ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁନା ଦରରେ ଲାଗୁନି ବ୍ରେକ୍‌: ୬୯,୦୦୦ ଟଙ୍କା ଟପିଲା ମୂଲ୍ୟ

ନୂଆଦିଲ୍ଲୀ,୦୨/୦୪: ସୁନା ଦର କମିବାର ନାଁ ଧରୁନି । କ୍ରମାଗତ ଭାବେ ଏହି ଧାତୁ ନୂଆ ରେକର୍ଡ କରିଚାଲିଛି । ବର୍ତ୍ତମାନ  ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୭୦,୦୦୦ ଟଙ୍କା ନିକଟତର ହୋଇଗଲାଣି । 

ସୋମବାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୬୯,୦୦୦ ସ୍ତର ଅତିକ୍ରମ କରି ୬୯,୩୮୦ ଟଙ୍କା ହୋଇଛି । ଏଥିରେ ୯୩୦ ଟଙ୍କାର ବୃଦ୍ଧି ଦେଖିବାକୁ ମିଳିଛି । ସେହଭିଳି ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌ ସୁନା ଦର ୮୫୦ ଟଙ୍କା ବଢି ୬୩,୬୦୦ ଟଙ୍କା ହୋଇଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ଦାମ ୬୦୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ଏହା ୮୧,୬୦୦ ଟଙ୍କାରେ ପହଞ୍ଚିଛି ।

ଏ ବର୍ଷ ସୁନା ଦର ୭୫,୦୦୦ ଟଙ୍କା ଛୁଇଁବା ନେଇ ଆକଳନ କରିଛନ୍ତି ବଜାର ବିଶେଷଜ୍ଞ । ବର୍ଦ୍ଧିତ ଚାହିଦା ଏବଂ ଭୁ-ରାଜନୈତିକ ଅନିଶ୍ଚିତତା ମଧ୍ୟରେ ଦର ରକେଟ୍‌ ବେଗରେ ବଢ଼ିଚାଲିଛି । ଗତ ୬ ମାସରେ ଏହା ୧୧,୦୦୦ ଟଙ୍କା ମହଙ୍ଗା ହୋଇଗଲାଣି । ସୂଚନାଯୋଗ୍ୟ, ଭୁ-ରାଜନୈତିକ ସମସ୍ୟା ତେଜିଲେ ଇକ୍ୱିଟି ବଜାରରେ ଅସ୍ଥିରତା ଦେଖାଦିଏ । ତେଣୁ ଲୋକେ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମଣିଥାନ୍ତି । ଏହା ଦରକୁ ବଢ଼ାଇଥାଏ ।

ଏ ପରିପ୍ରେକ୍ଷୀରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମଜୀ କହିଛନ୍ତି, ସୁନା ଦର ଏବେ ଐତିହାସିକ ସ୍ତରରେ ପହଞ୍ଚିଛି । ଏହା ସତ୍ତେ୍ୱ ଗତ ସପ୍ତାହରେ ସୁନା ବିକ୍ରି ଧାରାରେ ଉତ୍ସାହଜନକ ବୃଦ୍ଧି ଦେଖିବାକୁ ମିଳିଛି । ଏହା ଗତବର୍ଷ ସମାନ ସମୟ ତୁଳନାରେ ପ୍ରାୟ ୨୫% ବୃଦ୍ଧିକୁ ଦର୍ଶାଉଛି । ସୁନା ଦରରେ ଏହି ଅଭୂତପୂର୍ବ ସ୍ତର ସତ୍ତେ୍ୱ ଗ୍ରାହକ ଏ ଧାତୁକୁ ଏକ ଲାଭଦାୟକ ନିବେଶ ବିକଳ୍ପ ଭାବେ ଦେଖୁଛନ୍ତି । ବିବାହ ଋତୁ ଆରମ୍ଭ ହେବାକୁ ଥିବାବେଳେ ଓ ଆସନ୍ତା ତ୍ରୈମାସରେ ଅକ୍ଷୟ ତୃତୀୟା ଥିବାରୁ ଉକ୍ତ ସମୟରେ ସୁନା ଗହଣା କ୍ରୟରେ ବୃଦ୍ଧି ଘଟିବ । ସୁନା ଦରର ଏହି ବୃଦ୍ଧି ଧାରା କେବଳ ନିବେଶକଙ୍କ ଦୃଷ୍ଟି ଆକର୍ଷଣ କରିନାହିଁ ବରଂ ବଜାରକୁ ମଧ୍ୟ ଆଶାବାଦୀ କରିଛି  । ଆମେ ଏକ ନିରନ୍ତର ସୁନା ଚାହିଦା ଆଶା କରୁଛୁ । ଭବିଷ୍ୟତର ବିକ୍ରୟ ଏବଂ ଗ୍ରାହକ ଓ ଶିଳ୍ପ ପାଇଁ ଏକ ସମୃଦ୍ଧ ଋତୁକୁ ନେଇ ଆମେ ଆଶାବାଦୀ ବୋଲି ସେ କହିଛନ୍ତି ।

