ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ଇଣ୍ଡି ଅପପ୍ରଚାର ଓ ବିଜେପି

ଏଥରକୁ ମିଶାଇ ତୃତୀୟ ଥର ପାଇଁ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନଡିଏ) ଦେଶରେ ସରକାର ଗଠନ କରିଛି । ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଏନଡିଏ ବିଜୟୀ ହୋଇଥିଲା । ଏନଡିଏର ବିଜୟ ସତ୍ତେ୍ୱ ଏହାର ଛାମୁଆ ଅଂଶୀଦାର ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରଦର୍ଶନ ଆଶାଜନକ ହୋଇନାହିଁ । ଦଳ ୨୦୧୯ ଲୋକସଭା ନିର୍ବାଚନରେ ୩୦୩ ଆସନ ହାସଲ କରିଥିଲା । ଏଥର ଏକାବେଳକେ ୬୩ଟି ଆସନ ହରାଇଛି ।

ଲୋକସଭାରେ ବିଜେପିର ଏପରି ଶକ୍ତି ହ୍ରାସର କାରଣ କ’ଣ ହୋଇପାରେ? ଏ ସମ୍ପର୍କରେ ବିଶ୍ଳେଷକମାନେ ବିଭିନ୍ନ କାରକ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ମୋ ଦୃଷ୍ଟିରେ ନିର୍ଦ୍ଦିଷ୍ଟ କାରଣ- ଇଣ୍ଡିମେଣ୍ଟ (ଆଇଏନଡିଆଇଏ)ର ନିର୍ବାଚନ ପ୍ରଚାରର ଉପଯୁକ୍ତ ମୁକାବିଲା କରିପାରିଲା ନାହିଁ ବିଜେପି । ଇଣ୍ଡିମେଣ୍ଟ ନେତାମାନେ ଭୋଟଦାତାଙ୍କ ମନ ମଧ୍ୟରେ ଏନଡିଏ ସରକାରକୁ ନେଇ ଅନେକ ଭ୍ରାନ୍ତଧାରଣା, ଅମୂଳକ ଆଶଙ୍କା ପୂରାଇ ଦେବାକୁ ସଫଳ ହୋଇପାରିଲେ । ବଡ଼ ଆଶଙ୍କା ହେଲା, ବିଜେପି ନେତୃତ୍ୱାଧୀନ ଏନଡିଏ ଯଦି ପୁଣି ଥରେ କ୍ଷମତାକୁ ଫେରେ ତେବେ ସମ୍ବିଧାନ ସଙ୍କଟରେ ପଡ଼ିବ । ସମ୍ବିଧାନ ବଦଳାଇ ଦଳିତ ତଥା ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥାକୁ ପୂରା ହଟାଇ ଦେବ । ଲୋକସଭା ନିର୍ବାଚନର ଦୀର୍ଘଦିନ ଲାଗି ରହିଥିବା ପ୍ରଚାର ସମୟରେ ମଲ୍ଲିକାର୍ଜୁନ ଖଡ୍‌ଗେ, ଅଖିଳେଶ ଯାଦବ, ରାହୁଲ ଗାନ୍ଧୀ ଏବଂ ଅନ୍ୟମାନେ ବିଜେପି ଆସିଲେ କି କି ବିପଦ ଦେଖା ଦେଇପାରେ ବୋଲି ଏକ ଲମ୍ବା ଚିଠା ଭୋଟରଙ୍କ ସମ୍ମୁଖରେ ଖୋଲିଥିଲେ । ତାଲିକାରୁ ଗୋଟି ଗୋଟି କରି କାରଣ ନିର୍ଦ୍ଦିଷ୍ଟ ଭାବେ ଦେଶବାସୀଙ୍କ ସମ୍ମୁଖରେ ରଖିଥିଲେ, ଯାହା କାମ ଦେଲା ।

ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା, ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ତଥା ଓବିସି-ଦଳିତଙ୍କ ସ୍ୱାର୍ଥ ରକ୍ଷା ଲାଗି ବିଜେପି କ୍ଷମତାରେ ରହିବା ଭିତରେ ଏକାଧିକ କାମ କରିଥିଲା । ମାତ୍ର ଏହାକୁ ଭୋଟରଙ୍କୁ ଜଣାଇପାରିନଥିଲା । ବିରୋଧୀଙ୍କ ଅପପ୍ରଚାରକୁ ନିଷ୍ଫଳ କରିବାକୁ ସମର୍ଥ ହୋଇପାରିଲା ନାହିଁ ଦଳ ।

