ନୂଆଦିଲ୍ଲୀ,୨୬/୦୯: ଅକ୍ଟୋବର ୧୦ରୁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରାକ୍-ବଜେଟ୍ ବୈଠକ ଆରମ୍ଭ ହେବ । ପ୍ରଥମ ଦିନରେ ଅକ୍ଷୟ ଶକ୍ତି ମନ୍ତ୍ରାଳୟ, ପରିସଂଖ୍ୟାନ ମନ୍ତ୍ରାଳୟ, ଦକ୍ଷତା ବିକାଶ ଏବଂ ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ସହିତ ବୈଠକ ହେବ ବୋଲି ଏକ ସରକାରୀ ସୂତ୍ରରୁ ଜଣାପଡ଼ିଛି । ନଭେମ୍ବର ୧୧ ଯାଏ ବୈଠକମାନ ଚାଲିବ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ବରାଦ ନେଇ ମନ୍ତ୍ରାଳୟଗୁଡ଼ିକ ନିଜ ନିଜ ପ୍ରସ୍ତାବ ଦେବେ । ଏହାସହିତ ଚଳିତ ଆର୍ଥିକବର୍ଷ ପାଇଁ ସଂଶୋଧିତ ଅନୁମାନକୁ ଚୂଡ଼ାନ୍ତ କରାଯିବ । ପ୍ରତିବର୍ଷ ମନ୍ତ୍ରାଳୟ ଏବଂ ବିଭାଗଗୁଡ଼ିକ ସହ ବୈଠକ ସହିତ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଥାଏ ।
ସୂଚୀ ଅନୁସାରେ, ଅକ୍ଟୋବର ୧୧ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହ ବୈଠକ ହେବ । ଅକ୍ଟୋବର ୧୪ରେ ପେଟ୍ରୋଲିୟମ ମନ୍ତ୍ରାଳୟ ସହ, ଅକ୍ଟୋବର ୧୫ରେ ଶିଳ୍ପ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରାଳୟ ସହ, ଅକ୍ଟୋବର ୧୭ରେ ହାଉସିଂ ଏବଂ ଇଲେକ୍ଟ୍ରୋନିକ୍ସ, ଅକ୍ଟୋବର ୧୮ରେ ଗ୍ରାମୀଣ ବିକାଶ ମନ୍ତ୍ରାଳୟ, ଅକ୍ଟୋବର ୨୨ରେ ଗୃହ ମନ୍ତ୍ରାଳୟ, ଅକ୍ଟୋବର ୨୪ରେ ପ୍ରତିରକ୍ଷା ଏବଂ ବହିର୍ବ୍ୟାପାର ମନ୍ତ୍ରାଳୟ, ଅକ୍ଟୋବର ୨୮ରେ କର୍ପୋରେଟ୍ ବ୍ୟାପାର, ବୟନ ଶିଳ୍ପ ଏବଂ ଇସ୍ପାତ ମନ୍ତ୍ରାଳୟ, ନଭେମ୍ବର ୭ରେ ସଡ଼କ ପରିବହନ ମନ୍ତ୍ରାଳୟ ଏବଂ ନଭେମ୍ବର ୧୧ରେ ରେଳ ମନ୍ତ୍ରାଳୟ ସହ ବୈଠକ ହେବ । ରାଜସ୍ୱ ଏବଂ ଟେଲି ଯୋଗାଯୋଗ ବିଭାଗ ସହ ବୈଠକ ଅକ୍ଟୋବର ୨୧ରେ ହେବ । ଅକ୍ଟୋବର ୨୪ରେ ଅର୍ଥନୈତିକ ବ୍ୟାପାର ବିଭାଗ ସହ, ଅକ୍ଟୋବର ୨୫ରେ ବ୍ୟୟ ଏବଂ ଆର୍ଥିକ ସେବା ବିଭାଗ ଏବଂ ଅକ୍ଟୋବର ୨୮ରେ ନିବେଶ ଏବଂ ସାର୍ବଜନୀନ ସମ୍ପତ୍ତି ପରିଚାଳନା ବିଭାଗ ସହ ବୈଠକ ହେବ ।