ନୂଆଦିଲ୍ଲୀ, ୨୫।୮: ପଲ୍ୟୁସନ୍ ଅଣ୍ଡର୍ କଣ୍ଟ୍ରୋଲ(ପିୟୁସି) ଟେଷ୍ଟ ପାସ୍ କରିବା ସତ୍ତ୍ୱେ ଭାରତୀୟ ସଡ଼କରେ ଗଡ଼ୁଥିବା ଅଧିକାଂଶ ଯାନ ସେମାନଙ୍କ ଏମିସନ୍ ଷ୍ଟାଣ୍ଡାର୍ଡସ ପର୍ମିଟ୍ଠାରୁ ଢେର ଅଧିକ ମାତ୍ରାରେ ପ୍ରଦୂଷଣ କରୁଛନ୍ତି । ଇଣ୍ଟର୍ନ୍ୟାସ୍ନାଲ କାଉନ୍ସିଲ୍ ଅନ୍ କ୍ଲିନ୍ ଟ୍ରାନ୍ସପୋର୍ଟେସନ୍(ଆଇସିସିଟି) ଦ୍ୱାରା କରାଯାଇଥିବା ଏକ ନୂଆ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି । ଏପରିକି ନୂଆ ବିଏସ୍-୬ ମାନଦଣ୍ଡଯୁକ୍ତ ଗାଡ଼ିଗୁଡ଼ିକ ବାସ୍ତବରେ ବୃହତ୍ ମାତ୍ରାରେ ପ୍ରଦୂଷଣ କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । କାର୍ବନ ମନୋକ୍ସାଇଡ୍(ସିଓ), ହାଇଡ୍ରୋକାର୍ବନ(ଏଚ୍ସି), ନାଇଟ୍ରୋଜେନ୍ ଅକ୍ସାଇଡ୍ ଭଳି ପ୍ରଦୁଷକକୁ ମାପିବା ପାଇଁ ଆଇସିସିଟିର ସର୍ବେକ୍ଷଣରେ ରିମୋଟ୍ ସେନ୍ସିଂ ଟେକ୍ନୋଲୋଜିର ବ୍ୟବହାର କରାଯାଇଥିଲା । ଏହି ସର୍ବେକ୍ଷଣରେ ଦିଲ୍ଲୀ ଏବଂ ଗୁର୍ଗାଓଁର ପ୍ରାୟ ୨୦ଟି ସ୍ଥାନରେ ପ୍ରାୟ ୧.୧ ଲକ୍ଷ ଗାଡ଼ିକୁ ସାମିଲ କରାଯାଇଥିଲା ।
ଘରୋଇ ଯାନ ତୁଳନାରେ ବାଣିଜ୍ୟିକ ଯାନଗୁଡ଼ିକ ଦ୍ୱାରା ଅଧିକ ପ୍ରଦୂଷଣ ହେଉଛି । ବିଏସ୍-୬ ଅନୁପାଳିତ ସିଏନ୍ଜି ଟ୍ୟାକ୍ସି ଏବଂ ହାଲୁକା ଗୁଡ୍ସ ଭେଇକିଲ୍ ଘରୋଇ ଯାନଗୁଡ଼ିକ ତୁଳନାରେ ଯଥାକ୍ରମେ ୨.୪ ଗୁଣା ଏବଂ ୫ ଗୁଣା ନାଇଟ୍ରୋଜେନ୍ ଅକ୍ସାଇଡ୍ ନିର୍ଗମନ କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସ୍ୱଚ୍ଛ ଇନ୍ଧନ ଭାବେ ସିଏନ୍ଜିକୁ ଗଣନା କରାଯାଇଥାଏ । କିନ୍ତୁ ବାସ୍ତବରେ ବିଏସ୍-୬ ସିଏନ୍ଜି ଗାଡ଼ି(ତିନିଚକିଆ, ଘରୋଇ କାର, ଟ୍ୟାକ୍ସି ଏବଂ ବସ୍) ମଞ୍ଜୁରି ସୀମାଠାରୁ ଅଧିକ ନାଇଟ୍ରୋଜେନ୍ ଅକ୍ସାଇଡ୍ ନିର୍ଗମନ କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପ୍ରକାଶଯୋଗ୍ୟ, ଟାଇପ୍ ଆପ୍ରୁଭାଲ ସାର୍ଟିଫିକେଟ୍ ଯାନ ନିର୍ମାତାମାନଙ୍କୁ ଦିଆଯାଇଥାଏ । ସେମାନଙ୍କ ଯାନ ସ୍ୱତନ୍ତ୍ର ପ୍ରଯୁକ୍ତିଗତ ଏବଂ ସୁରକ୍ଷା ମାନକୁ ପୂରଣ କରିବା ପରେ ସେମାନଙ୍କୁ ଏହି ପ୍ରମାଣପତ୍ର ମିଳିଥାଏ ଏବଂ ବଜାରରେ ଉକ୍ତ ଗାଡ଼ିଗୁଡ଼ିକୁ ବିକ୍ରି କରିବା ପାଇଁ କମ୍ପାନିଙ୍କୁ ଅନୁମତି ଦିଆଯାଇଥାଏ ।