ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ପୁରୀରେ ଭିନ୍ନକ୍ଷମ ହରିହର ହତ୍ୟା ମାମଲା: ପ୍ରତିଶୋଧ ନେଇ ଜେଲ୍‌ରେ ବାପପୁଅ, ଜୁଭେନାଇଲ୍‌ ହୋମ୍‌ ଗଲେ ୭ ନାବାଳକ

ପୁରୀ,୨୨/୦୮: ଭିନ୍ନକ୍ଷମ ହରିହର ସାହୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ୯ ଜଣଙ୍କୁ ଗିରଫ କରିଛି ଟାଉନ୍‌ ଥାନା ପୁଲିସ । ଏହି ହତ୍ୟା  ମାମଲାରେ ବାପପୁଅଙ୍କୁ ଜେଲ୍‌ ପଠାଯାଇଥିବା ବେଳେ ୭ ନାବାଳକଙ୍କୁ ଜୁଭେନାଇଲ୍‌ ହୋମ୍‌  ପଠାଯାଇଛି । ଗିରଫ ବାପପୁଅ ହେଲେ  ମାର୍କଣ୍ଡେଶ୍ୱର ସାହି ରାଧାଗୋବିନ୍ଦ ଲେନ୍‌ର  ଖଜା ବ୍ୟବସାୟୀ ବିଜୟ ଖୁଣ୍ଟିଆ(୪୫) ଓ  ତାର ବଡ଼ପୁଅ ରାକେଶ କୁମାର ଖୁଣ୍ଟିଆ(୨୦)  । ଅଭିଯୁକ୍ତଙ୍କଠାରୁ ପୁଲିସ ହତ୍ୟାକାଣ୍ଡରେ  ବ୍ୟବହୃତ ଗୋଟିଏ ଖଣ୍ଡା, ୨ଟି କଟୁରି ଓ  ଏକ ଚାପଡ଼ ଜବତ କରିଛି ବୋଲି ବୁଧବାର  ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ପିନାକ  ମିଶ୍ର ସୂଚନା ଦେଇଛନ୍ତି । ଏହି ହତ୍ୟାକାଣ୍ଡ  ପଛର ଖଜା ବ୍ୟବସାୟରୁ ଶତ୍ରୁତା ଏବଂ  ପରେ ପ୍ରତିଶୋଧରୁ ଘଟିଥିବା ଏସ୍‌ପି ଶ୍ରୀ  ମିଶ୍ର କହିଛନ୍ତି । ଏହି ମାମଲାରେ ମୋଟ  ୧୧ ଜଣ ସମ୍ପୃକ୍ତ ଥିବା ବେଳେ ଆଉ ୨ ଜଣ  ନାବାଳକ ଏବେବି ଫେରାର୍‌ ଥିବା ଜଣାପଡ଼ିଛି ।  

