ନୂଆଦିଲ୍ଲୀ,୧୫/୦୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସ୍ଥିତିକୁ ନେଇ ଚିନ୍ତାରେ ନୂଆଦିଲ୍ଲୀ । ଯୁଦ୍ଧ ସ୍ଥିତି ଘନେଇଲେ ଏହା ଭାରତ ପାଇଁ ଉଭୟ କୁଟନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ କ୍ଷତିକାରକ ହେବ । ସ୍ଥିତି ନ ବିଗିଡୁ ବୋଲି ଭାରତ ଆଶାବାଦୀ ରହିଛି । ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଶାନ୍ତି ଓ ନିରାପତ୍ତା ବଜାୟ ରହୁ । କୂଟନୈତିକ ଆଲୋଚନ ଦ୍ୱାରା ସମସ୍ୟା ସମାଧାନ କରାଯାଉ ବୋଲି ଭାରତ କହିଛି । ସ୍ଥିତି ଉପରେ ନଜର ରଖିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ।
ଯୁଦ୍ଧ ସ୍ଥିତି ଘନେଇଲେ ଭାରତ ବିଶେଷ କରି ୩ କ୍ଷେତ୍ରରୁ ପ୍ରଭାବିତ ହେବାର ଆଶଙ୍କା ରହିଛି । ବର୍ତ୍ତମାନ ଇସ୍ରାଏଲରେ ୧୮ ହଜାର ଭାରତୀୟ ରହୁଛନ୍ତି । ସେହିଭଳି ଇରାନରେ ପ୍ରାୟ ୧୦ ହଜାର ଭାରତୀୟ ବସବାସ କରୁଛନ୍ତି । ପଶ୍ଚିମ ଏସିଆ ଏବଂ ଗଲ୍ପ ଦେଶ ଗୁଡିକରେ ୯୦ ଲକ୍ଷ ଭାରତୀୟ ରହୁଛନ୍ତି । ସ୍ଥିତି ବିଗିଡିଲେ ଏସବୁ ଅଞ୍ଚଳରେ ବସବାସ କରୁଥିବା ଭାରତୀୟ ଗଭୀର ଭାବେ କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କା କରାଯାଉଛି ।
ଏହାବାଦ ଦେଶର ତୈଳ ଆମଦାନୀ ଉପରେ ମଧ୍ୟ ଗଭୀର ପ୍ରଭାବ ପଡିବ ବୋଲି କୁହାଯାଉଛି । ଭାରତ ଏହାର ୮୦% ତେଲ ଆବଶ୍ୟକତା ବିଦେଶରୁ ଆମଦାନୀ ଦ୍ୱାରା ପୂରଣ କରୁଛି । ପଶ୍ଚିମ ଏସିଆ ଅଞ୍ଚଳ ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ରୁଷ ୟୁକ୍ରେନ ଯୁଦ୍ଧ ବେଳେ ଭାରତ ରୁଷରୁ ଶସ୍ତା ତେଲ କ୍ରୟ କରିବା ସହ ସ୍ଥିତିକୁ ସମ୍ଭାଳିବାକୁ ସକ୍ଷମ ହୋଇଥିଲା । ମାତ୍ର ବର୍ତ୍ତମାନର ସ୍ଥିତି ଭାରତକୁ ସମସ୍ୟାରେ ପକାଇପାରେ ।
ଭାରତ ଇରାନ ଏବଂ ଇସ୍ରାଏଲ ଭଳି ଆରବ ଦେଶ ଗୁଡିକ ସହ ଉତ୍ତମ ଦ୍ୱିପାକ୍ଷିକ ସମ୍ପର୍କ ଜାରି ରଖିଛି । ଭାରତ-ମଧ୍ୟପ୍ରାଚ୍ୟୟୁରୋପ କରିଡର ଉପରେ ମଧ୍ୟ ଏବେ ଦେଶ କାମ କରୁଛି । ଏହା ଦ୍ୱାରା ଭାରତକୁ ଲାଭ ମିଳିବ । ଏଭଳି ସ୍ଥିତିରେ ଦେଶ ଏମିତି କିଛି କାମ କରିବ ନାହିଁ, ଯାହା ଅର୍ଥନୈତିକ ସମ୍ପର୍କକୁ କ୍ଷତି ପହଞ୍ଚାଇବ ।
ଲୋହିତ ସାଗରରେ ହୁତି ଆତଙ୍କି ଗୋଷ୍ଠୀଙ୍କ ଉତ୍ପାଦ ଯୋଗୁ ଏବେ ସମୁଦ୍ର ପଥରେ ମାଲ୍ ପରିବହନ କ୍ଷତିଗ୍ରସ୍ତ ହୋଇ ରହିଛି । ଜାହାଜ ଗୁଡିକୁ ବିକଳ୍ପ ପଥରେ ଆସିବାକୁ ଥିବାରୁ ଅପେକ୍ଷାକୃତ ଅଧିକ ସମୟ ଲାଗୁ ଥିବାରୁ ମାଲ୍ ପରିବହନ ଭଡା ଏବଂ ବୀମା ଖର୍ଚ୍ଚ ମଧ୍ୟ ବଢ଼ିଛି । ଆକାଶ ମାର୍ଗରେ ଭାରତକୁ ଆମଦାନି ଏବଂ ରପ୍ତାନି ଏବେ ମହଙ୍ଗା ହୋଇଛି ।
