ଚନ୍ଦାହାଣ୍ଡି ,୨୫।୫ : ଆଧୁନିକ ବିଜ୍ଞାନ ଯୁଗରେ ମଣିଷ ମନରୁ ଦୂର ହୋଇ ପାରୁନି ଅନ୍ଧବିଶ୍ୱାସ l ପୁଅର ଅଙ୍ଗପ୍ରତ୍ୟଙ୍ଗ ତାନ୍ତ୍ରିକ କାଟି ନେବ ଭାବି ଏହାକୁ ଦିନରାତି ଜଗି ରହିଛି ପୁଅ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଦର ପଞ୍ଚାୟତ ଅଧିନ ହଳଦୀ ଗ୍ରାମରେ l ତାନ୍ତ୍ରିକ କବର ଖୋଲି ୪ ବର୍ଷ ର ପୁଅ ଭୋଳା ନାଗଙ୍କ ଅଙ୍ଗ ପ୍ରତ୍ୟଙ୍ଗକୁ କାଟି ନେଇ ତନ୍ତ୍ର ସାଧନ କରିବ ଭାବି ଗ୍ରାମର ରାଜେଶ ନାଗ ଆଜକୁ ୭ ଦିନ ହେବ ମଶାଣୀରେ ଜଗି ରହିଥିବା ଦେଖିବାକୁ ମିଳିଛି।
ହଳଦୀ ଗ୍ରାମର ରାଜେଶ ନାଗଙ୍କ ୪ ବର୍ଷର ଶିଶୁପୁତ୍ର ଭୋଳା ନାଗ ଗତ ୧୯ ତାରିଖ ହଠାତ ଅସୁସ୍ଥ ହେବା ସହ ଗୁରୁତର ହୋଇ ପଡିଥିଲେ। ପରିବାର ଲୋକେ ତୁରନ୍ତ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ଚିକିତ୍ସାଧୀନ ଅବସ୍ଥାରେ ଭୋଳା ଆଖି ବୁଜି ଦେଇ ଥିଲେ l ଶିଶୁ ପୁତ୍ରର ମୃତ୍ୟୁ ଆକସ୍ମିକ ଭାବରେ ହୋଇଥିବାରୁ ପୁଅକୁ କିଏ ତାନ୍ତ୍ରିକ ଉଦ୍ଦେଶ୍ୟରେ ମାରି ଥାଇ ପାରନ୍ତି ବୋଲି ପରିବାର ଲୋକେ ସନ୍ଦେହ କରିଥିଲେ। ଫଳରେ ମଶାଣୀ ରେ ଦିଆ ଯାଇଥିବା ଶିଶୁର କବରକୁ ଆଜିକୁ ୭ ଦିନ ହେବ ନିଜ ସମ୍ପର୍କୀୟଙ୍କ ସାଙ୍ଗରେ ଦିନ ରାତି ଜଗି କି ରହିଛନ୍ତି ରାଜେଶ l ଆହୁରି ୧୪ ଦିନ ଜଗିବେ ବୋଲି ସେ କହିଛନ୍ତି।
ଏ ସମ୍ପର୍କ ରେ ସ୍ଥାନୀୟ କିଛି ଲୋକଙ୍କୁ ପଚାରିବାରୁ କୁଆଁରୀ କନ୍ୟା ଏବଂ ଶିଶୁଙ୍କ ମୃତ୍ୟୁ ହେଲେ ତନ୍ତ୍ର ସାଧନା ପାଇଁ ତାନ୍ତ୍ରିକ ମାନେ ମଶାଣୀ କବରରୁ ଶଵ କୁ ବାହାର କରି ତାଙ୍କୁ ଜୀବନ୍ୟାସ ଦେବା ସହ ଶବର କୌଣସି ଅଙ୍ଗ ମାଗି ଥାନ୍ତି l ସେ ନିଜ ଇଛାରେ କୌଣସି ଅଙ୍ଗ ଦେଖାଇଲେ ତାକୁ କାଟିକି ନେଇ ଥାନ୍ତି ବୋଲି ସେମାନେ ମତବ୍ୟକ୍ତ କରିଥିଲେ l ଆଗକୁ ସାବିତ୍ରୀ ଅମାବାସ୍ୟ ରହିଥିବାରୁ ତନ୍ତ୍ର ଉଦ୍ଦେଶ୍ୟରେ ଶିଶୁର ମୃତ୍ୟୁ ଭିଆଇ ଥାଇ ପାରନ୍ତି ବୋଲି ସେମାନେ ସନ୍ଦେହ କରିଛନ୍ତି l ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନା କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି।