ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌କୁ ଆଉ ୪ ଦିନ.. ୨୦ ଦଳ,୫୫ ମ୍ୟାଚ୍‌, ୧୦ଟି ଭେନ୍ୟୁରେ ଜମିବ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୨୮/୦୫: ମଝିରେ ଆଉ ମାତ୍ର ଚାରି ଦିନ ରହିଲା । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ନବମ ସଂସ୍କରଣକୁ ନେଇ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି । ୱେଷ୍ଟଇଣ୍ଡିଜ ଓ ଆମେରିକା ଏଥର ମିଳିତ ଭାବେ ଏହି ସଂସ୍କରଣର ଆୟୋଜନ କରୁଛନ୍ତି । ପ୍ରଥମ ଥର ଆମେରିକାରେ ଆଇସିସିର ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଯାଉଛି । ବେସବଲ୍‌, ଏନ୍‌ଏଫ୍‌ଏଲ୍‌ ଓ ଏନ୍‌ବିଏ ପ୍ରିୟ  ଦେଶରେ କ୍ରିକେଟ୍‌ କେମିତି ଆମରିକୀୟଙ୍କ ଉପରେ  ପ୍ରଭାବ ପକାଉଛି, ତାହା ହିଁ ବଡ଼ କଥା । 

ବିଶ୍ୱକପ୍‌ର କଳେବର ଏଥର ବୃଦ୍ଧି କରିଛି ଆଇସିସି । ୨୦ଟି ଦଳ ଭାଗ ନେଇଛନ୍ତି । ମୋଟ୍‌ ୫୫ଟି ମ୍ୟାଚ୍‌ ଟୁର୍ଣ୍ଣାମେଣ୍ଟରେ ଖେଳାଯିବ । ଆମେରିକାରେ ନ୍ୟୁୟର୍କ, ଫ୍ଲୋରିଡା ଓ ଟେକ୍ସାସରେ ୩ଟି ଭେନ୍ୟୁରେ ମୋଟ୍‌ ୧୬ଟି ମ୍ୟାଚ୍‌ ଏବଂ  ୱେଷ୍ଟଇଣ୍ଡିଜର ୭ଟି ଭେନ୍ୟୁରେ ଟୁର୍ଣ୍ଣାମେଣ୍ଟର  ଅବଶିଷ୍ଟ ମ୍ୟାଚ୍‌ ଖେଳାଯିବାର ସୂଚୀ ରହିଛି । 

ବିସିସିଆର ପ୍ରଭାବ ହ୍ରାସ କରିବାକୁ ଚାହୁଁଛି  କି ଆଇସିସି? 

କ୍ରିକେଟ୍‌ର ବଜାରକୁ ଭାରତ (ବିସିସିଆଇ)  ସଂପୂର୍ଣ୍ଣ ନିୟନ୍ତ୍ରଣରେ ରଖିଛି । ବିଶେଷ କରି  ଆଇପିଏଲ ଆରମ୍ଭ ହେବା ଦିନରୁ ଏ ଧାରା ଅଧିକ ଦୃଢ଼ରୁ ଦୃଢ଼ତର ହେବାରେ ଲାଗିଛି । ଆଇପିଏଲ  ଏବେ ୟୁରୋପ ଏବଂ ଆମେରିକାର ବଡ଼ ବଡ଼ ଲିଗ୍‌  ଗୁଡ଼ିକୁ ଟକ୍କର ଦେବାକୁ ଲାଗିଲାଣି। 

କ୍ରୀଡ଼ା ପାଇଁ ଆମେରିକାର ବଜାର ବେଶ  ସୁଦୃଢ଼ । ଆଇସିସି ଆମେରିକା ବଜାରରେ ପ୍ରବେଶ  କରି ନିଜର ପୁଞ୍ଜି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।  କାରଣ ଏବେବି ୟୁଏସ୍‌ଏରେ ୩୦ ମିଲିୟନରୁ ଊଦ୍ଧ୍ୱର୍  କ୍ରିକେଟ୍‌ ପ୍ରଶଂସକ ରହିଛନ୍ତି । ସେମାନଙ୍କୁ ଆକୃଷ୍ଟ  କରିବା ପାଇଁ ଆଇସିସି ଭାରତ-ପାକିସ୍ତାନ ମ୍ୟାଚ୍‌କୁ  ନ୍ୟୁୟର୍କରେ ଆୟୋଜନ କରୁଛି ।  

ଊନବିଂଶ ଶତକର ମଧ୍ୟଭାଗ ପର୍ଯ୍ୟନ୍ତ  କ୍ରିକେଟ୍‌ ଆମେରିକାରେ ବେଶ ଲୋକପ୍ରିୟ  ଥିଲା । ୧୮୪୪ରେ ଆମେରିକା ଓ କାନାଡ଼ା  ମଧ୍ୟରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ନ୍ୟୁୟର୍କରେ  ଖେଳାଯାଇଥିଲା । ୨୦ ହଜାର ଦର୍ଶକ ଏହି ମ୍ୟାଚ୍‌  ଦେଖିଥିଲେ । 

ମାତ୍ର ୧୮୬୦ ପରବର୍ତ୍ତୀ ସମୟରେ  ଧୀରେ ଧୀରେ ବେସ୍‌ବଲ ପ୍ରତି  ଆମେରିକୀୟଙ୍କ ଆଗ୍ରହ ବୃଦ୍ଧି  ପାଇଥିଲା । ବିଂଶ ଶତକର ପ୍ରଥମାର୍ଦ୍ଧ ସୁଦ୍ଧା ଏହି କ୍ରୀଡ଼ା ଲୋକପ୍ରିୟତାର  ଶୀର୍ଷରେ ପହଞ୍ଚି ସାରିଥିଲା । କିନ୍ତୁ  କ୍ରିକେଟ୍‌ ସେହି ଅନୁସାରେ ସଂପୂର୍ଣ୍ଣ  ଧରାସାୟୀ ହୋଇ ଯାଇଥିଲା । 

୧୯୦୦ ଅଲିମ୍ପିକ୍ସରେ ସାମିଲ ହୋଇଥିଲା କ୍ରିକେଟ୍‌ 

ମାତ୍ର ଥରୁଟିଏ କ୍ରିକେଟ୍‌ ଅଲିମ୍ପିକ୍ସରେ ସାମିଲ  ହୋଇଥିଲା । ତାହା ଥିଲା ୧୯୦୦ ମସିହାରେ  ଆୟୋଜିତ ଅଲିମ୍ପିକ୍ସ କ୍ରୀଡ଼ାର ଦ୍ୱିତୀୟ ସଂସ୍କରଣରେ ।  ଏହାପରେ ଆଉ କ୍ରିକେଟ୍‌କୁ ସାମିଲ କରାଯାଇ  ନଥିଲା । ପୁଣି ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍‌କୁ  ସାମିଲ କରାଯାଇଛି । ଅଲିମ୍ପିକ୍ସର ଏହି ସଂସ୍କରଣ  ଆମେରିକା ଆୟୋଜନ କରୁଛି । ୧୨୮ ବର୍ଷ ପରେ  ଅଲିମ୍ପିକ୍ସରେ କ୍ରିକେଟ୍‌ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ।  କ୍ରିକେଟ୍‌ ଏକ ଅଲିମ୍ପିକ୍ସ କ୍ରୀଡ଼ା ହୋଇ  ସାରିଥିବାରୁ ଏହାକୁ ନେଇ ଆମେରିକା ଏବଂ ଅନ୍ୟ  ଦେଶମାନଙ୍କର ଆଗ୍ରହ ବୃଦ୍ଧି ପାଇଛି । ନିକଟରେ  ଭ୍ରମଣକାରୀ ବାଂଲାଦେଶକୁ ହରାଇ ଟି-ଟ୍ୱେଣ୍ଟି ସିରିଜ  ଜିତିବା ପରେ ଆମେରିକା ଦଳର ପ୍ରଶଂସକ ବେଶ୍‌  ଉତ୍ସାହିତ ହୋଇ ପଡ଼ିଛନ୍ତି । 

ବୋଲ୍ଟ ବ୍ରାଣ୍ଡ୍‌ ଆମ୍ବାସଡର 

ବିଶ୍ୱର ଦ୍ରୁତତମ ଧାବକ ୟୁସେନ ବୋଲ୍ଟଙ୍କୁ  ଆଇସିସି ବିଶ୍ୱକପ୍‌ର ବ୍ରାଣ୍ଡ୍‌ ଆମ୍ବାସଡର କରିଛି ।  ସାରା ବିଶ୍ୱରେ ବୋଲ୍ଟଙ୍କ ଅନୁଗାମୀ ରହିଛନ୍ତି ।  ଦୀର୍ଘ ଦିନ ହେଲା କ୍ରୀଡ଼ାରୁ ଦୂରେଇ ରହିଥିଲେ  ବି ଆମେରିକା ଓ ୟୁରୋପରେ ତାଙ୍କର ବ୍ରାଣ୍ଡ୍‌  ଭାଲ୍ୟୁ ପୂର୍ବଭଳି ରହିଛି କହିଲେ ଚଳେ । ତେଣୁ  ଆଇସିସି ତାଙ୍କ ମାଧ୍ୟମରେ ଆମେରିକା ବଜାରରେ  ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । 

ବୋଲ୍ଟ ବି ଜଣେ କ୍ରିକେଟ୍‌ପ୍ରେମୀ । ତାଙ୍କ ବାପା କିଭଳି  ଜଣେ ବଡ଼ କ୍ରିକେଟ୍‌ ପ୍ରଶଂସକ  ଏବଂ ସର୍ବଦା ୱେଷ୍ଟଇଣ୍ଡିଜ ଦଳକୁ  ସମର୍ଥନ କରନ୍ତି, ତାହା ସେ ପୂର୍ବରୁ  ଆଇସିସିର ଏକ କାର୍ଯ୍ୟକ୍ରମରେ  କହିଥିଲେ । ସେମିତି ନିଜେ ବୋଲ୍ଟ ବି ସଚିନ  ତେନ୍ଦୁଲକର ଏବଂ ବ୍ରାଏନ ଲାରାଙ୍କର ପିଲା  ଦିନରୁ ପ୍ରଶଂସକ ବୋଲି ସ୍ୱୀକାର କରିଛନ୍ତି ।  ବିଶ୍ୱକପ୍‌ର ପ୍ରଚାର ପ୍ରସାର ପାଇଁ ନିକଟରେ ସେ  ମାୟାମି ଗ୍ରାଁପ୍ରିରେ (ଫର୍ମୁଲା ୱାନ) ପହଞ୍ଚିଥିଲେ ।  

କ୍ରିକେଟର ପ୍ରଚାର ପ୍ରସାର ନେଇ ଆଇସିସି  ପ୍ରୟାସ ଜାରି ରଖିଛି । ବୋଲ୍ଟ କହିଥିଲେ,  ‘ଆମେରିକାରେ କ୍ରିକେଟର ବିକାଶ ଘଟିବ ବୋଲି  ମୋର ବିଶ୍ୱାସ । ତୃଣମୂଳ ସ୍ତରରୁ ପ୍ରଚାର ପ୍ରସାର ଦ୍ୱାରା  ହିଁ ଏହା ସମ୍ଭବ ହୋଇପାରିବ ।’ ତେଣୁ ଯାହା ଆଶା,  କେବଳ ଇଭେଣ୍ଟ ଆୟୋଜନ ଦ୍ୱାରା ନୁହେଁ, ନିୟମିତ  ଭାବେ ତୃଣମୂଳ ସ୍ତରରୁ ଯଦି କ୍ରିକେଟର ବିକାଶ ନେଇ  ଆଇସିସି କାର୍ଯ୍ୟ କରିବ ତେବେ ପୁଣି ଆମେରିକାରେ  କ୍ରିକେଟର ପୂର୍ବ ଲୋକପ୍ରିୟତା ଫେରି ଆସିବ । 

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.