ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ଖାଦ୍ୟ ନଷ୍ଟ: ଏକ ବୈଶ୍ୱିକ ସମସ୍ୟା

‘ଅନ୍ନାଦ୍‌ ଭବନ୍ତି ଭୂତାନି' । ଭଗବତ୍‌ ଗୀତାର ଏ ଶ୍ଳୋକାଂଶର ଅର୍ଥ ହେଉଛି- ଅନ୍ନ ବା ଖାଦ୍ୟ ହିଁ ସମସ୍ତ ପ୍ରାଣୀମାନଙ୍କର ଜୀବନର ଆଧାର । ସେଥିପାଇଁ ‘ଅନ୍ନ ବିହୁନେ ପିଣ୍ଡ ନାଶ' ବୋଲି କୁହାଯାଇଛି । ଜୀବଜଗତର ସର୍ବକାଳୀନ ଅତ୍ୟାବଶ୍ୟକ ପଦାର୍ଥ ଭିତରେ ସ୍ଥାନିତ ଖାଦ୍ୟ ପାଇଁ କେତେ ଯେ ଯୁଦ୍ଧ ହୋଇଛି ଇତିହାସ ତା'ର ସାକ୍ଷୀ । ଏ ମଣିଷ ଜାତି ପ୍ରତି ଯୁଗରେ ଖାଦ୍ୟ ବିହୁନେ ଲକ୍ଷ ଲକ୍ଷ ଲୋକ ମରିବାର ଦେଖିଛି । ବୈଜ୍ଞାନିକ ଅଗ୍ରଗତିର ସର୍ବୋଚ୍ଚ ଶିଖରରେ ପହଞ୍ଚିବାର ଦାବି ମଧ୍ୟରେ ଖାଦ୍ୟାଭାବଜନିତ ମୃତ୍ୟୁକୁ ମଣିଷ ଅଟକାଇ ପାରିନି ।

ଖାଦ୍ୟକୁ ଭାରତୀୟ ସଂସ୍କୃତିରେ ଦେବତାଙ୍କର ସ୍ଥାନ ଦିଆଯାଇଛି । ଥାଳିରେ ଖାଦ୍ୟ ଛାଡ଼ିବା ବା ଖାଦ୍ୟ ଫୋପାଡ଼ିବାକୁ ଲକ୍ଷ୍ମୀଙ୍କର ଅପମାନ ବୋଲି ଧରାଯାଏ । ଦିନେ ଉପାସ ରହିଗଲେ ତା'ପର ଦିନକୁ ଗୋଡ଼ ହାତ ଅଚଳ ହୋଇପଡ଼େ । ସେତେବେଳେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ପୃଥିବୀରେ ପ୍ରତିଦିନ ପଚିଶ ହଜାର ଲୋକ ଖାଦ୍ୟ ବିନା ମୃତ୍ୟୁବରଣ କରନ୍ତି । ପୃଥିବୀର ସବୁଠାରୁ ବଡ଼ ସମସ୍ୟା ହେଉଛି ଖାଦ୍ୟାଭାବ । ୧୦୦ କୋଟି ଲୋକ ଅତିଶୟ ଦାରିଦ୍ର‌୍ୟରେ ସଢ଼ୁଛନ୍ତି । କାଶ୍ୟପ ସଂହିତାରେ କୁହାଯାଇଛି- ଆରୋଗ୍ୟମ୍‌ ଭୋଜନାଧୀନମ୍‌, ଅର୍ଥାତ୍‌- ସ୍ୱାସ୍ଥ୍ୟ ଭୋଜନ ବା ଖାଦ୍ୟର ଅଧୀନ । ଖାଦ୍ୟ ନଥିଲେ ବିଭିନ୍ନ ରୋଗ ଜନ୍ମ ନେବା ସ୍ୱାଭାବିକ । କ୍ଷୁଧା ପୃଥିବୀର ୪୫ ପ୍ରତିଶତ ପିଲାଙ୍କର ମୃତ୍ୟୁର କାରଣ । ପ୍ରାୟ ୯୯ ନିୟୁତ ପିଲା ଖାଦ୍ୟର ଅଭାବ ଯୋଗୁଁ କୁପୋଷଣର ଶିକାର । ଖାଦ୍ୟର ଅଭାବ ଯୋଗୁଁ ପୃଥିବୀରେ ପନ୍ଦର କୋଟି ଛୁଆଙ୍କର ଶାରୀରିକ ବିକାଶ ହୋଇନପାରି ଅଟକି ଯାଉଛି ।ଏପରି ବିକଳ ପରିସ୍ଥିତିରେ ସାରା ପୃଥିବୀରେ ଯେପରି ଖାଦ୍ୟ ନଷ୍ଟ ହେଉଛି ତାହା ଅବିଶ୍ୱସନୀୟ ।

