ଭୁବନେଶ୍ଵର, ୦୯।୦୯ : ଜି-୨୦ ଶିଖର ସମ୍ମିଳନୀରେ ଓଡ଼ିଶାର କାଳଜୟୀ ଆଶ୍ଚର୍ଯ୍ୟ କୋଣାର୍କ ଚକ୍ର ସ୍ଵାଗତର ପ୍ରତିବିମ୍ବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଣାର୍କ ଚକ୍ର ନିକଟରେ ବିଦେଶୀ ନେତା ଏବଂ ଗୁରୁତ୍ଵପୂର୍ଣ୍ଣ ସଙ୍ଗଠନର ପ୍ରମୁଖ୍ୟଙ୍କୁ ସ୍ଵାଗତ କରିବା ସହ ସେମାନଙ୍କ ସହ ସେଲଫି ଉଠାଉଥିବା ଦେଖିବାକୁ ମିଳିଛି। ଯାହାକି ସମସ୍ତ ଭାରତୀୟ ତଥା ବିଶେଷ ଭାବରେ ଆମ ଓଡ଼ିଆ ଭାଇ ଭଉଣୀମାନଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଭାରତର ସଭ୍ୟତା, ସଂସ୍କୃତି ଏବଂ ସ୍ଥାପତ୍ୟ ଓ ଉତ୍କର୍ଷତାର ପ୍ରତୀକ କୋଣାର୍କ ଚକ୍ର ନିରନ୍ତରତା ଓ ପ୍ରଗତିର ପ୍ରତିଫଳକ।
ତେରଶ ଶତାବ୍ଦୀରେ ରାଜା ନରସିଂହଦେବ କୋଣାର୍କ ଚକ୍ର ନିର୍ମାଣ କରିଥିଲେ। ୨୪ ଅଖ ବିଶିଷ୍ଟ ଏହି ଚକ୍ରକୁ ରାଷ୍ଟ୍ରୀୟ ଧ୍ଵଜାରେ ସ୍ଥାନିତ କରାଯାଇଛି। ଏହାକୁ ଲୋକତନ୍ତ୍ରର ଚକର ଏକ ଶକ୍ତିଶାଳୀ ପ୍ରତୀକ ରୂପେ ଗଣାଯାଏ।
ଜି-୨୦ରେ ଭାରତର ବିବିଧତାକୁ ଦର୍ଶାଇବା ପାଇଁ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଛି। କେନ୍ଦ୍ର ସଂସ୍କୃତି, ଖାଦି ଇଣ୍ଡିଆ, ଜନଜାତି ମନ୍ତ୍ରାଳୟ ସବୁ ରାଜ୍ୟର ସଂସ୍କୃତି, କଳା, ଶିଳ୍ପକୁ ଦୁନିଆ ସମ୍ମୁଖକୁ ଆଣିବାକୁ ଏକ ଜିଲ୍ଲା-ଏକ ଉତ୍ପାଦର ପ୍ରଦର୍ଶନୀ କରିଛି।