ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

ଆମେରିକାରେ ‘ନିଶା ମହାମାରୀ’: ଚୀନ୍‌ ‘ଫେଣ୍ଟାନିଲ୍‌’ ନେଉଛି ଦିନକୁ ୨ଶହ ଜୀବନ

ୱାଶିଂଟନ,୧୨/୦୯: ଆମେରିକା ବର୍ତ୍ତମାନ  ଅଭୂତପୂର୍ବ ‘ନିଶା ମହାମାରୀ’ର ସମ୍ମୁଖୀନ ହେଉଛି ।  ‘ଫେଣ୍ଟାନିଲ୍‌’ ନାମକ ଡ୍ରଗ୍‌ସ ଏହି ମହାମାରୀ  ଡାକିଆଣିଛି । ଏହା କବଳରେ ଆମେରିକାର  ଲୋକମାନେ ପଡ଼ି ଅକାଳରେ ପ୍ରାଣ ହରାଉଛନ୍ତି ।  ଦିନକୁ ୨ ଶହ ଓ ପ୍ରତି ସପ୍ତାହରେ ୧୫ ଶହରୁ  ଅଧିକ ଲୋକଙ୍କ ପ୍ରାଣ ନେଉଛି ଫେଣ୍ଟାନିଲ୍‌ । ସବୁଠୁ ବଡ଼ କଥା ହେଉଛି ଆମେରିକାରେ ଦେଖାଦେଇଥିବା  ଏହି ସ୍ୱାସ୍ଥ୍ୟ ସଙ୍କଟ ପାଇଁ ଚୀନ୍‌ର ହାତ ରହିଛି ।  ଚୀନ୍‌ରେ ପ୍ରଚୁର ମାତ୍ରାରେ ଉତ୍ପାଦନ ହେଉଥିବା ଫେଣ୍ଟାନିଲ୍‌ ମେକ୍ସିକୋ ଦେଇ ବେଆଇନ ଭାବେ ଆମେରିକୀୟ ବଜାରରେ ପହଞ୍ଚୁଛି । ୨୦୧୧ରୁ  ଫେଣ୍ଟାନିଲ୍‌ ଓ ଅନ୍ୟ ସିନ୍ଥେଟିକ୍‌ ନିଶା ଔଷଧ ବିଷ ସାଜି ଆମେରିକୀୟଙ୍କ ଜୀବନ ନେବାରେ ଲାଗିଛି ।  ଗତବର୍ଷ ଆମେରିକାରେ ମାତ୍ରାଧିକ ନିଶାସେବନ  ଯୋଗୁ ୧ ଲକ୍ଷ ୮ ହଜାରରୁ ଅଧିକ ଲୋକ ପ୍ରାଣ  ହରାଇଥିଲେ । କେବଳ ଫେଣ୍ଟାନିଲ୍‌ ଯୋଗୁ ୭୫  ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା । 

ହେରିଟେଜ୍‌ ଫାଉଣ୍ଡେସନ ରିପୋର୍ଟ ଅନୁସାରେ,  ଚୀନ୍‌ର ରାସାୟନିକ କମ୍ପାନିଗୁଡ଼ିକ ମେକ୍ସିକୋର  ନିଶା ବେପାରୀଙ୍କୁ ଫେଣ୍ଟାନିଲ୍‌ ଯୋଗାଇ ଦେଉଛନ୍ତି ।  ଏହାପରେ ବିଭିନ୍ନ ରୁଟ୍‌ ଦେଇ ଆମେରିକା ସୀମାରେ  ଏହାକୁ ପହଞ୍ଚାଯାଉଛି । ସେଠାରୁ ବିଭିନ୍ନ ଚ୍ୟାନେଲ୍‌  ଦେଇ ପ୍ରମୁଖ ବଜାରଗୁଡ଼ିକରେ ପହଞ୍ଚୁଛି ।  ଆମେରିକାରେ ବର୍ତ୍ତମାନ ଏହି ନିଶା ଔଷଧ ସବୁଠୁ  ଘାତକ ପାଲଟିଛି । ଏହାର ଓଭରଡୋଜ୍‌ ଲୋକଙ୍କୁ  ନିଶ୍ଚିତ ମୃତ୍ୟୁମୁଖରେ ପକାଉଛି । ଆମେରିକୀୟ  ଅର୍ଥନୀତିକୁ ଏହା ୧.୫ ଲକ୍ଷ କୋଟି ଡଲାରର ଝଟକା  ବି ଦେଇଛି । ଆମେରିକା ଅର୍ଥନୀତିକୁ ଟପିବା ପାଇଁ  ଚୀନ୍‌ର ଏହା ଅନ୍ୟତମ ରଣନୀତି ବୋଲି କୁହାଯାଉଛି । 

