ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହକି ଇଣ୍ଡିଆରେ କ୍ଷମତା ଲଢ଼େଇ: ଭୋଳାନାଥଙ୍କ ନାମରେ ଏକାଧିକ ଅଭିଯୋଗ, ଓଡ଼ିଶାର ପ୍ରଭାବକୁ ହ୍ରାସ କରିବାକୁ ଚାହୁଁଛନ୍ତି ଭୋଳାନାଥ ଗୋଷ୍ଠୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୦୪/୦୩: ହକି ଝାଡ଼ଖଣ୍ଡର ସଭାପତି ଭୋଳାନାଥ ସିଂ ଏବେ ହକି ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ରହିଛନ୍ତି । ଜାତୀୟ ସଂଘର ସମସ୍ତ କ୍ଷମତା ଏକାକୀ ଉପଭୋଗ କରିବା ପାଇଁ ଏକ ଗୋଷ୍ଠୀ ଗଠନ କରିଛନ୍ତି ବୋଲି ପୂର୍ବତନ ସିଇଓ ଏଲିନା ନର୍ମାନ ଅଭିଯୋଗ କରିଥିଲେ । ଏହି ଗୋଷ୍ଠୀରେ ରହିଛନ୍ତି ସଂଘର କୋଷାଧ୍ୟକ୍ଷ ଶେଖର ମନୋହରନ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆ.କେ  ଶ୍ରୀବାସ୍ତବ । ସଭାପତି ପଦ୍ମଶ୍ରୀ ଦିଲ୍ଲୀପଙ୍କ କ୍ଷମତାକୁ ଗୌଣ କରି ଭୋଳାନାଥ ସମସ୍ତ କ୍ଷମତା ନିୟନ୍ତ୍ରଣକୁ  ନେବାକୁ ଚାହୁଁଛନ୍ତି ।  

ଏହି କ୍ଷମତା ଲଢ଼େଇର ପ୍ରତିଫଳନ ସ୍ୱରୂପ ନିକଟରେ ଏକ ସପ୍ତାହ ମଧ୍ୟରେ ହକି ଇଣ୍ଡିଆର ସିଇଓ ଏଲିନା ନର୍ମାନ ଏବଂ ମହିଳା କୋଚ୍‌ ଜାନେକ ସ୍କୋପମାନ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ ଏବଂ ଉଭୟ ଏଥିପାଇଁ ଭୋଳାନାଥଙ୍କ ଗୋଷ୍ଠୀ ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ହକି ଇଣ୍ଡିଆରେ ଅର୍ଥନୈତିକ ଅନିୟମିତତା ଏବଂ ନିର୍ବାଚନ ସଂପର୍କରେ ଅଭିଯୋଗ ଆସିଥିବା ବିଷୟରେ ଏକ ରିପୋର୍ଟ ଗତ ଶନିବାର ଦୈନିକ  ‘ଦ ହିନ୍ଦୁ’ରେ ପ୍ରକାଶ ପାଇଥିଲା ।

