ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ସ୍କୁଲ ପାଠ୍ୟକ୍ରମରେ ଭାରତୀୟ ଶାସ୍ତ୍ରର ଆବଶ୍ୟକତା

ଭୁବନେଶ୍ୱର: ବହୁତ ସମୟରେ ମୁଁ ଗାଁକୁ ଗଲେ ସ୍କୁଲ ପିଲାଙ୍କ ସହିତ ଭାବ ଆଦାନ ପ୍ରଦାନ  କରିବା ପାଇଁ ଆମ ହାଇସ୍କୁଲରୁ ନିମନ୍ତ୍ରଣ ମିଳିଥାଏ । ମୋ ଲିଖିତ ବିଭିନ୍ନ ପୁସ୍ତକ ସ୍କୁଲ  ଲାଇବ୍ରେରୀରେ ଥିବାରୁ ପିଲାମାନେ ବି ମତେ  ଶୁଣିବା ପାଇଁ ଆଗ୍ରହୀ ଥାଆନ୍ତି । ସାଧାରଣତଃ ଓଡ଼ିଶାର ଚଢ଼େଇମାନଙ୍କ ବିଷୟରେ ମତେ  ବିସ୍ତୃତ ଭାବରେ କହିବାର ସୁଯୋଗ ମିଳିଥାଏ  ଯଥା- ଚଢ଼େଇମାନଙ୍କର ବାସସ୍ଥାନ, ବ୍ୟବହାର, ଖାଦ୍ୟପେୟ ଓ ପ୍ରଜନନ ଆଦି ବିଷୟ ବହୁତ  ଆଗ୍ରହ ସହକାରେ ଶୁଣନ୍ତି । କେବେ କେବେ ଜଙ୍ଗଲୀ ମହାବଳ ବାଘ, ତ କେବେ କେବେ ଆମ  ପରିବେଶ ମୋର ବିଷୟବସ୍ତୁ ଥାଏ । ଏଥର କିନ୍ତୁ ଗୋଟିଏ ଅଲଗା ବିଷୟରେ ଆଲୋଚନା ଆରମ୍ଭ  ହୋଇ ଶେଷ ହେଲା ଆମ ଭାରତୀୟ ସଂସ୍କୃତି ଓ  ଶାସ୍ତ୍ରରେ । ପିଲାଙ୍କୁ ପଚାରିଲି କୌଣସି ଫଳଗଛର  ମଞ୍ଜିରୁ ଫଳ ଗଛଟିଏ ନବଢ଼େଇ ଆମେ କଲମି  ଗଛ (ଗ୍ରାଫଟିଙ୍ଗ ବା କ୍ଲୋନିଙ୍ଗ) କାହିଁକି ଖୋଜୁ?  କେବଳ ଜଣେ ଦୁଇଜଣ ତାହାର ଠିକ୍‌ ଉତ୍ତର  ଦେଲେ ।

 ଗୋଟିଏ ଉଦ୍ଭିଦରୁ ପୋଲେନ ସମାନ  ପ୍ରଜାତିର ଅନ୍ୟ ଉଦ୍ଭିଦର ଫୁଲକୁ ସ୍ଥାନାନ୍ତରିତ  ହେଲେ କ୍ରସ୍‌-ପୋଲିନେସନ ହୋଇଥାଏ ।  