ଫେଣ୍ଟାନିଲ୍‌ କେବଳ ଆମେରିକାରେ ସ୍ୱାସ୍ଥ୍ୟ  ସଙ୍କଟ ସୃଷ୍ଟି କରିନାହିଁ । ଦେଶର ଆର୍ଥିକ, ରାଜନୈତିକ  ତଥା ସାମାଜିକ ସ୍ଥିତି ଉପରେ ବି ଏହା ସାଙ୍ଘାତିକ  ପ୍ରଭାବ ପକାଉଛି । ଫେଣ୍ଟାନିଲ୍‌କୁ ସାଧାରଣତଃ  ପେନ୍‌କିଲର୍‌ ଭାବେ ବ୍ୟବହାର କରାଯାଏ ।  ଅସ୍ତ୍ରୋପଚାର ବେଳେ ଯନ୍ତ୍ରଣା କମାଇବାକୁ ଏହା  ଦିଆଯାଏ । ଏହାର ଓଭରଡୋଜ୍‌ ବା ମାତ୍ରାଧିକ ସେବନ  ଘାତକ ସାଜିଥାଏ । ଆମେରିକାରେ ଏହାକୁ ନିଶାଦ୍ରବ୍ୟ  ଭାବେ ମଧ୍ୟ ବ୍ୟବହାର କରାଯାଉଛି । ବିଶେଷକରି  ଯୁବଗୋଷ୍ଠୀ ଏହାକୁ ବହୁଳ ଭାବେ ସେବନ କରୁଛନ୍ତି ।  ମର୍ଫିନ୍‌ଠାରୁ ୧୦୦ ଗୁଣା ଏବଂ ହେରୋଇନ୍‌ଠାରୁ ୫୦  ଗୁଣା ପ୍ରଭାବୀ ବୋଲି ରିପୋର୍ଟରୁ ଜଣାପଡ଼ିଛି । 

ମେକ୍ସିକୋର ସିନାଲୋଆ ଓ ଜାଲିସ୍‌କୋ  ସଙ୍ଗଠନ ଭଳି କାର୍ଟେଲ୍‌ ଏହି ବେଆଇନ ନିଶା  ଔଷଧ ଯୋଗାଣ ପାଇଁ ଦାୟୀ । ଏମାନେ ଖୁବ୍‌ କମ୍‌  ସମୟରେ ଚୀନ୍‌ରୁ ମେକ୍ସିକୋ ଏବଂ ଆମେରିକାରେ  ଫେଣ୍ଟାନିଲ୍‌ ପହଞ୍ଚାଇବାରେ ସମର୍ଥ ହେଉଛନ୍ତି ।  ସୀମା ଅଞ୍ଚଳରେ ଥିବା ଟନେଲ୍‌ ଜରିଆରେ ବି  ଏହାର ଯୋଗାଣ ହେଉଛି । ଆମେରିକାର ଏହି  ସଙ୍କଟ ପାଇଁ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି (ସିସିପି)ର  ସକ୍ରିୟ ଭୂମିକା ରହିଥିବା ରିପୋର୍ଟରେ କୁହାଯାଇଛି ।  ଫେଣ୍ଟାନିଲ୍‌ ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲର  ୮୦% ଚୀନ୍‌ ଯୋଗାଇ ଦେଉଛି । ଏମିତି କି ଏହିସବୁ  ହାନିକାରକ କେମିକାଲ୍‌ର ରପ୍ତାନି ଲାଗି ସିସିପି  ପକ୍ଷରୁ ସବ୍‌ସିଡି ବି ଯୋଗାଇ ଦିଆଯାଉଛି । 

୨୦୧୮ରୁ ଚାଇନା କମ୍ୟୁନିଷ୍ଟ ପାର୍ଟି (ସିସିପି)  ଫେଣ୍ଟାନିଲ୍‌ର ରପ୍ତାନି ନିମନ୍ତେ ଟିକସ ରିହାତି  ଯୋଗାଇ ଦେଉଛି । ୨୦୨୦ରେ ଏହି ରିହାତି  ୧୩%କୁ ବୃଦ୍ଧି ପାଇଥିଲା । ଆମେରିକାର ତମାମ  କଟକଣା ସତ୍ତେ୍ୱ ଚୀନ୍‌ କମ୍ପାନିମାନେ ଫେଣ୍ଟାନିଲ  ଯୋଗାଇବାରେ ସମର୍ଥ ହେଉଛନ୍ତି । ଏହି ଅସାଧୁ  ମେଣ୍ଟରେ ଚୀନ୍‌ର ଅପରାଧିକ ଗୋଷ୍ଠୀଗୁଡ଼ିକ ମଧ୍ୟ  ସିଧାସଳଖ ଭାବେ ସମ୍ପୃକ୍ତ ଅଛନ୍ତି । ମେକ୍ସିକୋରେ  ଫେଣ୍ଟାନିଲ୍‌ ଯୋଗାଣ ପାଇଁ ଅନୁକୂଳ ପରିବେଶ  ଥିବାରୁ ଦେଶର ଅସାଧୁ ମେଣ୍ଟଗୁଡ଼ିକ ଏହାର  ଫାଇଦା ନେଉଛନ୍ତି । ସ୍ଥାନୀୟ ପୁଲିସ, ସେନା  ଅଧିକାରୀଙ୍କ ସହାୟତାରେ ମେକ୍ସିକୋ ବର୍ତ୍ତମାନ  ଚୋରା ନିଶା ଔଷଧର ପେଣ୍ଠ ପାଲଟିଛି । 

