ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୦୨୪ ଲୋକସଭା ନିର୍ବାଚନ: ମୋଦିଙ୍କ ଲକ୍ଷ୍ୟ ତୃତୀୟ ପାଳି, ତିଷ୍ଠି ରହିବା ପାଇଁ ଲଢ଼ୁଛି କଂଗ୍ରେସ

ନୂଆଦିଲ୍ଲୀ,୧୮/୦୩: ଅଷ୍ଟାଦଶ ଲୋକସଭା ଗଠନ ପାଇଁ ନିର୍ବାଚନ ତାରିଖ ଇତିମଧ୍ୟରେ ଘୋଷଣା  ହୋଇଯାଇଛି । ଏପ୍ରିଲ ୧୯ ଓ ଜୁନ୍‌ ୧ ମଧ୍ୟରେ ୭ଟି  ପର୍ଯ୍ୟାୟରେ ମତଦାନ ହେବ । ସମସ୍ତ ଆସନ ପାଇଁ  ଜୁନ୍‌ ୪ରେ ଭୋଟ୍‌ ଗଣତି ହୋଇ ଫଳାଫଳ ପ୍ରକାଶ  ପାଇବ । ୧୯୫୧-୫୨ ପରଠାରୁ ଏହା ସର୍ବାଧିକ ଲମ୍ବା ଅବଧିର ସାଧାରଣ ନିର୍ବାଚନ ହେବ । ୧୯୫୧-୫୨ରେ  ୪ ମାସ ଧରି ନିର୍ବାଚନ ହୋଇଥିଲା । 

୨୦୨୪ ନିର୍ବାଚନରେ ମୋଦି ସରକାର ନିଜ  ତୃତୀୟ ପାଳିକୁ ନେଇ ଦମ୍ଭ ଧରିଛନ୍ତି । ଶାସକ ଦଳ  ବିଜେପି ଏକାକୀ ୩୭୦ ଆସନରେ ଜିତିବ ବୋଲି ଦାବି  କରିଛି । ସେହିଭଳି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ  ଏଥର ୪୦୦ ପାର୍‌ କରିବା ନେଇ ଖୋଦ ପ୍ରଧାନମନ୍ତ୍ରୀ  ମୋଦି କହୁଛନ୍ତି । କେନ୍ଦ୍ରରେ ଏନ୍‌ଡିଏ ୨୦୧୪ରୁ ଶାସନ  କରିଆସୁଛି । ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ  ପାଇଁ ଏଥର ‘କର ବା ମର’ ସ୍ଥିତି ଉପୁଜିଛି । ଲଗାତର ଦୁଇଟି ନିର୍ବାଚନରେ ପରାଜୟର କଟୂ ସ୍ୱାଦ ଚାଖିଆସୁଥିବା କଂଗ୍ରେସ ଏଥର ତିଷ୍ଠିରହିବା  ପାଇଁ ଲଢ଼ୁଛି । ୨୦୧୯ ନିର୍ବାଚନରେ ସର୍ବପୁରାତନ  ଦଳ ମାତ୍ର ୫୨ ଆସନରେ ସୀମିତ ରହିଯାଇଥିଲା । 

ମୋଦି ସରକାର ନିଜ କାର୍ଯ୍ୟକାଳ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥା ସାହସିକ ପଦକ୍ଷେପ  ନେଇଛନ୍ତି । ଯାହାକୁ ପାଥେୟ କରି ବିଜେପି ବିପୁଳ  ବିଜୟ ହାସଲ କରିବ ବୋଲି ଦୃଢ଼ୋକ୍ତି ବାଢ଼ିଛି ।  ମୋଦି ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦  ହଟାଇ ଦେଇଥିଲେ । ଏଥିସହ ଅଯୋଧ୍ୟାରେ ରାମ  ମନ୍ଦିର ନିର୍ମାଣ କରିଥିଲେ । ରାମ ମନ୍ଦିର ନିର୍ମାଣ ଦ୍ୱାରା  ବିଜେପି ଅଧିକରୁ ଅଧିକ ହିନ୍ଦୁ ଭୋଟ୍‌ ହାତେଇବା  ପାଇଁ ଲକ୍ଷ୍ୟ ରଖିଛି । ଏମିତି କି କେତେକ ଜନମତ  ସର୍ଭେରେ ମୋଦି ସରକାରଙ୍କ ପଲା ଭାରୀ ରହିବା  ନେଇ ଆକଳନ କରାଯାଇଛି । ନିର୍ବାଚନ ତାରିଖ  ଘୋଷଣା ପୂର୍ବରୁ ମୋଦି ସରକାର ତୃତୀୟ ବଡ଼  ମାଷ୍ଟରଷ୍ଟ୍ରୋକ୍‌ ଖେଳିଥିଲେ । ଦେଶବ୍ୟାପୀ ନାଗରିକତା  ସଂଶୋଧନ ଆଇନ (ସିଏଏ) ଲାଗୁ ପାଇଁ ଜାରି  କରିଥିଲେ ବିଜ୍ଞପ୍ତି । ଲୋକସଭା ନିର୍ବାଚନ ପୂର୍ବରୁ  ଦେଶରେ ସିଏଏ ଲାଗୁ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ  ଶାହ ସଂକଳ୍ପ ନେଇଥିଲେ । ତାହାକୁ ସେ ପୂରଣ  କରିଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ଏହାକୁ  ବିରୋଧ କରିଛନ୍ତି । 

