ପୁରୀ, ରାଜଶ୍ରୀ ସାହୁ/୨୧।୮: ପୁରୀ ମାଟିର ପାରମ୍ପରିକ ଚିତ୍ରକଳା ପୋଥିଚିତ୍ର । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଭଳି ପୋଥିଚିତ୍ର ପରମ୍ପରା ମଧ୍ୟ ଢେର ପୁରୁଣା । କବି ଜୟଦେବଙ୍କ ଲିଖନୀ ନିସୃତ ଗୀତଗୋବିନ୍ଦ ଏହି ପୋଥିପତ୍ରରେ ସାଇତା । ମହାପ୍ରଭୁଙ୍କ ଦୈନନ୍ଦିନର ଅନେକ ନୀତିକାନ୍ତି ମଧ୍ୟ ପୋଥିପତ୍ରରେ ଲିପିବଦ୍ଧ । କାଳକ୍ରମେ ଏହି ପୋଥିଚିତ୍ର ସଂସ୍କୃତି ପରମ୍ପରାରେ ସୀମିତ ନ ରହି ରୋଜଗାରର ମାଧ୍ୟମ ପାଲଟିଛି । ପୋଥିଚିତ୍ର କଳା ଉପରେ ପୁରୀର ୨୦୦୦ରୁ ଊଦ୍ଧ୍ୱର୍ ପରିବାର ନିର୍ଭରଶୀଳ । ଏହି କଳା ପୁରୀରୁ ହିଁ ଆରମ୍ଭ ହୋଇଥିବା ନେଇ ଅନେକ ପ୍ରମାଣ ମଧ୍ୟ ରହିଛି । ଏଣୁ ପୋଥିଚିତ୍ରର ଭୌଗଳିକ ମାନ୍ୟତା ପୁରୀକୁ ପ୍ରଦାନ କରିବା ପାଇଁ ସମସ୍ତ ତଥ୍ୟ ପ୍ରମାଣ ସହ ଆବଶ୍ୟକୀୟ ଦସ୍ତାବିଜ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରାଯାଇଛି । ହେଲେ ୪ ବର୍ଷ ବିତିଥିଲେ ବି ଏପର୍ଯ୍ୟନ୍ତ ପୋଥିଚିତ୍ର ଭୌଗଳିକ ମାନ୍ୟତା ପାଇପାରିନି ।
ସେପଟେ ଉତ୍ତରପ୍ରଦେଶର ଏକ ଅନୁଷ୍ଠାନ ମଧ୍ୟ ପୋଥିଚିତ୍ରର ଭୌଗଳିକ ମାନ୍ୟତା ପାଇବା ପାଇଁ ଆବେଦନ କରିଥିବାରୁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଯଥାଶୀଘ୍ର ସମ୍ଭବ ପୁରୀକୁ ପୋଥିଚିତ୍ର ମାନ୍ୟତା ପ୍ରଦାନ କରିବା ଆବଶ୍ୟକ ବୋଲି ପୋଥିଚିତ୍ର କାରିଗରମାନେ ଦାବି କରିଛନ୍ତି । ପୁରୀ ଜିଲ୍ଲାର ନାୟକପାଟଣା ଗ୍ରାମ ପୋଥିଚିତ୍ର ପାଇଁ ପରିଚିତ । ଏହି ଗ୍ରାମରେ ପାଖାପାଖି ୪୦୦ ପରିବାର ପୋଥିଚିତ୍ର ଉପରେ ନିର୍ଭରଶୀଳ । ଗାଁର ପ୍ରତ୍ୟେକ ଘରୁ କେହି ନା କେହି ପୋଥିଚିତ୍ର ଶିଳ୍ପୀ ବାହାରିବେ । ଏହା ସହ ରଘୁରାଜପୁର, ନିମାପଡ଼ାର ଗୁହାଳପଡ଼ା, ଅନ୍ଧିଆ ସାହି, ସତ୍ୟବାଦୀର ରାୟଚକ୍ରଧର ପୁରରେ ମଧ୍ୟ ଶତାଧିକ ପୋଥିଚିତ୍ର କାରିଗର ରହିଛନ୍ତି । ଖୋର୍ଦ୍ଧାର