ମେକ୍ସିକୋର ରାଷ୍ଟ୍ରପତି ଆନ୍ଦ୍ରେସ୍‌ ମାନୁଏଲ୍‌  ଲୋପେଜ୍‌ ଓବ୍ରାଡର୍‌ ଏଭଳି ଅସାଧୁ ମେଣ୍ଟ  ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତାଙ୍କର ‘ଆଲିଙ୍ଗନ, ଗୁଳି ନୁହେଁ’ ରଣନୀତି ସେନା  ହସ୍ତକ୍ଷେପକୁ ସଙ୍କୁଚିତ କରିଦେଇଛି । ପ୍ରବର୍ତ୍ତନ  ଏଜେନ୍ସିଗୁଡ଼ିକ ମଧ୍ୟ ହାତ ଟେକିଦେଉଛନ୍ତି।  ନିକଟରେ ବିଭିନ୍ନ ମାନବାଧିକାର ସଙ୍ଗଠନର  ଚାପରେ ମେକ୍ସିକୋ କର୍ତ୍ତୃପକ୍ଷ ଦେଶବ୍ୟାପୀ ଡ୍ରଗ୍‌  ଲାବ୍‌ ଉପରେ ଚଢ଼ଉ କରିଥିଲେ । କିନ୍ତୁ ଅଧିକାଂଶ  ଲ୍ୟାବ୍‌ ନିଷ୍କ୍ରିୟ ଥିବା ତଦନ୍ତରୁ ଜଣାପଡ଼ିଥିଲା । ଅର୍ଥାତ୍‌  ସଙ୍କଟର ମୁକାବିଲା ଲାଗି ସେତେଟା ଗୁରୁତ୍ୱ ଦିଆଯାଇ ନ ଥିଲା । କେବଳ ଉପରଠାଉରିଆ ଭାବେ  ତଦନ୍ତ ହୋଇଥିଲା । ଆମେରିକାର ବାଇଡେନ୍‌  ପ୍ରଶାସନ ବି ଏ ନେଇ ମେକ୍ସିକୋ ଉପରେ ଅଧିକ  ଚାପ ପକାଇବାକୁ ଆଗ୍ରହ ପ୍ରକାଶ କରି ନ ଥିଲା । 

ମେକ୍ସିକୋରେ ଯେଉଁ ଅସାଧୁ ମେଣ୍ଟ କାର୍ଯ୍ୟ  କରୁଛି, ସେଥିରେ ନାମୀଦାମୀ ଲୋକମାନେ  ସମ୍ପୃକ୍ତ ଅଛନ୍ତି । ଚୀନ୍‌ରୁ କେମିକାଲ୍‌ ପାଇବା ପରେ  ମେକ୍ସିକୋରେ ତାହାକୁ ପ୍ରକ୍ରିୟା କରାଯାଇ ଫେଣ୍ଟାନିଲ୍‌ ଭାବେ ଆମେରିକାକୁ ଚୋରା ଚାଲାଣ କରାଯାଉଛି ।  ଆମେରିକାରେ ମଧ୍ୟ ଏଥିପାଇଁ ବିଭିନ୍ନ ନେଟ୍‌ୱର୍କ  କାମ କରୁଛି । ସେମାନଙ୍କ ଜରିଆରେ ଉପଭୋକ୍ତାଙ୍କ  ନିକଟରେ ଫେଣ୍ଟାନିଲ ପହଞ୍ଚା ଯାଉଛି । ନିଶା  ମହାମାରୀରେ ଚୀନ୍‌ର ଭୂମିକା ଥିବା ନେଇ ଚଳିତବର୍ଷ ଏପ୍ରିଲରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । 

ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ  ଆମେରିକା ତରଫରୁ କୂଟନୈତିକ ପଦକ୍ଷେପ  ନିଆଯାଇଥିଲା । କିନ୍ତୁ ଦେଶ ମଧ୍ୟକୁ ଫେଣ୍ଟାନିଲ୍‌ର  ପ୍ରବାହକୁ ରୋକିବା ପାଇଁ ତାହା ମୋଟାମୋଟି ଭାବେ  ବିଫଳ ହୋଇଛି । ୨୦୨୩ରେ ଆମେରିକା ରାଷ୍ଟ୍ରପତି  ଜୋ ବାଇଡେନ୍‌ ଓ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ  ମଧ୍ୟରେ ବୈଠକ ପରେ ଚୀନ୍‌ କମିଟି ଗଢ଼ିବା ନେଇ  ସହମତି ପ୍ରକାଶ କରିଥିଲା । କିନ୍ତୁ ଏହା କୌଣସି  ଫଳପ୍ରସୂ ହୋଇପାରି ନାହିଁ । ଚୀନ୍‌ ଓ ମେକ୍ସିକୋର  ନାମୀଦାମୀ ଅଭିନେତାଙ୍କ ନିମନ୍ତେ ମଧ୍ୟ ଏହା ଏକ  ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି ।  ତେଣୁ ଆମେରିକାକୁ ଫେଣ୍ଟାନିଲ୍‌ର ପ୍ରବାହ ଜାରି  ରହିବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.