ଗତ ୮ ତାରିଖରେ ଖଜା ବ୍ୟବସାୟୀ  ବିଜୟ ଖୁଣ୍ଟିଆର ସାନପୁଅ ଦୀନେଶ(୧୮) ଙ୍କୁ ହତ୍ୟା କରାଯାଇଥିଲା । ହରିହରଙ୍କ  ପୁଅ ପ୍ରଦୀପ୍ତ ସାହୁ ଓରଫ କାହ୍ନା ଓ ତା’  ସହଯୋଗୀମାନେ ଏହି ହତ୍ୟାକାଣ୍ଡ ରଚିଥିଲେ ।  ସେହି ମାମଲାରେ କାହ୍ନା ଓ ତା’ ୩ ଜଣ  ସହଯୋଗୀ ମୋଟ ୪ ଜଣ ଜେଲ୍‌ ଯାଇଥିବା  ବେଳେ ଜଣେ ନାବାଳକ ଜୁଭେନାଇଲ୍‌ ହୋମ୍‌  ପଠାଯାଇଥିଲା । ଏହାପରେ ଦୀନେଶଙ୍କ  ବାପା ଓ ଭାଇ ପ୍ରତିଶୋଧ ନେବାକୁ ଯୋଜନା  କରିଥିଲେ । ୯ ଜଣ ନାବାଳକଙ୍କ ସହଯୋଗ  ନେଇ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ୍‌ । ଦୀନେଶ  ହତ୍ୟାକାଣ୍ଡର ଠିକ୍‌ ୧୨ ଦିନ ପରେ ଗତ ୧୯  ତାରିଖ ସନ୍ଧ୍ୟାରେ କାହ୍ନାର ବାପା ହରିହର  ଖାଜିଆ ସାହୁଙ୍କ ଖଜା ଦୋକାନରୁ ଘରକୁ  ଫେରୁଥିବା ବେଳେ ତାଙ୍କୁ ବାଟରେ ଖଣ୍ଡା, କଟୁରି  ଓ ଚାପଡ଼ରେ ହାଣି ହତ୍ୟା କରାଯାଇଥିଲା ।  ନାବାଳକମାନେ ହତ୍ୟା ସମୟର ବୀଭତ୍ସ  ଦୃଶ୍ୟକୁ ମୋବାଇଲ୍‌ରେ ରେକର୍ଡ କରି  ପରେ ଭାଇରାଲ୍‌ କରିଥିଲେ । ପୁଲିସ  ପ୍ରଥମେ ବାପପୁଅଙ୍କୁ ଉଠାଇ ନେଇଥିଲା ।  ପରେ ଅନ୍ୟମାନଙ୍କୁ ଗିରଫ କରିଥିଲା ।  

ପୁଲିସ ଗିରଫ କରିଥିବା ୯ ଜଣ ଯାକ  ପୂର୍ବରୁ ଏକାଧିକ ମାମଲାରେ ଜଡ଼ିତ ଥିବା  ପୁଲିସ ସୂଚନା ଦେଇଛି । ଏହି ହତ୍ୟା ମାମଲା  ପୂର୍ବରୁ ବିଜୟ ବିରୋଧରେ ଗୋଟିଏ ଓ  ରାକେଶ ବିରୋଧରେ ୯ଟି ମାମଲା ରହିଛି ।  ନାବାଳକଙ୍କ ମଧ୍ୟରୁ ୩ ଜଣଙ୍କ ବିରୋଧରେ  ଗୋଟିଏ ଲେଖାଏଁ, ୨ ଜଣଙ୍କ ବିରୋଧରେ  ୨ଟି ଲେଖାଏଁ, ଜଣଙ୍କ ବିରୋଧରେ ୩ଟି  ଓ ଅନ୍ୟ ଜଣଙ୍କ ବିରୋଧରେ ୮ଟି ମାମଲା  ରହିଥିବା ପୁଲିସ ରେକର୍ଡରୁ ଜଣାପଡ଼ିଛି ।  ଫେରାର୍‌ ଥିବା ୨ ଜଣ ନାବାଳକ ଧରାପଡ଼ିବା  ପରେ ସେମାନଙ୍କ କ୍ରାଇମ୍‌ ହିଷ୍ଟ୍ରି ଜଣାପଡ଼ିବ  ବୋଲି କହିଛନ୍ତି ଟାଉନ୍‌ ଥାନା ଆଇଆଇସି  ସୁନୀଲ ପ୍ରଧାନ । ଅନ୍ୟପଟେ ମୃତ ହରିହର  ମଧ୍ୟ ବହୁ ମାମଲାରେ ଜଡ଼ିତ ଥିବା ପୁଲିସ  କହିଛି । ସେ ୨୦୦୦ ମସିହାରେ ବୋମା  ଭିଡ଼ୁଥିବା ବେଳେ ବିସ୍ଫୋରଣ ହୋଇ  ୨ ପାପୁଲି ହରାଇଥିବା ପୁଲିସ କହିଛି । 