ଏହାଦ୍ୱାରା ବିଭିନ୍ନ ପ୍ୟାରେଣ୍ଟ ଉଦ୍ଭିଦରୁ ଜେନେଟିକ୍‌  ପଦାର୍ଥର ଏହି ମିଶ୍ରଣ ପ୍ୟାରେଣ୍ଟ ପ୍ଲାଣ୍ଟଠାରୁ ଭିନ୍ନ  ବୈଶିଷ୍ଟ୍ୟର ବଂଶ ସୃଷ୍ଟି କରିଥାଏ । ତେଣୁ ଗୋଟିଏ  ଗଛର ମଞ୍ଜିରୁ ସୃଷ୍ଟି ହୋଇଥିବା ଗଛର ଫଳ  ତା'ର ପ୍ୟାରେଣ୍ଟ ଗଛର ଫଳଠାରୁ ଭିନ୍ନ ଆକାର ଓ  ଭିନ୍ନ ସ୍ୱାଦର ହୋଇଥାଏ । ସେଥିପାଇଁ ଜେନେଟିକ୍‌  ସମାନ ବଂଶ ସୃଷ୍ଟି କରିବା ପାଇଁ କଟିଙ୍ଗ୍‌,  ଗ୍ରାଫ୍‌ଟିଙ୍ଗ୍‌ କିମ୍ବା ଟିସୁ କଲ୍‌ଚର ବ୍ୟବହାର କରିବା  ଭଳି କ୍ଲୋନିଙ୍ଗ ବା କଲମି କୌଶଳ ଅବଲମ୍ବନ  ଦ୍ୱାରା ବ୍ୟାବସାୟିକ ଫଳ ଉତ୍ପାଦନ ପ୍ରାୟତଃ  "ଭେଜେଟେଟିବ୍‌ ପ୍ରୋପାଗେସନ ମେଥଡ଼'  ପ୍ରଣାଳୀ ଉପରେ ନିର୍ଭର କରିଥାନ୍ତି ଯେଉଁଥିପାଇଁ  ନୂତନ ପ୍ଲାଣ୍ଟଗୁଡିକ ପ୍ୟାରେଣ୍ଟ ପ୍ଲାଣ୍ଟର ଆକାଂକ୍ଷିତ  ଗୁଣଗୁଡ଼ିକ ବଜାୟ ରଖିଥାଆନ୍ତି । 

ଉଦ୍ଭିଦ ପରି ପ୍ରାଣୀମାନେ ବି କଲମି ବା  କ୍ଲୋନିଙ୍ଗ ଦ୍ୱାରା ସୃଷ୍ଟି ହୋଇପାରନ୍ତି । ପୁଣି  ପଚାରିଲି- କିଏ କହିପାରିବ ବିଶ୍ୱର ପ୍ରଥମ  କ୍ଲୋନିଙ୍ଗ ହୋଇଥିବା ପ୍ରାଣୀ କିଏ? ପ୍ରାୟ ଷାଠିଏ  ପ୍ରତିଶତ ପିଲା ହାତ ଟେକିଲେ ଏବଂ ଏକାସାଙ୍ଗରେ  କହିଲେ- ଗୋଟିଏ ମେଣ୍ଢା, ତା’ ନାଁ ଡଲି । ଖୁସି  ଲାଗିଲା ଯାହାହେଉ ଗାଁ ପିଲା ବି ଏତେ କଥା  ଜାଣୁଛନ୍ତି! ଡଲି ହେଉଛି ପ୍ରଥମ କ୍ଲୋନ ମେଣ୍ଢା,  ଯାହା ୧୯୯୭ ମସିହାରେ "ନେଚର ଜର୍ଣ୍ଣାଲ'  ପତ୍ରିକାରେ ଘୋଷଣା କରାଯାଇଥିଲା । ପିଲାଙ୍କୁ  ପଚାରିଲି- ବ୍ରହ୍ମାଣ୍ଡର ପ୍ରଥମ କ୍ଲୋନିଙ୍ଗ କିଏ? 

ସେମାନଙ୍କ କୌତୁହଳ ବଢ଼ିଗଲା, କୁହନ୍ତୁ  କୁହନ୍ତୁ କହି ସମସ୍ତେ ଏକସ୍ୱରରେ ଅନୁରୋଧ  କଲେ । ମୁଁ ଚାହୁଁଥିଲି ଆମ ପିଲାମାନେ ଶୁଣନ୍ତୁ,  ଜାଣନ୍ତୁ ଯେ ଦୁନିଆର ଜ୍ଞାନର ଉତ୍ସ ଥିଲା ଆମର  "ବେଦ' । ଆଜି ଯେଉଁ ବିଜ୍ଞାନର କଥା କୁହାଯାଉଛି  ସେସବୁ ବିଜ୍ଞାନର ମୂଳ ଉତ୍ସ ହେଉଛି ଆମ  ସନାତନ ଧର୍ମ ଓ ଏହାର ଶାସ୍ତ୍ର । ପୃଥିବୀଠାରୁ  ଉଭୟ ଚନ୍ଦ୍ର ଏବଂ ସୂର୍ଯ୍ୟ ପର୍ଯ୍ୟନ୍ତ ହାରାହାରି  ଦୂରତା କେବଳ ଭାରତୀୟମାନେ ଅସାଧାରଣ ଧର୍ମ  ସଂସ୍କୃତିରୁ ହିଁ ଜାଣିଥିଲେ । ଆମ ସନାତନ ଶାସ୍ତ୍ର  ଅନୁସାରେ, ଗ୍ରହ ନକ୍ଷତ୍ରର ଗତିବିଧି ଅଧ୍ୟୟନ  କରି ଆମେ ନିର୍ଭୁଲ ଭାବରେ ଗଣନା କରିପାରୁଛୁ  ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ଠିକ୍‌ ଦିନ-ବାରତାରିଖ, ସମୟ ଇତ୍ୟାଦି । କିନ୍ତୁ ଦୁର୍ଭାଗ୍ୟର କଥା,  ଆମର ଶିକ୍ଷାପଦ୍ଧତିକୁ ଏମିତି ଭାବରେ ଧ୍ୱଂସ  କରିଦିଆଯାଇଛି ଯେ, ଏସବୁ ବିଷୟରେ ଆମେ  ଅଜ୍ଞ, ସ୍କୁଲରେ ଯାହା ପଢ଼ାହେଲା ଆମେ ସେଇଆ  ଶିଖିଲୁ । ଆମକୁ ଏହା କେବେ ପଢ଼ାହେଇନି କି  ଆମେ ପଢ଼ିନୁ! 

ପିଲାଙ୍କ କୌତୁହଳ ଦେଖି ଆମ ଶାସ୍ତ୍ରରୁ  ଆଦୃତ ଗପଟିଏ ଆରମ୍ଭ କଲି: "ଭଗବାନ  ବିଶ୍ୱକର୍ମା ହେଉଛନ୍ତି ବ୍ରହ୍ମାଣ୍ଡର ଜଣେ ମାତ୍ର  ଇଂଜିନିୟର, ଆର୍କିଟେକ୍‌ଚର ଓ ସାଇଣ୍ଟିଷ୍ଟ, ଯିଏ  ସବୁ ଭଗବାନଙ୍କୁ ଗଢ଼ିଛନ୍ତି ଏବଂ ତାଙ୍କ ଦେହରେ  ବିଭିନ୍ନ ଶକ୍ତି ସଂଚାର କରିଛନ୍ତି । ତାଙ୍କର ଗୋଟିଏ  ମାତ୍ର ଝିଅ, ନାଁ ତାଙ୍କର ସଞ୍ଜନା, ଅତ୍ୟଧିକ  ସୁନ୍ଦରୀ ସେ । ତାଙ୍କର ବିବାହ ପାଇଁ ତିନିଜଣ  ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ପ୍ରସ୍ତାବ ଆସିଲା- ବିଜୁଳି,  ଅଗ୍ନି ଓ ସୂର୍ଯ୍ୟ ଦେବତା । ସେମାନଙ୍କ ମଧ୍ୟରୁ ସେ  ସର୍ବଶକ୍ତିମାନ ସୂର୍ଯ୍ୟଦେବଙ୍କୁ ବାଛିଲେ, ସେହି  ଅନୁସାରେ ତାଙ୍କର ବିବାହ ସମ୍ପନ୍ନ ହେଲା ।  