ଭୁବନେଶ୍ୱର,୧୧/୦୮: ସ୍ୱାଧୀନତା ଦିବସ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ପର୍ବ । କିଏ ଜାତୀୟ ପତାକା କିଣୁଛି ତ ଆଉ କିଏ ତ୍ରିରଙ୍ଗା ରଙ୍ଗ ଥିବା ବିଭିନ୍ନ ଅଳଙ୍କାର । କିଏ ଘର ସଜେଇବା ପାଇଁ ବେଲୁନ କିଣୁଛି ତ ଆଉ କିଏ ଗାଡ଼ି ସଜେଇବା ପାଇଁ ପତାକା । ସ୍ୱାଧୀନତାର ଏହି ପର୍ବକୁ ପାଳିବା ପାଇଁ ସମସ୍ତଙ୍କ ମନରେ ଭରିଗଲାଣି ଉତ୍କଣ୍ଠା । ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ‘ହର ଘର ତ୍ରିରଙ୍ଗା’ କ୍ୟାମ୍ପେନ୍ ପାଇଁ ଆଗୁଆ ପତାକା କିଣିବା ଆରମ୍ଭ ହୋଇଗଲାଣି । ସେଥପାଇଁ ରାଜଧାନୀ ପୂରା ତ୍ରିରଙ୍ଗାରେ ରଙ୍ଗାୟିତ ।
ସ୍ୱାଧୀନତା ଦିବସ ପାଖେଇ ଆସୁଥିବାରୁ ଛୋଟପିଲାଙ୍କଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବଜାର ମୁହାଁ ହେଲେଣି । ଯୁବପିଢ଼ି ବଡ଼ ପତାକା କିଣୁଥିବା ବେଳେ ଛୋଟ ପିଲାମାନେ ଛୋଟ ପତାକା, ବେଲୁନ, ହାତ ବ୍ୟାଣ୍ଡ୍ ଭଳି ବିଭିନ୍ନ ସାମଗ୍ରୀ କିଣୁଛନ୍ତି । ଛୋଟ ପତାକା ଗୁଡ଼ିକର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ବଡ଼ ପତାକାଗୁଡ଼ିକ ଶହେ ଟଙ୍କାରୁ ଆରମ୍ଭ କରି ୫ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହା ବ୍ୟତୀତ ଟୋପି, ଝିଅମାନଙ୍କର ହେୟାର କ୍ଲିପ୍, ରିବନ ଫିତା, ପତାକା ଷ୍ଟାଣ୍ଡ, ବ୍ୟାଜ୍, ହାତ ବ୍ୟାଣ୍ଡ୍, ବେଲୁନ ଭଳି ବିଭିନ୍ନ ସାମଗ୍ରୀ ୧୦ ଟଙ୍କାରୁ ଆରମ୍ଭ ହୋଇ ୧୫୦ ଟଙ୍କା ପର୍ଯ୍ୟନ୍ତ ରହୁଛି । ଏକ ନମ୍ବର ହାଟରେ ପତାକା ଦୋକାନୀ ଅରୁଣ ବାରିକ କୁହନ୍ତି, ସ୍କୁଲପିଲାମାନେ ନିଜ ଅଭିଭାବକଙ୍କ ସହିକ ଏହିସବୁ ସାମଗ୍ରୀ କିଣିବାକୁ ଅଧିକ ଆସୁଛନ୍ତି । ଏଗୁଡ଼ିକ ମୁଖ୍ୟତଃ ଏକ ନମ୍ବର ହାଟ, ଖଣ୍ଡଗିରି, ପଟିଆ, ରସୁଲଗଡ଼ ଭଳି ବିଭିନ୍ନ ଛକରେ ବିକ୍ରି ହେଉଛି ।
ସ୍ୱାଧୀନତା ଦିବସରେ ମହିଳାମାନଙ୍କ ପାଇଁ ମଧ୍ୟ ବିଭିନ୍ନ ଦୋକାନ ତଥା କେତେକ ଘରୋଇ ସଂସ୍ଥା ବିଭିନ୍ନ ସାଜସଜ୍ଜା ସାମଗ୍ରୀ ସଜେଇ ସାରିଲେଣି । ବିଶେଷକରି ତ୍ରିରଙ୍ଗା ଅଳଙ୍କାର ମହିଳାଙ୍କର ପ୍ରଥମ ପସନ୍ଦ ପାଲଟିଛି । ଯାହାର ମୂଲ୍ୟ ୫୦ ଟଙ୍କାରୁ ଆରମ୍ଭ ହୋଇ ୩ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । ଏଥିରେ କାନଫୁଲଠୁ ଆରମ୍ଭ କରି ମୁଦି,ହାର ଚୁଡ଼ି ପର୍ଯ୍ୟନ୍ତ ରହୁଛି । ଏଥିସହିତ ତ୍ରିରଙ୍ଗା ଶାଢ଼ି, କୁର୍ତ୍ତା, ଓଢ଼ଣିର ମୂଲ୍ୟ ୨ଶହ ଟଙ୍କାରୁ ଆରମ୍ଭ ହୋଇ ହଜାରେ ଟଙ୍କା ପର୍ଯ୍ୟନ୍ତ ରହୁଛି । ପ୍ରତିବର୍ଷ ସ୍ୱାଧୀନତା ଦିବସରେ ତ୍ରିରଙ୍ଗା ଅଳଙ୍କାର ବିକ୍ରି କରୁଥିବା ଡ. ପ୍ରିୟଙ୍କା ମିଶ୍ର କହନ୍ତି, ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସର ମାସେ ପୂର୍ବରୁ ମୋତେ ବହୁତ ଅଳଙ୍କାର ପାଇଁ ବରାଦି ଆସିଥିଏ । ଚଳିତ ବର୍ଷ ମଧ୍ୟ ଅନେକ ବରାଦି ରହିଛି ।
ମୁଁ ଉଭୟ ଅନଲାଇନ୍ ଓ ଅଫଲାଇନ୍ ବଜାରରେ ନିଜର ସାମଗ୍ରୀ ବିକ୍ରି କରେ । ଅଧିକାଂଶ ମହିଳା ଗଣମାଧ୍ୟମରୁ ବିଭିନ୍ନ ଡିଜାଇନ୍ ଦେଖି ସେହିଭଳି ଅଳଙ୍କାର ପ୍ରସ୍ତୁତ କରିବାକୁ କହୁଛନ୍ତି । ଏଥିସହିତ ସରକାରୀ ଅଧିକାରୀ ଏବଂ ସ୍କୁଲ, କଲେଜଗୁଡ଼ିକରେ ଖଦି ପତାକା ଅଧିକ କିଣୁଛନ୍ତି । ରାମ ମନ୍ଦିର ସମ୍ମୁଖରେ ଥିବା ଖଦି ବୋର୍ଡ ଅଧିକାରୀ ବେଣୁଧର ପ୍ରଧାନ କୁହନ୍ତି, ଲୋକମାନଙ୍କର ଖଦି ପତାକା ପ୍ରତି ବେଶ୍ ଚାହିଦା ବଢୁଛି । ଏବେ ଠାରୁ ଅନେକ ଲୋକ ପତାକା କିଣିବା ଆରମ୍ଭ କରିଦେଲେଣି । ପତାକାର ଲମ୍ବ ଅନୁଯାୟୀ ମୂଲ୍ୟ ଧାର୍ଯ୍ୟ ହୋଇଥାଏ ।