ସୋର ୦୩/୦୯: କାନ୍ଥରୁ ଲିଭିନି ଶୁଭ ବିବାହ ହେଲେ ଲିଭିଗଲା ନବବଧୂଙ୍କ ଜୀବନ ଦୀପ l ସାମାନ୍ୟ ଫ୍ରିଜ୍ ପାଇଁ ଚାଲିଗଲା ନବବଧୂଙ୍କ ଜୀବନ l ସ୍ୱାମୀ ଓ ଶାଶୂଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ। ଏପରି କିଛି ଘଟଣା ଦେଖିବାକୁ ମିଳିଛି ଖଇରା ବ୍ଲକ ଗଡ଼ପୋଖରୀ ପଂଚାୟତ ତେନ୍ତାଲ ଗଡିଆ ଗ୍ରାମରେ।
ସୂଚନା ଅନୁଯାୟୀ, ଗତ ଜୁନ ମାସ ୧୪ ତାରିଖରେ କୁପାରୀ ପଂଚାୟତ ସରପୁର ଗ୍ରାମର ସୁଦାମ ସେଠିଙ୍କ ଝିଅ ଲକ୍ଷ୍ମୀପ୍ରିୟା ସେଠି ହିନ୍ଦୁ ରୀତିନୀତି ଅନୁସାରେ ଖଇରା ବ୍ଲକ ଗଡ଼ପୋଖରୀ ପଂଚାୟତ ତେନ୍ତାଲ ଗଡିଆ ଗ୍ରାମର ଜଗନ୍ନାଥ ଦାସଙ୍କୁ ବିବାହ କରିଥିଲେ l ବିବାହର କିଛି ଦିନ ପର୍ଯ୍ୟନ୍ତ ଠିକଠାକ୍ ଚାଲିଥିବା ବେଳେ ଜଗନ୍ନାଥ ଓ ତାଙ୍କ ମା ଏକ ଫ୍ରିଜ୍ ପାଇଁ ବାରମ୍ବାର ଲକ୍ଷ୍ମୀପ୍ରିୟାକୁ ନିର୍ଯାତନା ଦେଉଥିଲେ l ଯାହାକୁ ନେଇ ସବୁବେଳେ ପରିବାର ଭିତରେ ଅଶାନ୍ତି ଲାଗିରହୁଥିଲା l ନିର୍ଯାତନା ସହି ନପାରି ମଙ୍ଗଳବାର ଲକ୍ଷ୍ମୀପ୍ରିୟା ଆତ୍ମହତ୍ୟା କରିଥିବା ନେଇ ଗ୍ରାମବାସି ମାନେ ତାଙ୍କ ପରିବାରକୁ ଖବର ଦେଇଥିଲେ l ପରିବାର ଲୋକ ପହଞ୍ଚିବା ବେଳକୁ ଜଗନ୍ନାଥ ଓ ତାଙ୍କ ପରିବାର ଲୋକ ଫେରାର ହୋଇଯାଇଥିଲେ। ତେବେ ଝିଅକୁ ହତ୍ୟା କରାଯାଇଥିବା ଲକ୍ଷ୍ମୀପ୍ରିୟାଙ୍କ ପରିବାର ଲୋକ ଦାବି କରିଛନ୍ତି l ଗ୍ରାମରେ ଉତେଜନା ଲାଗିରହିଛି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।