ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଆଇପିଏଲ୍ ମହାକୁମ୍ଭକୁ ଗୋଟିଏ ଦିନର ଅପେକ୍ଷା: ଏଥର ନୂଆ ନିୟମ, ଓଭରରେ ୨ ବାଉନ୍ସର, ସ୍ମାର୍ଟ ରିପ୍ଲେ ସିଷ୍ଟମ୍

ମୁମ୍ବାଇ, ୨୧/୦୩: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ରଙ୍ଗା ରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହେବ ଆଇପିଏଲ୍‌ର ୧୭ତମ ସଂସ୍କରଣ । ଚିପକ ଷ୍ଟାଡ଼ିୟମ ପ୍ରସ୍ତୁତ । ଡିଫେଣ୍ଡି ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗ୍‌ସକୁ ସାମ୍ନା କରିବା ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ଇତି ମଧ୍ୟରେ ଚେନ୍ନାଇରେ ପହଞ୍ଚି ସାରିଛି । ମହେନ୍ଦ୍ର  ସିଂହ ଧୋନିଙ୍କ ସମେତ ବିରାଟ କୋହଲିଙ୍କୁ ଦେଖିବା ପାଇଁ ଦର୍ଶକ ଏବେଠୁ ଭିଡ଼ ଲଗାଇଛନ୍ତି ।  ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇ ସାରିଛନ୍ତି ଓ କେବଳ ଆଇପିଏଲ୍‌ ଖେଳୁଛନ୍ତି ।  ତେଣୁ ତାଙ୍କୁ ଦେଖିବା ପାଇ ଦର୍ଶକଙ୍କୁ ବର୍ଷେ କାଳ ଅପେକ୍ଷା କରିବାକୁ ପଡ଼ିଛି । ସେହିପରି କୋହଲି  ମଧ୍ୟ ୨ ମାସ ପରେ କ୍ରିକେଟ୍‌ ଗ୍ରାଉଣ୍ଡକୁ ଫେରୁଛନ୍ତି ।  

ବାଉନ୍ସର ବଢାଇବ ରୋମାଞ୍ଚ 

ଏଥର ଆଇପିଏଲ୍‌ରେ ପେସ୍‌ ବୋଲରମାନେ ମୁଖ୍ୟ ଆକର୍ଷଣ ସାଜିବେ । ନୂଆ କରି ଲାଗୁ କରାଯାଇଥିବା ନିୟମ ଅନୁଯାୟୀ ଜଣେ ବୋଲର ଗୋଟିଏ ଓଭରରେ ୨ଟି ବାଉନ୍ସର ପକାଇପାରିବେ । କ୍ରିକେଟ୍‌ରେ ଏଣିକି ବ୍ୟାଟରଙ୍କ ରାଜୁତି ରହିବ ନାହିଁ । ବୋଲର ମାନେ ପ୍ରତି ଓଭରରେ ଚ୍ୟାଲେଞ୍ଜ ଦେଇ ପାରିବେ । ଘାତକ ପେସ୍‌ ବୋଲରମାନେ ବାରମ୍ବାର ବାଉନ୍ସର ମାରି ବ୍ୟାଟରଙ୍କ ମନରେ ଆତଙ୍କ ଖେଳାଇ ପାରିବେ । 

ଗତ ବର୍ଷ ଲାଗୁ କରାଯାଇଥିବା ଇମ୍ପାକ୍ଟ ପ୍ଲେୟାର ନିୟମ ଏଥର ମଧ୍ୟ ବଳବତ୍ତର ରହିବ । ଫଳ ସ୍ୱରୂପ ଟସ୍‌ ପୂର୍ବରୁ ଉଭୟ ଦଳର ଅଧିନାୟକ ୧୨ଜଣିଆ ଖେଳାଳି ତାଲିକା ନେଇ ଗ୍ରାଉଣ୍ଡକୁ ଓହ୍ଲାଇବେ । ୧୧ଜଣ ମୁଖ୍ୟ ଖେଳାଳିଙ୍କ ବାଦ ଆଉ ଜଣେ ଖେଳାଳିଙ୍କୁ ସେ ଇମ୍ପାକ୍ଟ ପ୍ଲେୟାର ଭାବେ ବଦଳ କରିପାରିବେ । 

ଅମ୍ପାୟାରଙ୍କ ସୁବିଧା ପାଇଁ ଏଥର ସ୍ମାର୍ଟ ରିପ୍ଲେ  ସିଷ୍ଟମ ଲାଗୁ କରାଯାଇଛି । ତୃତୀୟ ଅମ୍ପାୟାରଙ୍କ  କାର୍ଯ୍ୟକୁ ସହଜ କରିବା ତଥା କମ୍‌ ସମୟରେ ମଧ୍ୟରେ  ନିଷ୍ପତ୍ତି ଶୁଣାଇବା ପାଇଁ ଗ୍ରାଉଣ୍ଡରେ ୮ଟି ହାଇ ସ୍ପିଡ୍‌  କ୍ୟାମେରା ଲଗାଯିବ । ଏହି କ୍ୟାମେରାରୁ ତୃତୀୟ  ଅମ୍ପାୟାର ସିଧା ସଳଖ ଭିଡ଼ିଓ ରିପ୍ଲେ ଦେଖି ପାରିବେ ।

ରେହେମାନଙ୍କ ସଙ୍ଗୀତରେ ଝୁମିବ ଚିପକ 


 


ଉଦ୍‌ଘାଟନୀ ଉତ୍ସବ ପାଇଁ ଚିପକ ଷ୍ଟାଡିୟମ୍‌ରେ  ଜୋରଦାର ପ୍ରସ୍ତୁତି ଚାଲିଛି । ବିଲିଉଡ୍‌ର ବହୁ  ପ୍ରସିଦ୍ଧ ତାରକା ଉଦ୍‌ଘାଟନୀ ଉତ୍ସବରେ ନୃତ୍ୟ  ସଙ୍ଗୀତ ପରିବେଷଣ କରିବେ । ଏମାନଙ୍କ ମଧ୍ୟରେ  ରହିଛନ୍ତି ଅଭିନେତା ଅକ୍ଷର କୁମାର, ଟାଇଗର  ସ୍ରଫ, ସଙ୍ଗୀତ ନିର୍ଦ୍ଦେଶକ ଏଆର ରେହମାନ  ଓ କଣ୍ଠଶିଳ୍ପୀ ସୋନୁ ନିଗମ । ଆହୁରି ଅନେକ  କଳାକାର ମଧ୍ୟ ନୃତ୍ୟ ପରିବେଷଣ କରିବେ ।  

ମ୍ୟାଚ୍‌ ସଂଖ୍ୟା ଅପରିବର୍ତ୍ତିତ 

ପୂର୍ବ ସଂସ୍କରଣ ଭଳି ଏଥର ମଧ୍ୟ ମୋଟ୍‌ ୭୪ଟି ମ୍ୟାଚ୍‌ ଖେଳାଯିବ । ୭୦ଟି ଲିଗ୍‌ ମ୍ୟାଚ୍‌ ବ୍ୟତୀତ ୨ଟି  କ୍ୱାଲିଫାୟର, ଗୋଟିଏ ଏଲିମିନେଟର ଓ ଶେଷରେ  ଫାଇନାଲ୍‌ ଖେଳାଯିବ। ଲିଗ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ୧୪ଟି ଲେଖାଏଁ ମ୍ୟାଚ୍‌ ଖେଳିବେ । ରାତି ୮ଟିରେ ଉଦ୍‌ଘାଟନୀ ମୁକାବିଲା ଖେଳାଯିବ । ବାକି ସମସ୍ତ  ରାତି ମ୍ୟାଚ୍‌ ଗୁଡ଼ିକ ୭.୩୦ରେ ଆରମ୍ଭ ହେବ । ଦିନ  ମ୍ୟାଚ୍‌ ଗୁଡ଼ିକ ଅପରାହ୍ଣ ୩.୩୦ରେ ଆରମ୍ଭ ହେବ । ସ୍ପୋର୍ଟ୍ସ ୧୮, ଜିଓ ସିନେମା, ହଟ୍‌ ଷ୍ଟାର୍‌ରେ ସମସ୍ତ  ମ୍ୟାଚ୍‌ର ସିଧା ପ୍ରସାରଣ କରାଯିବ । 