କମୋଡିଟି ବଜାର ବିଶେଷଜ୍ଞମାନଙ୍କ କହିବାନୁସାରେ, ୨୦୨୪-୨୫ ଆର୍ଥିକବର୍ଷ ସୁନା ଦରରେ ବୃଦ୍ଧି ଧାରା ଜାରି ରହିବ ।  ଏହାର ଏକ ପ୍ରମୁଖ କାରଣ ହେଉଛି ଆମେରିକା ଫେଡେରାଲ ରିଜର୍ଭର ମୁଦ୍ରାନୀତି ପଦକ୍ଷେପ । ଫେଡେରାଲ ରିଜର୍ଭ ଇତିମଧ୍ୟରେ ସଂକେତ ଦେଇଛି ଯେ, ଏହା ୨୦୨୪ରେ ପ୍ରମୁଖ ସୁଧ ହାରରେ ୩ଟି ହ୍ରାସ କରିପାରେ । ୨୦୨୪-୨୫ ଆର୍ଥିକବର୍ଷର ପ୍ରଥମ ୩ଟି ତ୍ରୟମାସରେ ଏହି ହ୍ରାସ କରାଯାଇପାରେ । ଫେଡେରାଲ ରିଜର୍ଭର ଏ ବିବୃତି ସୁନାକୁ ଅଧିକ ମଜଭୁତ କରୁଛି । 

ସୁନା ଦର ବଢ଼ିବାର ଆହୁରି ଅନେକ କାରଣ ରହିଛି । ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଆଶଙ୍କା, ଆଗାମୀ ବିବାହ ଋତୁ ଯୋଗୁ ଚାହିଦା ବୃଦ୍ଧି, ବିଶ୍ୱର ବିଭିନ୍ନ ପ୍ରାନ୍ତରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଚୁର ମାତ୍ରାରେ ସୁନା କ୍ରୟ ଆଦି ଯୋଗୁ ଏହି ଧାତୁ ଦର ବଢୁଛି । 

ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍‌ର ମୁଖ୍ୟ (କମୋଡିଟି ଏବଂ କରେନ୍ସି) ଅନୁଜ ଗୁପ୍ତା କୁହନ୍ତି, ଫେଡେରାଲ ରିଜର୍ଭର ବିବୃତି ଅନ୍ତର୍ଜାତୀୟ ସୁନା ବଜାର ପାଇଁ ସକାରାତ୍ମକ ରହିଛି । ଗୁପ୍ତାଙ୍କ କହିବାନୁସାରେ, ଆମେରିକା ଫେଡେରାଲ ରିଜର୍ଭର ମୁଦ୍ରାନୀତି ପଦକ୍ଷେପ ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ନିବେଶକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । 

ସେ ଆହୁରି କହିଛନ୍ତି ଯେ, ଯଦି ଫେଡେରାଲ ରିଜର୍ଭ ଏହାର ଆଗାମୀ ବୈଠକରେ ସୁଧ ହାର କମାଏ ତେବେ  ୨୦୨୪ ସେପ୍ଟେମ୍ବର ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ସୁନା ଦର ୨,୩୫୦ ଡଲାର ଛୁଇଁପାରେ । ସମ୍ପ୍ରତି ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଏବଂ କେନ୍ଦ୍ରୀୟ ବ୍ୟାଙ୍କ ବିଶେଷ କରି ଚୀନ୍‌ ଦ୍ୱାରା ଅତ୍ୟଧିକ ମାତ୍ରାରେ ସୁନା କ୍ରୟ ଦରକୁ ବଢାଉଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.