ପ୍ରମୂଖ ଖବର

ପ୍ରବଳ ବର୍ଷାରେ ବେହାଲ ୟୁଏଇ: ସ୍କୁଲ୍‌ ଛୁଟି ଘୋଷଣା, ଦୁବାଇ ଏୟାରପୋର୍ଟରେ ବିମାନ ଉଡ଼ାଣ ବାଧାପ୍ରାପ୍ତ

Image Courtesy: hindustantimes

ଆବୁଧାବି: ୟୁନାଇଟେଡ୍‌ ଆରବ ଏମିରେଟସ୍‌ (ୟୁଏଇ)ରେ ପ୍ରବଳ ବର୍ଷା । ଦୁବାଇର ବିଭିନ୍ନ ରାସ୍ତା ପାଣିଘେରରେ ଥିବା ବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ବର୍ଷା ଏବଂ ପବନ ଯୋଗୁଁ ଦୁବାଇ ଏୟାରପୋର୍ଟରୁ ବିମାନ ଉଡ଼ାଣ ସାମୟିକ ଭାବେ ବାତିଲ କରାଯାଇଛି । ୨୫ ମିନିଟ୍‌ ଲାଗି ୫୦ ବିମାନ ଉଡ଼ାଣ ବାତିଲ ହୋଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା  ହେବାର ସମ୍ଭାବନା ଥିବାରୁ ବିମାନ ଉଡ଼ାଣକୁ ନେଇ ମଧ୍ୟ ଆଶଙ୍କ ଲାଗିରହିଛି ବୋଲି ଦୁବାଇ ବିମାନ ବନ୍ଦର କର୍ତ୍ତୃପକ୍ଷ ଏକ୍ସରେ ସୂଚନା ଦେଇଛନ୍ତି ।  

ରାତିସାରା ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ଦୁନିଆର ସବୁଠୁ ବ୍ୟସ୍ତବହୁଳ ବିମାନ ବନ୍ଦର ଦୁବାଇରେ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି । ବିଜୁଳି ଓ ଘଡ଼ଘଡ଼ି ସାଙ୍ଗକୁ ବାଦଲ ଫଟା ବର୍ଷା ୟୁଏଇରେ ତାଣ୍ଡବ ରଚିଛି । ୟୁଏଇର ବିଭିନ୍ନ ସ୍ଥାନରେ ସ୍କୁଲ ବନ୍ଦ ନେଇ ଘୋଷଣା ହୋଇଥିବା ବେଳେ ସରକାରୀ କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ ହୋମ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ରାସ୍ତାରେ ପାଣି ଲହଡ଼ି ମାରୁଥିବା ବେଳେ ବାହାରେ ଥିବା ଲୋକଙ୍କ କାର ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । 

ଆଜି ସନ୍ଧ୍ୟା ସୁଦ୍ଧା ୧୨୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଏହାର ତୀବ୍ରତା ଆଗାମୀ ସମୟରେ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି । ମରୁଭୂମି ଦେଶରେ ବର୍ଷାର ତାଣ୍ଡବକୁ ନେଇ ଚର୍ଚ୍ଚା ଲାଗିରହିଛି । ସାଧାରଣତଃ ଆରବ ଦେଶରେ କମ୍‌ ପରିମାଣରେ ବର୍ଷା ହୋଇଥାଏ । ଫଳରେ ଏହି ଦେଶରେ ଡ୍ରେନେଜ୍‌ ସିଷ୍ଟମର ସେତେଟା ଆବଶ୍ୟକ ପଡ଼େ ନାହିଁ । ଆଉ ଏଥିପାଇଁ ଅଦିନିଆ ବର୍ଷା ଯୋଗୁଁ ସହରର ବିଭିନ୍ନ ରାସ୍ତାରେ ପାଣିର ଲହଡ଼ି ଦେଖିବାକୁ ମିଳୁଛି । 

ସେପଟେ ୟୁଏଇର ପଡ଼ୋଶୀ ଓମାନରେ ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୧୮ ଜଣଙ୍କ ଜୀବନ ଯାଇଛି । ମିଳିଥିବା ସୂଚନା ଅନୁସାରେ, ୧୦ ଜଣ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍‌ ବନ୍ୟା ଜଳରେ ଭାସି ଯାଇଛି । ତେବେ ୟୁଏଇ ସରକାର, ଲୋକମାନଙ୍କୁ ଆବଶ୍ୟକ ନଥିଲେ ବାହାରକୁ ଯିବାକୁ ବାରଣ କରିଛନ୍ତି । ସେହିଭଳି ଦୁବାଇ ମଲ୍‌ ଏବଂ ମଲ ଅଫ ଦି ଏମିରେଟସ୍‌ ନିକଟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.