ହରିହର ଓ ବିଜୟଙ୍କ ପରିବାର ମଧ୍ୟରେ  ବହୁ ପୂର୍ବରୁ ବିବାଦ ଥିଲା । ଖଜା ବ୍ୟବସାୟକୁ  କେନ୍ଦ୍ର କରି ବିବାଦ ବଢ଼ିଥିବା ବେଳେ  ଆକ୍ରମଣ ଓ ପ୍ରତିଆକ୍ରମଣ ନେଇ ପୂର୍ବରୁ  ମାମଲା ମଧ୍ୟ ରୁଜୁ ହୋଇଥିଲା ବୋଲି କହିଛନ୍ତି  ଏସ୍‌ପି । ଏତେ ସଂଖ୍ୟକ ନାବାଳକ ଏତେ  ବଡ଼ ଅପରାଧ ଘଟାଇବା ପରେ ଚିନ୍ତାବ୍ୟକ୍ତ  କରିଛନ୍ତି ଏସ୍‌ପି ଶ୍ରୀ ମିଶ୍ର । ନାବାଳକଙ୍କୁ  ଅପରାଧଠାରୁ ଦୂରେଇ ରହିବା ପାଇଁ ଫୋକସ୍‌  ଦେବାକୁ ସମୟ ଆସିଥିବା ସେ କହିଛନ୍ତି ।

ଅପରାଧରେ ଜଡ଼ିତ ନାବାଳକଙ୍କ ତାଲିକା ପ୍ରସ୍ତୁତ ହେବ

 ଅପରାଧରେ ଜଡ଼ିତ ଥିବା ନାବାଳକଙ୍କ ତାଲିକ ପ୍ରସ୍ତୁତ ହେବ । ଜିଲ୍ଲାର ସମସ୍ତ ଥାନା ପୁଲିସ ନିଜ ନିଜ  ଅଞ୍ଚଳରେ ଥିବା ବାଳ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିବା ପରେ ସେମାନଙ୍କୁ ସଚେତନ କରାଯିବ ।  ସିଡବ୍ଲୁସି, ଶିଶୁ ସୁରକ୍ଷା ୟୁନିଟ୍‌ ତଥା ଶିଶୁ ସୁରକ୍ଷା ଅଧିକାରୀ, ବୁଦ୍ଧିଜୀବୀ, ଏନ୍‌ଜିଓ, ଅଭିଭାବକ ଓ  ପୁଲିସ ସହଯୋଗରେ ଏହି ବାଳ ଅପରାଧୀଙ୍କୁ ଅପରାଧ ଏବଂ ନିଶାଠାରୁ ଦୂରେଇ ରହିବାକୁ ସଚେତନ  କରାଯିବ ବୋଲି କହିଛନ୍ତି ଏସ୍‌ପି । ଏହା ଫଳରେ ସମାଜର ମୁଖ୍ୟ ସ୍ରୋତରେ ଏହି ନାବାଳକମାନେ  ସାମିଲ୍‌ ହୋଇ ପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଏସ୍‌ପି ଶ୍ରୀ ମିଶ୍ର । 

ପୁଲିସକୁ ଚ୍ୟାଲେଞ୍ଜ୍‌ ଦେଇ ମାରିଦେଲେ

 ଦୀନେଶ ଖୁଣ୍ଟିଆ ହତ୍ୟାକାଣ୍ଡ ପରେ ପ୍ରତିଶୋଧ ନେବାକୁ ଖୁଲମ୍‌ଖୁଲ୍ଲା ଚ୍ୟାଲେଞ୍ଜ୍‌ ଦେଇଥିଲେ ଅଭିଯୁକ୍ତ ।  ମୁଣ୍ଡ ଗଡ଼ାଇବାକୁ ଯୋଜନା ଚାଲିଥିବା ବେଳେ ଖବର ପାଇଥିଲା ପୁଲିସ । ହରିହରଙ୍କ ପରିବାର ସହ ପୁଲିସ  ଯୋଗାଯୋଗରେ ଥିଲା । ତଥାପି ଅଭିଯୁକ୍ତ ହରିହରଙ୍କୁ ହତ୍ୟା କଲେ । ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିଲା  ପୁଲିସ । ତେବେ ଦ୍ୱିତୀୟ ହତ୍ୟାକାଣ୍ଡ ପରେ ଗ୍ୟାଙ୍ଗ୍‌ ୱାର୍‌ ଆଶଙ୍କା ଥିବାରୁ କଡ଼ା ନଜର ରଖାଯାଇଥିବା ପୁଲିସ କହିଛି । 

