ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫ୍ରେଞ୍ଚ ଓପନ ୨୦୨୪: ପ୍ରଥମ ରାଉଣ୍ଡରୁ ନାଦାଲ ବିଦା, ସିନର, ସ୍ୱିଟେକ, ଜାବେଓର ଏବଂ ଗୌଫଙ୍କ ବିଜୟ ଅଭିଯାନ

ପ୍ୟାରିସ୍‌,୨୮/୫: ଚଳିତ ଫ୍ରେଞ୍ଚ ଓପନର ଦ୍ୱିତୀୟ ଦିବସରେ ବିଶାଳ ବିପର୍ଯ୍ୟୟ ଘଟିଛି । ରୋଲାଣ୍ଡ ଗ୍ୟାରସ୍‌ର କ୍ଲେ କୋର୍ଟରେ ଦୀର୍ଘ  ବର୍ଷ ଧରି ରାଜୁତି କରିବା ସହ ରେକର୍ଡ ୧୪ଥର ଚାମ୍ପିଅନ୍‌ ହୋଇଥିବା ରାଫେଲ ନାଦାଲ ପ୍ରଥମ ରାଉଣ୍ଡ୍‌ରେ ପରାଜିତ ହୋଇ ବିଦାୟ ନେଇଛନ୍ତି। ଅନ୍ୟ ତାରକା ଖେଳାଳିମାନେ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି । ମହିଳା ବର୍ଗରେ ଟପ୍‌ ସିଡ୍‌ ଇଗା  ସ୍ୱିଟେକ, ତୃତୀୟ ସିଡ୍‌ କୋକୋ ଗୌଫ, ପୁରୁଷ  ବର୍ଗରେ ଷ୍ଟିଫାନସ ସିସିପାସ, କାର୍ଲୋସ ଅଲ୍‌କାରାଜ,  ଜାନିକ ସିନର, ଆଲେକଜାଣ୍ଡର ଭେରେଭ  ପ୍ରମୁଖ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି ।

ମହିଳା ସିଙ୍ଗଲ୍ସ: ଟପ ସିଡ ସ୍ୱିଟେକ ମାତ୍ର ୬୧ ମିନିଟ୍‌ ମଧ୍ୟରେ କ୍ୱାଲିଫାୟର ଲିଓଲିଆ ଜିନଜିନଙ୍କୁ  ହରାଇଥିଲେ । ସ୍ୱିଟେକ ଏହି ମ୍ୟାଚ୍‌ରେ ୬ଟି  ବ୍ରେକ୍‌ ପଏଣ୍ଟ ହାସଲ କରିଥିଲେ । ଅଷ୍ଟମ ସିଡ୍‌  ଜାବେଓର ୬-୩, ୬-୨ ସେଟ୍‌ରେ ସାଚିଆ  ଭିକେରିଙ୍କୁ ପରାସ୍ତ କରିଥିବାବେଳେ ଗୌଫ  ୬-୧, ୬-୧ ସେଟ୍‌ରେ ଜୁଲିଆ ଆବଡିଭାଙ୍କୁ  ହରାଇଥିଲେ । ଗୌଫଙ୍କୁ ଏହି ମ୍ୟାଚ୍‌ ଜିତିବା ପାଇଁ  ମାତ୍ର ୫୨ମିନିଟ୍‌ ଲାଗିଥିଲା । ପଞ୍ଚମ ସିଡ୍‌ ମର୍କେଟା  ଭଣ୍ଡ୍ରୁସୋଭା ୬-୧, ୬-୩ ସେଟ୍‌ରେ ରେବେକା  ମାସାରେଭାଙ୍କୁ, ଡାନିଏଲା କଲିନ୍ସ ୬-୩, ୬-୪  ସେଟ୍‌ରେ କାରୋଲିନ୍‌ ଡୋଲେହାଇଡଙ୍କୁ, ଜସ୍ମିନ  ପାଓଲିନ୍‌ ୬-୩, ୬-୪ ସେଟ୍‌ରେ ଡାରିଆ ସେଭିଲଙ୍କୁ  ହରାଇ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଲୈଲା ଫର୍ଣ୍ଣାଣ୍ଡେଜ,  ଆନାସ୍ତାସିଆ ପାବ୍ଲ୍ୟୁଚେନକୋଭା, ଲୁଡମିଲା  ସାମସୋନୋଭା ଆନାସ୍ତାସିଆ ପୋଟାପୋଭା  ପ୍ରମୁଖ ସହଜ ବିଜୟ ହାସଲ କରିଥିଲେ ।  