ଆହୁରି ମଧ୍ୟ ବିଜେପି ନିର୍ବାଚନୀ ଘୋଷଣାପତ୍ରରେ ସଂରକ୍ଷଣ ହଟାଇ ଦେବାର କୌଣସି ସୂଚନା ନଥିଲା । ନରେନ୍ଦ୍ର ମୋଦି ହୁଅନ୍ତୁ ଅବା ଅମିତ ଶାହ କିମ୍ବା ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡା କାହାରି ପାଟିରୁ ମଧ୍ୟ ପ୍ରଚାର ବେଳେ ସଂରକ୍ଷଣ ହଟାଇବା ସମ୍ପର୍କରେ ବିନ୍ଦୁବିସର୍ଗ ବାହାରିନଥିଲା । ତଥାପି ମୋଦି ସରକାର ଦଳିତ-ଓବିସି ବିରୋଧୀ ବୋଲି ଚିତ୍ରଣ କରିବାରେ ସଫଳ ହୋଇପାରିଲା ବିରୋଧୀ ମେଣ୍ଟ । ଏଠାରେ ମନେପକାଇ ଦିଆଯାଇପାରେ ଯେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଏନଡିଏ ସରକାର ୨୦୦୦ ଜାନୁଆରୀରେ ସମ୍ବିଧାନ ସଂଶୋଧନ କରି ଲୋକସଭା ତଥା ବିଧାନସଭାରେ ଅନୁସୂଚିତ ଜାତି ଜନଜାତି ସଦସ୍ୟଙ୍କ ପାଇଁ ସଂରକ୍ଷଣ ଅବଧିକୁ ଆହୁରି ୧୦ବର୍ଷ ବଢ଼ାଇ ଦେଇଥିଲେ । ନରେନ୍ଦ୍ର ମୋଦି ସରକାର ମଧ୍ୟ ୨୦୨୦ ଜାନୁଆରୀରେ ସମାନ ପ୍ରକାର ସଂଶୋଧନ (ସଂଶୋଧନ ୧୦୪) ଆଣି ସଂରକ୍ଷଣ ବ୍ୟବସ୍ଥାକୁ ୨୦୩୦ ଯାଏ ଟାଣି ଦେଇଥିଲେ ।

ପ୍ରଥମେ ୧୯୫୦ରେ ସମ୍ବିଧାନ ଯେବେ କାର୍ଯ୍ୟକାରୀ ହେଲା ସେଥିରେ କେବଳ ୧୦ବର୍ଷ ପାଇଁ ସଂରକ୍ଷଣ ବ୍ୟବସ୍ଥା ରଖାଯାଇଥିଲା । ସେହି ଅନୁସାରେ ୧୯୬୦ରେ ସଂରକ୍ଷଣ ବ୍ୟବସ୍ଥା ହଟିଯିବା କଥା । ମାତ୍ର ସଂସଦର ଉଭୟ ଗୃହ ଆଉ ୧୦ବର୍ଷ ଲେଖାଏଁ ସଂରକ୍ଷଣ ବ୍ୟବସ୍ଥାର ଅବଧି ବୃଦ୍ଧିକୁ ଅନୁମୋଦନ ଦେଇ ଚାଲିଥିଲେ । ଏହା ପରମ୍ପରାରେ ପରିଣତ ହୋଇଗଲା । ଏହି ପରମ୍ପରାକୁ ବାଜପେୟୀ ଏବଂ ମୋଦି ସରକାର ମଧ୍ୟ ଅନୁସରଣ କଲେ । ବାଜପେୟୀଙ୍କ ଅମଳରେ ଆହୁରି ତିନୋଟି ପ୍ରମୁଖ ସଂଶୋଧନ ଅଣାଯାଇଥିଲା, ଯାହାର ଗୁରୁତ୍ୱ ଏହାଠାରୁ ବି ଅଧିକ । 

୨୦୦୦ ଜୁନ୍‌ରେ ବାଜପେୟୀ ସରକାର ସମ୍ବିଧାନ ଅନୁଚ୍ଛେଦ ୧୬ରେ ସଂଶୋଧନ (ସଂଶୋଧନ ୮୧) ଆଣିଲେ । ଖାଲି ପଦବିଗୁଡ଼ିକ ଅନୁସୂଚିତ ଜାତି, ଜନଜାତିଙ୍କ ପାଇଁ ସଂରକ୍ଷଣ ଜାରି ରଖାଯିବାର ବ୍ୟବସ୍ଥା ହେଲା । ପୁଣି ୨୦୦୨ ସେପ୍ଟେମ୍ବରରେ ଅନୁଚ୍ଛେଦ ୩୫୫ରେ (ସଂଶୋଧନ ୮୨) ଅଣାଗଲା, ଯଦ୍ୱାରା ଚାକିରି କ୍ଷେତ୍ରରେ ପଦୋନ୍ନତି ଲାଗି ଅନୁସୂଚିତ ଜାତି, ଜନଜାତି ପ୍ରାର୍ଥୀଙ୍କ ଆବଶ୍ୟକ ଯୋଗ୍ୟତା ଅଙ୍କର ସର୍ବନିମ୍ନ ହାରକୁ କୋହଳ କରାଯାଇପାରିବ । ୨୦୦୨ ଜାନୁୟାରୀ ସେହି ବାଜପେୟୀ ସରକାର ପୁଣି ଅନୁଚ୍ଛେଦ ୧୬ରେ ସଂଶୋଧନ ଆଣି ସୁନିଶ୍ଚିତ କଲେ ଯେ ଅନୁସୂଚିତ ଜାତି, ଜନଜାତି ବର୍ଗଙ୍କ ପଦୋନ୍ନତି କ୍ଷେତ୍ରରେ ଯେପରି ବରିଷ୍ଠତା ସୁରକ୍ଷିତ ରହିପାରିବ । ବାଜପେୟୀ ସରକାରଙ୍କ ଆଉ ଏକ ସମ୍ବିଧାନ ସଂଶୋଧନ ନିଷ୍ପତ୍ତି ଅତି ମହତ୍ତ୍ୱପୂର୍ଣ୍ଣ ଥିଲା । ସରକାର ସଂଶୋଧନ ୮୯ ଜରିଆରେ ନ୍ୟାସନାଲ କମିଶନ ଅଫ ଏସସି/ଏସଟିକୁ ଦ୍ୱିଭାଗ କରିଦେଲେ ଏବଂ ଅନୁସୂଚିତ ଆଦିବାସୀ ବର୍ଗଙ୍କ ଲାଗି ଏକ ସ୍ୱତନ୍ତ୍ର କମିଶନ ଗଠନ କଲେ ।

ନରେନ୍ଦ୍ର ମୋଦି ସରକାର ବାଜପେୟୀ ସରକାରର ପଦାଙ୍କ ଅନୁସରଣ  କଲେ । ବାଜପେୟୀଙ୍କ ପରି ସଂରକ୍ଷଣ ଅବଧିକୁ ଆହୁରି ୧୦ବର୍ଷ ବଢ଼ାଇଥିବା କଥା ଆପଣମାନେ ପୂର୍ବରୁ ଜାଣିଛନ୍ତି । ଦଳିତଙ୍କ ସ୍ୱାର୍ଥ ରକ୍ଷା ଲାଗି ମୋଦି ସରକାରଙ୍କ ଆହୁରି ଅନେକ ଅବଦାନ ରହିଛି, ଯାହା ଏଠାରେ ଉଲ୍ଲେଖଯୋଗ୍ୟ । ଓବିସିଙ୍କୁ ଚିହ୍ନଟ ଲାଗି ରାଜ୍ୟ ସରକାରଙ୍କ ହାତରେ କ୍ଷମତାକୁ ସୁରକ୍ଷିତ ରଖିବା ଲାଗି ମୋଦି ସରକାର ୨୦୨୧ ଅଗଷ୍ଟରେ ସମ୍ବିଧାନ ସଂଶୋଧନ କରିଥିଲେ । ସେହିବର୍ଷ  ମେ’ ମାସରେ ସର୍ବୋଚ୍ଚ ଅଦାଲତ ରାୟ ଦେଇଥିଲେ ଯେ, ଓବିସି ତାଲିକାରେ କେଉଁ ବର୍ଗ ସ୍ଥାନ ପାଇବାକୁ ଯୋଗ୍ୟ ତାହା ଚିହ୍ନଟ କରିବାକୁ କେନ୍ଦ୍ର ସରକାର କେବଳ କ୍ଷମତାପ୍ରାପ୍ତ ଅଟନ୍ତି । ମାତ୍ର ମୋଦି ସରକାରଙ୍କ ସଂଶୋଧନ ସୁପ୍ରିମକୋର୍ଟଙ୍କ ରାୟକୁ ରଦ୍ଦ କରି ରାଜ୍ୟ ସରକାରଙ୍କୁ ଏହି କ୍ଷମତା ହସ୍ତାନ୍ତରିତ କରିଥିଲା । ଏହାଦ୍ୱାରା ରାଜ୍ୟ ସରକାରଗୁଡ଼ିକ ଅଧିକ କ୍ଷମତା ପାଇବା ସହିତ ଦେଶର ସଂଘୀୟ ବ୍ୟବସ୍ଥା ମଜବୁତ୍‌ ରହିବାରେ ସହାୟକ ହୋଇଥିଲା । ବୈଚାରିକ ଦୃଷ୍ଟିରୁ ମୋଦି ସରକାରଙ୍କ ଏହି ନିଷ୍ପତ୍ତି କିଛି କମ୍‌ ମହତ୍ତ୍ୱପୂର୍ଣ୍ଣ ନୁହେଁ! ଦେଶର ହିତକୁ ପ୍ରାଧାନ୍ୟ ଦେଇ କେନ୍ଦ୍ର ସରକାର ଖୁବ୍‌ ଭାବିଚିନ୍ତି ଏହି ନିଷ୍ପତ୍ତି ନେଇଥିଲେ । 