କାକରୁଦ୍ରପୁର, ଖମାଙ୍ଗ, କାଜିପୁର, ଭିଙ୍ଗାରପୁର, ଜଗନ୍ନାଥପୁରର କିଛି ସ୍ଥାନରେ ମଧ୍ୟ ପୋଥିଚିତ୍ରକୁ ପେସା କରି ଅନେକ ଜୀବିକା ନିର୍ବାହ କରୁଛନ୍ତି । ୨୦୨୦ ଫେବ୍ରୁଆରୀରେ ପୁରୀ ନାୟକ ପାଟଣାର କଳାକୃତି ବିକାଶ କେନ୍ଦ୍ର ପକ୍ଷରୁ ପୋଥିଚିତ୍ରର ଜିଆଇ ମାନ୍ୟତା ପାଇଁ ଆବେଦନ କରାଯାଇଥିଲା ।
ଏଥିପାଇଁ ଆବଶ୍ୟକୀୟ ସମସ୍ତ ଦସ୍ତାବିଜ, ପ୍ରମାଣପତ୍ର ମଧ୍ୟ ଦିଆଯାଇଥିଲା । ଜଗନ୍ନାଥ ସଂସ୍କୃତି ସହ ପୋଥିଚିତ୍ର କିଭଳି ସଂଶ୍ଳିଷ୍ଟ ସେନେଇ ମଧ୍ୟ ପ୍ରମାଣ ପ୍ରଦାନ କରାଯାଇଥିଲା । ଏହା ସହ ବହୁ ପୁରାତନ ମାନୁସ୍କ୍ରିପ୍ଟ ମଧ୍ୟ ଦିଆଯାଇଥିଲା । ବୟନଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ଟେକ୍ସଟାଇଲ କମିଟି ଏନେଇ ସହଯୋଗର ହାତ ବଢ଼ାଇଥିଲା । ସରକାରୀ ଅନୁଷ୍ଠାନ ଭାବେ ଉତ୍କଳିକା ମଧ୍ୟ ପୋଥିଚିତ୍ରକୁ ଜିଆଇ ମାନ୍ୟତା ପାଇଁ ପରବର୍ତ୍ତୀ ସମୟରେ ଦ୍ୱିତୀୟ ଆବେଦନକାରୀ ହୋଇଥିଲା । ହେଲେ ଏସବୁକୁ ଚାଲେଞ୍ଜ କରି ଉତ୍ତରପ୍ରଦେଶର ଏକ ଅନୁଷ୍ଠାନ ପୋଥିଚିତ୍ରର ଜିଆଇ ମାନ୍ୟତା ଦାବି କରିଥିଲା । ଯାହା ପୁରୀକୁ ଜିଆଇ ମାନ୍ୟତା ଦେବାରେ ବିଳମ୍ବର କାରଣ ପାଲଟିଛି । ବୟନଶିଳ୍ପ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, କୌଣସି ଚିତ୍ରକଳା ଜିଆଇ ମାନ୍ୟତା ପାଇବାକୁ ହେଲେ ପ୍ରଥମେ ଏହା ଏକ ସ୍ୱତନ୍ତ୍ର ଭୌଗଳିକ ଅଞ୍ଚଳର ହୋଇଥିବା ଆବଶ୍ୟକ । ଏହା ଛଡ଼ା ଏହି କଳାକୃତି ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ଦ୍ୱାରା ହୋଇଆସୁଥିବା ଜରୁରି । କୌଳିକ ବୃତ୍ତି ଭାବେ ପିଢି ପରେ ପିଢି ଚିତ୍ରକଳା ବଂଶାନୁକ୍ରମିକ ହେବା ମଧ୍ୟ ଜରୁରି । ଏହି ଚିତ୍ରକଳା ଅନ୍ୟ ସମସ୍ତ ଚିତ୍ରକଳାଠାରୁ ସ୍ୱତନ୍ତ୍ର ହୋଇଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେବେ ପୁରୀର ପୋଥିଚିତ୍ର କଳା ଏହି ସମସ୍ତ ଦିଗଗୁଡ଼ିକୁ ଛୁଇଁପାରିଛି । ହେଲେ ଉତ୍ତରପ୍ରଦେଶର ସଂସ୍ଥା