ଭୁବନେଶ୍ଵର, ୨୮/୦୩ : ଯେକୌଣସି ମହାମାରୀ ହେଉ ବା ରୋଗ, ତା’ର ଉତ୍ପତ୍ତିକୁ କୌଣସି ଜନ୍ତୁ ସହ ଯୋଡ଼ାଯାଏ । ବାଦୁଡ଼ିଠୁ କୋଭିଡ୍-୧୯ର ଉତ୍ପତ୍ତି ହୋଇଥିବାବେଳେ ସିମ୍ପାଞ୍ଜିଠୁ ଏଡ୍ସ ଭାଇରସ୍ । କିନ୍ତୁ ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି, ମଣିଷ ଜନ୍ତୁଙ୍କୁ ଅଧିକ ଭାଇରସ୍ ଦ୍ୱାରା ସଂକ୍ରମିତ କରିଛି । ଭାଇରସ୍ ଆସିବାର ମାର୍ଗ ଏକତରଫା ନୁହେଁ, ଉଭୟ ପକ୍ଷ ଏଥିପାଇଁ ଦାୟୀ । ସାର୍ବଜନୀନ ଭାବେ ଉପଲବ୍ଧ ଭାଇରାଲ ଜିନୋମ୍ର ଅଧ୍ୟୟନ ପରେ ଏହି ଆଶ୍ଚର୍ଯ୍ୟଚକିତ ନିଷ୍କର୍ଷ ସାମ୍ନାକୁ ଆସିଛି । ଏଥିରୁ ସ୍ପଷ୍ଟ ହୋଇଛି, ମଣିଷଠୁ ଜନ୍ତୁଙ୍କ ଶରୀରକୁ ଦୁଇଗୁଣ ଅଧିକ ଭାଇରସ୍ ଯାଇଥାଏ । ଅନ୍ୟପକ୍ଷେ, ଜନ୍ତୁ ଏଭଳି କରନ୍ତି ନାହିଁ । ୧.୨୦ କୋଟି ଭାଇରସ୍ ଜିନୋମ୍ର ଅଧ୍ୟୟନ କରି ସେଗୁଡ଼ିକର ତଥ୍ୟ ଅବଲୋକନ ପରେ ସେମାନେ ଏହି ନିଷ୍କର୍ଷରେ ପହଞ୍ଚିଲେ ।
୩୦୦୦ ମାମଲାରୁ ଜଣାପଡ଼ିଲା, ଭାଇରସ୍ ଗୋଟିଏ ପ୍ରଜାତିର ଜୀବଙ୍କଠାରୁ ଅନ୍ୟ ପ୍ରଜାତିର ଜୀବଙ୍କ ଶରୀରକୁ ଯାଇଥାନ୍ତି । ତନ୍ମଧ୍ୟରେ ୭୯ ପ୍ରତିଶତ ଏଭଳି ଭାଇରସ୍ ଅଛନ୍ତି, ଯେଉଁମାନେ ଗୋଟିଏ ଜନ୍ତୁ ପ୍ରଜାତିରୁ ଅନ୍ୟ ଜନ୍ତୁ ପ୍ରଜାତିକୁ ଯାଇଥାନ୍ତି । ୨୧ ପ୍ରତିଶତ ଭାଇରସ୍ ମଣିଷଠୁ ବ୍ୟାପୁଥିବା ଅଧ୍ୟୟନରୁ ଜଣାପଡ଼ିଲା । ୩୦୦୦ ଭାଇରସ୍ ମାମଲାରୁ ୬୪ ପ୍ରତିଶତ ଭାଇରସ୍ ମଣିଷଠୁ ଜନ୍ତୁଙ୍କ ଶରୀରକୁ ଯାଇଥାନ୍ତି । ଏହାକୁ ଆନ୍ଥ୍ରୋପୋନୋସିସ୍ କୁହାଯାଏ । କେବଳ ୩୬ ପ୍ରତିଶତ ଭାଇରସ୍ ଜନ୍ତୁଙ୍କଠାରୁ ମଣିଷଙ୍କ ଶରୀରକୁ ଯାଇଥାନ୍ତି । ଭାଇରସ୍ମାନଙ୍କର ଏହି ସ୍ଥାନାନ୍ତରଣ ପ୍ରକ୍ରିୟାକୁ ଜୁନୋସିସ୍ କୁହାଯାଏ । ଆନ୍ଥ୍ରୋପୋନୋସିସ୍ର ଶିକାର ହେଉଥିବା ଜୀବଙ୍କ ମଧ୍ୟରେ ପୋଷା ବିଲେଇ, କୁକୁର, ଘୋଡ଼ା, ଘୁଷୁରି, ଗୋବଂଶ ସାମିଲ । ଏଥିସହ କୁକୁଡ଼ା, ବତକ, ସିମ୍ପାଞ୍ଜି, ହଉଲର ମଙ୍କିପ୍, ରକୁନ, ମୂଷା ଆଦି ମଧ୍ୟ ଏହାର ଶିକାର ହୁଅନ୍ତି । ଜଙ୍ଗଲି ଜନ୍ତୁଙ୍କୁ ମଣିଷଙ୍କୁ ହେଉଥିବା ଭୂତାଣୁ ଜନିତ ସଂକ୍ରମଣର ଆଶଙ୍କା ଥାଏ ।
ୟୁନିଭର୍ସିଟି କଲେଜ ଲଣ୍ଡନର ଜେନେଟିକ୍ ଇନ୍ଷ୍ଟିଚ୍ୟୁଟ୍ର ଅଧ୍ୟୟନକର୍ତ୍ତା ସେଡ୍ରିକ ଟ୍ୟାନ୍ କହିଛନ୍ତି, ମଣିଷ ପରିବେଶ ଉପରେ ବିଭିନ୍ନ ପ୍ରକାର ପ୍ରଭାବ ପକାଏ । ଜନ୍ତୁ ଓ ବୃକ୍ଷଲତାକୁ ମଧ୍ୟ ମଣିଷ ପ୍ରଭାବିତ କରୁଛି । ଅଧ୍ୟୟନର ଫଳ ନେଚର ଇକୋଲୋଜି ଆଣ୍ଡ ଇଭୋଲ୍ୟୁଶନ୍ ପତ୍ରିକାରେ ପ୍ରକାଶ ପାଇଛି । ସେଡ୍ରିକ୍ କହିଛନ୍ତି, ପଶୁପକ୍ଷୀ ଓ ମଣିଷ ଶରୀରରେ ଲକ୍ଷ ଲକ୍ଷ କୋଟି ସୂକ୍ଷ୍ମଜୀବ ଅଛନ୍ତି । ଗୋଟିଏ ପ୍ରଜାତି ଅନ୍ୟ ପ୍ରଜାତିର ନିକଟତର ହେବା ମାତ୍ରେ ଏହି ସୂକ୍ଷ୍ମଜୀବଙ୍କର ଆଦାନପ୍ରଦାନ ହୋଇଥାଏ । ସମସ୍ତ ମେରୁଦଣ୍ଡୀ ଜୀବ ଅର୍ଥାତ୍ ସ୍ତନ୍ୟପାୟୀ, ପକ୍ଷୀ, ସରୀସୃପ, ଉଭୟଚର ଓ ମାଛଙ୍କ ମଧ୍ୟରେ ଏହା ହୋଇଥାଏ । ଯେତେବେଳେ କୌଣସି ଭାଇରସ୍ ଗୋଟିଏ ପ୍ରଜାତିରୁ ଅନ୍ୟ ପ୍ରଜାତି କିମ୍ବା ଗୋଟିଏ ଜୀବରୁ ଅନ୍ୟ ଜୀବର ଶରୀରରେ ପ୍ରବେଶ କରେ, ନିଜ ଲକ୍ଷ୍ୟ ହିସାବରେ ସେ ପୂର୍ବରୁ ହିଁ ନିଜକୁ ପ୍ରସ୍ତୁତ କରିଥାଏ । ଦୀର୍ଘ ଦଶନ୍ଧି ଧରି ମହାମାରୀ କୋଟି କୋଟି ଲୋକଙ୍କ ପ୍ରାଣ ନେଇଛି । ତା’ର କାରଣ ଭାଇରସ୍, ପାଥୋଜେନ୍ ଓ ବ୍ୟାକ୍ଟେରିଆ । ଜୁନୋସିସ୍ ଅର୍ଥାତ୍ ଜନ୍ତୁଙ୍କଠାରୁ ମଣିଷକୁ ବ୍ୟାପୁଥିବା ରୋଗକୁ ନେଇ ସମଗ୍ର ବିଶ୍ୱ ଚିନ୍ତାରେ । ଏବେ କିନ୍ତୁ ସବୁଠୁ ବଡ଼ ବିପଦ ହୋଇଛି ବାର୍ଡ ଫ୍ଲୁ ଏଚ୍୫ଏନ୍୧ । ଏହା ଜଙ୍ଗଲି ପକ୍ଷୀଙ୍କ ମଧ୍ୟରେ ଦ୍ରୁତ ବେଗରେ ବ୍ୟାପୁଛି ।