ନୂଆଦିଲ୍ଲୀ: ଭଙ୍ଗ ହେଲା ହରିୟାଣା ବିଧାନସଭା । ରାଜରେ ନାୟବ ସିଂ ସାଇନି କ୍ୟାବିନେଟର ସୁପାରିଶ ପରେ ରାଜ୍ୟପାଳ ଗୁରୁବାର ବିଧାନସଭାକୁ ଭଙ୍ଗ କରିଛନ୍ତି। କ୍ୟାବିନେଟ ପକ୍ଷରୁ ପଠାଯାଇଥିବା ସୁପାରିଶକୁ ରାଜ୍ୟପାଳ ଅନୁମୋଦନ କରିଛନ୍ତି। ହରିୟାଣା ବିଧାନସଭା ଭଙ୍ଗ ହେବା ପରେ ବର୍ତ୍ତମାନ ସାଇନିଙ୍କ ସରକାର ରାଜ୍ୟର କେୟାର ଟେକର ଭାବେ କାର୍ଯ୍ୟ କରିବେ । କାର୍ଯ୍ୟବାହକ ମୁଖ୍ୟମନ୍ତ୍ରୀ ନାୟବ ସାଇନି କୌଣସି ପ୍ରକାର ନୀତିଗତ ନିଷ୍ପତ୍ତି ନେଇ ପାରିବେ ନାହିଁ ।
ହରିୟାଣା ବିଧାନସଭାର ଶେଷ ଅଧିବେଶନ ମାର୍ଚ୍ଚ ୧୩ ରେ ଡକାଯାଇଥିଲା। ସାମ୍ବିଧାନିକ ନିୟମ ଆଧାରରେ ୬ ମାସରେ ଥରେ ବିଧାନସଭା ଅଧିବେଶନ ଡାକିବା ଆବଶ୍ୟକ । ଏହି ସାମ୍ବିଧାନିକ ସଙ୍କଟକୁ ଟାଳିବା ପାଇଁ ମୁଖ୍ୟମନ୍ତ୍ରୀ ସାଇନି ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ବିଧାନସଭା ଭଙ୍ଗ କରିବାକୁ ସୁପାରିସ୍ କରିଥିଲେ । ନିୟମ ଅନୁଯାୟୀ, ଗୃହର ଦୁଇଟି ଅଧିବେଶନ ମଧ୍ୟରେ ୬ ମାସରୁ ଅଧିକ ବ୍ୟବଧାନ ରହିବା ଉଚିତ୍ ନୁହେଁ ।
ହରିୟାଣାରେ ଅଧିକାଂଶ ଦଳରେ ଟିକେଟ୍ ବଣ୍ଟନ ହେବା ଏବଂ ପ୍ରାର୍ଥୀଙ୍କ ଅନ୍ତିମ ତାଲିକା ପ୍ରକାଶ ପାଇବା ପରେ ଉତ୍ତେଜନା ଦେଖିବାକୁ ମିଳୁଛି । କଂଗ୍ରେସ ଏବଂ ବିଜେପି ସମେତ ଅନେକ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଶେଷ ମୁହୂର୍ତ୍ତରେ ଅନେକ ନେତା ପକ୍ଷ ପରିବର୍ତ୍ତନ କରିଛନ୍ତି ଏବଂ କେତେକ ସ୍ୱାଧୀନ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତେବେ ନାମାଙ୍କନର ଶେଷ ତାରିଖ ଆଜି ଅର୍ଥାତ ଗୁରୁବାର (ସେପ୍ଟେମ୍ବର ୧୨) ଥିଲା । ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାକୁ ପ୍ରାର୍ଥୀଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଥିଲା।