ଭୁବନେଶ୍ୱର, ୨୪/୦୯: କଲିକତାରେ ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା, ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡ୍କୁ ଆସିଛି ଉଚ୍ଚଶିକ୍ଷା ବିଭାଗ । ଏଣିକି ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ଗଠନକୁ ଗୁରୁତ୍ୱ ଦେଇଛି ବିଭାଗ । ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଏହି କମିଟି ଅଛି କି ନାହିଁ, ଏହା କିପରି କାମ କରୁଛି, ଏସବୁର ବିସ୍ତୃତ ତଥ୍ୟ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଏନେଇ ସମସ୍ତ ସରକାରୀ, ଘରୋଇ, ଡିମ୍ଡ ବିଶ୍ୱବିଦ୍ୟାଳୟ କୁଳସଚିବ, ସମସ୍ତ ସରକାରୀ, ବେସରକାରୀ ଅନୁଦାନ ପ୍ରାପ୍ତ ଡିଗ୍ରୀ ଅଧ୍ୟକ୍ଷ ଏବଂ ସମସ୍ତ ଶିକ୍ଷକ ଶିକ୍ଷା ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ଗତ ମାସରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗରେ ଜଣେ ଛାତ୍ରୀ ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନିକଟରେ ଅଭିଯୋଗ ହୋଇଥିଲା । ମାସାଧିକ କାଳ ଧରି ଘଟଣାର ତଦନ୍ତ ନହେବା ଏବଂ କାର୍ଯ୍ୟାନୁଷ୍ଠାନ ନହେବା ଘଟଣା ନଜରକୁ ଆସିଥିଲା । ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରକାଶ ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଏପରିକି ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏସମ୍ପର୍କରେ କ'ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତା'ର ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ଦେବାକୁ ନେଇ ତତ୍ପରତା ପ୍ରକାଶ ପାଇଛି । ଚିଠିରେ ଉଲ୍ଲେଖ ଅଛି, ଉଚ୍ଚ ଶିକ୍ଷାନୁଷ୍ଠାନରେ ମହିଳାଙ୍କୁ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧ, ପ୍ରତିକାର) ଆକ୍ଟ ୨୦୧୩ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ଦିଆଯିବ । ଉଚ୍ଚଶିକ୍ଷାନୁଷ୍ଠାନରେ ଶିକ୍ଷାର୍ଥୀଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇସିସି ନଥିବା ଉଚ୍ଚଶିକ୍ଷାନୁଷ୍ଠାନରେ ଏହାକୁ ଗଠନ କରିବାକୁ କୁହାଯାଇଛି । ଯେଉଁଠି କମିଟି ଅଛି, ତାର କାର୍ଯ୍ୟକାରିତା ସଂପର୍କରେ ୩୦ ତାରିଖ ସୁଦ୍ଧା ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି ।