମ୍ବଦ୍ଧିତ ବ୍ୟାଙ୍କ ୱେବସାଇଟକୁ ଯାଆନ୍ତୁ ।
ସେହିଭଳି ଅଫ୍ଲାଇନରେ ଏହାକୁ ଅପ୍ଡେଟ କରିବାକୁ ହେଲେ ଫାଷ୍ଟାଗ୍ ଦେଇଥିବା ବ୍ୟାଙ୍କ ଶାଖାକୁ ଯିବାକୁ ହେବ । ବ୍ୟାଙ୍କରେ ମିଳୁଥିବା କେୱାଇସି ଫର୍ମକୁ ଭରି ଜମା କରିବାକୁ ପଡିବ । ଏହା ଦ୍ୱାରାଫାଷ୍ଟାଗ୍ ଆକାଉଣ୍ଟ କେୱାଇସି ହୋଇଯିବ । ଅପଡେଟ ହୋଇଯିବା ପରେ ମୋବାଇଲକୁ ଏକ ନମ୍ବର ଆସିବ ।
ଗାଡି ପିଛା ଏଣିକି ଗୋଟିଏ ଫାଷ୍ଟାଗ୍ କାମ କରିବ । ଏକ ବାହାନ ଏକ ଫାଷ୍ଟଟ୍ୟାଗ୍ ନୀତି ଆପଣାଇବାକୁ ଏନ୍ଏଚ୍ଏଆଇ କହିଛି । ଏକାଧିକ ଫାଷ୍ଟଟ୍ୟାଗ୍ ଜାରି ହୋଇଥିଲେ ଏହାକୁ ଗ୍ରାହକ ସମ୍ପୃକ୍ତ ବ୍ୟାଙ୍କକୁ ଫେରାଇଦେବେ । ଏଭଳି କ୍ଷେତ୍ରରେ ନୂଆ ଫାଷ୍ଟାଗ ଆକାଉଣ୍ଟ ଆକ୍ଟିଭ ହେବ । ଟୋଲ ପ୍ଲାଜା ଗୁଡିକୁ ଅଧିକ ପାରଦର୍ଶୀ କରାଇବା ଲାଗି ଏନ୍ଏଚ୍ଏଆଇ ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛି ।
ଦେଶର ଯେକୌଣସି ଟୋଲ୍ ପ୍ଲାଜାରେ ଫାଷ୍ଟାଗ କିଣି ହେବ । ଏହାବାଦ ଆକ୍ସିସ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ, ଏସ୍ବିଆଇ, କୋଟାକ ଭଳି ବ୍ୟାଙ୍କ ଶାଖାରୁ ଏହାକୁ କ୍ରୟ କରି ହେବ । ପେଟିଏମ୍, ଆମାଜନ, ଗୁଗଲ ପେ ଭଳି ଅନଲାଇନ ପ୍ଲାଟଫର୍ମରୁ ମଧ୍ୟ ଏହାକୁ କ୍ରୟ କରିହେବ । ଫାଷ୍ଟାଗ୍ ଆକାଉଣ୍ଟକୁ ଏହି ଆପ୍ ସହ ସଂଯୋଗ କରି ପେମେଣ୍ଟ କରିପାରିବେ।
ସେହିଭଳି ନିଜ ବ୍ୟାଙ୍କ ଆକାଉଣ୍ଟକୁ ଏହି ଆପ୍ ସହ ଲିଙ୍କ କରି ହେବ । ଫଳରେ ଟୋଲ୍ ପ୍ଲାଜାଗୁଡିକରେ ଆକାଉଣ୍ଟରୁ ଅର୍ଥ କଟିବ । ଥରେ କିଣାଯାଇଥିବା ଫାଷ୍ଟଟ୍ୟାଗ୍ ଷ୍ଟିକର ୫ ବର୍ଷ ଯାଏ ବୈଧ ରହିବ । ସରଳଭାବେ କହିବାକୁ ଗଲେ ୫ ବର୍ଷ ପରେ ଷ୍ଟିକର ବଦଳାଇବାକୁ ପଡିବ।