ଢେଙ୍କାନାଳ,୦୮/୦୯: ରାତି ୧୦ଟା ହେଲେ ଆସୁଥିଲେ ପାଶବିକ ପ୍ରବୃତ୍ତିର ୭ ଜଣ ଯୁବକ। ୨୨ ବର୍ଷୀୟ ଯୁବତୀଙ୍କୁ ଘରୁ ଛାତ ଉପରକୁ ଟେକି ନେଇ ରାତି ୨ଟା ଯାଏ ଜଣକ ପରେ ଜଣେ ଦୁଷ୍କର୍ମ କରୁଥିଲେ । ଯୁବତୀ ଅନ୍ତଃସତ୍ତ୍ୱା ହେବା ପରେ ବି ପ୍ରତିଦିନ ଦୁଷ୍କର୍ମ କରିଚାଲିଥିଲେ । ଯୁବତୀ ଏବେ ୭ ମାସର ଗର୍ଭବତୀ ହୋଇଥିବା ବେଳେ ଖବରପାଇ ତାଙ୍କୁ ଉଦ୍ଧାର କରାଯାଇଛି । ସଖୀ କେନ୍ଦ୍ରରେ ୨ଦିନ ହେଲା ରଖାଯାଇ କାଉନସେଲିଂ କରାଯାଉଛି । ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳରେ ।
ଯୁବତୀଙ୍କ ବାପା ଘରଜ୍ୱାଇଁ ହୋଇ ଶ୍ୱଶୁରଘରେ ରହୁଥିଲେ । ମା’ଙ୍କ ପରଲୋକ ପରେ ବିଭିନ୍ନ କାରଣକୁ ନେଇ ସମ୍ପର୍କୀୟ ଜମିବାଡ଼ି ଛଡ଼ାଇନେଲେ । ଯୁବତୀଙ୍କ ବାପା ବିଭିନ୍ନ ଚାପରେ ପଡ଼ି ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ କିଛି ବର୍ଷ ହେଲା ବାପା, ଝିଅ ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ରହୁଥିଲେ । ଯେଉଁ କୋଠରୀ ଭିତରୁ ବନ୍ଦ କରି ହେଉନାହିଁ । ରାତି ହେଲେ ବାପା ନିଶାଗ୍ରସ୍ତ ଓ ମାନସିକ ବିକୃତ କାରଣରୁ ଶୋଇଯାଉଥିଲେ । କବାଟ ଦେଇ ହେଉନଥିବାରୁ ଉକ୍ତ ଗାଁର ୭ ଜଣ ଯୁବକ ରାତି ୧୦ଟା ପରେ ଆସି ଘରେ ପଶୁଥିଲେ । ଯୁବତୀଙ୍କୁ ଛାତ ଉପରକୁ ଟେକି ନେଇ ଜଣକ ପରେ ଜଣେ ବଳାତ୍କାର କରୁଥିଲେ । ଭୋର୍ ପୂର୍ବରୁ ଚାଲିଯାଉଥିଲେ । ଏହିଭଳି ପ୍ରତିଦିନ ତାଙ୍କୁ ପାଶବିକ ଅତ୍ୟାଚାର କରାଯାଉଥିଲା ।
ଗର୍ଭବତୀ ହେବା ପରେ ବି ଏଥିରୁ ନିସ୍ତାର ମିଳିନଥିଲା । ଏହି ଘଟଣା ଗାଁ ଲୋକେ ଅଳ୍ପବହୁତେ ଜାଣି ସୁଦ୍ଧା ଯୁବତୀଙ୍କୁ ପାଗଳି କହି ଘଟଣାକୁ ଏଡ଼ାଇ ଯାଉଥିବା ଯୁବତୀ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ, ବଳାତ୍କାର କରୁଥିବା କିଛି ଯୁବକଙ୍କ ଘରକୁ ଯୁବତୀ ଯାଇ ଅଭିଯୋଗ କରିଥିଲେ ବି କୌଣସି ଫଳ ମିଳୁନଥିବା ସେ କହିଛନ୍ତି । କୌଣସି ମତେ ଖବର ପାଇ ଗୁରୁବାର ଢେଙ୍କାନାଳ ସଖୀ କେନ୍ଦ୍ର ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇଛି । ଗତକାଲି ତାଙ୍କର ଡାକ୍ତରୀ ପରୀକ୍ଷା ପରେ ସେ ୭ ମାସର ଅନ୍ତଃସତ୍ତ୍ୱା ଥିବା ଜଣାଯାଇଛି । ଏନେଇ ଆସନ୍ତାକାଲି ସଦର ଥାନାରେ ଲିଖିତ ଅଭିଯୋଗ କରାଯିବ ବୋଲି ଜଣାଯାଇଛି ।