କାରଣ ମୋଦି ସରକାର ଅନୁଭବ କରିଥିଲେ ଯେ, ନିଜ ଅଞ୍ଚଳରେ କେଉଁ ବର୍ଗ ବା ଗୋଷ୍ଠୀ ପଛୁଆ ଏବଂ ସଂରକ୍ଷଣ ପାଇବାକୁ ଯୋଗ୍ୟ ତାହା ସେହି ରାଜ୍ୟର ସରକାର ହିଁ ଭଲଭାବେ ବୁଝିପାରନ୍ତି । ଏଣୁ ବିଭିନ୍ନ ଗୋଷ୍ଠୀର ଦାବି ପ୍ରତି ରାଜ୍ୟ ସରକାର ହିଁ ଉଚିତ ନ୍ୟାୟ ଦେଇପାରିବେ । ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି କେନ୍ଦ୍ର ସରକାର ଉଦ୍ୟମକୁ କେବେବି ଆଗକୁ ଅଣାଯାଇନଥିଲା । ବରଂ ବିରୋଧୀମାନେ  ସର୍ବଦା ଅପବାଦ ଦେଇ ଆସିଛନ୍ତି ଯେ, ରାଜ୍ୟ ସରକାରଙ୍କୁ ଦୁର୍ବଳ କରିବାକୁ  ମୋଦି ସରକାର ସର୍ବଦା ଚେଷ୍ଟିତ ।

