ଶେରଗଡ଼, ୯।୧୨ : ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଫେରାର୍ ଥିବା ସ୍ଵାମୀର ଆତ୍ମହତ୍ୟା। ମୃତକ ଜଣକ ହେଲେ କରଡ଼ାକଣା ଗ୍ରାମର ପାଣ୍ଡବ ବିଷୋୟୀ। ଶେରଗଡ଼ ନିକଟସ୍ଥ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରୁ ହରିକୃଷ୍ଣପୁରକୁ ସଂଯୋଗ କରୁଥିବା ରାସ୍ତାର ମଧ୍ୟଭାଗର ଏକ ପରିତ୍ଯକ୍ତ ଘର ପାର୍ଶ୍ୱରେ ଥିବା ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଶନିବାର ସକାଳେ ଶେରଗଡ଼ ଥାନା ପୁଲିସ ମୃତଦେହ ଉଦ୍ଧାର କରିଛି। ଏକ ଅପମୃତ୍ଯ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ଆସିକା ପଠାଇଛି।
ସୂଚନାନୁଯାୟୀ, ପାଣ୍ଡବ କିଛି ଦିନ ତଳେ ନିଜ ସ୍ତ୍ରୀଙ୍କୁ ହତ୍ଯା କରି ହିଞ୍ଜିଳିର ଏକ ସାହିରେ ଫିଙ୍ଗି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା। ମୃତ ମହିଳାଙ୍କ ବାପା ହିଞ୍ଜିଳି ଥାନାରେ ଏତଲା ଦେଇଥିଲେ। ଶୁକ୍ରବାର ପାଣ୍ଡବ ଗାଁକୁ ଆସିଥିବା ବେଳେ ମନସ୍ତାପ ଓ ପୁଲିସ ଭୟରେ ଶେରଗଡ଼ ଆସି ପୂର୍ତ୍ତ ବିଭାଗ ବଙ୍ଗଳା ରାସ୍ତାରେ ଗଛରେ ରସି ଲଗାଇ ଆତ୍ମହତ୍ଯା କରିଥିବା ଅନୁମାନ କରାଯାଉଛି। ପାଣ୍ଡବ କିଛିଦିନ ତଳେ କରଡ଼ାକଣାର ଜଣେ ଫାର୍ମାସିଷ୍ଟଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଉକ୍ତ ଗ୍ରାମର ଏକ ଘର ପୋଡ଼ି ଘଟଣାରେ ବି ତାଙ୍କର ସମ୍ପୃକ୍ତି ଅଭିଯୋଗ ଅଛି। ଏହି ଘଟଣାରେ ପୂର୍ବରୁ ଥାନାରେ ମାମଲା ରୁଜୁ କରାଯାଇଛି। ପୁଲିସକୁ ଚକମା ଦେଖାଇ ଏଣେତେଣେ ଫେରାର ହୋଇଯାଉଥିଲେ ପାଣ୍ଡବ।