ନୂଆଦିଲ୍ଲୀ,୧।୨: ମଧ୍ୟବିତ୍ତ ପରିବାରର ଲୋକଙ୍କୁ ସବୁବେଳେ ବଜେଟ୍ରେ ଉପରେ କିଛି ନା କିଛି ଆଶା ଥାଏ। ଇନକମ୍ ଟ୍ୟାକ୍ସରେ ହ୍ରାସ କିମ୍ବା ବୃଦ୍ଧି ନେଇ ଜାଣିବାର ଏକ ଆଗ୍ରହ ଥାଏ। ତେବେ ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମ ଆୟକରରେ କୌଣସି ପରିବର୍ତ୍ତନ କରିନଥିବାର ଘୋଷଣା କରିଛନ୍ତି। କାରଣ ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଲୋକଙ୍କୁ ଆଶା ଥିଲା ଯେ, ଗତ କାମଚଳା ବଜେଟ୍ ଅର୍ଥାତ ୨୦୧୯ ଭଳି ଲୋକଙ୍କୁ ଆୟକରରୁ କିଛ ଆଶ୍ବସ୍ଥି ମିଳିବ, କିନ୍ତୁ ଏଥର ନିରାଶ ହୋଇଛନ୍ତି ଲୋକେ।
ବର୍ତ୍ତମାନ ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତନ ରହିବ ବୋଲି ବଜେଟ ଉପସ୍ଥାପନ ବେଳେ କହିଛନ୍ତି ଅର୍ଥମନ୍ତ୍ରୀ । ଟିକସଦାତାଙ୍କୁ ନିଜ ଅଭିଭାଷଣରେ ଧନ୍ୟବାଦ ଜଣାଇ ସେ କହିଥିଲେ ଗତ ୧୦ ବର୍ଷରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଦୁଇ ଗୁଣାରୁ ଅଧିକ ହୋଇଛି। ଟ୍ୟାକ୍ସ ରିଟର୍ଣ୍ଣ ଫାଇଲକୁ ସହଜ ଏବଂ ସରଳ କରାଯିବ। ବିକଶିତ ଭାରତ ନେଇ ଜୁଲାଇ ବଜେଟରେ ବ୍ୟାପକ ଘୋଷଣା ହେବ। ବିତ୍ତୀୟ ନିଅଣ୍ଟକୁ ୪.୫%କୁ ହ୍ରାସ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୪-୨୫ରେ ବିତ୍ତୀୟ ନିଅଣ୍ଟ ୫.୧% ହେବା ବୋଲି ଲକ୍ଷ୍ୟ ରଖାଯାଇଛି। ଆସନ୍ତୁ ଜାଣିବା ପୂର୍ବ ବଜେଟରେ କ’ଣ ଥିଲା ଟ୍ୟାକ୍ସ ସ୍ଲାବ ?
ବଜେଟ୍ ୨୦୨୩-୨୪ ଆଗତ କରାଯାଇଥିଲା ଏହି ଟ୍ୟାକ୍ସ ସ୍ଲାବ୍:
୦ ରୁ ତିନି ଲକ୍ଷ ପର୍ଯ୍ୟନ୍ତ ଉପରେ ୦%
୩ ରୁ ୬ ଲକ୍ଷରେ ୫ %
୬ ରୁ ୯ ଲକ୍ଷରେ ୧୦%
୯ ରୁ ୧୨ ଲକ୍ଷରେ ୧୫%
୧୨ରୁ୧୫ ଲକ୍ଷରେ ୨୦%
୧୫ ରୁ ଅଧିକ ଲକ୍ଷ ଉପରେ ୩୦%
ସେଭଳି ପୁରୁଣା ଟ୍ୟାକ୍ସ ସ୍ଲାବରେ ବାର୍ଷିକ ୫ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟ୍ୟାକ୍ସ ଦେବାକୁ ପଡୁନଥିଲା। ଏଥିରେ ଇନକମ୍ ଟ୍ୟାକ୍ସ ଅଧିନିୟମର ଧାରା ୮୦ ସି ଅନୁସାରେ ଦେଢ ଲକ୍ଷ ଟଙ୍କା ନିବେଶ ଉପରେ ଟ୍ୟାକ୍ସ ଛାଡ ମିଳୁଥିଲା। ଅର୍ଥାତ ଏହି ଟ୍ୟାକ୍ସ ସ୍ଲାବରେ ଟ୍ୟାକ୍ସପେୟରଙ୍କୁ ୬.୫୦ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟ୍ୟାକ୍ସ ଲାଗୁନଥିଲା। ପୁରୁଣା ଟ୍ୟାକ୍ସ ସ୍ଲାବ ହିସାବରେ ଅଢେଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆମଦାନୀ ଉପରେ କୌଣସି ଟ୍ୟାକ୍ସ ଦେବାକୁ ପଡୁନଥିଲା। ଅଢେଇ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ଆମଦାନୀ ଉପରେ ୫%ର ଟ୍ୟାକ୍ସ ଲାଗୁଥିଲା।