ହତ୍ୟାକାଣ୍ଡର ରହସ୍ୟ 

ଉତ୍ତର ପାଶ୍ୱର୍ ମଠ ପାଖରେ ଉଭୟ ଗୋଷ୍ଠୀଙ୍କ ଖଜା ଦୋକାନ ରହିଛି । ଉଭୟ ଗୋଷ୍ଠୀର ମୃତକ ଓ ଅଭିଯୁକ୍ତ  ତଥା ନାବାଳକମାନେ ଖଜା ଦୋକାନରେ କାମ କରନ୍ତି । ବ୍ୟବସାୟ ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ  ବିବାଦ ଥିଲା । ଅନେକ ସମୟରେ ଖଜାର ଓଜନ ନେଇ ଠକେଇ ହେଉଥିବା ଅଭିଯୋଗ ହୁଏ । ୧ କେଜି  ଓଜନର ଖଜାର ପ୍ରକୃତରେ ୭ ଶହରୁ ୮ ଶହ ଗ୍ରାମ୍‌ ହୋଇଥାଏ । କେତେକ ଖଜା ଦୋକାନରେ ଏଭଳି  ଠକେଇ କରାଯାଇଥାଏ । ପ୍ରତି କେଜିରେ ଦୁଇରୁ ତିନି ଶହ ଗ୍ରାମ୍‌ ଖଜା ଓଜନରେ ଠକେଇ ହୁଏ । ଗୋଟିଏ  ଗୋଷ୍ଠୀଠାରୁ ଖଜା କିଣି ନେଉଥିବା ଯାତ୍ରୀଙ୍କୁ ଏହି ଓଜନ୍‌ ଠକେଇ ସମ୍ପର୍କରେ ଅନ୍ୟ ଗୋଷ୍ଠୀ କହି ସମସ୍ୟା  ସୃଷ୍ଟି କରନ୍ତି । ନିଜ ଠାରୁ ଖଜା କିଣିବା ପାଇଁ ପ୍ରବର୍ତ୍ତାଇଥାନ୍ତି । ଯାହାକୁ ନେଇ ବହୁ ସମୟରେ ଗ୍ରାହକଙ୍କ  ସାମ୍‌ନାରେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୁଏ । ବ୍ୟବସାୟରେ ବାଧା ସୃଷ୍ଟି ହେଉଥିବାରୁ ଧୀରେ ଧୀରେ  ଏହି ବିବାଦ ବଢ଼ିଥିଲା । ପାଠ ପଢ଼ିବା ବୟସରେ ନାବାଳକମାନେ ଖଜା ଦୋକାନରେ କାମ କରି ଦିପଇସା  ରୋଜଗାର କରୁଥିଲେ । ଟଙ୍କା ରୋଜଗାର କରିବା ପରେ ଏମାନେ କୁସଙ୍ଗରେ ପଡ଼ି ନିଶା ଦ୍ୱାରା କବଳିତ  ହୋଇଯାଇଥିଲେ । କିଛି ଦିନ ତଳେ ଜଣେ ଖଜା ବେପାରୀଙ୍କୁ ଧମକ ଦେଇ ଖଜା ତିଆରି ଦୋକାନରେ କାମ  ନ କରିବାକୁ କହିଥିଲେ ଦୀନେଶ । ଏହାପରେ ବିବାଦ ଉଗ୍ର ରୂପ ନେଇଥିଲା । ବିରୋଧୀ ଗୋଷ୍ଠୀ ଦୀନେଶଙ୍କୁ  ହତ୍ୟା କରିଥିଲେ । ତେବେ ଏହାର ପ୍ରତିଶୋଧ ନେଇ ହରିହରଙ୍କୁ ହତ୍ୟା କରିଥିଲେ ଦୀନେଶ ଗୋଷ୍ଠୀ

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.