ସଂଯୁକ୍ତ ରାଷ୍ଟ୍ର ପର୍ଯ୍ୟାବରଣ କାର୍ଯ୍ୟକ୍ରମର ଫୁଡ୍‌ ୱେଷ୍ଟ ଇଣ୍ଡେକ୍ସ, ୨୦୨୪ ରିପୋର୍ଟ ଅନୁସାରେ, ପ୍ରତିଦିନ ଖାଇବା ଯୋଗ୍ୟ ୨୦ ପ୍ରତିଶତ ଖାଦ୍ୟ ଫିଙ୍ଗାଯାଏ । ଅର୍ଥାତ୍‌- ପ୍ରତିଦିନ ପ୍ରାୟ ୧୦୦ କୋଟି ଲୋକଙ୍କର ଖାଦ୍ୟ ନଷ୍ଟ ହେଉଛି । ୨୦୨୨ ମସିହାର ହିସାବ ଅନୁସାରେ, ବର୍ଷକୁ ପ୍ରାୟ ୧୦୫.୨ କୋଟି ଟନ୍‌ ଖାଦ୍ୟ ଫୋପଡ଼ା ଯାଉଛି ।

ଏହାର ଅର୍ଥ- ପ୍ରତିବର୍ଷ ବ୍ୟକ୍ତି ପିଛା ହାରାହାରି ୧୩୨ କିଲୋଗ୍ରାମ୍‌ର ଖାଦ୍ୟ ଫୋପଡ଼ା ଯାଉଛି ।

ସେହିପରି ଖାଦ୍ୟସେବା କ୍ଷେତ୍ରରେ ପ୍ରାୟ ୪୩ କୋଟି ଟନ୍‌ ଖାଦ୍ୟ ନଷ୍ଟ ହେଉଛି । ଜାତିସଂଘ ସଂସ୍ଥା ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଫସଲ ଅମଳରୁ ଖାଇବା ପର୍ଯ୍ୟନ୍ତ ଖାଦ୍ୟ ଯୋଗାଣ ଶୃଙ୍ଖଳରେ ମୋଟ୍‌ ଉତ୍ପାଦନର ୧୩ ଭାଗ ନଷ୍ଟ ହେଉଛି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଘରୁ ନଷ୍ଟ ହେଉଥିବା ଖାଦ୍ୟ ମୋଟ୍‌ ନଷ୍ଟ ହେଉଥିବା ଖାଦ୍ୟର ଷାଠିଏ ଭାଗ, ପ୍ରାୟ ୬୩ କୋଟି ଟନ୍‌ । ଏହା କୌଣସି ବିଚାରଶୀଳ ପରିବାରଠୁ ଆଶା କରାଯାଏନି । ଖାଦ୍ୟ ନଷ୍ଟ ଘରର ରନ୍ଧା ଓ ପରଷା ଦାୟିତ୍ୱରେ ଥିବା ସଦସ୍ୟଙ୍କର ବେପରବାୟ ମନୋବୃତ୍ତି ଏବଂ ଦାୟିତ୍ୱହୀନତାକୁ ପ୍ରମାଣ କରେ । ଘରୁ ନଷ୍ଟ ହେଉଥିବା ଖାଦ୍ୟର ଏହି ପରିମାଣକୁ ଦେଖିଲେ ସାଧାରଣ ମଣିଷ ମନରେ କଷ୍ଟ ଅନୁଭବ ହୁଏ । ଟିକିଏ ସାବଧାନ ଓ ସଜାଗ ରହିଲେ ଏହି ନଷ୍ଟକୁ ହ୍ରାସ କରାଯାଇ ପାରନ୍ତା । ନଷ୍ଟର ଏହି ଧାରା କେବଳ ଉନ୍ନତ ବିକଶିତ ଦେଶରେ ହେଉନି, ମଧ୍ୟମ ଆୟ ଓ ଅନୁନ୍ନତ ଦେଶରେ ଏହା ଅଧିକ ହେଉଛି । ଆମ ଦେଶରେ ବିଭିନ୍ନ ସାମାଜିକ ଓ ପାରିବାରିକ ଉତ୍ସବରେ ଶହେ ପ୍ରକାରର ଖାଦ୍ୟ କରିବା ବର୍ତ୍ତମାନ ସାମାଜିକ ପ୍ରତିଷ୍ଠାର ପରିଚାୟକ ବୋଲି ଧରାଯାଏ । ବାହାଘର ଭୋଜିରେ ଲୋକ ଅନାବଶ୍ୟକ ଭାବେ ବହୁତ ପରିମାଣର ଖାଦ୍ୟ ଆଣି ଫିଙ୍ଗିବା ସାଧାରଣ କଥା । ବହୁତ ଅଧିକ ପ୍ରକାର ବ୍ୟଞ୍ଜନ ହେଉଥିବାରୁ ଅନେକ ପ୍ରକାର ଖାଦ୍ୟ ପାଖକୁ ଲୋକ ଯାଆନ୍ତିନି ।

ଖାଦ୍ୟ ନଷ୍ଟ କେବଳ ଖାଦ୍ୟନଷ୍ଟ, ଖାଦ୍ୟାଭାବ, ଖାଦ୍ୟ ସୁରକ୍ଷାର ଅଭାବ ଇତ୍ୟାଦିରେ ସୀମିତ ନୁହେଁ । ଏହା କୃଷକର ଅକ୍ଳାନ୍ତ ପରିଶ୍ରମ ଓ ତାର ଭାବାବେଗ ପ୍ରତି ଅସମ୍ମାନ । ବର୍ଷସାରା ଖରାବର୍ଷା ସହି, ମାଟି ସହିତ ମାଟି ହୋଇ ଯେଉଁ ଲୋକଟି ସାରା ସଂସାରକୁ ଖାଦ୍ୟ ଯୋଗାଏ ତା'ର ସେ କାମର ସମ୍ମାନ ନଦେଲେ ନାହିଁ । ହେଲେ ଏତେ ଅସମ୍ମାନ କରିବାର ଅଧିକାର ରହିବା ଅନୁଚିତ । ଖାଦ୍ୟ ନଷ୍ଟର ଏକ ବଡ଼ ନକାରାତ୍ମକ ପ୍ରଭାବ ପରିବେଶ ଉପରେ ପଡ଼ୁଛି । ଏହା ୮ରୁ ୧୦ ପ୍ରତିଶତ ସବୁଜ ବାଷ୍ପ ସୃଷ୍ଟି କରୁଛି, ଯାହା ଉଡ଼ାଜାହାଜ କ୍ଷେତ୍ରରେ ହେଉଥିବା ସବୁଜ ବାଷ୍ପ ନିର୍ଗମର ପାଞ୍ଚ ଗୁଣରୁ ଅଧିକ । ଏହା ସହିତ ଜୈବବିବିଧତାର ଭାରି କ୍ଷତି ଘଟୁଛି । ଏହା ଚାଷଜମି ଓ ଚାଷୀ ଉପରେ ଚାପ ସୃଷ୍ଟି କରୁଛି । ଏତଦ୍‌ ବ୍ୟତୀତ ରନ୍ଧନ ପ୍ରକ୍ରିୟାରେ ବ୍ୟବହୃତ ଜାଳେଣି ଗ୍ୟାସ୍‌ ବା ଅନ୍ୟାନ୍ୟ ଇନ୍ଧନ, ପାଣି, ମସଲା, ତେଲ ଇତ୍ୟାଦିର ନଷ୍ଟ ବହୁଳ ଭାବରେ ହେଉଛି । ଏହାର ଅନ୍ୟ ଏକ ନକାରାତ୍ମକ ଦିଗ ହେଉଛି ଆର୍ଥିକ କ୍ଷତି । ଖାଦ୍ୟନଷ୍ଟ ଦ୍ୱାରା ବିଶ୍ୱକୁ ବାର୍ଷିକ ପ୍ରାୟ ଏକଲକ୍ଷ ଡଲାରର ଆର୍ଥିକ କ୍ଷତି  ସହିବାକୁ ପଡୁଛି ।

