ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଜାରରେ ମିଳୁଥିବା ରଙ୍ଗ କେତେ ଦୂର ହର୍ବାଲ ? ଲୁଚା ଛପାରେ ଦେଉଛନ୍ତି ରାସାୟନିକ ରଙ୍ଗ, ମୁଣ୍ଡଫଟା ମାରିଲେ ତ୍ୱଚାରେ ରହିବ ୫ଦିନ

ଭୁବନେଶ୍ୱର,୨୨/୦୩: ହୋଲି ପାଇଁ ଖୋଲିଲାଣି ରଙ୍ଗ ଦୋକାନ । ରାସାୟନିକ ରଙ୍ଗରେ ହୋଲି ଖେଳିବା ନିଷେଧ ଥିବାରୁ ସମସ୍ତେ ହର୍ବାଲ ରଙ୍ଗ ବିକ୍ରି କରୁଛନ୍ତି । ବଡ଼ ବଡ଼ ବସ୍ତାରେ ଲେଖାହୋଇଛି ହର୍ବାଲ୍‌ କଲର । ଶରୀର ପାଇଁ କ୍ଷତିକାରକ ନୁହେଁ । ଆହୁରି ମଧ୍ୟ ରହୁଛି ପ୍ଲେ ହୋଲି ନ୍ୟାଚୁରାଲି । କିନ୍ତୁ ପ୍ରଶ୍ନ ଉଠୁଛି କେମିତି ଜାଣିବା ଏହି ସବୁ ରଙ୍ଗ ପ୍ରାକୃତିକ ଉପାୟରେ ତିଆରି ହେଉଛି  କି ନାହିଁ । ଏହି ଲେଖା ଥିବା ପ୍ୟାକେଟ୍‌ ରଙ୍ଗ କେତେଦୂର ହର୍ବାଲ ତାକୁ ନେଇ ପ୍ରଶ୍ନ ଉଠୁଛି ।  

ଏପଟେ ରାସାୟନିକ ରଙ୍ଗ ବିକ୍ରି ପାଇଁ ନିର୍ଦ୍ଦେଶ ନଥିଲା ବେଳେ ଭୁବନେଶ୍ୱରର ବହୁ ରଙ୍ଗ ଦୋକାନରେ ବେଧଡ଼କ ବିକ୍ରି ହେଉଛି ଏହି ରଙ୍ଗ । କିଏ ଯଦି କହୁଛନ୍ତି ଭଲ ରଙ୍ଗ ଦିଅ । ସେମାନେ  ରାସାୟନିକ ରଙ୍ଗ ଲୁଚାଇ ଧରେଇ ଦେଉଛନ୍ତି । କହୁଛନ୍ତି ଏହାକୁ ନିଅ ବିଲକୁଲ୍‌ ଛାଡ଼ିବନି। ମୁଣ୍ଡଫଟା, କେଶ  ରଙ୍ଗ ପାଉଡ଼ରକୁ ନେଇ ପ୍ରସ୍ତୁତ ରଙ୍ଗ  ବିକ୍ରି ହେଉଛି । ୫୦ଟଙ୍କାରେ ମିଳୁଥିବା  ମୁଣ୍ଡଫଟା ରଙ୍ଗ ୫ଦିନ ଯଏ ବି ଦେହରୁ  ଛାଡିବନି । ବାର୍ନିସ ରଙ୍ଗ ଓ ବାର୍ନିସ କ୍ରିମ୍‌  ବି ଅତିକମ୍‌ରେ ୩ଦିନ ରହିବ ବୋଲି  କହି ଦୋକାନୀ ବିକ୍ରି କରୁଛନ୍ତି । ତା’ସହିତ  ହର୍ବାଲ ରଙ୍ଗରେ ରହିଛି ସିଲ୍‌କ ଗୁଲାଲ୍‌ - ଛୋଟ ପ୍ୟାକେଟ୍‌ ୨୦ ଟଙ୍କା, ହର୍ବାଲ  ୱାଟର କଲର୍‌-ଗୋଟିଏ ପ୍ୟାକେଟ୍‌  ୩୦ଟଙ୍କା, ହର୍ବାଲ ଫଗୁ ପ୍ୟାକେଟ୍‌ରେ  ୫ଟା କଲର ମିଶାଯାଇ ବିକ୍ରି କରାଯାଉଛି ।   

ମାଉସୀ ମା’ ଛକରେ ରଙ୍ଗ ଦୋକାନ କରିଥିବା ମୁନ୍ନା ସାମନ୍ତରାୟ  କୁହନ୍ତି, ଆମେ ବହୁ ସଂଖ୍ୟାରେ ରାୟପୁରରୁ ଏକାଥରେ ମାଲ୍‌ ଉଠଉଛୁ। ଏହା ଭଲ ଖରାପ୍‌ କେମିତି ଜାଣିବୁ । ବସ୍ତାରେ ଅର୍ଗାନିକ୍‌ ଲେଖାଯାଉଥିବାରୁ  ଆଣୁଛୁ । ଅର୍ଗାନିକ ୱାଟର କଲ୍‌ର ପ୍ୟାକ୍‌ ହୋଇଯାଉଛି ଏହା ଭେଜାଲ କି  ନୁହେଁ ଜାଣିବା ଆମ ଲାଗି କଷ୍ଟକର । ଏବେ ବଜାରକୁ କିଛି ରାସାୟନିକ ରଙ୍ଗ  ଆସୁନାହିଁ ବୋଲି ମୁନ୍ନା କହିଥିଲେ ।  

ପୂର୍ବରୁ ହୋଲି ଅର୍ଗାନିକ୍‌ ଉପାୟରେ ଖେଳା ଯାଉଥିଲା । ଯାହା ବହୁ ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ ହେଉଥିଲା । ନିମ, ହଳଦୀ ପରି ବହୁ ପ୍ରାକୃତିକ ଉପାଦାନକୁ ନେଇ ରଙ୍ଗ ପ୍ରସ୍ତୁତ ହେଉଥିଲା । ଏହି ଉପାୟରେ ରଙ୍ଗ ଖେଳିଲେ ମଣିଷ  ଶରୀରରେ ଭଲ ପ୍ରଭାବ ପଡ଼ୁଥିଲା ।  ବର୍ତ୍ତମାନର ରଙ୍ଗ ବ୍ୟବହାର କଲେ ବିଭିନ୍ନ  ଚର୍ମ ରୋଗ ହେବାର ଆଶଙ୍କା ରହୁଛି । ବଜାରରେ ରଙ୍ଗ ସହ ବାଘ ମୁଖା, ବିଭିନ୍ନ  ପଶୁଙ୍କ ଉପରେ ମୁଖା, ଭୂତ ମୁଖା, କାର୍ଟୁନ  ମୁଖା, କ୍ରିସ ମୁଖା, ମୋଟୁପତଲୁ ମୁଖା  ଦାମ୍‌ ୫୦ଟଙ୍କାରୁ ଆରମ୍ଭ । ସେହିପରି ମାଲିଙ୍ଗା, ଗଣ୍ଠିଚୁଟି ପରି ବହୁ ଡିଜାଇନ୍‌ର କେଶ ମିଳୁଛି । ଯାହାର ଦାମ୍‌ ୨୦୦ଟଙ୍କାରୁ  ଆରମ୍ଭ । କ୍ରିସ୍‌ ମୁଖା ୩୦ଟଙ୍କାରେ ବିକ୍ରି ହେଉଛି । ଚଷମା ଗୁଡ଼ିକର ଦାମ୍‌ ରହିଛି  ୩୦ରୁ ୫୦ଟଙ୍କା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.