ଆବଶ୍ୟକୀୟ ଦସ୍ତାବିଜ ଦେବାରେ ବିଫଳ ହେଉଛି । ଏଣୁ ଜିଆଇ କର୍ତ୍ତୃପକ୍ଷ ପୁରୀକୁ ପୋଥିଚିତ୍ରର ଜିଆଇ ମାନ୍ୟତା ଦେବାକୁ ଅଧିକ ଆଗ୍ରହ ଦେଖାଇଛନ୍ତି । କିଛି ଦିନ ତଳେ ଏନେଇ ଚେନ୍ନାଇଠାରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ପୁରୀର ପୋଥିଚିତ୍ରକୁ ଜିଆଇ ମାନ୍ୟତା ଦେବାକୁ ସବୁଜ ସଙ୍କେତ ମିଳିସାରିଛି ବୋଲି ଅଧିକାରୀ ପ୍ରକାଶ କରିଛନ୍ତି ।
ଜିଆଇ ମାନ୍ୟତା ପାଇଁ ଆବେଦନ କରିଥିବା ପୋଥି ଚିତ୍ର ଶିଳ୍ପୀ ତଥା କଳାକୃତି ବିକାଶ କେନ୍ଦ୍ରର ସଂପାଦକ ପ୍ରସନ୍ନ ନାୟକଙ୍କ କହିବା ମୁତାବକ, ପୋଥିଚିତ୍ର ଓଡ଼ିଶାର ଏକ ସ୍ୱତନ୍ତ୍ର କଳାକୃତି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ବାସ୍ତବ ପରିଚୟ ପାଇପାରିନି । ଯାହାଦ୍ୱାରା ଏହାକୁ ପେସା କରିଥିବା କଳାକାରମାନେ ପ୍ରକୃତ ପାରିଶ୍ରମିକ ପାଇପାରୁନାହାନ୍ତି । ଜିଆଇ ମାନ୍ୟତା ମିଳିଲେ କଳାକାର ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ । କଳାର ପ୍ରକୃତ ମୂଲ୍ୟ ପାଇପାରିବେ । ଉଚିତ ପାରିଶ୍ରମିକ ମିଳୁନଥିବାରୁ ଅନେକ କଳାକାର କଳା ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ଏଣୁ ଅଧିକ କଳାକାର ସୃଷ୍ଟି ହୋଇପାରିବେ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି । ସୂଚନାଥାଉକି, ଯେଉଁ ସ୍ଥାନ ଜିଆଇ ମାନ୍ୟତା ପାଏ ସେଠାର କଳାକାର ଜିଆଇ ପଞ୍ଜୀକୃତ ଶିଳ୍ପୀ ହେବାର ଅଧିକାର ପାଇଥାନ୍ତି । ପଞ୍ଜୀକୃତ ଶିଳ୍ପୀଙ୍କ ବାଦ୍ ଯେଉଁ ଶିଳ୍ପୀ ଏହି କଳାକୃତି କରିବାକୁ ଚାହାନ୍ତି ସେମାନଙ୍କୁ ପଞ୍ଜୀକୃତ ଶିଳ୍ପୀଙ୍କଠାରୁ ଅନୁମତି ଓ ଏନ୍ଓସି ଆଣିବାକୁ ପଡ଼େ । ଏଣୁ ୟୁପିର ଅନୁଷ୍ଠାନ ଯଦି ଜିଆଇ ମାନ୍ୟତା ପାଏ ତେବେ ପୁରୀରେ ପାରମ୍ପରିକ ପୋଥିଚିତ୍ରକୁ ପେସା କରୁଥିବା ହଜାର ହଜାର କାରିଗର ନିଜର ବେଉସା ହରାଇବେ ବୋଲି ଆଶଙ୍କା ପ୍ରକାଶ ପାଇଛି ।