ଖାଦ୍ୟନଷ୍ଟ ଏକ ମାନସିକତା । ବଳକା ଖାଦ୍ୟକୁ ଖାଦ୍ୟାଭାବର ଶିକାର ଲୋକଙ୍କୁ ବାଣ୍ଟିନଦେଇ ଫିଙ୍ଗି ଦିଆଯିବା କଷ୍ଟଦାୟକ । ଏଥିପାଇଁ ପ୍ରଥମ ପଦକ୍ଷେପର ଆବଶ୍ୟକ ପରିବାର ସ୍ତରରେ । ଅଧିକ ଖାଦ୍ୟ ରାନ୍ଧିବା ଓ ବାଢ଼ିବାକୁ ନିୟନ୍ତ୍ରଣ କରାଯିବା ଉଚିତ । ଆଧୁନିକ ଯୁଗରେ ଖାଦ୍ୟ ସଂରକ୍ଷଣର ଅନେକ ମାଧ୍ୟମ ଆସିଲାଣି । ଭବିଷ୍ୟତର ବ୍ୟବହାର ପାଇଁ ଖାଦ୍ୟ ସଂରକ୍ଷଣ କରାଯାଇ ପାରିବ । ସହରମାନଙ୍କରେ ଗଣଭୋଜନର ଆୟୋଜନ ହେଉଛି । ଏହାଛଡ଼ା କିଛି ବେସରକାରୀ ସଂସ୍ଥା ବଳକା ଖାଦ୍ୟ ସଂଗ୍ରହ କରି ଅନାଥାଶ୍ରମ ବା ସହର ତଳି ବସ୍ତିମାନଙ୍କରେ ବାଣ୍ଟୁଛନ୍ତି । ସେମାନଙ୍କୁ ମଧ୍ୟ ବଳକା ଖାଦ୍ୟ ଦିଆଯାଇପାରିବ । ନାଳନର୍ଦ୍ଦମାରେ ଖାଦ୍ୟ ଭସାଇ ନଦେଇ ନିଜ ଘରର ଆଖପାଖରେ ଥିବା ଲୋକ କିମ୍ବା ଜୀବଜନ୍ତୁଙ୍କ ଭୋକ ସେହି ଖାଦ୍ୟରେ ମେଣ୍ଟାଇ ହେବ ।

