ଭୁବନେଶ୍ୱର,୦୭/୦୮: ଗଣପତି ବାବା ମୋରୟା... ବିଘ୍ନ ବିନାଶକ ମୋରୟା... । ଧରାପୃଷ୍ଠକୁ ପାର୍ବଣ ଆଗମନର ସୂଚନା ନେଇ ବିରାଜମାନ କରିବେ ଅଗ୍ରପୂଜ୍ୟ ଗଜାନନ । ତେଣୁ ଗଣପତି ବାବାଙ୍କୁ ସ୍ୱାଗତ କରିବା ପାଇଁ ପୁରପଲ୍ଲୀ ସବୁଠି ଚାଲିଛି ପ୍ରସ୍ତୁତି । ପୂଜା ମଣ୍ଡପ, ସ୍କୁଲ, କଲେଜରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନରେ ଶନିବାର ପୂଜା ପାଇବେ ବିଘ୍ନ ବିନାଶକ । ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀ ବିଦ୍ୟାଦାତାଙ୍କୁ ପୂଜା କରିବେ । ଏଥିପାଇଁ ସ୍କୁଲ କଲେଜରେ ସାଜସଜା ଜୋରଦାର ଚାଲିଛି । ସେହିପରି ବଡ଼ ବଡ଼ ମଣ୍ଡପରେ କର୍ମକର୍ତ୍ତାମାନେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିବ ସୁଉଚ୍ଚ ତୋରଣ । ତା’ସାଙ୍ଗକୁ ରାତିର ଆକର୍ଷଣ ସାଜିବ ରଙ୍ଗୀନ ଆଲୋକମାଳା । ବିଶାଳକାୟ ଗଣେଶ ମୂର୍ତ୍ତି ସାଙ୍ଗକୁ ସାଂସ୍କୃତିକ ସନ୍ଧ୍ୟା ଓ ମୀନାବଜାର ବୁଲିବେ ଦର୍ଶକ । ପୂଜା ପାଇଁ ସାରା ସହରରେ ସୃଷ୍ଟି ହେବ ଭକ୍ତିମୟ ପରିବେଶ । ବ୍ରାହ୍ମଣଙ୍କ ଯଜ୍ଞ, ମନ୍ତ୍ରଧ୍ୱନିରେ ଗୁଞ୍ଜରିତ ହେବ ସହର ।
ଶିକ୍ଷାନୁଷ୍ଠାନରେ ଆକର୍ଷଣୀୟ ଛୋଟ ମୂର୍ତ୍ତି
ଲାଲବାଗ ଗଣେଶ, ଚିନ୍ତାମଣି ଗଣେଶ, ବାଲ୍ ଗଣେଶ, ମୂଷିକ ଉପରେ ବସିଥିବା ଗଣେଶ ସହ କଲିକତା, ବମ୍ବେ ଆଦି ସ୍ଥାନରୁ ଷ୍ଟୋନ କାମ ଥିବା ଗଣେଶ । ନାନା ରୂପ, ନାନା ବେଶରେ ତିଆରି ହୋଇଛନ୍ତି ଶ୍ରୀ ଗଣେଶଙ୍କ ମୂର୍ତ୍ତି । ଭୁବନେଶ୍ୱର ସିଆରପିର ଦୁଇ ତିନୋଟି ସ୍ଥାନ, ଫାୟାରଷ୍ଟେସନ୍, ଜାଗମରା, ମାର୍କେଟ ବିଲ୍ଡିଂ ପାଖ ଅଞ୍ଚଳ, ମାଷ୍ଟରକ୍ୟାଣ୍ଟିନ, ୟୁନିଟ୍-୧, ଚନ୍ଦ୍ରଶେଖରପୁର, ରସୁଲଗଡ଼, ଆଚାର୍ଯ୍ୟବିହାର ପରି ବିଭିନ୍ନ ସ୍ଥାନରେ ମୂର୍ତ୍ତି ବିକ୍ରି ହେଉଛି । ଏ ସବୁ ମୂର୍ତ୍ତିଗୁଡିକ ଇକୋ-ଫ୍ରେଣ୍ଡଲି ସହ କେମିକାଲ ମୁକ୍ତ । ଗଣପତି ବାବାଙ୍କୁ ବହୁ ଲୋକ ଘରେ ଅବାହନ କରନ୍ତି । ସେଥିପାଇଁ ଛୋଟ ମୂର୍ତ୍ତି ଆଣି ପୂଜା କରିଥାନ୍ତି । ବଜାରରେ ଏହି ସବୁ ମୂର୍ତ୍ତି ବିଭିନ୍ନ ଡିଜାଇନ୍ର ବିଭିନ୍ନ ଦାମ୍ରେ ବିକ୍ରି ହେଉଛି । ସେଥିପାଇଁ ରାସ୍ତାକଡ଼ରେ ବିକ୍ରି ହେଉଥିବା ଏହି ଦୋକନ ସମ୍ମୁଖରେ ଭିଡ଼ ଲାଗିରହୁଛି । ଏ ମୂର୍ତ୍ତିଗୁଡ଼ିକ ଦେଢଶହ ଟଙ୍କାରୁ ଆରମ୍ଭ ହୋଇ ଦେଢ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ।
ନନାଙ୍କୁ ପାଇବା କଷ୍ଟ, ଘର ପିଛା ୫୦୦ ଦକ୍ଷିଣା
ପୂଜା ପର୍ବ ଆସିଲେ ନନାଙ୍କ ପକେଟ୍ ଗରମ ହୋଇଯାଏ । ପିଲାମାନେ ଯେଉଁ ଘରେ ପାଠ ପଢ଼ନ୍ତି, ସେମାନଙ୍କ ଘରମାନଙ୍କରେ ଛୋଟ ଆକାରରେ ଗଣେଶ ପୂଜା ହୋଇଥାଏ । ଏମିତି ସମୟରେ ନନାଙ୍କ ଭାଉ କାହିଁରେ କ’ଣ । ଗୋଟିଏ ଘର ପିଛା ନନା ନେଉଛନ୍ତି ୫୦୦ ଟଙ୍କା । ପୂଜା ଟିକେ ଅଧିକ ବଡ଼ ଆକରରେ ହେଲେ ଦାମ୍ ମଧ୍ୟ ସେଇ ହିସାବରେ ବଢି ଯାଉଛି । ଏହି ସମୟରେ ପୂଜା ପାଇଁ ନନାଙ୍କୁ ଖୋଜି ପାଇବା ମଧ୍ୟ କଷ୍ଟ । ଅନ୍ୟପକ୍ଷରେ ପୂଜା ପାଇଁ ବଜାରରେ ମିଳୁଥିବା କଦଳୀ ଗଛ ମୂଲ୍ୟ ୫୦ଟଙ୍କାରୁ ଆରମ୍ଭ ହୋଇ ୧୦୦ଟଙ୍କା ଯାଏ ରହିଛି । ଗେଣ୍ଡୁହାର ୫୦ଟଙ୍କାରୁ ଆରମ୍ଭ ।