ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଉରି ସେକ୍ଟରରେ ଥିବା ଏଲଓସି (LOC) ନିକଟରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସୁରକ୍ଷା ବାହିନୀ । ଏହି ସମୟରେ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିଛି ସେନା । ବର୍ତ୍ତମାନ ସେନା ପକ୍ଷରୁ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଭାରତୀୟ ସେନା କହିଛି ଯେ ଆତଙ୍କବାଦୀ ମାନେ ଖରାପ ଦୃଶ୍ୟମାନତା ଏବଂ ଖରାପ ପାଗର ସୁଯୋଗ ନେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ଏଲଓସି ନିକଟ ଉରି ସେକ୍ଟରରେ ଏକ ଅନୁପ୍ରବେଶ ଉଦ୍ୟମକୁ ସୈନ୍ୟମାନେ ଭଣ୍ଡୁର କରିଛନ୍ତି ।
ଶୀତ ପାଇଁ ତୁଷାରପାତ ଏବଂ କମ୍ ଦୃଶ୍ୟମାନତା ହେତୁ ଆତଙ୍କବାଦୀ ମାନେ ପାକିସ୍ତାନ ପାର୍ଶ୍ୱରୁ ଅନୁପ୍ରବେଶ କରିବାକୁ ସର୍ବଦା ଚେଷ୍ଟା କରିଥାନ୍ତି । ତଥାପି, ଭାରତୀୟ ସେନା ଏହି କଠିନ ପରିସ୍ଥିତିରେ ମଧ୍ୟ ସୀମାରେ ସଜାଗ ରହିଥାନ୍ତି ଏବଂ ଏହିପରି ଅନୁପ୍ରବେଶକୁ ଅଟକାଇଥାନ୍ତି ।
ଅକ୍ଟୋବର ମାସରେ ମଧ୍ୟ ମିଳିତ ଅପରେସନରେ ସୁରକ୍ଷା ବାହିନୀ ଉରି ସେକ୍ଟରରେ ଏଲଓସିରେ ଏକ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିଥିଲେ । ଏହି ସମୟରେ ସୁରକ୍ଷା ବାହିନୀ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ । ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ପରେ ସେନା ଘଟଣାସ୍ଥଳରୁ ୨ଟି AK ସିରିଜ୍ ରାଇଫଲ, ୬ଟି ପିସ୍ତଲ ଏବଂ ୪ଟି ଚାଇନା ହ୍ୟାଣ୍ଡ ଗ୍ରେନେଡ ଜବତ କରିଥିଲା ।