ସବୁ କାମ ସରକାର କରିବେ ବୋଲି ଭାବିଲେ ଚଳିବନି । ମଣିଷ ବିଚାରବନ୍ତ । ଖାଲି ପେଟରେ ଛୋଟ ଜୀବଟିଏ ରହିଲେ ଆମକୁ କଷ୍ଟ ହେବା କଥା । ଆମର ସମ୍ବେଦନଶୀଳତା ଓ ସମବେଦନା ରହିବା ଆବଶ୍ୟକ । ବଳି ପଡ଼ିଥିବା ଖାଦ୍ୟ ଯଦି ଖାଇବାଯୋଗ୍ୟ ନଥାଏ, ତେବେ ତାକୁ ଫିଙ୍ଗିନଦେଇ ଖତ ରୂପରେ ବା ଶକ୍ତି ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରିବ ।  ଦୁଃଖର କଥା, ଲୋକମାନେ ଏହା ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି । ସେମାନଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି । ଏହା ବ୍ୟତୀତ ଖାଦ୍ୟ ପୁନଃ ପ୍ରକ୍ରିୟାକରଣକୁ ଏକ ବ୍ୟାବସାୟିକ ବ୍ୟବସ୍ଥାରେ ପରିଣତ କରିବା ଦରକାର । ସାମାଜିକ, ଅର୍ଥନୈତିକ ଓ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ପାଇଁ ପାଣ୍ଠିର ଆବଶ୍ୟକତା ରହିଛି । 

ଆହାରଃ ପ୍ରାଣିନଃ ସଦ୍ୟା ବଳକୃଦ୍ଦେହଧାରକଃ/ ଆୟୁସ୍ତେଜଃ ସମୁତ୍ସାହସ୍ମୃତ୍ୟାଜାଦଗ୍ନିବିବର୍ଦ୍ଧନଃ । ଅର୍ଥାତ୍‌- ସମସ୍ତ ରୋଗକୁ ପ୍ରତିରୋଧ କରିବା ପାଇଁ ଖାଦ୍ୟ ମହୌଷଧି । ଶକ୍ତି ଓ ବଳ ଲାଭ ପାଇଁ ଖାଦ୍ୟ ନିତାନ୍ତ ଆବଶ୍ୟକ ।  ଏହାଛଡ଼ା ଖାଦ୍ୟ ଆୟୁ, ତେଜ, ଉତ୍ସାହ, ସ୍ମୃତିଶକ୍ତି ତଥା ପାଚନଶକ୍ତି ବୃଦ୍ଧିରେ ସାହାଯ୍ୟ କରିଥାଏ । ଖାଦ୍ୟପ୍ରାପ୍ତି ପୃଥିବୀମାତାର ପ୍ରତି ସନ୍ତାନର ଅଧିକାର । ଏହି ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ବିଶ୍ୱର ଅର୍ଦ୍ଧାଧିକ ରାଷ୍ଟ୍ର ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ତଥାପି ଖାଦ୍ୟ ସୁରକ୍ଷା ଆଜି ବି ଢେର୍‌ ଦୂରରେ । ଖାଦ୍ୟ ପାଇଁ ଲୋକ ମରିବା ଆଧୁନିକ ସଭ୍ୟ ସମାଜ ପାଇଁ ଲଜ୍ଜା । ମିଳିତ ଜାତିସଂଘର ସତତ ବିକାଶ ଲକ୍ଷ୍ୟ ଅନ୍ତର୍ଗତ ୨୦୩୦ ସୁଦ୍ଧା କ୍ଷୁଧାଶୂନ୍ୟ ବିଶ୍ୱ ପରିକଳ୍ପନା ଅପହଞ୍ଚ ମନେହୁଏ । ଖାଦ୍ୟନଷ୍ଟକୁ ରୋକାଯିବା ଆବଶ୍ୟକ । ଏଥିପାଇଁ ସବୁ ଦେଶ ନିୟମ ପ୍ରଣୟନ କରିବା ଉଚିତ । ଖାଦ୍ୟାଧିକର ଆଶୀର୍ବାଦ ପାଇଥିବା ମଣିଷ ଅନ୍ୟ ପେଟର ଜ୍ୱାଳା ଅନୁଭବ କରିବା ଆବଶ୍ୟକ । ତାହେଲେ ଯାଇ ଏକ କ୍ଷୁଧାମୁକ୍ତ ବିଶ୍ୱ ସମ୍ଭବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.