ପୁରୁଷ ସିଙ୍ଗଲ୍ସ: କ୍ଲେ କୋର୍ଟ କିଙ୍ଗ୍‌ ନାଦାଲଙ୍କ ପରାଜୟ  ଦ୍ୱିତୀୟ ଦିବସର ବଡ଼ ବିପର୍ଯ୍ୟୟ ରହିଥିଲା ।  ଅବଶ୍ୟ ଦୀର୍ଘ ଦିନ ପରେ ଫିଟ୍‌ ହୋଇ କୋର୍ଟକୁ  ଓହ୍ଲାଇଥିଲେ ନାଦାଲ । ଏଥର ତାଙ୍କୁ କୌଣସି  ମାନ୍ୟତା ମିଳି ନଥିଲା । ପ୍ରଥମ ରାଉଣ୍ଡ୍‌ରେ ତାଙ୍କୁ  ଚତୁର୍ଥ ସିଡ୍‌ ଆଲେକଜାଣ୍ଡର ଭେରେଭଙ୍କୁ ସାମ୍ନା  କରିବାକୁ ପଡ଼ିଥିଲା । ପୂର୍ବରୁ ଉଭୟ ୨୦୨୨ ସେମି  ଫାଇନାଲ୍‌ରେ ଉଭୟ ପରସ୍ପରକୁ ଭେଟିଥିଲେ ।  ଭେରେଭ ଉକ୍ତ ମ୍ୟାଚ ବେଳେ ଗୁରୁତର ଆହତ  ହୋଇ ବିଦାୟ ନେଇଥିଲେ । ନାଦାଲ ପରେ ଫାଇନାଲ୍‌  ଜିତି କ୍ୟାରିୟର୍‌ର ୨୨ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ହାସଲ  କରିଥିଲେ । ୨ବର୍ଷ ପରେ ଉଭୟଙ୍କ ମଧ୍ୟରେ ପୁନର୍ବାର  ଭେଟ ହୋଇଥିଲା । ଏଥର ବାଜି ମାରି ନେଇଥିଲେ  ଭେରେଭ । ବିଶ୍ୱର ତୃତୀୟ ଖେଳାଳି ଭାବେ ଭେରେଭ  ରୋଲାଣ୍ଡ ଗ୍ୟାରସ୍‌ରେ ନାଦାଲଙ୍କୁ ହରାଇଥିଲେ ।

ସୋମବାର ଉଭୟଙ୍କ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌  ହେବ ବୋଲି ଆଶା କରାଯାଉଥିଲା । ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ  ନୋଭାକ ଜୋକୋଭିକ୍‌, ଇଗା ସ୍ୱିଟେକ ପ୍ରମୁଖ  ଗ୍ୟାଲେରୀରେ ବସି ନାଦାଲଙ୍କୁ ଉତ୍ସାହିତ କରିଥିଲେ ।  ମାତ୍ର ଭେରେଭ ଚମତ୍କାର ଖେଳ ପ୍ରଦର୍ଶନ କରି  ୬-୩, ୭-୬(୭-୫), ୬-୩ ସେଟ୍‌ରେ  ବିଜୟ ହାସଲ କରିଥିଲେ । ଏହି ମ୍ୟାଚ୍‌ ଜିତିବା  ପାଇଁ ଭେରେଭଙ୍କୁ ୩ଘଣ୍ଟା ୫ ମିନିଟ୍‌ ଲାଗିଥିଲା ।  ଅନ୍ୟ ମ୍ୟାଚ ଗୁଡ଼ିକରେ ଯଥାକ୍ରମେ ଦ୍ୱିତୀୟ  ସିଡ୍‌ ତଥା ଅଷ୍ଟ୍ରେଲିଆନ ଓପନ ଚାମ୍ପିଅନ୍‌ ଜାନିକ  ସିନର ୬-୩, ୬-୩, ୬-୪ ସେଟ୍‌ରେ ଖ୍ରୀଷ୍ଟୋଫର  ୟୁବାଙ୍କ୍‌ସଙ୍କୁ ପରାସ୍ତ କରିଥିବାବେଳେ ନବମ ସିଡ୍‌  ସିସିପାସ୍‌ ୭-୬(୯-୭), ୬-୪, ୬-୧ ସେଟ୍‌ରେ  ମାର୍ଟନ ଫସକୋଭିକ୍ସଙ୍କୁ ହରାଇଥିଲେ । ୧୮ତମ ସିଡ୍‌  କାରେନ କାଚାନୋଭ ୬-୨, ୬-୦, ୭-୬(୭- ୫) ସେଟ୍‌ରେ ଭାରତର ସୁମିତ ନଗଲଙ୍କୁ ପରାସ୍ତ  କରିଥିବାବେଳେ ଫେଲିକ୍ସ ଅଗର-ଆଲିଆସେମ  ୬-୨, ୬-୪, ୬-୪ ସେଟ୍‌ରେ ୟୋଶିହିତୋ  ନିଶିଓକା୍‌କୁ ହରାଇଥିଳେ । ଆନ୍ଦ୍ରେ ସେଭଚେଙ୍କୋ  ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଅସଲାନ କାରାସେଭଙ୍କୁ  ୬-୪, ୪-୬, ୧-୬, ୬-୧, ୬-୪ ସେଟ୍‌ରେ  ପରାସ୍ତ କରି ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.