 ‘ଦ ହିନ୍ଦୁ’ର ରିପୋର୍ଟ ଅନୁସାରେ,‘ପୁଣି  ଗୋଷ୍ଠୀ ବିବାଦ, ପ୍ରଶାସନିକ କନ୍ଦଳ ଏବଂ ଅନ୍ୟାନ୍ୟ  ଅନିୟମିତତା ହକି ଇଣ୍ଡିଆକୁ ଫେରିଛି । ସିଇଓ  ଏଲିନା ଓ କୋଚ୍‌ ସ୍କୋପମାନଙ୍କ ଇସ୍ତଫା ପରେ  ଏହି ବିବାଦ ଅଧିକ ଘନେଇଛି । ସଂଘରେ ଅର୍ଥନୈତିକ ଓ ନିର୍ବାଚନ  ଅନିୟମିତତାକୁ ନେଇ ପ୍ରଶ୍ନ  ଉଠିଛି । ଭୋଳାନାଥ ଗୋଷ୍ଠୀ ଗଠନ କରି ସମସ୍ତ କ୍ଷମତା ଉପଭୋଗ  କରିବାକୁ ଚାହୁଁଛନ୍ତି ।୨୦୨୨ରେ  ହକି ଇଣ୍ଡିଆର ନିର୍ବାଚନ ଜାତୀୟ କ୍ରୀଡ଼ା ନୀତି  ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛନ୍ତି ଦିଲ୍ଲୀ ହକିର ପୂର୍ବତନ ସମ୍ପାଦକ ମହେଶ ଦୟାଲ । ସେ  କହିଛନ୍ତି, ‘ହକି ଝାଡ଼ଖଣ୍ଡରେ ନିଜର କାର୍ଯ୍ୟକାଳ  ପୂରଣ କରିସାରି ଭୋଳାନାଥ ପୁଣି ତୃତୀୟ ଥର  ହକି ଇଣ୍ଡିଆକୁ ନିର୍ବାଚିତ ହୋଇଛନ୍ତି। ଅର୍ଥାତ  ‘କୁଲିଂ ପିରିୟଡ’ ନିୟମ ଉଲ୍ଲଂଘନ କରିଛନ୍ତି’ ।  ଯଦିଓ ଏହାକୁ ଭୋଳାନାଥ ଅସ୍ୱୀକାର କରିଛନ୍ତି ।’ 

ଭୋଳାନାଥ କହିଛନ୍ତି, ‘ ୨୦୧୪ରେ ହକି  ଝାଡ଼ଖଣ୍ଡକୁ ନିର୍ବାଚିତ ହୋଇ ଆସିଥିଲି । ଏହା ମୋର ତୃତୀୟ ଥର । କିନ୍ତୁ ହକି ଇଣ୍ଡିଆର ଉପ ସଭାପତି ଭାବେ ପ୍ରଥମ ଥର ମାତ୍ର ୧୮ ମାସ  କାର୍ଯ୍ୟରେ ରହିଥିଲି । ତେଣୁ ମୋ ନିର୍ବାଚନ କୌଣସି ନିୟମ ଉଲ୍ଲଂଘନ କରୁ  ନାହିଁ ।’ ହକି ଇଣ୍ଡିଆ ପ୍ରାୟୋଜକ  ଅର୍ଥରେ ଅନିୟମିତତା, ଆୟକର  ସମସ୍ୟା ଏବଂ ଏଫ୍‌ଆଇଏଚ୍‌  (ଅନ୍ତର୍ଜାତୀୟ ସଂଘ) ସହ ଦେଣନେଣରେ ସମସ୍ୟା ବିଷୟରେ ପ୍ରଶ୍ନ ଉଠିଛି । ହକି ଇଣ୍ଡିଆର ବ୍ୟାଙ୍କ୍‌ ଖାତା ଗୁଡ଼ିକର ସୂଚାରୁ ଭାବେ ଅଡିଟ୍‌ ହେବା ସଂପର୍କରେ  ମାମଲା ଦିଲ୍ଲୀ ହାଇକୋର୍ଟରେ ବିଚାରଧୀନ ରହିଛି । 

ଏଲିନାଙ୍କ ଇସ୍ତଫା ପରେ ହକି ଇଣ୍ଡିଆ  ସଭାପତି ଓ ସେକ୍ରେଟାରୀ ଜେନେରାଲ ମିଳିତ  ବିବୃତ୍ତି ଜାରି କରିଥିଲେ । ସେମାନେ କହିଥିଲେ, ‘ସଂଘ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ । ଏହା  ସଂପୂର୍ଣ୍ଣ ମିଥ୍ୟା କଥା । ଆମେ ମିଳିତ ଭାବେ  ହକିର ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛୁ ।’ ଉଭୟ ସ୍କୋପମାନ ଓ ଏଲିନ ସଭାପତି ଦିଲ୍ଲୀପଙ୍କ  କାର୍ଯ୍ୟ ଓ ଯୋଜନାକୁ ଭୂୟସୀ ପ୍ରଶଂସା କରିଛନ୍ତି ।  କିନ୍ତୁ ଭୋଳାନାଥ କିଭଳି ବିଭିନ୍ନ କାର୍ଯ୍ୟରେ ସମସ୍ୟା ସୃଷ୍ଟି କରନ୍ତି ସେ ବିଷୟରେ ମଧ୍ୟ  ସେ କହିଛନ୍ତି । ଏଲିନା କହିଥିଲେ, ‘ହକି ଇଣ୍ଡିଆ  ଏବେ ଦୁଇ ଭାଗ ହୋଇଯାଇଛି । ଗୋଟିଏ ପଟେ  ସଭାପତି ଦିଲ୍ଲୀପ ତିର୍କୀ ଓ ମୁଁ ଥିଲୁ ଏବଂ ଅନ୍ୟ  ପଟେରେ ଭୋଳାନାଥ, ଶ୍ରୀବାସ୍ତବ, ମନୋହରନ  ଓ ଅନ୍ୟମାନେ ଥିଲେ ।’ 