ଏଭଳି ସ୍ଥିତିରେ ଯୁଦ୍ଧ ସ୍ଥିତି ଭାରତ ପାଇଁ ସଙ୍କଟକୁ ଡାକି ଆଣିବ । ମଧ୍ୟ ପ୍ରାଚ୍ୟରୁ ତେଲ ଆମଦାନି ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହେବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି । ତେଲ ଯୋଗାଣ ସମସ୍ୟା ରହିଲେ ଆଗାମୀ ଦିନରେ ପେଟ୍ରୋଲ ଡିଜେଲ ଦର ବଢ଼ିଯିବାର ଢ଼େର ଆଶଙ୍କା ରହିଛି । ସେହିଭଳି ତେଲ ଦର ବଢ଼ିଲେ ଏହାର ପ୍ରତ୍ୟକ୍ଷ ପ୍ରଭାବ ଦରଦାମ ଉପରେ ପଡିବ । ଫଳରେ ଉଭୟ ମୁଦ୍ରାସ୍ଫୀତି ଏବଂ ବାଣିଜ୍ୟିକ ଚାପ ସମସ୍ୟା ସାମ୍ନା କରିବ ଦେଶ ।
ଯୁଦ୍ଧ ସ୍ଥିତି ଲାଗି ରହିଲେ ନିବେଶକଙ୍କ ଆତ୍ମବିଶ୍ୱାସକୁ ମଧ୍ୟ ଏହା କ୍ଷତି ପହଞ୍ଚାଇବ । ଫଳରେ ଉଭୟ ବିଦେଶୀ ନିବେଶ ପ୍ରବାହ ଏବଂ ପୁଞ୍ଜି ବଜାର କ୍ଷତିଗ୍ରସ୍ତ ହେବ । ସେହିଭଳି ବିମାନ କମ୍ପାନିଗୁଡିକ ଏବେ ୟୁରୋପକୁ ଭଡା ବଢ଼ାଇ ଦେବେ ବୋଲି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି । ଏପଟେ ଏୟାର ଇଣ୍ଡିଆ ଇସ୍ରାଏଲର ତେଲ ଆଭିଭକୁ ବିମାନ ସେବା ସାମୟିକ ସମୟ ଲାଗି ବାତିଲ କରିଛି । ଯୁଦ୍ଧ ଯୋଗୁ ଏହି ଅଞ୍ଚଳଗୁଡିକ ଅଶାନ୍ତ ହୋଇପଡିଛି । ଭାରତୀୟ ମାନେ ସେଠାକୁ ନ ଯିବାକୁ କେନ୍ଦ୍ର ସରକାର ଆଡଭାଇଜରି ଜାରି କରିଛନ୍ତି । ଇସ୍ରାଏଲ ଏବଂ ଇରାନରେ ରହୁଥିବା ଭାରତୀୟଙ୍କୁ ଭାରତୀୟ ଦୁତାବାସ ସହ ସମ୍ପର୍କରେ ରହିବାକୁ କୁହାଯାଇଛି । ଲୋକମାନେ ସୁରକ୍ଷିତ ରହିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶରେ କୁହାଯାଇଛି ।
ଇସ୍ରାଏଲ ଏବଂ ଇରାନ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ଉନ୍ନତ ରହିଛି । ଗତ କିଛି ଦଶନ୍ଧି ଧରି ଘରୋଇ ବଜାର ଉଭୟ ଦେଶ ସମତୁଳତା ବଜାୟ ରଖିଛି । ଇସ୍ରାଏଲ ସହ ଭାରତର କୂଟନୈତିକ ସମ୍ପର୍କ ଦୃଢ଼ ରହିଛି । ଉଭୟ ପ୍ରତିରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ଉଭୟ ଦେଶ ମିଳିତ ହୋଇ କାମ କରୁଛନ୍ତି । ସେହିଭଳି ଆତଙ୍କବାଦ ବିରୋଧୀ ଲଢ଼େଇରେ ଏମାନେ ମିଳିତ ହୋଇ କାମ କରିବାକୁ ଚୁକ୍ତି କରିଛନ୍ତି । ଭାରତ ଏବଂ ଇରାନ ମଧ୍ୟରେ ଚବାହାର ବନ୍ଦର ଏକ ପ୍ରମୁଖ ଅର୍ଥନୈତିକ ପ୍ରକଳ୍ପ । ଫଳରେ ସ୍ଥିତିରେ ସୁଧାର ଚାହୁଁଛି ଦେଶ