ମାଲକାନଗିରି,୧୧/୦୯: ମାଲକାନଗିରି ଜିଲ୍ଲାର ବନ୍ୟା ସ୍ଥିତିରେ ସୁଧାର ଆସିଛି । ପୋଟେରୂ ଅଞ୍ଚଳରେ ବନ୍ୟା ପାଣି କମିଛି । କାଙ୍କୁରୁକୋଣ୍ଡା, କନ୍ୟାଆଶ୍ରମ, ଏମଭି-୯୦, ଏମଭି-୯୬, ମହାରାଜପାଲି, ତମସା ଓ ପାଙ୍ଗାମ ପୋଲ ପୋଲ ଉପରୁ ପାଣି ତଳକୁ ଖସିଛି । ଅନ୍ୟପଟେ ମାଲକାନଗିରି ଠାରୁ କାଲିମେଳା, ମୋଟୁ, ପଡ଼ିଆ ଓ ଜୟପୁର ମଧ୍ୟରେ ଯୋଗାଯୋଗ ଆରମ୍ଭ ହୋଇଛି । । ଲଗାଣ ବର୍ଷା ଯୋଗୁଁ ଗତ ତିନି ଦିନ ଧରି ଯାନ ବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ବୁଧବାରଠାରୁ ୩୨୬ ନମ୍ବର ଜାତୀୟ ରାଜପଥରେ ପୁଣି ଗଡ଼ିବା ଆରମ୍ଭ କରିଛି ଗାଡ଼ି ।
ବନ୍ୟା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପୋଟେରୂ ପୋଲ ଉପରେ ଲୁହା ରଡ୍ ବାହାରି ଥିବା ବେଳେ ଏଠାରେ କେବଳ ଛୋଟ ଗାଡ଼ି ଛଡାଯାଉଛି । ରାସ୍ତା ଘାଟ ନଷ୍ଟ ହୋଇଥିବା ବେଳେ ଲୋକଙ୍କ ଘର ଦ୍ୱାର ମଧ୍ୟ ଭାଙ୍ଗି ଯାଇଛି । ମାଲକାନଗିରି ଜିଲ୍ଲାରେ ବନ୍ୟା କମିଛି ହେଲେ ବଢିବାରେ ଲାଗିଛି ଲୋକଙ୍କ ଦୁର୍ଦ୍ଦଶା । ବନ୍ୟା ପାଣିରେ ଅନେକ ଲୋକଙ୍କ ମାଟି ଘର ଭୁଷୁଡ଼ି ପଡ଼ିଛି । ଲୋକଙ୍କ ଆସବାହ ପତ୍ର ବନ୍ୟା ପାଣିରେ ଭାଷି ଯାଇଛି । ଯେଉଁଠି ପାଣି କମିଛି ସେଠାରେ ଲୋକେ ପୁଣି ଥରେ ନିଜର ଉଜୁଡ଼ା ସଂସାରକୁ ସଜାଡ଼ିବାରେ ଲାଗିଛନ୍ତି ।
ଅନ୍ୟପଟେ ରାଜ୍ୟର ଦୁଇ ଜଣ ବରିଷ୍ଠ ଅଧିକାରୀ ମଙ୍ଗଳବାର ମାଲକାନଗିରି ଜିଲ୍ଲାକୁ ଯାଇ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି । ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ସଡ଼ଙ୍ଗୀ ଓ ପ୍ରମୁଖ ସଚିବ ବିଷ୍ନୁପଦ ସେଠୀ ସମୀକ୍ଷା ବୈଠକ ପରେ କହିଛନ୍ତି ଯେ, ମାଲକାନଗିରି ବନ୍ୟାପାଣିରୁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ୧୬୨ ଜଣ ଲୋକଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରେ ୫୪ ଜଣ ମହିଳା ଗର୍ଭବତୀ ରହିଥିଲେ । ବନ୍ୟା ବିପନ୍ନ ମାନଙ୍କୁ ରନ୍ଧା ଖାଦ୍ୟ ସହ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଘର ଭାଙ୍ଗିବା, ଫସଲ ହାନି ଓ ଗୃହ ପାଳିତ ପଶୁଙ୍କ ପ୍ରାଣହାନି ସଂପର୍କରେ ଆକଳନ କରାଯାଇ କ୍ଷୟ କ୍ଷତି ଦିଆଯିବ ବୋଲି ବୋଲି ବିଷ୍ନୁପଦ ସେଠୀ କହିଛନ୍ତି । ସେହିପରି ବନ୍ୟା ସମୟରେ ଲୋକଙ୍କୁ ପାଣି ଭିତରୁ ଉଦ୍ଧାର କରିଥିବା ଅଗ୍ନିଶମ କର୍ମଚାରୀମାନଙ୍କୁ ପୁରଷ୍କୃତ କରାଯିବ ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ସଡଙ୍ଗୀ କହିଛନ୍ତି ।