ଓଡ଼ିଶା ସରକାରଙ୍କ ସହ ମିଶି ପୂର୍ବତନ  ସଭାପତି ନରିନ୍ଦର ବାତ୍ରା ଭାରତୀୟ ହକିର  ପୁନରୁତ୍ଥାନ ନେଇ କାର୍ଯ୍ୟ ଆରମ୍ଭ କରି ସଫଳ ହୋଇଥିଲେ । କିନ୍ତୁ ଭୋଳାନାଥ ଭାରତୀୟ  ହକିରେ ଓଡ଼ିଶାର ଦବଦବାକୁ ନେଇ ଇର୍ଷାନ୍ୱିତ  ହୋଇ ପଡ଼ିଛନ୍ତି । ତେଣୁ ସେ ନା ସଭାପତିଙ୍କ  କାର୍ଯ୍ୟକୁ ସହଜରେ ମାନିବାକୁ ପ୍ରସ୍ତୁତ ହେଉଛନ୍ତି  ନା ଅଧିକ ଓଡ଼ିଶା ଖେଳାଳିଙ୍କ ପ୍ରତିନିଧିତ୍ୱକୁ ସହ୍ୟ  କରିପାରୁଛନ୍ତି । 

ଜାନୁଆରୀ ମାସରେ ଭୋଳାନାଥ ରାଞ୍ଚିରେ  ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଆୟୋଜନ  କରିଥିଲେ । ଏହି ଦଳରେ ଝାଡ଼ଖଣ୍ଡରୁ ୪ ଜଣ ଖେଳାଳି (ନିକି ପ୍ରଧାନ, ସଲିମା ଟେଟେ, ସଙ୍ଗୀତା  ଓ ବିୟୂଟି ଡୁଙ୍ଗଡୁଙ୍ଗ) ଥିଲେ କିନ୍ତୁ ପଡୋଶୀ  ଓଡ଼ିଶାରୁ ପ୍ରତିନିଧିତ୍ୱ ଶୂନ ହୋଇଯାଇଥିଲା।  ୩୪ ଜଣିଆ ସମ୍ଭାବ୍ୟ ଦଳରେ ଓଡ଼ିଶାରୁ ୫  ଜଣ ଖେଳାଳି (ଡିଫେଣ୍ଡର ଦୀପଗ୍ରେସ ଏକ୍କା,  ଜ୍ୟୋତି ଛତ୍ରୀ, ମିଡଫିଲ୍ଡର ମାରିଆନା କୁଜୁର,  ଆଜମିନା କୁଜୁର ଏବଂ ଫରୱାର୍ଡ ସୁନେଲିତା  ଟପ୍ପୋ) ଥିଲେ  । ଏହି ଖେଳାଳିଙ୍କ ମଧ୍ୟରୁ  ଜଣଙ୍କୁ ବି ଚୂଡ଼ାନ୍ତ ଦଳରେ ସୁଯୋଗ ମିଳିନଥିଲା ।  କିନ୍ତୁ ଦଳର ପ୍ରଦର୍ଶନ ଖୁବ ଖରାପ ରହିଥିଲା ।  ଶେଷରେ ଭାରତ ଅଲିମ୍ପିକ୍ସ ଯୋଗ୍ୟତା ହାସଲରୁ  ବଞ୍ଚିତ ହେଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.