ସଞ୍ଜନା କିନ୍ତୁ ଜାଣିନଥିଲେ ତାଙ୍କ ସ୍ୱାମୀଙ୍କର ପ୍ରଚଣ୍ଡ  ତାପମାତ୍ରା ବିଷୟରେ । ଅସହ୍ୟ ତାପମାତ୍ରା ଯୋଗୁଁ  ସୂର୍ଯ୍ୟଦେବଙ୍କ ସହିତ ଏକତ୍ର ରହିବା ଅସମ୍ଭବ  ହେବାରୁ କିଛି ବାହାନା ନେଇ ନିଜ ବାପାଙ୍କ ପାଖକୁ  ଯାଇ ସବୁ କଥା କହିଲେ । ବିଶ୍ୱକର୍ମା ସେଠୁ ଚିନ୍ତା  କରି ସୂର୍ଯ୍ୟଙ୍କ ଦେହରୁ କିଛି କିଛି ତାପମାତ୍ରା ଓ  ଶକ୍ତି ବାହାର କରି ସେଥିରୁ ପୁଷ୍ପକ ବିମାନ, ଶିବଙ୍କ  ତ୍ରିଶୂଳ ଓ ସୁଦର୍ଶନଙ୍କ ଚକ୍ର ତିଆରି କଲାପରେ  କିଛି ତାପମାତ୍ରା କମିଗଲା। 

ତାପରେ ସଞ୍ଜନା ନିଜ ସ୍ୱାମୀଘରକୁ ଫେରିଲେ  ସତ, କିନ୍ତୁ ସବୁଦିନେ ରହିବା ସମ୍ଭବ ହେଲାନାହିଁ ।  ଆଉ ବାପାଙ୍କୁ ଅପଦସ୍ତ ନକରି, ବାପାଙ୍କଠାରୁ କିଛି  କିଛି ଇଞ୍ଜିନିୟରିଂ ପାଠ ଯାହା ଶିଖିଥିଲେ ତାହା  ବଳରେ ଗୁପ୍ତଭାବରେ ନିଜ ଦେହରୁ ଗୋଟିଏ  "କ୍ଲୋନ' ତିଆରି କରିଦେଲେ । ସବୁକିଛି ତାଙ୍କ  ନିଜର ରୂପ, ଆଚରଣ ବ୍ୟବହାର ଗୁଣ ସବୁଥିରେ  ସାମଞ୍ଜସ୍ୟ, ତା’ ନାଁ ଦେଲେ "ଛାୟା’ । 

ଛାୟା ହେଲା ବ୍ରହ୍ମାଣ୍ଡର ପ୍ରଥମ କ୍ଲୋନ! ଛାୟାଙ୍କୁ ସୂର୍ଯ୍ୟଙ୍କ ନିକଟରେ ଛାଡ଼ି ନିଜେ  କିଛିଦିନ ବାପାଙ୍କ ଘରେ ରହିଲେ । ସେହି ରୂପ,  ସେହି ଗୁଣ, ସେହି ଆଚାର ବ୍ୟବହାର ଦେଖି  ସୂର୍ଯ୍ୟଦେବ ବି କିଛି ଜାଣିପାରିଲେନାହିଁ ଛାୟାଙ୍କ  ବିଷୟରେ । ଇତିମଧ୍ୟରେ କ୍ଲୋନ ଛାୟା ଗର୍ଭବତୀ  ହେଲେ ଏବଂ ତାଙ୍କ ଗର୍ଭରୁ ଗୋଟିଏ ସନ୍ତାନ  ଜନ୍ମହେଲେ, ତାଙ୍କ ନାମ ହେଲା "ଶନି’ । ସଉତୁଣୀ  ଗର୍ଭରୁ ତାଙ୍କ ସ୍ମାମୀଙ୍କର ଏକ ସନ୍ତାନ ଜନ୍ମହେବାର  ଖବର ଶୁଣି ସଞ୍ଜନା ରାଗରେ ନିଆଁବାଣ  ହୋଇଗଲେ ଏବଂ ତୁରନ୍ତ ପହଞ୍ଚି ସେ କ୍ଲୋନ  ଛାୟାକୁ ଧ୍ୱଂସ କରିଦେଲେ, ନିଜ ଦେହ ମନକୁ  ଟାଣ କରି ସବୁ ତାପମାତ୍ରା ସହ୍ୟ କରି ନିଜେ ସ୍ୱାମୀ  ସୂର୍ଯ୍ୟଦେବଙ୍କ ସହିତ ଏକାଠି ରହିଲେ । ପରେ  ପରେ ତାଙ୍କର ଗୋଟିଏ ପୁଅ ଜନ୍ମହେଲେ ତାଙ୍କ  ନାମ "ଯମ’ ଏବଂ ପରେ କନ୍ୟାଟିଏ ଜନ୍ମହେଲେ  ତାଙ୍କ ନାମ ଦେଲେ "ଯାମି’ ।

ତିନି ପିଲା ବଡ଼ ହେବାକୁ ଲାଗିଲେ, ସଞ୍ଜନା  ସାବତପୁଅ ଶନିଙ୍କୁ ଜମା ଭଲ ପାଉନଥିଲେ ।  ତେଣୁ ତାଙ୍କୁ କୌଣସି ଦାୟିତ୍ୱ ନଦେଇ ତାଙ୍କ  ନିଜ ଗର୍ଭରୁ ଜନ୍ମିଥିବା ପୁତ୍ର ଯମଙ୍କୁ ଧର୍ମରାଜ  ଦାୟିତ୍ୱ ଦେଲେ ଯେକୌଣସି ମନୁଷ୍ୟ ସମୟ  ପୂର୍ବରୁ ମୃତ୍ୟୁବରଣ କରିପାରିବେ ନାହିଁ କି  ନିର୍ଦ୍ଧାରିତ ସମୟ ପରେ ବଞ୍ଚିପାରିବେ ନାହିଁ ।  ଏହି ଧର୍ମ ଠିକ୍‌ଭାବରେ ପାଳନ କରିବା ଦାୟିତ୍ୱ  ହେଲା ଧର୍ମରାଜ ଯମ ଦେବତାଙ୍କର । ଝିଅ ଯାମିଙ୍କୁ  ପୃଥିବୀରେ ଯମୁନା ନଦୀ ହୋଇ ଲୋକମାନଙ୍କର  ପାପ ଧୋଇବା ପାଇଁ ଓ ଶ୍ରୀକୃଷ୍ଣଙ୍କୁ ତା'ରି କୁଳରେ  ଖେଳେଇ ବଡ଼ କରିବା ପାଇଁ ଦାୟିତ୍ୱ ଦେଲେ । କିନ୍ତୁ  ଶନିଦେବଙ୍କୁ କୌଣସି ଦାୟିତ୍ୱ ନଦେବାରୁ ମା'ଙ୍କୁ  ନିଜର ଦୁଃଖ କହି ବିରକ୍ତି ଭାବ ଜଣେଇଲେ-  ଆପଣ ଛୋଟବେଳୁ ହିଁ ମତେ ଅନାଦାର କାହିଁକି  କରିଛନ୍ତି ମାତା? ମୁଁ କ’ଣ ଆପଣଙ୍କର ପୁତ୍ର  ନୁହେଁ କି? ଏତିକିରେ ମା'ଙ୍କ ମୁହଁରେ ଜବାବ  ଦେବାଲାଗି ତାଙ୍କୁ ଅଭିଶାପ ଦେଇଦେଲେ ଏବଂ  ଅଥର୍ବ କରିଦେଲେ । ସୂର୍ଯ୍ୟଦେବଙ୍କର ନିଜ  ପ୍ରଥମ ପୁତ୍ର ପ୍ରତି ଦୟା ଆସିଲା, ସଞ୍ଜନାଙ୍କୁ  ପ୍ରଶ୍ନ କଲେ- ଜଣେ ପ୍ରକୃତ ମା’ କ’ଣ କେବେ  ଏତେ ନିର୍ଦ୍ଦୟ ହୋଇପାରନ୍ତି? ତମେ କ’ଣ  ତାର ପ୍ରକୃତ ମା’ ନୁହଁ କି? ସୂର୍ଯ୍ୟଦେବଙ୍କର  ଏପରି କଟାକ୍ଷ ଭାବ ଦେଖି ଦେବୀ ସଞ୍ଜନା  ମନଦୁଃଖରେ ଘର ଛାଡ଼ି ଚାଲିଗଲେ ହିମାଳୟକୁ ।  