ପୁରୁଣା ଦଳ, ନୂଆ ନେତୃତ୍ୱ 

ଚେନ୍ନାଇ ସୁପରକିଙ୍ଗ୍‌ସ, ରୟାଲ୍‌ ଚ୍ୟାଲେଞ୍ଜର୍ସ  ବେଙ୍ଗାଲୁରୁ, ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦଳରେ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିବ । ଗତ ୨ଟି ସିଜନରେ ଗୁଜରାଟ  ଟାଇଟନ୍ସର ଅଧିନାୟକ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଏଥର ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବାକୁ ଯାଉଛନ୍ତି । ଫଳରେ ଶୁଭମନ ଗିଲ୍‌ ନୂଆ କରି ଟାଇଟନ୍ସ ଦଳର ନେତୃତ୍ୱ  ନେବେ । କେ ଏଲ୍‌ ରାହୁଲ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଦଳର ନେତୃତ୍ୱ ନେବେ । ଗତ ସିଜନରେ ସେ  ଆହତ ହୋଇ ଅର୍ଦ୍ଧାଧିକ ମ୍ୟାଚ୍‌ ଖେଳି ନଥିଲେ ।  ତାଙ୍କ ସ୍ଥାନରେ କୃନାଲ ପାଣ୍ଡ୍ୟା ନେତୃତ୍ୱ ନେଇଥିଲେ । ରିଷଭ ପନ୍ତ ଓ ଶ୍ରେୟାସ ଆୟର ଅଧିନାୟକ  ଭାବେ ନିଜ ନିଜ ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ।  ଉଭୟ ଆହତ ସମସ୍ୟା ଯୋଗୁଁ ଗତ ସିଜନ ଖେଳି  ନଥିଲେ । ସନରାଇଜର୍ସ ପ୍ରତି ବର୍ଷ ଭଳି ନୂଆ ସିଜନ  ପାଇଁ ନୂଆ ଅଧିନାୟକ ନିଯୁକ୍ତ କରିଛି । ଏଥର ପ୍ୟାଟ୍‌  କମିନ୍ସ ଦଳର ନେତୃତ୍ୱ ନେଉଛନ୍ତି । 

ଷ୍ଟାର୍କ, କମିନ୍ସ ମୁଖ୍ୟ ଆକର୍ଷଣ ଅଷ୍ଟ୍ରେଲିଆର ଦୁଇ ପ୍ରସିଦ୍ଧ ପେସ୍‌ ବୋଲର ମିଚେଲ  ଷ୍ଟାର୍କ ଓ କମିନ୍ସଙ୍କୁ ଉପରେ ଦର୍ଶକଙ୍କ ନଜର  ରହିବ । ଉଭୟ ଆଇପିଏଲ୍‌ ଇତିହାସର ସବୁଠୁ  ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ଏଥର  ନିଲାମରେ ସନରାଇଜର୍ସ ୨୦.୫କୋଟି ଟଙ୍କାରେ କମିନ୍ସଙ୍କୁ କିଣିଥିଲା । ମାତ୍ର ଦାମୀ ଖେଳାଳି ରେକର୍ଡ  କ୍ଷଣକ ମଧ୍ୟରେ ଭାଙ୍ଗି ଯାଇଥିଲା । କୋଲକାତା  ନାଇଟ୍‌ ରାଇଡର୍ସ ୨୪.୭୫ କୋଟି ଟଙ୍କାରେ  ଷ୍ଟାର୍କଙ୍କୁ କିଣି ହଇଚଇ ଖେଳାଇ ଦେଇଥିଲା । ଏମାନଙ୍କ ବ୍ୟତୀତ ଡାରିଲ୍‌ ମିଚେଲ(୧୪କୋଟି), ସମୀର ରିଜଭୀ(୮.୪କୋଟି) ଙ୍କୁ ସୁପରକିଙ୍ଗ୍‌ସ,ହର୍ଷଲ ପଟେଲ(୧୧.୭୫କୋଟି)ଙ୍କୁ  ପଞ୍ଜାବ କିଙ୍ଗ୍‌ସ, ଅଲଜାରୀ ଜୋଶେଫ(୧୧.୫କୋଟି) ଙ୍କୁ ରୟାଲ୍‌ ଚ୍ୟାଲେଞ୍ଜର୍ସ କିଣିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.