୪୪ ଦିନ ଧରି ହେବାକୁ ଥିବା ନିର୍ବାଚନ  ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି ମଇଦାନରେ  ସବୁଠୁ ଲୋକପ୍ରିୟ ନେତା ବିବେଚିତ ହୋଇଛନ୍ତି।  ରବିବାରଠାରୁ ଦକ୍ଷିଣ ଭାରତରେ ତାଙ୍କର ପ୍ରଚାର ଅଭିଯାନ  ମଧ୍ୟ ଜୋରଦାର ହୋଇଛି । ଲଗାତର ତୃତୀୟ ପାଳି  ସରକାର ଗଢ଼ିବା ପାଇଁ ମୋଦି ଲକ୍ଷ୍ୟ ରଖିଛନ୍ତି । ଏହି  ଲକ୍ଷ୍ୟ ପୂରଣ ହେବା ଦ୍ୱାରା ସେ ଦେଶର ପ୍ରଥମ  ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ସମକକ୍ଷ  ହୋଇଯିବେ, ଯେ କି ଲଗାତର ତିନୋଟି ପାଳି  ପ୍ରଧାନମନ୍ତ୍ରୀ ରହିଥିଲେ । 

ସେପଟେ ବିରୋଧୀ ଦଳଙ୍କ ‘ଇଣ୍ଡିଆ’  ମେଣ୍ଟ ନିଜ ଶକ୍ତି ବଢ଼ାଇବା ପାଇଁ ଯଥାସାଧ୍ୟ  ଉଦ୍ୟମ ଚଳାଇଛି । କିନ୍ତୁ ପ୍ରଧାନମନ୍ତ୍ରୀ  ପଦକୁ ନେଇ ମେଣ୍ଟ କୌଣସି  ସିଦ୍ଧାନ୍ତରେ ପହଞ୍ଚି  ପାରିନାହିଁ । ମେଣ୍ଟ ମଧ୍ୟରେ ସମ୍ପର୍କ  ଏତେ ସୁଦୃଢ଼ ନ  ଥିବା ମଧ୍ୟ କେତେକ  ଘଟଣାରୁ ବୁଝାପଡ଼ିଛି । ନିକଟରେ ମେଣ୍ଟଠାରୁ ସମ୍ପର୍କ  ତୁଟାଇ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା  ନୀତୀଶ କୁମାର ଇତିମଧ୍ୟରେ ଏନ୍‌ଡିଏରେ ସାମିଲ  ହୋଇସାରିଛନ୍ତି । ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ପଶ୍ଚିମବଙ୍ଗର ସମସ୍ତ ୪୨ ଲୋକସଭା ଆସନରେ  ଏକାକୀ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଠାରେ  କଂଗ୍ରେସ କିଛି ଆସନରେ ଲଢ଼ିବା ପାଇଁ ଚାହୁଁଥିଲା  ବେଳେ ଟିଏମ୍‌ସି ରାଜି ହୋଇ ନ ଥିଲା । ଏଭଳି  କରି ଟିଏମ୍‌ସି ‘ଇଣ୍ଡିଆ’ ମେଣ୍ଟକୁ ଜୋରଦାର ଝଟ୍‌କା  ଦେଇଥିଲା । ସେହିଭଳି ପଞ୍ଜାବରେ ଆପ୍‌ ସମସ୍ତ ୧୩  ଲୋକସଭା ଆସନରେ ଲଢ଼ିବା ପାଇଁ ନିଷ୍ପତ୍ତି ନେଇ  କଂଗ୍ରେସକୁ ଝଟକା ଦେଇଥିଲା । ଏହାଦ୍ୱାରା ‘ଇଣ୍ଡିଆ’  ମେଣ୍ଟ ବି ଦୁର୍ବଳ ହୋଇଥିଲା । ଆଗାମୀ ଲୋକସଭା  ନିର୍ବାଚନ ଉଭୟ ଏନ୍‌ଡିଏ ଓ ‘ଇଣ୍ଡିଆ’ ମେଣ୍ଟ ପାଇଁ  ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବାକୁ ଯାଉଛି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.