ସୂର୍ଯ୍ୟଦେବ ତା’ପରେ ଶନିଙ୍କୁ ସେ ଅଭିଶାପରୁ  କିଛିମାତ୍ରାରେ ମୁକ୍ତିଦେଲେ ଏବଂ ଗୋଟିଏ ବଡ଼  ଶକ୍ତିଶାଳୀ ଦାୟିତ୍ୱ ଦେଇ କହିଲେ ‘ତୁମେ  ମଣିଷର ଜୀବନକାଳ ଭିତରେ ହିଁ ଏ ଦାୟିତ୍ୱ  ନିର୍ବାହ କରିବ । ଯେତେବେଳେ ଜଣେ ମଣିଷର  ଅହଂ ବଢ଼ିଯିବ ଠିକ୍‌ ସେତିକିବେଳେ ତାଙ୍କୁ ଠିକ୍‌  ବାଟକୁ ଆଣିବା ଦାୟିତ୍ୱ ତୁମର ରହିବ । ତେଣୁ  ଆଜିର କ୍ଲୋନ ଜ୍ଞାନର ବହୁପୂର୍ବରୁ ଆମ ସନାତନ  ଧର୍ମରେ ଏହାର ଉଲ୍ଲେଖ ଅଛି! କିନ୍ତୁ ସୃଷ୍ଟିର  ପ୍ରଥମ କ୍ଲୋନ ଥିଲେ ‘ଛାୟା’ । 

ସବୁ ପିଲାଙ୍କର ଏକସଙ୍ଗେ କରତାଳିରେ  ଶ୍ରେଣୀଗୃହ ପ୍ରକମ୍ପିତ ହୋଇଗଲା! ମହାଆନନ୍ଦରେ  ଗଦ୍‌ ଗଦ୍‌ ହୋଇ ପଚାରିଲି- ପିଲାମାନେ  କହିଲ ଏଥର, ଆଜିର ଉଡ଼ାଜାହାଜର ଧାରଣା  (କନସେପ୍‌ଟ) କେଉଁଠାରୁ ଆସିଥାଇପାରେ?  ଏକସଙ୍ଗେ ଶୁଭିଲା- ପୁରାଣ ଶାସ୍ତ୍ରର ଆମ "ପୁଷ୍ପକ  ବିମାନ'। ଉତ୍ସାହିତ ହୋଇ ମୋର ପ୍ରଶ୍ନ ପୁଣି  ଥିଲା- କହିଲ ପିଲାମାନେ, ଆଜିର "ଗାଇଡେଡ  ମିସାଇଲ' ଓ ପାଣିତଳ "ଟରପେଡୋ'ର  କନସେପ୍‌ଟ କେଉଁଠୁ ଆସିଥାଇପାରେ?'  ଶ୍ରେଣୀଗୃହ ପୁଣିଥରେ କମ୍ପିଉଠିଲା ରାଜା  ଦଶରଥଙ୍କର ଶବ୍ଦଭେଦୀ ବାଣ! ଭାବନ୍ତୁ, ଯଦି  ଆମ ସ୍କୁଲ ପାଠ୍ୟକ୍ରମରେ ମହାନ ଭାରତୀୟ ଶାସ୍ତ୍ର  ଓ ସଂସ୍କୃତିର ଗାଥା ସ୍ଥାନ ପାଇଥାନ୍ତା, ଆଜି ହୁଏତ  ପୂରା ଭାରତର କୋଣ ଅନୁକୋଣରେ ଆମ  ପିଲାମାନେ ଆମରି ଭାଷାରେ ଆମରି କଥା କହି  ଗର୍ବ ଅନୁଭବ କରିଥାନ୍ତେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.