ବାସ୍ତବତା ହେଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଅନ୍ୟାନ୍ୟ ପଛୁଆବର୍ଗ (ଓବିସି)ରୁ ଆସିଛନ୍ତି । ଗତ ୧୦ବର୍ଷ ହେଲାଣି ବିଜେପି ପକ୍ଷରୁ ରାଷ୍ଟ୍ରପତିଙ୍କ ଆସନରେ ପଛୁଆବର୍ଗର ବ୍ୟକ୍ତିତ୍ୱଙ୍କୁ ବସିବାର ସମ୍ମାନ ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା । ତାଙ୍କ ପୂର୍ବରୁ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦଳିତ ବର୍ଗର । ଏତେ ସବୁ ବିଶ୍ୱସନୀୟତା ହାସଲ ସତ୍ତେ୍ୱ ବିଜେପି ଏହାକୁ ଭୋଟରେ ପରିବର୍ତ୍ତିତ କରିବାରେ ସକ୍ଷମ ହେଲାନାହିଁ । ଦଳ ଦଳିତ-ବିରୋଧୀ ଏବଂ ଓବିସି-ବିରୋଧୀ ବୋଲି ଚିତ୍ରଣ କରିବାକୁ ବିରୋଧୀ ପକ୍ଷ ଜୋରଦାର ପ୍ରଚାର କରିଥିଲେ । ଏପରି ଅପପ୍ରଚାରକୁ ପର୍ଯ୍ୟାୟକ୍ରମିକ ନିର୍ବାଚନ କାଳରେ ରାହୁଲ ଗାନ୍ଧି, ଅଖିଳେଶ ଯାଦବ ଆଗେଇ ନେବାରେ ବୃହତ ଭୂମିକା ତୁଲାଇଥିଲେ । ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ ବିଜେପିର ଶୋଚନୀୟ ପରିସ୍ଥିତି ଲାଗି ବିରୋଧୀଙ୍କ ଏହି ରଣନୀତି ହିଁ କାମ ଦେଖାଇଲା । ଅଖିଳେଶ ଟିକଟ ବଣ୍ଟନରେ ମଧ୍ୟ ଅତି ଚତୁର ସାମାଜିକ-ଇଞ୍ଜିନିୟରିଂ କୌଶଳ ପ୍ରୟୋଗ କରିଥିଲେ । ସେ ପ୍ରଥମେ ମୁସଲିମ୍‌-ଯାଦବ ମେଣ୍ଟକୁ ମଜବୁତ୍‌ କଲେ । କୁଶଳୀ ଟିକଟ ବଣ୍ଟନ କାରଣରୁ ଦଳିତବର୍ଗର କିଛି ଅଂଶକୁ ନିଜ ସହିତ ବାନ୍ଧି ରଖିପାରିଲେ । ଏତଦ୍‌ ବ୍ୟତୀତ ମାୟାବତୀଙ୍କ ସମର୍ଥକଙ୍କ ମଧ୍ୟରେ ବି ବିଶ୍ୱାସ ଜନ୍ମାଇଲେ ଯେ, ସେ ସେମାନଙ୍କର ସ୍ୱାର୍ଥର ସୁରକ୍ଷା ନିଶ୍ଚୟ କରିବେ । ଅନ୍ୟପକ୍ଷରେ ଦେଶରେ ନିର୍ବାଚନ ଯେହେତୁ ୭ଟି ପର୍ଯ୍ୟାୟରେ ହେଲା ଏବଂ ପ୍ରଚାର ଦୀର୍ଘ ଦୁଇ ମାସ ଲାଗି ରହିଲା, ଏଣୁ ଦଳିତ ଏବଂ ଓବିସିଙ୍କ ମନରେ ଆଶଙ୍କାର ବୀଜ ରୋପିବାକୁ ମୋଦି-ବିରୋଧୀଙ୍କୁ ପର୍ଯ୍ୟାପ୍ତ ସମୟ ସୁଯୋଗ ମିଳିଯାଇଥିଲା । ମୋଦି ବିରୋଧୀମାନେ ଏପରି ଶଙ୍କାକୁ ସୁବ୍ୟବସ୍ଥିତ ସୁନିର୍ଦ୍ଦିଷ୍ଟ  ଭାବେ ପୋତିଥିଲେ । ଏଣୁ ଶଙ୍କା କ୍ରମେ ଭୋଟରଙ୍କ ମନରେ ବିଶ୍ୱାସର ରୂପ ନେଇଥିଲା । ଅର୍ଥାତ୍‌, ଭୋଟରମାନେ ମୋଦି ସରକାର ଦଳିତ ତଥା ଓବିସି ବିରୋଧୀ ବୋଲି ନିଶ୍ଚିତ ହୋଇଗଲେ ।

ଆଗକୁ ହରିୟାଣା, ମହାରାଷ୍ଟ୍ର ଏବଂ ଆହୁରି କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଆସୁଛି । ରାଜ୍ୟ ନିର୍ବାଚନ ପାଖେଇ ଆସିବା ପୂର୍ବରୁ ବିଜେପିକୁ ଯାଥାଶୀଘ୍ର ଲୋକଙ୍କ ମନରୁ ବିରୋଧୀ ପୋତିଥିବା ମିଥ୍ୟାରୋପମୂଳକ ବିଶ୍ୱାସକୁ ଉତ୍ପାଟନ କରିବାକୁ ହେବ । ଅବଶ୍ୟ ଏହି ନକାରାତ୍ମକ ବିଶ୍ୱାସ ହଟାଇବା ଏତେ ସହଜ ବ୍ୟାପାର ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.